Unknown

 

 

 

 

 

 

 

 

 

 

 

କପୋତୀର ଅଶ୍ରୁ

ସୁକାନ୍ତ କୁମାର ମହାନ୍ତି

 

ଉତ୍ସର୍ଗ ପତ୍ର

 

ମୋର ପରମପୂଜ୍ୟ ପିତାମହ ଓ ପିତାମହୀ

ଶ୍ରୀଯୁକ୍ତ ସୋମନାଥ ମହାନ୍ତି ଓ ଶ୍ରୀମତୀ ନିଶାମଣି ଦେବୀଙ୍କୁ...

 

କୃତଜ୍ଞତା ଜ୍ଞାପନ

 

ଏ ପୁସ୍ତକର ପ୍ରକାଶ କାଳରେ ମୁଁ ସ୍ମରଣ କରୁଛି ଏକ ଅବିସ୍ମରଣୀୟ ଆତ୍ମା–ଶ୍ରୀଯୁକ୍ତ ଫତୁରାନନ୍ଦ (ଡଃ ରାମଚନ୍ଦ୍ର ମିଶ୍ର) ଙ୍କୁ, ଯେ କି ଅତ୍ୟାଧୁନିକ ଓଡ଼ିଆ ସାହିତ୍ୟରେ ହାସ୍ୟରସର ଜନକ ଭାବେ ସମ୍ମାନିତ ତଥା ରସରାଜ ଭାବେ ପରିଚିତ । ଗଭୀର ଶ୍ରଦ୍ଧାରେ ସେ ମୋତେ ସର୍ବଦା ପ୍ରେରଣା ଦେଇ ଆସୁଛନ୍ତି ।

 

ମୁଖବନ୍ଧ ଲେଖିଦେଇ ସୁସମାଲୋଚକ ଅଧ୍ୟାପକ ବୈଷ୍ଣବଚରଣ ସାମଲ ମତେ କୃତଜ୍ଞତା–ପାଶରେ ଆବଦ୍ଧ କରିଛନ୍ତି ଏବଂ ଓଡ଼ିଶାର ପ୍ରଖ୍ୟାତ ଚିତ୍ରଶିଳ୍ପୀ ଉଦୟନାରାୟଣ ଜେନା ପ୍ରଚ୍ଛଦପଟ ଅଙ୍କନ କରିଥିବାରୁ ମୁଁ ତାଙ୍କ ନିକଟରେ ଋଣୀ । ବ୍ୟକ୍ତିଗତ ପରିଚୟ ନ ଥିଲେ ସୁଦ୍ଧା ମୁଁ ଶ୍ରୀଯୁକ୍ତ ଜେନାଙ୍କର ଏକ ମୁଗ୍‍ଧ ସ୍ତାବକ ।

 

ଏ ପୁସ୍ତକରେ ସନ୍ନିବେଶିତ ଗଳ୍ପଗୁଡ଼ିକ ‘ଡଗର’, ‘ଅନୁରାଗ’, ‘ସାଗରିକା’, ‘ବନଫୁଲ’, ‘ଅଧୁନା’ ଇତ୍ୟାଦି ପତ୍ରିକାରେ ପ୍ରକାଶ ପାଇଥିବାରୁ ସେହି ସେହି ପତ୍ରିକାର ସମ୍ପାଦକମାନଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି ।

 

ଗାଳ୍ପିକ ବନ୍ଧୁ ରଘୁନାଥ ମହାପାତ୍ର, ଅଧ୍ୟାପକ ମୋହନଲାଲ ସାହୁ ଏମ୍.ଏ., ଆଡ଼ଭୋକେଟ ବିପିନବିହାରୀ ତ୍ରିପାଠୀ ଏମ୍.ଏସସି., ଏଲ. ଏଲ. ବି. କବିବନ୍ଧୁ ଅଧ୍ୟାପକ ଅକ୍ଷୟକୁମାର ନନ୍ଦ ଏମ୍.ଏସ୍‍ସି., ଆଡ଼ଭୋକେଟ ତଥା ଆଇନ ଅଧ୍ୟାପକ ଗୋପାଳସୁନ୍ଦର ପଟ୍ଟନାୟକ ବି. ଏ., ଏଲ.ଏଲ.ବି. ଏବଂ ବନ୍ଧୁ ଦାମୋଦର ଷଡ଼ଙ୍ଗୀ, ବି. ଏ. ଙ୍କ ନିକଟରେ ମୁ ଚିରକୃତଜ୍ଞ ।

 

ପ୍ରକାଶକ ବନ୍ଧୁ ଗୋବିନ୍ଦଚରଣ ପାତ୍ରଙ୍କୁ କୃତଜ୍ଞତା ଜ୍ଞାପନ କରିବାକୁ ଯାଇ ଭାଷା ଖୋଜି ପାଉ ନାହିଁ । କାରଣ କାଗଜର ଏ ଦୁର୍ମୂଲ୍ୟ ସମୟରେ ମଧ୍ୟ ସେ ଯେପରି ପ୍ରଚେଷ୍ଟା କରିଛନ୍ତି, ତାହା ଆନ୍ତରିକତାର ସୂଚନା ଦିଏ ।

 

ମୁଦ୍ରାକର ବନ୍ଧୁ ରାଜକିଶୋର ସିଂହ ମଧ୍ୟ ଧନ୍ୟବାଦର ପତ୍ର ।

 

୧୪-୪-୭୪

ବିନୀତ

ମହାବିଷୁବ ସଂକ୍ରାନ୍ତି

ସୁକାନ୍ତ କୁମାର ମହାନ୍ତି

★★★

 

“କପୋତୀର ଅଶ୍ରୁ” ସମ୍ବନ୍ଧରେ ପଦେ

 

ତରୁଣ କଥାକାର ଶ୍ରୀ ସୁକାନ୍ତ କୁମାର ମହାନ୍ତିଙ୍କ ‘କପୋତୀର ଅଶ୍ରୁ’ ଓଡ଼ିଆ ଗଳ୍ପସାହିତ୍ୟକୁ ଆଦ୍ୟ ଅର୍ଘ୍ୟ । ଶ୍ରୀ ମହାନ୍ତି କଥାଶିଳ୍ପୀ ଭାବରେ ନବାଗତ ଏବଂ ବୟସରେ ତରୁଣ ହେଲେହେଁ ଗଳ୍ପ ସୃଷ୍ଟିରେ ସେ ବେଶ୍ ପ୍ରବୀଣତାର ପରିଚୟ ପ୍ରଦାନ କରିଅଛନ୍ତି । ତାଙ୍କର ଗଳ୍ପଗୁଡ଼ିକରେ ତାରୁଣ୍ୟର ତଥାକଥିତ ଉଦ୍ଦାମତା ନାହିଁ–କଳ୍ପନାପ୍ରବଣତାର ସ୍ଵପ୍ନାଭିସାର ନାହିଁ, ମାତ୍ର ଅଛି ଜଣେ ଧୀର ଗମ୍ଭୀର ପ୍ରୌଢ଼ ଶିଳ୍ପୀର ଭାବପ୍ରବଣତାର ବେଦନାର୍ତ୍ତ ବ୍ୟକ୍ତିତ୍ୱର ପରିଚୟ । ପ୍ରତ୍ୟେକଟି ଗଳ୍ପ ବାସ୍ତବତାର କଷଟି ପଥରରେ ହୋଇଛି ପରୀକ୍ଷା ନିରୀକ୍ଷା । ପ୍ରତ୍ୟେକ ଗଳ୍ପରେ ସମାଜ–ମାନସ ସହିତ ବ୍ୟକ୍ତି–ମାନସର ହୋଇଛି ସୁମଧୁର ସମନ୍ୱୟ । ପ୍ରତ୍ୟେକ ଗଳ୍ପର ଅନ୍ତଃସ୍ଥଳରେ ଝରିଯାଇଛି ସାଂପ୍ରତିକ ବ୍ୟକ୍ତିପୁରୁଷର ଅସରନ୍ତି ଅଶ୍ରୁ । ସେଇ ଅଶ୍ରୁରେ ଆଜିର ମଣିଷ ଅବଗାହନ କରି ନିଜର ସକଳ ଦୁଃଖକୁ ଧୋଇଦେବାକୁ ଚେଷ୍ଟା କରିଛି । କଥାକାର ଶ୍ରୀ ମହାନ୍ତି ମନସ୍ତାତ୍ତ୍ୱିକ ବାସ୍ତବତାର ଜୈବିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ତଥା ଯୌନ ଅନୁଭୂତିର ଦିଗନ୍ତଗୁଡ଼ିକୁ ଆବେଗମୟୀ ଅଥଚ ସ୍ଵଭାବଧର୍ମୀ ଭାଷା ଓ ଶୈଳୀ ମାଧ୍ୟମରେ ପ୍ରକାଶ କରିଛନ୍ତି । ତାଙ୍କର ଗଳ୍ପଗୁଡ଼ିକ ତଥାକଥିତ ଶୈଳୀସର୍ବସ୍ଵ ନୁହେଁ–ଟେକ୍‍ନିକ୍‍ର ହଟଚମଟ ପାଇଁ ଅଭିପ୍ରେତ ନୁହେଁ–ଯନ୍ତ୍ରଣାକ୍ଷତ ମାନବାତ୍ମାର ଭାବକୁ ପ୍ରକାଶ କରିବା ପାଇଁ ମୁଖ୍ୟତଃ ଯତ୍ନଶୀଳ ।

 

ଶ୍ରୀ ମହାନ୍ତି ମୁଖ୍ୟତଃ କାରୁଣ୍ୟବୋଧର କଥାଶିଳ୍ପୀ । ‘କପୋତୀର ଅଶ୍ରୁ’ ର ଯେ କୌଣସି ଗଳ୍ପକୁ ନେଇ ଏହି ମତର ଯଥାର୍ଥ ପ୍ରତିପାଦନ କରାଯାଇପାରେ । ଏ କାରୁଣ୍ୟରେ ଅଛି ଆନ୍ତରିକତା ଓ ସହାନୁଭୂତି । ଏହି କାରୁଣ୍ୟରୁ ଝରିଆସିଛି ସମ୍ବେଦନଶୀଳ ଶିଳ୍ପୀହୃଦୟର ସମବେଦନା । ନାରୀ ଓ ପୁରୁଷର ଚିରନ୍ତନ ସମ୍ପର୍କକୁ କଥାକାର ବ୍ୟଞ୍ଜନାତ୍ମକ ଭାବରେ ଗଳ୍ପମାନଙ୍କରେ ପ୍ରକାଶ କରି ଏହି ସମ୍ପର୍କକୁ ଉପେକ୍ଷା କରୁଥିବା ବ୍ୟକ୍ତିମାନଙ୍କର ପରବର୍ତ୍ତୀକାଳର ମାନସିକ ବିକୃତି ଓ ଜୀବନ–ଯନ୍ତ୍ରଣାକୁ ହୃଦୟସ୍ପର୍ଶୀ ଭାବରେ ପ୍ରକାଶ କରିଅଛନ୍ତି । ସେକ୍‍ସକୁ ସେ ଅଧିକାଂଶ ଗଳ୍ପରେ ପ୍ରାଧାନ୍ୟ ଦେଇଛନ୍ତି ସତ, ମାତ୍ର ସେକ୍‍ସ ମଧ୍ୟ ଦେଇ ସେ ଖୋଜିଛନ୍ତି ଜୀବନର ପରମ ସତ୍ୟକୁ । କୌଣସି ଗଳ୍ପ ସେକ୍‍ସ ସୀମା ବଳୟିତ୍ଵ ହୋଇ ରହି ନାହିଁ । ‘କପୋତୀର ଅଶ୍ରୁ’ର ମିସେସ୍ ଶ୍ରୀମୟୀ ପଟ୍ଟନାୟକ ଆଧୁନିକତାର ମୋହରୁ ମୁକ୍ତ ହୋଇ ଅନୁଭବ କଲେ, “ଜାୟାତ୍ୱବିହୀନ ଜନନୀତ୍ଵ ନାରୀଜୀବନରେ ଯେପରି ଏକ ଅକ୍ଷମଣୀୟ ଅପରାଧ, ଜନନୀତ୍ଵବିହୀନ ଜାୟାତ୍ଵ ନାରୀଜୀବନରେ ସେହିପରି ଏକ ମସ୍ତ ଅଭିଶାପ ।” ଏ ଗଳ୍ପରେ ସେକ୍‍ସ ଅଛି ସତ, ମାତ୍ର ସେହି ଦୁର୍ବାର ସେକ୍‍ସ ଅଭିଳାଷ ରୂପାନ୍ତରିତ ହୋଇଯାଇଛି ଏକ ମହାକାରୁଣ୍ୟର ମହିମାମୟ ଭାବଧାରାରେ । ‘ଦୀର୍ଘଶ୍ୱାସ ଦୁଇଟି ମୁହୂର୍ତ୍ତର’ ଗଳ୍ପର ସଙ୍ଗୀତା, ‘ମୁଁ, ମିସ୍ ସମ୍ବଲପୁର ଆଉ ଚମ୍ପକ’ ଗଳ୍ପର ନାୟକ, ‘ସବୁଜ : ଧୂସର’ ଗଳ୍ପର ପୌଢ଼ ନୀରୋଦ ବାବୁ, ‘ପୁନରାବୃତ୍ତି’ ଗଳ୍ପର ବେଣୀମାଧବ, ‘କାମନା : ସାମାନ୍ୟ ଉତ୍ତାପର’ ଗଳ୍ପର କିଶୋର, ‘ହରିଣୀର ଶିକାର’ ଗଳ୍ପର ସୁକାନ୍ତ, ‘କଳା, ଜୀବନ ଓ ଜହ୍ନ’ ଗଳ୍ପର କଳାକାର ଜୀବନ, ‘ମନୁମେଣ୍ଟ’ ଗଳ୍ପର ମିସ୍ ବନିତା ବର୍ମା ଆଦି ପ୍ରତ୍ୟେକ ଚରିତ୍ର କାରୁଣ୍ୟୋଦ୍ଦିପ୍ତ, ପ୍ରତ୍ୟେକର ଅନ୍ତଃସ୍ଥଳରେ ସୃଷ୍ଟି ହୋଇଛି ଅସହାୟତାର ମହାକାରୁଣ୍ୟ ମାତ୍ର ସେହି କାରୁଣ୍ୟ ମଧ୍ୟରୁ ଫୁଟିଉଠିଛି ମାନବାତ୍ମାର ସ୍ପଷ୍ଟ ପ୍ରତିକୃତି । ସାଂପ୍ରତିକ ସମାଜର ଯଥାର୍ଥ ପରିଚୟ ଏସବୁ ଗଳ୍ପରୁ ମିଳିବା ସଙ୍ଗେ ସଙ୍ଗେ କଥାକାର ଆଜିର ମଣିଷର ଅସହାୟ ବ୍ୟକ୍ତିସତ୍ତାର ଅବଚେତନ ରହସ୍ୟକୁ ଉନ୍ମୋଚିତ କରିବାକୁ ଚେଷ୍ଟା କରିଛନ୍ତି ।

 

‘ମୁଁ, ମିସ୍ ସମ୍ବଲପୁର ଆଉ ଚମ୍ପକ’ ଗଳ୍ପର ନାୟିକା ତା’ର ଉଚ୍ଚଶିକ୍ଷାର ଅଭିମାନ ହେତୁ ଯେତେବେଳେ ତା’ର ଅଳ୍ପଶିକ୍ଷିତ ଡ୍ରାଇଭର ସ୍ୱାମୀକୁ ଡାଇଭର୍ସ କରିଦେଇଛି, ସେତେବେଳେ ସେଇ ବିଚାରା ଡ୍ରାଇଭରଟି ଭାଙ୍ଗି ପଡ଼ିଛି ଅହେତୁକ ଯନ୍ତ୍ରଣାରେ । ଯେଁଉ ସ୍ତ୍ରୀ ପାଇଁ ସେ ପିତାମାତା, ଭାଇ ଭଉଣୀଙ୍କୁ ଉପେକ୍ଷା କରିଥିଲା, ସ୍ତ୍ରୀର ବିଳାସ ପାଇଁ ପ୍ରାଣାନ୍ତକ ଉଦ୍ୟମ କରିଥିଲା ସେହି ସ୍ତ୍ରୀ ତାକୁ ଏପରି ଡାଇଭର୍ସ କରିବ, ତା’ର କଳ୍ପନା ନ ଥିଲା । ତେଣୁ ସେ ଖୋଜିଛି ଜୀବନର ନିରନ୍ଧ୍ର ଅନ୍ଧକାର ମଧ୍ୟରେ ପଥ ଏବଂ ଏହି ପଥର ସନ୍ଧାନ ମିଳିଛି “ସବୁଜ: ଧୂସର” ଗଳ୍ପରେ, ଯେତେବେଳେ ନୀରୋଦ ବାବୁ ଅର୍ଦ୍ଧରାତ୍ରିରେ ବାହାରିଛନ୍ତି “ଏଇ ନିର୍ଜନ ରାତ୍ରିରେ ପତଳା ଜହ୍ନ ଆଲୁଅରେ ନିପା ହୋଇଥିବା ଗଛମାନଙ୍କୁ ଦେଖିବାକୁ । ଦୁଇଟା, ଗୋଟାଏ ନିଦଭଙ୍ଗା ପକ୍ଷୀ ଅବା ପକ୍ଷିଣୀର ଡେଣାଝଡ଼ା ଶବ୍ଦ ଶୁଣିବାକୁ । ଶିରିଶିରି ବତାସରେ କମ୍ପୁଥିବା ପତ୍ରମାନଙ୍କର କମ୍ପନ ଦେଖିବାକୁ ଆଉ ଏଇ ଖୋଲା ଆକାଶଟାକୁ ଭଲ ଭାବରେ ଦେଖିନେବାକୁ । ପ୍ରକୃତିର ଏଇସବୁ ରୂପ ମଧ୍ୟରେ ଅରୂପର ସନ୍ଧାନ ନେବାକୁ ।” ରୂପରୁ ଅରୂପର ସନ୍ଧାନ ଦେବା ବୋଧହୁଏ କଥାକାର ଶ୍ରୀ ମହାନ୍ତିଙ୍କର ଶିଳ୍ପୀମାନସର ଯଥାର୍ଥ ଆବେଦନ । ଏଥିପାଇଁ ସେ ପ୍ରତ୍ୟେକ ଚରିତ୍ରର ଅନ୍ତଃସ୍ଥଳରେ ଉପଲବ୍‍ଧି କରିଛନ୍ତି ଅନନ୍ତ କାରୁଣ୍ୟକୁ ଏବଂ ସେହି କାରୁଣ୍ୟରୁ ଅଧ୍ୟାତ୍ମହ୍ୟୁତି ଫୁଟିଉଠିଛି ସତେ ଯେପରି । ‘ପୁନରାବୃତ୍ତି’ କ୍ଷୁଦ୍ର ଗଳ୍ପ ପାକିସ୍ଥାନୀ ବର୍ବରମାନଙ୍କର ଅତ୍ୟାଚାରକୁ ନେଇ ଗଢ଼ି ଉଠିଥିଲେହେଁ ଏଥିରେ ସେହି ମହାକାରୁଣ୍ୟର ସ୍ରୋତ ପ୍ରବାହିତ ହୋଇଉଠିଛି ଓ ଶେଷରେ ସେହି ସହାନୁଭୂତିଶୀଳ ମାନବାତ୍ମାରୁ ଝରିଆସିଛି ଅଧ୍ୟାତ୍ମିକ ବିଭୂତି । ଏଇଥିପାଇଁ ବୋଧହୁଏ କଥାକାର ଉଦାତ୍ତ କଣ୍ଠରେ ଘୋଷଣା କରିଛନ୍ତି “ଏକ ଯକ୍ଷର କାହାଣୀ” ଗଳ୍ପରେ–‘‘ଭଗବତ୍ ପ୍ରେମ କେବେ ବି ବ୍ୟର୍ଥ ହୁଏନା । ମଣିଷକୁ କେତେବେଳେ ବି ନିରାଶ କରେ ନା ।” ଆଜିର ଜଡ଼ବାଦୀ ଅହଙ୍କାରୀ ମଣିଷ ଯେତେବେଳେ ଜଡ଼ ବିଜ୍ଞାନର ଅନ୍ତଃସାରଶୂନ୍ୟତାକୁ ଉପଲବ୍‍ଧି କରୁଛି, ସେତିକିବେଳେ ତା’ର ସମ୍ବେଦନଶୀଳ ଦୃଦୟରେ ଦେଖାଦେଉଛି ଅଧ୍ୟାତ୍ମଚେତନା । ଏହି ଚେତନା ସତେ ଯେପରି ମଣିଷ ପକ୍ଷରେ ଯୁଗ ଯୁଗର ଏକମାତ୍ର ସତ୍ୟ ଏବଂ ସକଳ ଜୀବନ-ଜିଜ୍ଞାସା ଭିତରେ ଏହି ଅଧ୍ୟାତ୍ମ-ଜିଜ୍ଞାସା ଯେପରି ଏକମାତ୍ର ଅନନ୍ତ ଜିଜ୍ଞାସା । ତେଣୁ କଥାକାର ଶ୍ରୀ ମହାନ୍ତିଙ୍କର ସମ୍ବେଦନଶୀଳ ସୃଷ୍ଟି-ମାନସ ‘ହରିଣୀ ଶିକାର’ ଗଳ୍ପରେ ଅନୁଭବ କରିଛି “ସେଇ ଅନ୍ଧକାର ଭିତରେ ମୋର ମନେ ହେଉଥିଲା–ଯେମିତି ଅନନ୍ତ କାଳରୁ ଏଇ ଅନ୍ଧକାର ଭିତରେ ମୁ ଭାସି ଚାଲିଛି କେଉଁ ଏକ ନୂତନ ପୃଥିବୀର ସନ୍ଧାନରେ ।” ଏଇ ନୂତନ ପୃଥିବୀର ସନ୍ଧାନ ହିଁ ଶ୍ରୀ ମହାନ୍ତିଙ୍କର ସ୍ରଷ୍ଟାମାନସର ବାସ୍ତବ ଅଭିବ୍ୟକ୍ତି । ଏ ପୃଥିବୀ–ପାଶବିକତାର ନୁହେଁ–ହିଂସ୍ରତାର ନୁହେଁ–ଜଡ଼ ବିଜ୍ଞାନର ନୁହେଁ, ବୀଭତ୍ସ ଯୌନତାର ନୁହେଁ, ମାତ୍ର ଏ ପୃଥିବୀ ହେବ ଆଧ୍ୟାତ୍ମିକତାର–ସମ୍ବେଦନଶୀଳ ମାନବିକତାବାଦର । ଗୋଟିଏ ହରିଣୀ ଆଉ ତା’ର ଶାବକକୁ ଗୁଳିବିଦ୍ଧ କରି ସୁକାନ୍ତର ହୃଦୟରେ ଯେପରି ଭାବାନ୍ତର ଦେଖାଦେଇଛି, ତାହା କଥାକାର ଶ୍ରୀ ମହାନ୍ତିଙ୍କର ଉପରୋକ୍ତ ଚିନ୍ତନର ପରିଚୟ ଦେଇଥାଏ ।

 

କଥାକାର ଶ୍ରୀ ମହାନ୍ତି ଅନ୍ୟାନ୍ୟ କେତେକ ଗଳ୍ପରେ ନାରୀମନର ସଂଗୁପ୍ତ ଭାବାବେଗକୁ ପ୍ରକାଶ କରିଛନ୍ତି ସାବଲୀଳଭାବରେ । ନାରୀ ଓ ପୁରୁଷର ସଂଗୁପ୍ତ ଭାବାବେଗର ପରିଚୟ ଦେବାକୁ ଯାଇ ଚମତ୍କାର ଭାବରେ ସେ ଲେଖିଛନ୍ତି, “ମୁଁ ରସବନ୍ତୀ, ମୁଁ ନାରୀ, ମୁଁ ସେଇ ଝିଅ ଚନ୍ଦ୍ରକଳା ରାୟ । ତମେ ମୋ’ ଆଲୋକର ମାୟା ଦେଖି ସେଠି ଅଟକି ଯାଅନା ଜୀବନ, ମୋର ଅତି ନିକଟକୁ ଆସିବାକୁ ଚେଷ୍ଟା କର । ଚେଷ୍ଟା କର ମୋ ମନ ବୁଝିବାକୁ । ମୁଁ ନାରୀ, ମୁଁ ରମଣୀ, ତମେ ମତେ ଶିଳ୍ପୀ ଭାବରେ ଯେମିତି ଭଲ ପାଉଚ, ପୁରୁଷ ଭାବରେ ଠିକ୍ ସେମିତି ଭଲ ପାଇବାକୁ ଚେଷ୍ଟାକର । ତମେ ପୁରୁଷ, ତମେ ପୁରୁଷ, ତମେ କେବଳ ଶିଳ୍ପୀ ନୁହଁ, ତମେ ପୁରୁଷ ।” (କଳା, ଜୀବନ ଓ ଜହ୍ନ) । ନାରୀ ମନର ଏହି ସଂଗୁପ୍ତ ଯୌନ ଆବେଦନଜନିତ ସଂଘର୍ଷକୁ କଥାକାର ‘ଦୀର୍ଘଶ୍ଵାସ ଦୁଇଟି ମୁହୂର୍ତ୍ତର’ ‘ମ୍ଳାନ ଗୋଧୂଳିର ଅସ୍ପଷ୍ଟ ଛାୟା’, ‘କଳା, ଜୀବନ ଓ ଜହ୍ନ’, ‘ମନୁମେଣ୍ଟ’ ଆଦି ଗଳ୍ପରେ ଯେପରି ପ୍ରକାଶ କରିଛନ୍ତି, ସେହିପରି ସେ ଯନ୍ତ୍ରଣାଜର୍ଜରିତ ସାମାଜିକ ପରିବେଶର ବାସ୍ତବ ରୂପକୁ ପ୍ରକାଶ କରିଛନ୍ତି “ଓଃ କ୍ଷୁଧା ! ଆଃ ଖାଦ୍ୟ !!”, ‘ମନୁମେଣ୍ଟ’, ‘ପୁନରାବୃତ୍ତି’ ଓ ‘ଚାରି ବନ୍ଧୁଙ୍କ ଗଳ୍ପ’ ଇତ୍ୟାଦିରେ । ସମାଜର ବହିରଙ୍ଗ ସହିତ ଅନ୍ତରଙ୍ଗକୁ ସେ ପ୍ରକାଶ କରିଛନ୍ତି । ସଂକ୍ଷେପରେ କହିବାକୁ ଗଲେ ଶିଳ୍ପୀମାନସ ନାରୀପୁରୁଷ ଯୌନ ଆବେଦନମୟ ଜୀବନର ବିଫଳତା ଓ ତଜ୍ଜନିତ କାରୁଣ୍ୟବୋଧ ଏବଂ ଏଥିରୁ ରକ୍ଷାପାଇବା ପାଇଁ ଭାଗବତବୋଧକୁ ବିଶେଷ ଭାବରେ ଉକ୍ତ ସଂକଳନସ୍ଥ ଗଳ୍ପମାନଙ୍କରେ ରୂପ ଦେଇଛି । ଏସବୁର ଅନ୍ତଃସ୍ଥଳରେ ମାନବିକତାବାଦର ଫଲ୍‍ଗୁ ସତେ ଯେପରି ପ୍ରବାହିତ ।

 

ଶ୍ରୀ ମହାନ୍ତି ବେଳେବେଳେ ଗଳ୍ପଗୁଡ଼ିକୁ ଅଯଥା ସ୍ଫୀତିକୃତ କରିଦେଇଛନ୍ତି ବର୍ଣ୍ଣନାର ବାହୁଲ୍ୟ ହେତୁ । ବର୍ଣ୍ଣନାର ପ୍ରାଞ୍ଜଳତା ପରିବର୍ତ୍ତେ ବ୍ୟଞ୍ଜନାର ପ୍ରୟୋଗ ହିଁ କ୍ଷୁଦ୍ର ଗଳ୍ପର ଗୌରବକୁ ବୃଦ୍ଧି କରିଥାଏ । ଶ୍ରୀ ମହାନ୍ତିଙ୍କର ବର୍ଣ୍ଣନାର ମୋହ ଗଳ୍ପଗୁଡ଼ିକୁ ବେଳେବେଳେ ଦୁର୍ବଳ କରିଦେଇଛି-। ରୋମାଣ୍ଟିକ ବାକ୍‍ପଲ୍ଲବ ଗଳ୍ପଗୁଡ଼ିକରେ ବିଶେଷଭାବରେ ଲକ୍ଷ୍ୟ କରାଯାଇଥାଏ-। ଜୀବନର ତଥା ସାଂପ୍ରତିକ ମଣିଷର ଅନ୍ତର୍ଦ୍ୱନ୍ଦ୍ୱ ବିଶେଷ ସ୍ଥାନ ପାଇ ନାହିଁ, ବରଂ କଥାକାର ନିଜେ ସବୁ କଥାକୁ ବର୍ଣ୍ଣନା ମାଧ୍ୟମରେ କହିଦେବାକୁ ଇଚ୍ଛାପ୍ରକାଶ କରିଥିଲା ଭଳି ମନେହୁଏ । ଏସବୁ ସତ୍ତ୍ଵେ ଉକ୍ତ ଗଳ୍ପ ସଂକଳନଟି ଯେ କଥାକାର ଶ୍ରୀ ମହାନ୍ତିଙ୍କର ପ୍ରତିଭାର ଅମ୍ଳାନ ସ୍ଵାକ୍ଷର ବହନ କରେ–ଏଥିରେ ସନ୍ଦେହ ନାହିଁ ।

 

ଏହି ଗଳ୍ପ ପୁସ୍ତକର ବହୁଳ ପ୍ରସାର କାମନା କରି ରହିଲି ।

 

ଅଧ୍ୟାପକ ବୈଷ୍ଣବଚରଣ ସାମଲ

ରେଭେନ୍‍ସା ସାନ୍ଧ୍ୟ ମହାବିଦ୍ୟାଳୟ,

କଟକ–୩

★★★

 

ସୂଚିପତ୍ର

 

୧.

କପୋତୀର ଅଶ୍ରୁ

୨.

ଦୀର୍ଘଶ୍ଵାସ : ଦୁଇଟି ମୁହୂର୍ତ୍ତର

୩.

ମୁଁ, ମିସ୍ ସମ୍ବଲପୁର ଆଉ ଏକ ଚମ୍ପକ

୪.

କାହାଣୀ : ଏକ କରୁଣ ଅତୀତର

୫.

ସବୁଜ : ଧୂସର

୬.

ଚାରି ବନ୍ଧୁଙ୍କ ଗଳ୍ପ

୭.

ପ୍ରଶ୍ନବାଚୀ

୮.

ନୀଳହ୍ରଦର ପ୍ରଶ୍ନ

୯.

ପୁନରାବୃତ୍ତି

୧୦.

କାମନା : ସାମାନ୍ୟ ଉତ୍ତାପର

୧୧.

ଏକ ଯକ୍ଷର କାହାଣୀ

୧୨.

ହରିଣୀ ଶିକାର

୧୩.

ମ୍ଳାନ ଗୋଧୂଳିର ଅସ୍ପଷ୍ଟ ଛାୟା

୧୪.

କଳା, ଜୀବନ ଓ ଜହ୍ନ

୧୫.

ମନୁମେଣ୍ଟ୍

୧୬.

ଓଃ, କ୍ଷୁଧା ! ଆଃ, ଖାଦ୍ୟ !!

୧୭.

ମୋ’ ଜେଜେ ଓ ଜେଜେମା’ଙ୍କର ପ୍ରେମକାହାଣୀ

୧୮.

ଗ୍ରହଣ

୧୯.

ସେ କେବଳ ମୋ’ ପରିଚିତା

୨୦.

ରୋମନ୍ଥନ

★★★

 

କପୋତୀର ଅଶ୍ରୁ

 

ମିସେସ୍ ଶ୍ରୀମୟୀ ପଟ୍ଟନାୟକ କାନ୍ଦୁଚନ୍ତି । ଆଜି, ଏଇ ବର୍ତ୍ତମାନ ମିସେସ୍ ପଟ୍ଟନାୟକ ହଠାତ୍ ଉଠିଚନ୍ତି ଅଫିସ ଟେବୁଲ ଉପରେ ମୁଣ୍ଡ ରଖି ।

 

ସେ ଦୀର୍ଘ ସାତ ବର୍ଷ ଧରି ବୈବାହିକ ଜୀବନଯାପନ କରିଆସୁଥିବା ସୁଦ୍ଧା, ଏପର୍ଯ୍ୟନ୍ତ ତାଙ୍କର କୋଳ ପୂର୍ଣ୍ଣକରି ସନ୍ତାନଟିଏ ଆସିଲାନି । ଆସିଲାନି କହିଲେ ଭୁଲ ହେବ, ତାଙ୍କର ଅପୂର୍ଣ୍ଣ କୋଳକୁ ପୂର୍ଣ୍ଣକରି ସନ୍ତାନଟିଏ ଆସିବାର ସାମାନ୍ୟ ପ୍ରାକ୍‍କାଳରେ ସେ ଜୋର୍‍କରି ନିଜଠାରୁ ମାତୃତ୍ୱକୁ ଦୂରେଇ ଦେଇଥିଲେ ।

 

ଲେଡ଼ି ଓୟେଲ–ଫେୟାର୍ ଅଫିସର ଶ୍ରୀମୟୀଙ୍କ କୁମାରୀ ଜୀବନରୁ ଏକ ଖିଆଲ ଥିଲା-। ସେ ଖିଆଲ ହେଉଛି, ନାରୀ ସନ୍ତାନନିର୍ମାଣର ଏକ ଯନ୍ତ୍ର ନୁହେଁ, ନାରୀ ପୁରୁଷର କ୍ରୀଡ଼ାପୁତ୍ତଳିକା ନୁହେଁ, ସ୍ୱାମୀର ସମସ୍ତ ଆଦେଶକୁ ଅମ୍ଳାନ ବଦନରେ ଏକ ସେବାଦାସୀ ପରି ଗ୍ରହଣ କରିବା ନାରୀର କର୍ତ୍ତବ୍ୟ ନୁହେଁ କିମ୍ବା ଅଖିଆ ଅପିଆ ବସିରହି ସ୍ୱାମୀର ଆଗମନକୁ ପ୍ରତୀକ୍ଷା କରିବା ମଧ୍ୟ ଉଚିତ୍ ନୁହେଁ । ତାଙ୍କ ମତରେ ପୁରୁଷ ପରି ନାରୀର ସାଙ୍ଗ ଅଛି, ସାଥୀ ଅଛି, ଅଛି ପାର୍ଟି, କ୍ଳବ୍, ପିକ୍‍ନିକ୍‍ ସବୁ ।

 

ତେଣୁ ସେ ଜିଦ୍ ଧରିଥିଲେ ଯେଉଁ ପୁରୁଷ ତାଙ୍କୁ ସୁଖୀ କରିପାରିବ, ତାଙ୍କ ପାଇଁ ଯିଏ ଦେଇପାରିବ ଆପଣା ସୁଖରେ ଜଳାଞ୍ଜଳି ତାକୁ ହିଁ ସେ ବିବାହ କରିବେ ।

 

ସେଥିପାଇଁ ବିବାହ ବୟସର କିଛିଟା ବିଳମ୍ବରେ ସେ ବିବାହ କରିଥିଲେ ଇଂରାଜୀ ଅଧ୍ୟାପକ ଶ୍ରୀମନ୍ତ ପଟ୍ଟନାୟକଙ୍କୁ ଆପଣା ସର୍ତ୍ତପୂରଣର ସବୁଟା ପ୍ରତିଶ୍ରୁତି ପାଇବା ପରେ ।

 

ବିବାହ ପରେ ଅବଶ୍ୟ ସବୁ ସର୍ତ୍ତର ପୂରଣ ପାଇଁ ସେ ହଠାତ୍ ଦାବୀକରି ବସି ନାହାନ୍ତି କିମ୍ବା ବସିପାରି ନାହାନ୍ତି; କାରଣ ବିବାହ ବେଦୀରେ ପୁରୋହିତଙ୍କର ବୈଦିକ ମନ୍ତ୍ରୋଚ୍ଚାରଣରେ ଶୁଦ୍ଧପୂତ ହୋଇଥିବା ହୋମାଗ୍ନିର ଧୂମ ହିଁ ତାଙ୍କର ଅବଚେତନ ମାନସରେ କମ୍ପନ ସୃଷ୍ଟି କରି କେତେକ ପରିମାଣରେ ଶିଖାଇ ଦେଇଥିଲା ହିନ୍ଦୁ ବଧୂର କର୍ତ୍ତବ୍ୟ ।

 

ହେଲେ ଖୁବ୍ ଶୀଘ୍ର ମା’ ହେବାକୁ ଇଚ୍ଛା କରି ନଥିଲେ ସେ ।

 

ପରିବାର ନିୟନ୍ତ୍ରଣ ସଂସ୍ଥାର ସେଇସବୁ ଉପଦେଶ ଛୋଟ ପରିବାର ସୁଖୀ ପରିବାର...ଦୁଇଟି ସନ୍ତାନ ହିଁ ଯଥେଷ୍ଟ...ସନ୍ତାନ ଜନ୍ମ ମଧ୍ୟରେ ଏକ ଦୀର୍ଘ ବ୍ୟବଧାନ ରଖିବା ଆବଶ୍ୟକ...ନିଜର ବୈବାହିକ ଜୀବନର ଉପଭୋଗ ପାଇଁ ପ୍ରଥମରୁ ସନ୍ତାନ ଜନ୍ମରେ ବିଳମ୍ବ ଆବଶ୍ୟକ–ଇତ୍ୟାଦି ତାଙ୍କୁ ଅନେକ ପରିମାଣରେ ଆବିଷ୍ଟ କରିଥିଲା ।

 

ତେଣୁ ତ ଦାମ୍ପତ୍ୟ ଜୀବନର ବହୁ ବାଞ୍ଛିତ, ଆକାଂକ୍ଷିତ ସେହି ରସୋତୀର୍ଣ୍ଣ ରାତ୍ରି ମଧୁଚନ୍ଦ୍ରିକାଠାରୁ ସେ ଖୁବ୍ ସତର୍କ ଥିଲେ ।

 

ସନ୍ତାନ ଜନ୍ମର ବିଳମ୍ବ କରିବା ପଛରେ କେବଳ ଯେ ତାଙ୍କରି ସୁଖ ବିଦ୍ୟମାନ ଥିଲା ତାହା ନୁହେଁ, ସେଥିରେ ମଧ୍ୟ ଥିଲା ତାଙ୍କର ଭବିଷ୍ୟତ ସନ୍ତାନ ପ୍ରତି ମଙ୍ଗଳକାମନା । ସନ୍ତାନଟିଏ ସୃଷ୍ଟି କରିବା ପୂର୍ବରୁ ସେ ଚାହିଁଥିଲେ ନିଜର ଗୋଟିଏ ଛୋଟ ସୁନ୍ଦର ବଙ୍ଗଲୋ ଖଣ୍ଡେ କାର୍, କିଛି ବ୍ୟାଙ୍କବାଲାନ୍‍ସ, ଯାହା ଫଳରେ କେବଳ ତାଙ୍କର ନୁହେଁ, ତାଙ୍କଠାରୁ ଜନ୍ମ ନେଇଥିବା ସନ୍ତାନର ଜୀବନ ଏକ ଘାତପ୍ରତିଘାତମୟ ପାର୍ବତୀୟ ଝରଣା ନ ହୋଇ ସୁନ୍ଦର ସାବଲୀଳ ଭାବରେ ଗତି କରିପାରିବ ।

 

କିନ୍ତୁ ଏ ସ୍ଵପ୍ନ ପୂର୍ଣ୍ଣ ହେବାର ଯଥେଷ୍ଟ ପୂର୍ବରୁ, ବିବାହର ମାତ୍ର ଚାରି ବର୍ଷ ପରେ ସେ ଯେଉଁ ଦିନ ଜାଣିପାରିଲେ ତାଙ୍କର ଗର୍ଭକୋଷରେ ଏକ ଭ୍ରୂଣର ଅବସ୍ଥିତି ସମ୍ପର୍କରେ ସେଦିନ କେଉଁ ଏକ ଅବ୍ୟକ୍ତ ଆତଙ୍କରେ ସେ ଶିହରି ଉଠିଥିଲେ ।

 

କାରଣ ସେ ବୁଝିଥିଲେ, ବିବାହ ପରେ ନାରୀ ସ୍ଵାମୀ ନିକଟରେ ତା’ର ସ୍ଵାଧୀନତା ଯେତିକି ହରାଏ, ତା’ଠାରୁ ଅନେକ ବେଶି ସ୍ଵାଧୀନତା ହରାଏ ନିଜେ ସୃଷ୍ଟି କରିଥିବା ସନ୍ତାନ ନିକଟରେ ।

 

ତାଙ୍କ ଆଶାର ପଦ୍ମବନକୁ ଅକାଳରେ ଅଦିନ କୁହୁଡ଼ି ପରି ଦଗ୍‍ଧ କରୁଥିବା ଏଇ ଆତଙ୍କକୁ ପରାଜିତ କରି ତେଜମୟ ସୂର୍ଯ୍ୟ ଭଳି ଯେଉଁଦିନ ଭାରତର ପାର୍ଲିଆମେଣ୍ଟରେ ମାନ୍ୟବର ଚନ୍ଦ୍ରଶେଖର “ଲିଗାଲ ଟର୍ମିନେସନ୍ ଅଫ୍ ପ୍ରେଗ୍‍ନାନ୍‍ସି”ର ଘୋଷଣା କଲେ, ସେଦିନ ଆନନ୍ଦବିଭୋର ହୋଇ ମିସେସ ପଟ୍ଟନାୟକ ଅଧ୍ୟାପକ ପଟ୍ଟନାୟକଙ୍କ ପାଖରେ ପ୍ରସ୍ତାବ ବାଢ଼ିଥିଲେ ସହରରେ ଗର୍ଭପାତ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଡାକ୍ତର ରାଜେନ୍ଦ୍ରବାବୁଙ୍କ ସହିତ ପରାମର୍ଶ କରିବାକୁ । ସେ ପରାମର୍ଶ ଏକ (ସାଧାରଣ) ଗର୍ଭପାତ ପାଇଁ ନୁହେଁ, ଆଇନସମ୍ମତ ଗର୍ଭପାତ ପାଇଁ ।

 

ସେଦିନ ଅଧ୍ୟାପକ ପଟ୍ଟନାୟକ ତାଙ୍କୁ ଅନେକ ଅନୁରୋଧ କରିଥିଲେ ଗର୍ଭପାତ ନ କରିବାକୁ; କିନ୍ତୁ ସ୍ଵାମୀଙ୍କର ସମସ୍ତ ଆବେଦନକୁ ଉପେକ୍ଷା କରି ପ୍ରଥମ ଥର ପାଇଁ ସେ ତାଙ୍କୁ ସ୍ମରଣ କରାଇ ଦେଇଥିଲେ ବିବାହ ପୂର୍ବର ସର୍ତ୍ତଗୁଡ଼ିକୁ । ଗର୍ଭପାତରେ ବାଧା ଦେବାକୁ ଯାଉଥିବା ଅଧ୍ୟାପକ ପଟ୍ଟନାୟକ ଅତି ଶୋଚନୀୟ ଭାବେ ଅଟକି ଯାଇଥିଲେ ବିବାହ ପୂର୍ବର ସର୍ତ୍ତଗୁଡ଼ିକୁ ସ୍ମରଣ କରି ।

 

ସେ ବିବାହ କରିଛନ୍ତି, ଆପଣାକୁ ସୁଖୀ କରିବାକୁ ନୁହେଁ, ନିଜ ପିତୃତ୍ୱର ଆନନ୍ଦରେ ଉଲ୍ଲସିତ ହୋଇ ଉଠିବାକୁ ନୁହେଁ, ଶ୍ରୀମୟୀଙ୍କୁ ସୁଖୀ କରିବାକୁ । ତାଙ୍କର ସବୁ ସାମର୍ଥ୍ୟ ଦେଇ ସେ ଏକାନ୍ତ ଭାବରେ ଚେଷ୍ଟା କରିବେ ଶ୍ରୀମୟୀଙ୍କୁ ସୁଖୀ କରିବାକୁ । କାରଣ ବିବାହ ପୂର୍ବରୁ ସେ ପ୍ରତିଶ୍ରୁତି ଦେଇ ସାରିଛନ୍ତି । ତେଣୁ ଏକ ନିରୀହ ମେଷଶାବକ ପରି ଶ୍ରୀମୟୀଙ୍କ ସହିତ ସହଯୋଗ କରିବା ବ୍ୟତୀତ ତାଙ୍କର ଅନ୍ୟ କୌଣସି ପନ୍ଥା ନ ଥିଲା ।

 

ଗର୍ଭପାତ ପାଇଁ ପ୍ରସିଦ୍ଧ ଲାଭ କରିଥିବା ଡାକ୍ତର ରାଜେନ୍ଦ୍ରବାବୁ ଚମକି ଉଠିଥିଲେ ଶ୍ରୀମୟୀ ଦେବୀଙ୍କର ଏ ପ୍ରସ୍ତାବରେ । ଯାହାଙ୍କର ଦୟାରେ ଏ ସହରର ଅନେକ କୁମାରୀମାତା ପୁଣି ତାଙ୍କର କୁମାରୀତ୍ୱ ଫେରିପାଇ ବିବାହ ପରେ ସ୍ୱାମୀ ନିକଟରେ ନିଜର ଅକ୍ଷତ ଯୌବନ ଉତ୍ସର୍ଗ କରନ୍ତି, ସେଇ ରାଜେନ୍ଦ୍ରବାବୁ ଚମକି ଉଠିଥିଲେ । ତାଙ୍କର ନିଷ୍ଠୁର ଚିକିତ୍ସକ–ହୃଦୟରେ କେଉଁ ଏକ କୋମଳ ତନ୍ତ୍ରୀରେ ଆଘାତ କରିଥିଲା ସେଦିନ ଶ୍ରୀମୟୀଙ୍କର ପ୍ରସ୍ତାବ । ସେ କିପରି ମୋହାବିଷ୍ଟ ହୋଇ ପଡ଼ିଥିଲେ, ଭାବପ୍ରବଣ ହୋଇପଡ଼ିଥିଲେ ।

 

ଠିକ୍ ସେ ଏଇମିତି ଥରେ ଭାବପ୍ରବଣ ହୋଇପଡ଼ିଥିଲେ ତାଙ୍କର ଚିକିତ୍ସକ ଜୀବନର ଆରମ୍ଭରେ, ଯେଉଁ ଦିନ ପ୍ରଥମ କରି ତାଙ୍କ ପାଖକୁ ଝିଅଟିଏ ଆସିଥିଲା ଗର୍ଭପାତ କରି ପୁଣି ତା’ର କୁମାରୀତ୍ୱ ଫେରି ପାଇବାକୁ ।

ସେଦିନ ଭାବପ୍ରବଣତାର ଆବେଗରେ ଝିଅଟିକୁ ସେ ପଚାରିବା ପାଇଁ ଚାହିଁଥିଲେ–ଯେଉଁମାନଙ୍କର ମା’ ହେବାକୁ ସନ୍ତାନଟିଏ ଭୂମିଷ୍ଠ କରିବାକୁ ଏତେ ଲଜ୍ଜା, ଏତେ କୁଣ୍ଠା, ଏତେ ଅନିଚ୍ଛା, ସେମାନେ ଗର୍ଭଧାରଣ କରିବାକୁ ଚେଷ୍ଟା କରନ୍ତି ବା କାହିଁକି ? ପୁଣି ଯେଉଁ ପୁରୁଷ ଆପଣାର ପିତୃତ୍ୱ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହେଁ, ସେ ଗୋଟିଏ କୁମାରୀ କନ୍ୟାକୁ ମା’ ହେବାକୁ ସାହାଯ୍ୟ କରେ ବା କାହିଁକି ?

ଝିଅଟିକୁ ଫେରାଇ ଦେବାପାଇଁ ସେ କହିଥିଲେ–କୁମାରୀ ମାତା କୁନ୍ତୀଙ୍କର ଗର୍ଭରୁ ଜନ୍ମଲାଭ କରି ଯଦି କର୍ଣ୍ଣ ତତ୍କାଳୀନ ଭାରତର ଅଗ୍ରଗଣ୍ୟ ବୀର ହୋଇ ଆପଣା ଶୌର୍ଯ୍ୟର ପରାକାଷ୍ଠା ପ୍ରଦର୍ଶନ କରିପାରନ୍ତି, ବିଦେହ ରାଜ୍ୟର ଯଜ୍ଞପ୍ରାନ୍ତରରେ ପରିତ୍ୟକ୍ତ କନ୍ୟା ସୀତା ସ୍ୱୀୟ ଉଜ୍ଜ୍ୱଳ ଚରିତବତ୍ତା ସତୀତ୍ଵ ଯୋଗୁ ଓ ପତିଙ୍କର ଏକାନ୍ତ ଅନୁଗାମିନୀ ହୋଇ ଯଦି ଆମ୍ଭମାନଙ୍କର ପ୍ରାତଃସ୍ମରଣୀୟା ହୋଇପାରନ୍ତି, ତେବେ ଆପଣ ଆପଣଙ୍କର ଗର୍ଭସ୍ଥ ଶିଶୁଟିକୁ ହତ୍ୟା କରିବେ କାହିଁକି ? ନିଜର ଭୁଲ ପାଇଁ ସେଇ ନିରୀହଟିକୁ ଦଣ୍ଡ ଦେବେ କାହିଁକି ?

କିନ୍ତୁ ଝିଅଟିର ହାତରେ ଥିବା ବିଡ଼ାଏ ନୋଟର ମଧୁର ସଙ୍ଗୀତ ଝଙ୍କାରରେ କେଉଁଆଡ଼େ ହଜି ଯାଇଥିଲା ତାଙ୍କର ଏ ଭାବପ୍ରବଣତା । ସେ କିପରି ନିଷ୍ଠୁର ହୋଇପଡ଼ିଥିଲେ । ସେହିଦିନଠାରୁ ସହଜ ଉପାୟରେ ପ୍ରଚୁର ଅର୍ଥ ଉପାର୍ଜନ ପାଇଁ ସେ ଗ୍ରହଣ କରିନେଇଥିଲେ ଗର୍ଭପାତର ପନ୍ଥା ।

ଶ୍ରୀମୟୀ ଦେବୀଙ୍କର ପ୍ରସ୍ତାବ ଶୁଣି ସେ କେବଳ ଚମକି ଉଠି ନ ଥିଲେ, ଅର୍ଥ ଉପାର୍ଜନ ପାଇଁ ଗ୍ରହଣ କରିଥିବା ପନ୍ଥା ଉପରେ ବି ତାଙ୍କର ଘୃଣା ଆସିଥିଲା । କେବଳ ଅର୍ଥ ଉପାର୍ଜନର ପନ୍ଥା ଉପରେ ନୁହେଁ, ନିଜ ଉପରେ ଘୃଣା ଆସିଥିଲା ତାଙ୍କର । ଏଇ କେତେକ ବର୍ଷ ଭିତରେ ଅନେକ କୁମାରୀମାତା ସେମାନଙ୍କର କୁମାରୀତ୍ୱ ଫେରି ପାଇବାକୁ ତାଙ୍କର ଦ୍ୱାରସ୍ଥ ହୋଇଛନ୍ତି । ଟଙ୍କାର ବିନିମୟରେ ସେ ସେମାନଙ୍କୁ ଫେରାଇ ଦେଇଛନ୍ତି ସେମାନଙ୍କର ନକଲି କୁମାରୀତ୍ୱ । ସେତେବେଳେ ହୃଦୟ ତାଙ୍କର ଥରି ଯାଇ ନାହିଁ, ହାତ କମ୍ପି ଉଠି ନାହିଁ । ଚିରାଚରିତ ପ୍ରଥାରେ ସେମାନଙ୍କୁ ପରୀକ୍ଷା ନିରୀକ୍ଷା କରିସାରିବା ପରେ ଯାହା ପାଇଁ ଯାହା ଆବଶ୍ୟକ, ତାହା ହିଁ ବ୍ୟବସ୍ଥା କରିଛନ୍ତି । କିନ୍ତୁ ବଧୂ ହେବା ପରେ କୌଣସି ନାରୀ ଗର୍ଭପାତ ପାଇଁ ତାଙ୍କ କ୍ଳିନିକ୍‍କୁ ଆସିବା ଏଇ ପ୍ରଥମ ।

ତାଙ୍କ ମୁହଁରୁ ଭାବପ୍ରବଣତାର ଚିହ୍ନ ଲକ୍ଷ୍ୟକରି ସେଦିନ ମିସେସ୍ ପଟ୍ଟନାୟକ ତାଙ୍କୁ ଚେତାଇ ଦେଇଥିଲେ, ଝିଅମାନଙ୍କ ପରି ସେ ସାଧାରଣ ଗର୍ଭପାତ କରିବାକୁ ଆସି ନାହାଁନ୍ତି । ସେ ଆସିଛନ୍ତି ଆଇନସମ୍ମତ ଗର୍ଭପାତ ପାଇଁ ।

ସେଦିନ ରାଜେନ୍ଦ୍ରବାବୁଙ୍କର ମନେ ହୋଇଥିଲା ଯେ ଯେପରି ଏକ ନିଷ୍ଠୁରା ନାରୀଟାର ପଥର ହୃଦୟ ନିକଟରେ ହାରିଯାଇଛନ୍ତି । ସେ ଯେମିତି ପରାଜିତ ଏଇ ହୃଦୟହୀନା ନାରୀଟା ପାଖରେ ।

ଗୋଟାଏ ଦୁର୍ବଳା ଅଥଚ ହୃଦୟାବତୀ ନାରୀ ପରି ରାଜେନ୍ଦ୍ରବାବୁଙ୍କର ଇଚ୍ଛା ହୋଇଥିଲା ମୁଣ୍ଡ ପିଟି ପିଟି କାନ୍ଦିବାକୁ ।

 

ଆଜି ଏତେ ଦିନ ପରେ କିନ୍ତୁ ଅଫିସ ଟେବୁଲ ଉପରେ ମୁଣ୍ଡ ପିଟି ପିଟି କାନ୍ଦୁଚନ୍ତି ମିସେସ୍ ଶ୍ରୀମୟୀ ପଟ୍ଟନାୟକ ।

 

ଟେବୁଲ ଉପରେ ପଡ଼ିରହିଛି ତାଙ୍କର ଲେଡ଼ି ଟାଇପିଷ୍ଟ୍ ସରୋଜିନୀ ତା’ର ପୁଅର ପ୍ରଥମ ବାର୍ଷିକ ଜନ୍ମୋତ୍ସବ ପାଇଁ ଦେଇ ଯାଇଥିବା ନିମନ୍ତ୍ରଣପତ୍ର ।

 

ନିଜେ ବି ସେ ଅନୁରୋଧ କରିଯାଇଛି–‘‘ଆପଣ ଯିବେ ମ୍ୟାଡ଼ାମ୍, ତାକୁ ଆର୍ଶୀବାଦ କରି ଆସିବେ । ଗରିବ ଘର ହେଲେ ବି ଆପଣଙ୍କ ସମ୍ମାନ ପାଇଁ ମୁଁ ଆପ୍ରାଣ ଚେଷ୍ଟା କରିବି । ସତରେ ମ୍ୟାଡ଼ାମ୍, ଆପଣ ତା’ ପାଖରେ ଠିଆହେଲେ ସମସ୍ତେ କହିବେ ସେ ପୁଅ ସେମିତି ଆପଣଙ୍କର, ମୋର ନୁହେଁ । ଆପଣ ଯିବେ ନା ନିଶ୍ଚୟ ? ନିଶ୍ଚୟ ଯିବେ । ଆପଣଙ୍କୁ ରାଣ ଅଛି ।”

 

ଓଃ, ମାତୃତ୍ୱର ଗୌରବରେ ଉଲ୍ଲସିତ ହୋଇଉଠିଛି ସରୋଜିନୀ !

 

କାଲି ତା’ର ପୁଅର ଜନ୍ମଦିନ, ହେଲେ ଆଜିଠାରୁ ଛୁଟି ନେଇଛି ସେ ।

 

ଗୋଟାଏ ପିଲାର ମା’ ହେବା ପରେ ସ୍ୱାସ୍ଥ୍ୟ ତା’ର ଅନେକ ପରିମାଣରେ ଭାଙ୍ଗିଯାଇଛି-। ତଥାପି ତା’ର କେତେ ଗର୍ବ !

 

ଶ୍ରୀମୟୀଙ୍କର କାନରେ ବାରମ୍ଵାର ବାଜୁଛି ସରୋଜିନୀର ସେଇ କଥାପଦକ–“ସତରେ ମ୍ୟାଡ଼ାମ୍, ଆପଣ ତା’ ପାଖରେ ଠିଆହେଲେ ସମସ୍ତେ କହିବେ ସେ ପୁଅ ସେମିତି ଆପଣଙ୍କର, ମୋର ନୁହେଁ ।”

 

ଶ୍ରୀମୟୀ ଦେବୀ ଦୁର୍ବଳ ହୋଇ ପଡ଼ୁଚନ୍ତି, ଭାଙ୍ଗି ପଡ଼ୁଚନ୍ତି । କ’ଣ ଗୋଟାଏ ଭାବପ୍ରବଣତାରେ ସେ ଆଚ୍ଛନ୍ନ ହୋଇପଡ଼ୁଚନ୍ତି ।

 

ନା, ମାତୃତ୍ୱର ଗୌରବ ବ୍ୟତୀତ ନାରୀର ଜୀବନ ଏକାନ୍ତଭାବେ ଅପାଂକ୍ତେୟ ।

 

ସେ ହଠାତ୍ ସିଧା ହୋଇ ବସିଲେ, ନିଜର ପେଟକୁ ଖୁବ୍ ସତର୍କତାର ସହିତ ଚାହିଁଲେ, ହାତ ମାରି ପରୀକ୍ଷା କଲେ । ନା, ସବୁ ବୃଥା । କେଉଁଠାରେ ସ୍ଫୀତିର ଚିହ୍ନ ନାହିଁ । ବରଂ ଗୋଟାଏ ଅନୂଢ଼ାର ଜଠର ପରି ତାହା ସମତଳ । ଗର୍ଭପାତ ପରେ ତିନି ବର୍ଷ ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ଆଉଥରେ ତାଙ୍କ ଗର୍ଭକୋଷରେ ଭ୍ରୂଣର ସଞ୍ଚାର ହୋଇନି ।

 

ତା’ପରେ ନିହାତି ବିକଳ ଭାବରେ ସେ ବିଳପି ଉଠିଛନ୍ତି ।

 

ତାଙ୍କର ଯାହା ଆଶା ଥିଲା ସେସବୁ ପୂରଣ ହୋଇଯାଇଛି । ମହାନଦୀ କୂଳରେ କିଣିଚନ୍ତି ଗୋଟିଏ ଛୋଟ ସୁନ୍ଦର ବଙ୍ଗଲୋ, ବ୍ୟାଙ୍କ୍‍ ବାଲାନ୍‍ସ ତାଙ୍କର ବଢ଼ି ଚାଲିଛି, ମାସେ ହେବ କିଣିଚନ୍ତି ନୂଆ କାର୍ ଗୋଟିଏ । ହେଲେ ଏଥିରକ ସେ ଶୀଘ୍ର ଅନ୍ତଃସତ୍ତ୍ଵା ହେଉ ନାହାନ୍ତି କାହିଁକି ?

 

ସେରକ ତାଙ୍କର ପୂରିଛି, ମାଣକ ବି ପୂରିଛି । ପୁଅ ଫେରିବାରେ ଏତେ ବିଳମ୍ବ କାହିଁକି-?

 

ଗୋଟାଏ ପୁତ୍ରହରା କପୋତୀ ପରି ଟେବୁଲ ଉପରେ ମୁଣ୍ଡ ପିଟି ପିଟି କାନ୍ଦୁଚନ୍ତି ସେ ।

 

ଏତେ ଦିନ ପରେ ସେ ନିଜର ଭୁଲ ବୁଝିପାରିଛନ୍ତି । ବୁଝିପାରିଚନ୍ତି ନାରୀସୃଷ୍ଟିର ମୁଖ୍ୟ ଆଭିମୁଖ୍ୟ ହେଉଛି ସନ୍ତାନସୃଷ୍ଟି ।

 

ଆହା...ଏକ ଭ୍ରାନ୍ତ ଖିଆଲର ବଶବର୍ତ୍ତୀ ହୋଇ ନିଜକୁ ସୁଖୀ କରିବାକୁ ଯାଇ ସେ ଅତିମାତ୍ରାରେ ଦୁଃଖୀ ହୋଇ ପଡ଼ିଚନ୍ତି ।

 

ଶ୍ରୀମୟୀଙ୍କ ଆଖିରେ ଲୁହ ଦେଖି ଖୁବ୍ ବିସ୍ମିତ ହୋଇପଡ଼ିଲେ ଅଧ୍ୟାପକ ପଟ୍ଟନାୟକ ।

 

ହଠାତ୍ ଶ୍ରିମୟୀ ଦେବୀ ଅଧ୍ୟାପକ ପଟ୍ଟନାୟକଙ୍କୁ ଅନୁନୟ କଲେ ତାଙ୍କୁ ରାଜେନ୍ଦ୍ରବାବୁଙ୍କ କ୍ଲିନିକ୍‍କୁ ନେଇଯିବାକୁ । କାରଣ ସେ କେବେ ସନ୍ତାନସମ୍ଭବା ହେବେ ପରୀକ୍ଷାଦ୍ଵାରା ଜାଣିବାକୁ ଚାହାଁନ୍ତି ।

 

ଏଥର କିନ୍ତୁ ସେ ଶ୍ରୀମନ୍ତବାବୁଙ୍କୁ ଆଦେଶ ନ ଦେଇ ଅନୁରୋଧ କଲେ ।

 

ନାରୀ–ମାନସର ବିଚିତ୍ର ବର୍ଣ୍ଣ ସନ୍ଦର୍ଶନ କରି ଅଧ୍ୟାପକ ମୂକ ହୋଇଗଲେ ।

 

ଶ୍ରୀମୟୀଙ୍କୁ ଦେଖି ରଜେନ୍ଦ୍ରବାବୁ ଆଶ୍ଚର୍ଯ୍ୟ ହେଲେ, ଆହୁରି ଆଶ୍ଚର୍ଯ୍ୟ ହେଲେ ଶ୍ରୀମୟୀଙ୍କ ଦୁଇ ବିସ୍ତୀର୍ଣ୍ଣ ଚକ୍ଷୁରେ ଲୋତକର ବନ୍ୟା ଦେଖି ।

 

ଡଃ ରାଜେନ୍ଦ୍ର ଖୁସି ହେଲେ ଶ୍ରୀମୟୀଙ୍କର ଏ ମାନସିକ ପରିବର୍ତ୍ତନରେ ।

 

ନିଜର ପରୀକ୍ଷା ଟେବୁଲ ଉପରେ ଶ୍ରୀମୟୀଦେବୀଙ୍କୁ ଶୁଆଇ ସେ ପରୀକ୍ଷାକରି ଚାଲିଛନ୍ତି । ଗଭୀର ଓ ଗମ୍ଭୀର ଭାବରେ ସେ ପରୀକ୍ଷା କରି ଚାଲିଛନ୍ତି । ସେଇ ଉଲଗ୍ନ ନାରୀଟାର ଇଉଟ୍ରସରେ ଅପରେସନ୍‍ର ଏକ ଗଭୀର କ୍ଷତ ଚିହ୍ନ । ନିଜ ହାତରେ କରିଥିବା ଏକଦା ଅକ୍ଷମଣୀୟ ଅପରାଧ ।

 

ସେଇ ବିବସ୍ତ୍ରା ନାରୀଟା ନିହାତି କରୁଣ ଭାବେ, ନିହାତି କାକୁସ୍ଥ ଭାବେ ଜୁଳୁ ଜୁଳୁ କରି ଚାହିଁରହିଛି ତା’ର ଦେହକୁ ପରୀକ୍ଷା କରୁଥିବା ଡାକ୍ତରଙ୍କର ମୁହଁକୁ । କରୁଣ ନୟନରେ, ଶଙ୍କିତ ହୃଦୟରେ ସେ ଅପେକ୍ଷା କରିଛି ଫଳାଫଳ ଶୁଣିବାକୁ ।

 

ଡାକ୍ତରଙ୍କ ମୁହଁ ଗମ୍ଭୀରରୁ ଗମ୍ଭୀରତର ହୋଇଉଠୁଛି ।

 

ଗୋଟାଏ ଦୀର୍ଘଶ୍ଵାସ ପକାଇ ପରୀକ୍ଷା ଶେଷ କଲେ ଡକ୍ଟର ରାଜେନ୍ଦ୍ର । ତା’ପରେ ସେ ଚାଲିଗଲେ ଅନ୍ୟ ପେସେଣ୍ଟମାନଙ୍କୁ ଦେଖିବାକୁ ।

 

କ୍ଲିନିକ୍‍ର ପ୍ରତୀକ୍ଷାଳୟରେ ଉତ୍କଣ୍ଠିତ ହୋଇ ବସିଛନ୍ତି ଅଧ୍ୟାପକ ପଟ୍ଟନାୟକ ଓ ମିସେସ୍ ପଟ୍ଟନାୟକ ।

 

ଆଇ ଆମ୍ ସରି ମ୍ୟାଡ଼ାମ୍, ଆପଣ ଆଉ କେବେ ବି ସନ୍ତାନସମ୍ଭବା ହୋଇପାରିବେନି-

 

ଡାକ୍ତର କେମିତି ନିଷ୍ଠୁର ହୋଇ ପଡ଼ୁଥିଲେ ।

 

ଗୋଟାଏ ଆଗ୍ନେୟଗିରିର ବିସ୍ଫୋରଣ ଘଟିଗଲା ଦୁହିଁଙ୍କର କାନ ପାଖରେ ।

 

ନିଜକୁ ସମ୍ଭାଳି ପାରିଲେନି ଶ୍ରୀମୟୀ, ନିସ୍ତେଜ ଭାବରେ ଲୋଟିପଡ଼ିଲେ ଚଉକିଟା ଉପରେ ।

 

ନା, ସେ କିଛି ଭାବି ପାରୁ ନାହାଁନ୍ତି । ସବୁଦିନେ ବୀରଦର୍ପରେ ଆଗେଇ ଯାଉଥିବା କର୍ଣ୍ଣଙ୍କ ରଥର ଚକ୍ରସବୁ ଆଜି ହଠାତ୍ ଯେମିତି ଭୂମିତଳକୁ ଦବିଯାଉଛି !

 

ଜୀବନର ଯୁଦ୍ଧଭୂମିରେ ନିରସ୍ତ୍ର କର୍ଣ୍ଣଙ୍କ ପରି ଏଥରକ ସେ ନିହାତି ଅସହାୟ ଭାବରେ ମୃତ୍ୟୁବରଣ କରିବେ । କେହି ତାଙ୍କୁ ସାହଯ୍ୟ କରିବାକୁ ଧାଇଁ ଆସିବେନି । ନିଜକୁ ରକ୍ଷା କରିବାକୁ କେହି ତାଙ୍କୁ ଯୋଗାଇ ଦେବେନି ଅସ୍ତ୍ରଟିଏ ।

 

ପ୍ଲିଜ୍ ଡକ୍ଟର, ପ୍ଲିଜ୍....

 

ଗର୍ଭପାତ କରିବା ପୂର୍ବରୁ ମୁଁ ଆପଣଙ୍କୁ କହିଥିଲି, ସମୟେ ସମୟେ ଦେଖାଯାଏ ଗର୍ଭପାତ କରିଥିବା ନାରୀଙ୍କର ନିହାତି ଅଜ୍ଞାତସାରରେ ତାଙ୍କ ସୁପ୍ତ ଅବଚେତନ ମାନସରେ ତୀବ୍ର ପ୍ରତିକ୍ରିୟା ହେବା ଫଳରେ ସେ ଚିରଦିନ ପାଇଁ ମାତୃତ୍ୱର ଗୌରବରୁ ବଞ୍ଚିତା ହୁଅନ୍ତି । ଏ ବ୍ୟାଧିର ଜନ୍ମ ଏକ ମନସ୍ତାତ୍ତ୍ୱିକ କାରଣରୁ, ଏକ ମାନସିକ ସଂଘର୍ଷରୁ । ସେ ସଂଘର୍ଷ ଯେତେ କ୍ଷୀଣ ହେଉ ପଛେ, ଆପଣଙ୍କ ତାହା ହିଁ ହୋଇଛି ମ୍ୟାଡ଼ାମ୍ ! ଆପଣଙ୍କ ଓଭାରୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

 

ତଳେ ଲୋଟିପଡ଼ି ଖୁବ୍ ବିକଳରେ କାନ୍ଦିଉଠିଲେ ମିସେସ୍ ପଟ୍ଟନାୟକ ।

 

ନୋ, ନୋ, ଡକ୍ଟର, ପ୍ଲିଜ୍ ହେଲପ୍‍ ଅସ୍ । ଆମର ବ୍ୟାଙ୍କ୍ ବାଲନ୍‍ସ, କାର୍, ବଙ୍ଗଲୋ ସବୁ କିଛି ସଞ୍ଚିତ ସମ୍ପତ୍ତିର ବିନିମୟରେ ଆପଣ ଶ୍ରୀମୟୀଙ୍କୁ ତା’ର ମାତୃତ୍ଵ ଫେରାଇ ଦିଅନ୍ତୁ । ସନ୍ତାନସମ୍ଭବା ହେବା ପାଇଁ ତାକୁ ସକ୍ଷମ କରନ୍ତୁ ଡକ୍ଟର ! ଅଧ୍ୟାପକ ପଟ୍ଟନାୟକଙ୍କ କଣ୍ଠ କ୍ରନ୍ଦନର କରୁଣ ନିର୍ଯ୍ୟାସରେ ରୁଦ୍ଧ ହୋଇ ଯାଉଥିଲା । ଆଖିରେ ତାଙ୍କର ଅଶ୍ରୁର ଶ୍ରାବଣୀ ।

 

ଆଇ କ୍ୟାଣ୍ଟ୍ ହେଲପ ଇଉ ସାର୍ ! ଆଇ କ୍ୟାଣ୍ଟ୍.....

 

ରାଜେନ୍ଦ୍ରବାବୁଙ୍କର ମନେହେଲା, ତାଙ୍କର ସବୁ ପାପ ଯେମିତି ଧୋଇ ହୋଇଯାଇଛି ଏଇ ନାରୀଟାର ଅବାରିତ ବିକଳ ଅଶ୍ରୁର ପ୍ଳାବନରେ ।

 

ଭଲ ହୋଇଛି । ଖୁବ୍ ଭଲ ହୋଇଛି । କାନ୍ଦୁ ସେ, ମନଭରି କାନ୍ଦୁ ।

 

ନିହାତି ଗୋଟାଏ ହିଂସ୍ର ଆବେଗରେ ଚଞ୍ଚଳ ହୋଇପଡ଼ିଲେ ଡକ୍ଟର ରାଜେନ୍ଦ୍ର ।

 

ଏକ୍‍ସକିଉଜ୍‍ ମି ସାର୍ ଆଣ୍ଡ ମ୍ୟାଡ଼ାମ୍, ବାହାରେ ମୋର ଗୋଟାଏ ନିହାତି ଜରୁରୀ କାମ ଅଛି, ମତେ ବର୍ତ୍ତମାନ ଯିବାକୁ ହେବ ।

 

କ୍ଳିନିକ୍ ଛାଡ଼ିଲେ ଡକ୍‍ଟର ।

 

ଶ୍ରୀମୟୀଙ୍କର କରୁଣ କ୍ରନ୍ଦନର ନିର୍ଯ୍ୟାସ ଭିତରେ ତାଙ୍କ ଜୋତାର ଆବାଜ୍‍ ନିହାତି ଖାପ୍‍ଛଡ଼ା ଶୁଭୁଥିଲା ।

 

ଶ୍ରୀମୟୀ ଦେବୀଙ୍କର ମନେ ହେଉଥିଲା ଡାକ୍ତରଙ୍କ ଜୋତାର ଆଘାତରେ ତାଙ୍କ ହୃଦୟଟା ଯେମିତି ଛେଚିହୋଇ ଯାଉଛି, ନିଷ୍ପେଷିତ ହେଉଛି ।

 

ସେ ସେମିତି ତଳେ ପଡ଼ି ରହିଥିଲେ ।

 

ଆସ ଶ୍ରୀ, ଫେରିଯିବା । ଥରକର ଭୁଲ ପାଇଁ ସାରା ଜୀବନ ଧରି ଆମକୁ ପ୍ରାୟଶ୍ଚିତ୍ତ କରିବାକୁ ପଡ଼ିବ ଅତି ଅସହାୟ ଭାବରେ । ଗୋଟାଏ ଦୀର୍ଘଶ୍ୱାସ ପକାଇ ଅଧ୍ୟାପକ ପଟ୍ଟନାୟକ ଶ୍ରୀମୟୀଙ୍କୁ ଉଠାଇବାକୁ ଚେଷ୍ଟା କଲେ ।

 

ପ୍ରବଳ ଘୂର୍ଣ୍ଣିବାତ୍ୟାରେ ଗୋଟାଏ ଅସହାୟ ଶୁଷ୍କ ପତ୍ର ଏକ ଭଗ୍ନ ପ୍ରାଚୀରର କଡ଼ରେ ଆପଣାର ସ୍ଥିତି ଖୋଜିବା ପରି ଶ୍ରୀମୟୀ ଅଧ୍ୟାପକ ପଟ୍ଟନାୟକଙ୍କ ବକ୍ଷରେ ଲୋଟିଗଲେ ।

 

ଫେରିବା ପୂର୍ବରୁ ସେ ଆଉଥରେ ଭଲକରି ଦେଖିବାକୁ ଚେଷ୍ଟାକଲେ ଏକ କ୍ଳିନିକ୍‍ଟାକୁ ।

 

ଡକ୍ଟର ରାଜେନ୍ଦ୍ରଙ୍କର ଏଇ କ୍ଳିନିକ୍‍କୁ ଅନେକ କୁମାରୀ ମାତା ଆସନ୍ତି ସେମାନଙ୍କର ହରାଇଥିବା କୁମାରୀତ୍ୱ ଫେରି ପାଇବାକୁ । ବଧୂ ହେବା ପରେ ଏକ ଭ୍ରାନ୍ତ ଖିଆଲର ବଶବର୍ତ୍ତୀ ହୋଇ ସେ ପ୍ରଥମେ ଆସିଥିଲେ ଭ୍ରୂଣହତ୍ୟା କରିବାକୁ ‘ଲିଗାଲ୍ ଟର୍ମିନେସନ ଅଫ୍ ପ୍ରେଗ୍‍ନାନ୍‍ସି’ର ଦ୍ଵାହି ନେଇ । କିନ୍ତୁ ଆପଣାର ଭୁଲ ବୁଝିବା ପରେ ଆଜି ସେ ଆସିଥିଲେ ସେଦିନ ହଜାଇ ଦେଇଥିବା ଭ୍ରୂଣଟିକୁ ପୁଣି କେବେ ଫେରି ପାଇବେ ଜାଣିବାକୁ । ହେଲେ ସେ ଆଶା ଆଉ ତାଙ୍କର ପୂର୍ଣ୍ଣ ହେବନି ।

 

ମାତୃତ୍ଵର ଗୌରବରେ ଆଉ ସେ ଗୌରବାନ୍ୱିତ ହୋଇପାରିବେନି !

 

ଜନନୀତ୍ଵର ଗର୍ବରେ ଛାତି ତାଙ୍କର ଫୁଲି ଉଠିବନି !

 

ବନ୍ଧ୍ୟାତ୍ୱର ଅଭିଶାପ ବହନ କରି ଗୋଟାଏ ପୁତ୍ରହରା ବିକଳ କପୋତୀ ପରି ସେ ଘୂରିବୁଲିବେ ଚିରଦିନ ।

 

ନା, ସେ ସହି ପାରୁ ନାହାନ୍ତି ।

 

ଅଧ୍ୟାପକ ପଟ୍ଟନାୟକଙ୍କ ଛାତି ଉପରେ ମୁହଁ ଗୁଞ୍ଜି ଖୁବ୍ ଜୋରରେ ବାହୁନି ଉଠିଲେ ଶ୍ରୀମୟୀ ଦେବୀ ।

 

ତାଙ୍କ ନାରୀଜୀବନର ସର୍ବଶ୍ରେଷ୍ଠ ସମ୍ପଦର ବିନିମୟରେ ଏଇ କ୍ଳିନିକ୍‍କୁ ସେ ଆଜି ଅନୁଭବ କରୁଛନ୍ତି ଜାୟାତ୍ୱବିହୀନ ଜନନୀତ୍ଵ ନାରୀଜୀବନରେ ଯେପରି ଏକ ଅକ୍ଷମଣୀୟ ଅପରାଧ ଜନନୀତ୍ଵହୀନ ଜାୟାତ୍ଵ ନାରୀ ଜୀବନରେ ସେହିପରି ଏକ ମସ୍ତ ଅଭିଶାପ ।

★★★

 

ଦୀର୍ଘଶ୍ଵାସ ଦୁଇଟି ମୁହୂର୍ତ୍ତର

 

ବେଶ୍ କିଛି ଦିନର ଦୀର୍ଘ ବ୍ୟବଧାନ ପରେ ପୁଣି ଏ ସାକ୍ଷାତ୍ ହେଲେ ବି ଚିହ୍ନିବାକୁ ବିଶେଷ ବିଳମ୍ବ ହୋଇ ନ ଥିଲା ସମରେନ୍ଦ୍ରଙ୍କ ପକ୍ଷରେ । ବୟସର ଅତ୍ୟାଚାରରେ ସାମାନ୍ୟ ମୋଟି ହୋଇଯାଇଥିବା ସେଇ ଝିଅଟି ସଙ୍ଗୀତା ବ୍ୟତୀତ ଯେ ଅନ୍ୟ କେହି ନୁହେଁ, ସେ ସମ୍ପର୍କରେ ସମରେନ୍ଦ୍ର ନିଶ୍ଚିତ । କିନ୍ତୁ ତାକୁ ଏପରି ଭାବରେ ବମ୍ବେ ସେଣ୍ଟ୍ରାଲ ରେଲୱେ ଷ୍ଟେସନର ଏଇ ଅଭିଜାତସଂପନ୍ନ ପ୍ରଥମ ଶ୍ରେଣୀର ପ୍ରତୀକ୍ଷାଳୟରେ ଆବିଷ୍କାର କରି ବସିବେ, ଏ କଥା ଆଦୌ କଳ୍ପନା କରିପାରି ନ ଥିଲେ ସେ ।

ସଙ୍ଗୀତା...ଆଃ !

ଏକଦା ପ୍ରିୟ ଅଥଚ କଳାର ଆବର୍ତ୍ତନର ବିସ୍ମୃତ ହୋଇଥିବା କୌଣସି ଏକ ଲିରିକ୍‍ର ମାତ୍ର ଗୋଟିଏ ପଂକ୍ତି ମନେପଡ଼ି ଅନ୍ୟ ସବୁ ବିସ୍ମୃତିର ଅନ୍ଧକାର ତଳେ ଚାପାପଡ଼ି ରହିଗଲେ ଯେମିତି ଲାଗେ, ଠିକ୍ ସେହିପରି ଏକ ଅବ୍ୟକ୍ତ ସୁତୀବ୍ର ଅଥଚ ମଧୁର ବେଦନା ସ୍ଵୀୟ ହୃଦୟର କେଉଁ ଏକ ନିଭୃତ ଅଞ୍ଚଳରେ ଅନୁଭବ କରୁଥିଲେ ସମରେନ୍ଦ୍ର ।

ଚଷମାର କାଚ ଦୁଇଟିକୁ ରୁମାଲରେ ସଫା କରି ପୁଣି ସଙ୍ଗୀତାକୁ ଆଉ ଥରେ ଟିକେ ଭଲଭାବରେ ଦେଖିବାକୁ ଚେଷ୍ଟାକଲେ ସେ ଖୁବ୍ ସନ୍ତର୍ପଣରେ । ସଙ୍ଗୀତା କିନ୍ତୁ ଏପର୍ଯ୍ୟନ୍ତ ଦେଖିପାରିନି ସମରେନ୍ଦ୍ରଙ୍କୁ । କୌଣସି ଏକ ପତ୍ରିକା ଖୁବ୍ ତନ୍ମୟ ଭାବରେ ପଢ଼ିଚାଲିଛି ସେ ।

ଆଜି କିଛିଟା ଗଦ୍ୟ ଗଦ୍ୟ ମନେହେଲେ ବି ଦଶ ବର୍ଷ ତଳେ ସଙ୍ଗୀତାର ଦେହରେ ଥିଲା ଅନେକ ସଙ୍ଗୀତର ମୂର୍ଚ୍ଛନା, ଅନେକ ରୂପର ଠାଣି ଓ ବହୁ କବିତାର ରୂପ–କଳ୍ପ ।

ଆଃ, ଦଶ ବର୍ଷ ତଳର ସେଇ ସୁମଧୁର କଲେଜ–ଜୀବନ ! ଆଜି ଭାବିଲେ ଦୁଃଖ ଲାଗେ । କଲେଜର ଗେଟ୍‍ରୁ ପୋର୍ଟିକୋ, ପୋର୍ଟିକୋରୁ କରିଡ଼ର୍ ଦେଇ କ୍ଲାସ, ପୁଣି କ୍ଲାସ ପରେ କମନ୍‍ରୁମ୍‍ ବା ଲନ୍ ଦେଇ ଲାଇବ୍ରେରୀକୁ ଅନେକ ଆଶା ଓ ଆକାଂକ୍ଷା ନେଇ ଗତାଗତ କରୁଥିବା ସେଇ ତରୁଣ ଛାତ୍ରଟି ଆଜି ପ୍ରବୀଣ ହେଲେ ମଧ୍ୟ କର୍ତ୍ତବ୍ୟର ଦାସ । ସେଇ ଦିନଗୁଡ଼ିକ ଯେ କେବଳ ପଢ଼ିବା ପାଇଁ ଉଦ୍ଦିଷ୍ଟ ଥିଲା ତା’ ନୁହେଁ, ବରଂ ତାହା ଥିଲା ବଞ୍ଚିବାର ଏକ ମାଦକଭରା ପନ୍ଥା ।

ସେଇ ଦଶ ବର୍ଷ ତଳେ ରୂପସୀ ସଙ୍ଗୀତା ଥିଲା ତାଙ୍କର ସହପାଠିନୀ । ପାଠ ଆଉ ଖେଳରେ ସମରେନ୍ଦ୍ର ଥିଲେ ଖୁବ୍ ବିଚକ୍ଷଣ । ତେଣୁ ସଙ୍ଗୀତାର ବନ୍ଧୁ ହେବାକୁ ତାଙ୍କୁ ବେଶୀ ସମୟ ଲାଗି ନ ଥିଲା । ବହୁ ପଦ୍ମ–ଭୁକ୍ ତରୁଣ ଛାତ୍ରଙ୍କ ଆଲୋଚନାର ଯୋଉ ସଙ୍ଗୀତା ଥିଲା ଏକମାତ୍ର କେନ୍ଦ୍ରବିନ୍ଦୁ ଏବଂ ଯାହାର ଉଦ୍ଧତ ଯୌବନ ନିକଟରେ ଅନ୍ୟମାନେ ଏକ ଏକ ସ୍ତିମିତ ଦୀପାଲୋକ ପରି ମଧ୍ୟ ଜଳିବାକୁ ଭୟ କରୁଥିଲେ, ସେଇ ସଙ୍ଗୀତା ଅତି ସହଜ ଭାବରେ ସମରେନ୍ଦ୍ରଙ୍କ ପାଖରେ ବଦଳ କରୁଥିଲା ନୋଟସ୍ ଖାତା ଆଉ ବହି । ଘଣ୍ଟା ଘଣ୍ଟା ଧରି ସେମାନେ ଗପୁଥିଲେ ଲାବୋରେଟାରୀରେ, ଲାଇବ୍ରେରୀରେ, ଲନ୍‍ ରେ କିମ୍ବା କରିଡ଼ର୍‍ ରେ।

ସଙ୍ଗୀତାର ସାନ୍ନିଧ୍ୟ ତାଙ୍କୁ ଦିନାକେତେ କବିତା ଲେଖିବା ପାଇଁ ବେଶ୍ ପ୍ରେରଣା ଯୋଗାଇଥିଲା । କବି ହେବାକୁ ନୁହେଁ, ସଙ୍ଗୀତା ମୁହଁରୁ ପ୍ରଶଂସା ଶୁଣିବା ଆଶାରେ ସେ କବିତା ଲେଖୁଥିଲେ ନୋଟସ୍ ଖାତାରେ ।

 

ଦିନେ ଲାଇବ୍ରେରୀରୁ ଦୁହେଁ ସାଙ୍ଗ ହୋଇ ଫେରିବା ସମୟରେ ଲନ୍ ମଝିରେ ସଙ୍ଗୀତା ପଚାରିଥିଲା–“ବାଃ, ବିଜ୍ଞାନର ଛାତ୍ର ହୋଇ ବି ତମେ ତ ବେଶ୍ ଚମତ୍କାର କବିତା ଲେଖିପାରୁଛ ସମରେନ୍ଦ୍ର !”

 

ଏକ ସ୍ମିତହାସ୍ୟ ବ୍ୟତୀତ ସେଦିନ ସେ କୌଣସି ଉତ୍ତର ଦେଇ ନ ଥିଲେ ।

 

କିନ୍ତୁ ତା’ ପରଦିନ ସନ୍ଧ୍ୟାରେ ଷ୍ଟଡ଼ିରୁମ୍‍ ରେ ବସି ସମରେନ୍ଦ୍ରଠାରୁ ମାଗି ନେଇଥିବା ଖାତାରୁ ସଙ୍ଗୀତା ଯେଉଁ ଚିଠିଟି ଆବିଷ୍କାର କରିଥିଲା, ତାହା ଥିଲା, ଜୟଦେବୀୟ “ଦେହି ପଦପଲ୍ଲବମୁଦାରଂ” ମିନତିର ଏକ ସାର୍ଥକ ପ୍ରତୀକ । ପରଦିନ କ୍ଳାସ ପରେ ସମରେନ୍ଦ୍ରଙ୍କୁ ଏକାନ୍ତକୁ ଡାକିନେଇ ସେ ଫେରାଇ ଦେଇଥିଲା ତାଙ୍କଠାରୁ ନେଇଥିବା ସମସ୍ତ ବହିପତ୍ର, ଆଉ କହିଥିଲା–‘‘ମୁଁ ତୁମକୁ ଏତେ ଦିନ ପର୍ଯ୍ୟନ୍ତ ମୋର ଜଣେ ବନ୍ଧୁ ଭାବରେ ଦେଖି ଆସୁଥିଲି ସମରେନ୍ଦ୍ର, କିନ୍ତୁ ପ୍ରେମିକ ହିସାବରେ ନୁହେଁ । ଛିଃ, ତମେ ଏତେ ଅଭଦ୍ର ହୋଇପାରିଲ ?”

 

ସେଇ ଅପମାନର ଗ୍ଳାନିରେ ଜର୍ଜରିତ ସମରେନ୍ଦ୍ର ଗୋଟିଏ ଦୀର୍ଘଶ୍ୱାସ ପକାଇ ସେଦିନ ଭାବିଥିଲେ, ନିଜକୁ ପ୍ରକାଶ କରିବାରେ ଭଦ୍ର ଅଭଦ୍ରର ପ୍ରଶ୍ନ ରହିଲା କେଉଁଠି ? ପୁଣି ଯୋଉ ଝିଅ ତାଙ୍କ ସହିତ ବହି ଖାତା ବଦଳ କରିପାରେ, ସେ ହୃଦୟ ବଦଳ କରିବାକୁ ଏତେ କୁଣ୍ଠିତା କାହିଁକି ?

 

ସେଇଦିନଠାରୁ ସଙ୍ଗୀତା ଆଉ ତାଙ୍କ ସହିତ କେବେ କଥାବାର୍ତ୍ତା କରିନାହିଁ ।

 

ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଶ୍ରେଣୀ ଉତ୍ତୀର୍ଣ୍ଣ ହେବା ପରେ ସଙ୍ଗୀତା ସହିତ ତାଙ୍କର ଆଉ ସାକ୍ଷାତ୍ ହୋଇ ନ ଥିଲା । ହୁଏତ ସେ କୌଣସି କଲେଜରେ ଅଧ୍ୟାପିକା ଥିବା ଅଥବା ତାଙ୍କରି ପରି ନିଜକୁ ନିୟୋଜିତ କରିଥିବ ଉଚ୍ଚ ଗବେଷଣାରେ ।

 

ପତ୍ରିକାଟିକୁ ପଢ଼ିସାରିବା ପରେ ହଠାତ୍ ସମରେନ୍ଦ୍ରଙ୍କ ଉପରେ ଦୃଷ୍ଟି ପଡ଼ିଲା ସଙ୍ଗୀତାର-

 

ନା, ଟିକେ ମୋଟା ହୋଇ ସାମାନ୍ୟ ବୟସ୍କ ପରି ଜଣା ପଡ଼ୁଥିବା ଏଇ ଭଦ୍ରବ୍ୟକ୍ତି ଜଣକ ନିର୍ଭୁଲ ଭାବରେ ସମରେନ୍ଦ୍ର–ଏକଦା ଆତ୍ମୀୟ ଓ ସେଦିନର ନିର୍ଲଜ୍ଜ ପ୍ରଣୟଭିକ୍ଷା ପରେ ଖୁବ୍ ଅନାତ୍ମୀୟ ହୋଇପଡ଼ିଥିବା ସେଇ ସମରେନ୍ଦ୍ର ।

 

କଲେଜ ଛାଡ଼ିବାର ଦୁଇ ବର୍ଷ ପରେ ସମ୍ବାଦପତ୍ରମାନଙ୍କରୁ ସେ ଜାଣିବାକୁ ପାଇଥିଲା, ସରକାରୀ ବୃତ୍ତି ପାଇ ସମରେନ୍ଦ୍ର ଯାଇଛି ଆମେରିକା ଆଣବିକ ଶକ୍ତି ଉପରେ ଉଚ୍ଚଧରଣର ଗବେଷଣା କରିବାକୁ । ପରେ ପରେ ସେ ବିଭିନ୍ନ ବୈଜ୍ଞାନିକ ପତ୍ରିକାମାନଙ୍କରୁ ଆଣବିକ ଶକ୍ତି ଉପରେ ସମରେନ୍ଦ୍ରର ଗଭୀର ଗବେଷଣାତ୍ମକ ପ୍ରବନ୍ଧ ପଢ଼ି ଆସୁଛି ଏବଂ ସେଇ ପ୍ରବନ୍ଧଗୁଡ଼ିକର ସମାଲୋଚନାଗୁଡ଼ିକୁ ମଧ୍ୟ । ତା’ ସହିତ ସମସ୍ତ ସମ୍ପର୍କ ଛିନ୍ନ କରିଥିଲେ ସୁଧା ସେ ତା’ର ପ୍ରତିଭାକୁ ସ୍ଵୀକାର କରେ ।

 

ସେଇ ସମରେନ୍ଦ୍ର ତା’ ସାମ୍ନାରେ ବସିଛି । ସିଗାରେଟ୍ ଫୁଙ୍କୁଛି । ଶୂନ୍ୟ ଦୃଷ୍ଟିରେ ଚାହିଁରହିଛି କୋଳାହଳମୟ ପ୍ଲାଟ୍‍ଫର୍ମରେ ଆତଯାତ ହେଉଥିବା ଅସଂଖ୍ୟ ନାରନାରୀଙ୍କୁ ।

 

ସେ କ’ଣ ତାକୁ ଚିହ୍ନି ପାରୁ ନାହାନ୍ତି ? ନା, ଚିହ୍ନିଲେ ବି ବୋଧହୁଏ ପୂର୍ବରୁ ସେଇ ଅସ୍ଵାଭାବିକ ସ୍ମୃତିକୁ ମନେପକାଇ କଥାବାର୍ତ୍ତା କରୁ ନାହାନ୍ତି ?

 

ବର୍ତ୍ତମାନ ସମରେନ୍ଦ୍ରଙ୍କ ସହିତ କଥାବାର୍ତ୍ତା କରାଯାଇପାରେ । ଭୟ କରିବାର ବୟସ ସେ ଅତିକ୍ରମ କରି ସାରିଲାଣି ।

 

“ଆରେ ସମରେନ୍ଦ୍ର ଯେ, ନମସ୍କାର ।” ସଙ୍ଗୀତା ଚେୟାର୍ ଛାଡ଼ି ସମରେନ୍ଦ୍ରର ସାମ୍ନାକୁ ଆସିଲା ।

 

“ଓ...ସଙ୍ଗୀତା, ନମସ୍କାର ।” ପ୍ରତିନମସ୍କାର ଜଣାଇ ଠିଆ ହୋଇପଡ଼ିଲା ସମରେନ୍ଦ୍ର ।

 

“କେମିତି ଅଛ ?”

 

“ଏକ ପ୍ରକାର ।”

 

“ତମେ କିନ୍ତୁ କୋଉଠୁ ଆସିଲ ?”

 

“ଏଇ ତ ସିଧା ଆମେରିକାରୁ । ଆଜି ଏଠୁ ଟ୍ରେନ୍ ଧରି ଓଡ଼ିଶା ଫେରିଯିବି । କିନ୍ତୁ ତମେ ଏଠି ?”

 

“ମୁଁ ଏଇ ବମ୍ବେ ୟୁନିଭର୍‍ସିଟିରେ ଅଧ୍ୟାପିକା ଅଛି । ଟିକେ ମାଡ଼୍ରାସ୍ ଯାଉଛି, ସେଠାକାର ସାଇନସ୍–କନ୍‍ଫରେନ୍‍ସରେ ଯୋଗ ଦେବାକୁ ।”

 

“ଆଚ୍ଛା !” ସାମାନ୍ୟ ହସିଲା ସମରେନ୍ଦ୍ର । ତା’ପରେ ଘଣ୍ଟା ଦେଖି ଖୁବ୍ ଚଞ୍ଚଳ ହୋଇପଡ଼ିଲା । ଆଉ କୋଡ଼ିଏ ମିନିଟ୍ ପରେ ଟ୍ରେନ୍ ଆସିଯିବ । ତାକୁ ପ୍ରସ୍ତୁତ ହେବାକୁ ପଡ଼ିବ ଏଥର । ଟଏଲେଟକୁ ଯାଉ ଯାଉ ସଙ୍ଗୀତା ଉଦ୍ଦେଶ୍ୟରେ ସେ ପଚାରିଲା–“ତମ ସ୍ୱାମୀ କ’ଣ ଏଇ ବମ୍ବେ ୟୁନିଭର୍‍ସିଟିରେ ?”

 

ସମରେନ୍ଦ୍ରର ଏ ପ୍ରଶ୍ନରେ ଏବେ ସୁଦ୍ଧା କୁମାରୀ ଜୀବନଯାପନ କରୁଥିବା ସଙ୍ଗୀତା ଚମକି ଉଠିଲା ।

 

ସ୍ୱାମୀ ???

 

ତା’ ପାଇଁ ଏଇ ଏକ ଅଦ୍ଭୁତ ପ୍ରଶ୍ନ । ଅଧ୍ୟାପନା ଓ ଗବେଷଣା ବ୍ୟତୀତ ଏ ପର୍ଯ୍ୟନ୍ତ ସେ ଆଉ କିଛି ବି ଭାବିନି । ସ୍ୱାମୀ, ସନ୍ତାନ, ସଂସାର–ଏସବୁ ମନହୋଇଛି ଏବେ ବି ତା’ ପାଇଁ ଅପାଂକ୍ତେୟ ।

 

ଆଜି କିନ୍ତୁ ସମରେନ୍ଦ୍ରର ଏ ପ୍ରଶ୍ନରେ ଯଥେଷ୍ଟ ଆଘାତ ପାଇଲା ସଙ୍ଗୀତା । ଅଧ୍ୟାପନା ଓ ଗବେଷଣା ବ୍ୟତୀତ ଯେ ଜୀବନର ଅନ୍ୟ ଏକ ଦିଗ ଅଛି, ସେ ସମ୍ପର୍କରେ ସେ ହଠାତ୍ ସଚେତନ ହୋଇଉଠିଲା ।

 

ପ୍ରତୀକ୍ଷାଳୟରେ ଥିବା ଲମ୍ବା ଦର୍ପଣରେ ତା’ ରୂପର ପ୍ରତିବିମ୍ବ ପଡ଼ିଛି । ଏକଦା ଅନିନ୍ଦ୍ୟ ସୁନ୍ଦରୀ ସଙ୍ଗୀତା ଆଜି ଅନୁଭବ କରୁଚି, ତା’ ସୌନ୍ଦର୍ଯ୍ୟରେ ଆଉ ପୂର୍ବର ମାଦକତା ନାହିଁ, ଲୀଳାଚଞ୍ଚଳ କମନୀୟତା ନାହିଁ; ବରଂ ଅଛି ପ୍ରଚୁର କ୍ଳାନ୍ତି, ଅନେକ ଅବସାଦ । ଏ ସୌନ୍ଦର୍ଯ୍ୟ ଯେମିତି ଏକ ଅବହେଳିତ ନାରୀତ୍ୱର କରୁଣ କାକଳୀ !

 

ସମରେନ୍ଦ୍ର କ’ଣ ବିବାହିତ ? ବୋଧହୁଏ ନୁହେଁ । ବିବାହିତ ହୋଇଥିଲେ ସାଙ୍ଗରେ ସ୍ତ୍ରୀ ନିଶ୍ଚୟ ଥା’ନ୍ତେ–ସେ ଭାରତୀୟା ହୁଅନ୍ତୁ ଅଥବା ଶ୍ଵେତାଙ୍ଗିନୀ ଆମେରିକାନ୍ ହୁଅନ୍ତୁ ।

 

ଏକଦା ତା’ ନିକଟରେ ପ୍ରଣୟ ଭିକ୍ଷାକରି ଅପମାନିତ ହୋଇଥିବା ସମରେନ୍ଦ୍ରଙ୍କୁ ଆଜି ବିବାହ କଲେ କ୍ଷତି କ’ଣ ? ବରଂ ଖୁବ୍ ଭଲ ହୁଅନ୍ତା । ତାଙ୍କ ଗବେଷଣାର ସହକାରୀ ଭାବରେ ସେ ଅନେକ କିଛି ସାହାଯ୍ୟ କରିପାରନ୍ତା । ବୋଧହୁଏ ସମରେନ୍ଦ୍ର ମନା କରିବେ ନାହିଁ, ବରଂ ଖୁସି ହେବେ ।

 

ସମରେନ୍ଦ୍ର ଯେପରି ପ୍ରଶ୍ନ କରି ତାକୁ ଆଘାତ ଦେଲେ, ଠିକ୍ ସେହିପରି ଏକ ପ୍ରତି–ପ୍ରଶ୍ନ କରି ତାଙ୍କୁ ଆହତ କରିବାକୁ ସ୍ଥିର ନିଶ୍ଚିତ କଲା ସଙ୍ଗୀତା ।

 

ଟଏଲେଟ୍‍ରୁ ପ୍ରତୀକ୍ଷାଳୟ ଭିତରକୁ ପଶି ଆସୁଚନ୍ତି ସମରେନ୍ଦ୍ର ।

 

“ତମ ଶ୍ରୀମତୀଙ୍କୁ ସାଙ୍ଗରେ ଆଣିନ ଯେ !” ଅସ୍ୱାଭାବିକ ଭାବରେ ଜୋର ଦେଇ ପ୍ରଶ୍ନ କଲା ସଙ୍ଗୀତା । ତା’ପରେ ଆଘାତର ପ୍ରତିକ୍ରିୟା ଦେଖିବାକୁ ଏକ ହିଂସ୍ର ଚାହାଣୀ ନେଇ ସେ ଅନାଇ ରହିଲା ସମରେନ୍ଦ୍ରଙ୍କ ମୁହଁକୁ ।

 

“ତାଙ୍କ ଭାଇଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ପୁଅ ଦୁଇଟିଙ୍କୁ ସାଙ୍ଗରେ ଧରି ଦୁଇ ମାସ ପୂର୍ବରୁ ସେ ଫେରି ଆସିଛନ୍ତି ।” ଖୁବ୍ ସହଜ ଭାବରେ ଉତ୍ତର ଦେଲେ ସମରେନ୍ଦ୍ର ।

 

ନିଜ ପ୍ରଶ୍ନର ଉତ୍ତରରେ ନିଜେ ଆହତ ହେଲା ସଙ୍ଗୀତା ।

 

କଲେଜ ଜୀବନର ସେଇ ଛୋଟ ଘଟଣାଟିର ସ୍ମୃତି ମନେପଡ଼ିଲା ସଙ୍ଗୀତାର । ସେଦିନ ଏଇମିତି ଏକ ଅପରାଧୀ ପରି ଠିଆ ହୋଇଥିଲେ ସମରେନ୍ଦ୍ର ଆଉ ସେ ତାଙ୍କୁ ଅପମାନ ଦେଇ ଚାଲିଥିଲା ।

 

ସେଇ ଅପମାନକୁ ଆଜି ଯେମିତି ଫେରାଇଦେଲେ ସମରେନ୍ଦ୍ର ।

 

ଟ୍ରେନ୍ ସମୟ ହୋଇଗଲାଣି ସମରେନ୍ଦ୍ରଙ୍କର । ସବୁ ଜିନିଷପତ୍ର ସେ ସଜାଡ଼ି ସାରିଲେଣି-। କୁଲି ବି ଆସିଗଲାଣି ତାକୁ ସବୁ ନେବାକୁ ।

 

ସମରେନ୍ଦ୍ର ବର୍ତ୍ତମାନ ଚାଲିଯିବେ । ତାଙ୍କ ଟ୍ରେନ୍ ଆଗ ଆସିବ । ସଙ୍ଗୀତାର ଟ୍ରେନ୍ ଆସିବାକୁ ତଥାପି ବି ବିଳମ୍ବ ଅଛି । ଅନେକ ବିଳମ୍ବ । ଦୀର୍ଘଶ୍ୱାସ ପକାଇଲା ସଙ୍ଗୀତା ।

★★★

 

ମୁଁ, ମିସ୍ ସମ୍ବଲପୁର ଆଉ ଏକ ଚମ୍ପକ

 

(ମୋର ଜଣେ ବନ୍ଧୁଙ୍କର ଜୀବନର କରୁଣ କାହାଣୀକୁ ନେଇ)

 

ଦୀର୍ଘ ସାତ ବର୍ଷ ପରେ ବେଦୀ ସମ୍ବଲପୁରକୁ ମିସ୍ ସମ୍ବଲପୁର ଭାବରେ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇ ନ ଥିଲି; ବରଂ ତା’ର ଅଙ୍ଗର ଅଙ୍ଗନରେ ଯୌବନର ଯେଉଁ ଜୁଆର ଉଠିଥିଲା, ସେଥିରେ ମୁଁ ଆତ୍ମବିସ୍ମୃତ ହୋଇଥିଲି ।

 

ଶେଷ ପ୍ରହର ରାତ୍ରିର ଅନ୍ଧକାର ମଧ୍ୟରେ ସେ ମତେ ଚିହ୍ନିପାରୁ ନ ଥିଲା । ନିଜକୁ ଚିହ୍ନାଇବାର ସମସ୍ତ ଗୌରବ ମୁଁ ହରାଇ ବସିଥିଲି ଆଉ ସେ ମତେ ଚିହ୍ନିବାର ଅବସ୍ଥାଠାରୁ ବହୁ ଉର୍ଦ୍ଧ୍ୱକୁ ଉଠି ଯାଇଥିଲା ।

 

ପଶ୍ଚିମ ଦିଗରେ ଜ୍ୟୋତ୍ସ୍ନାହୀନ ଜହ୍ନଟା ଗୋଟାଏ ପ୍ରେତର ସମସ୍ତ ଦୈନ୍ୟ, ସମସ୍ତ କାରୁଣ୍ୟ ନେଇ ନିହାତି ମ୍ଳାନ ହୋଇପଡ଼ିଥିଲା । ସେ ବି ଗୋଟାଏ ରାତ୍ରି ମଧ୍ୟରେ ଆପଣଙ୍କୁ ନିଃଶେଷ କରି ଦେଇଥିଲା । ଏକଦା ଯୌବନର ଦୀପ୍ତି ବିକିରଣ କରୁଥିବା ଜହ୍ନଟା ଆଜି ଆଲୋକର ପ୍ରାର୍ଥୀ !

 

ଗୋଟାଏ ରିକ୍‍ସା କରି ବିଶ୍ରାମ ନେବାକୁ ମୁଁ ଆସିଲି ହୋଟେଲ ‘ହିନ୍ଦୁସ୍ଥାନ’କୁ । ସେତେବେଳକୁ ଉଷା ଆଗତପ୍ରାୟ । ପ୍ରାୟ ନଅ ବର୍ଷ ତଳେ ଯେତେବେଳେ ପ୍ରଥମ କରି ମୁଁ ସମ୍ବଲପୁରରେ ରହିବାକୁ ବାପାଙ୍କ ସହିତ ଆସିଥିଲି, ସେତେବେଳେ ଏହି ହୋଟେଲ ‘ହିନ୍ଦୁସ୍ଥାନ’ରେ କଟାଇଥିଲି କେତୋଟି କୈଶାରର ଦିନ ।

 

ଯୋଉ ରୁମ୍‍ ରେ ମୁଁ ବାପାଙ୍କ ସହିତ ରହୁଥିଲି, ମୋର ସୌଭାଗ୍ୟକୁ ସେଇ ରୁମ୍‍ଟା ଖାଲି ଥିଲା । ଗତ ରାତ୍ରିରେ ବିନିଦ୍ରଭାବେ ଦୀର୍ଘ ପଥଯାତ୍ରାର କ୍ଳାନ୍ତି ମେଣ୍ଟାଇବାକୁ ମୁଁ ବିଶ୍ରାମ କଲି-

 

ଅସହ୍ୟ ଉତ୍ତାପରେ ଅତିଷ୍ଠ ହୋଇ ମୋର ନିଦ୍ରାଭଙ୍ଗ ହେଲା ପ୍ରାୟ ମଧ୍ୟାହ୍ନରେ । ଶେଷ ଫାଲ୍‍ଗୁନର ମଧ୍ୟାହ୍ନରେ ବି ଏପରି ଉତ୍ତାପ ! ମୋର ଦେହ ଜଳି ଯାଉଥିଲା ଯେମିତି ।

 

ଏଇମାତ୍ର ଯୌବନର ପ୍ରାରମ୍ଭରେ ତ ଏତେ ଉତ୍ତାପ ମିସ୍ ସମ୍ବଲପୁର ଦେହରେ, ପୁଣି ଯୌବନରେ ମଧ୍ୟାହ୍ନ ତ ଅଛି !

 

ସେଦିନ ଅପରାହ୍ନରେ ମୁଁ ବୁଲି ବାହାରିଲି ଚାଲି ଚାଲି । ଦୀର୍ଘ ଦୁଇ ବର୍ଷ ନିରବଚ୍ଛିନ୍ନ ଭାବେ ଯୋଉ ସମ୍ବଲପୁରର ବକ୍ଷରେ ନାଚି କୁଦି, ଖେଳି ବୁଲି ମାତ୍ର ସାତ ବର୍ଷ ତଳେ ଛାଡ଼ି ଯାଇଥିଲି, ସେଇ ସମ୍ବଲପୁରକୁ ଆଉଥରେ ଦେଖିନେବାର ଲୋଭ ମୁଁ ସମ୍ବରଣ କରିପାରିଲିନି ।

 

ମୁଁ ବୁଲିଲି ମହାନଦୀର ଧାରେ ଧାରେ, ଦେଖିଲି ସମଲେଶ୍ଵରୀ ମନ୍ଦିର, ଷ୍ଟେସନ ଆଉ ଏକଦା ମୋର ଶିକ୍ଷା ନିକେତନ ଚନ୍ଦ୍ରଶେଖର ଜିଲ୍ଲା ସ୍କୁଲ । ତନ୍ନ ତନ୍ନ ଭାବରେ ମୁଁ ଦେଖିବାକୁ ଲାଗିଲି ତା’ର ପ୍ରତ୍ୟେକଟି ସ୍ଥାନ । ଏବେକାର ନବନିର୍ମିତ ସିନେମା ହଲ, ପାର୍କ, ପବ୍ଳିକ୍ ରିଡ଼ିଂ ରୁମ, ରେଡ଼ିଓ ଷ୍ଟେସନ ସବୁ । ମତେ ପଛେ ମିସ୍ ସମ୍ବଲପୁର ନ ଚିହ୍ନୁ, ନ ପଚାରୁ, କିନ୍ତୁ ମୁଁ ତାକୁ ଦେଖୁଥିଲି ଏକ ବିହଙ୍ଗମ ଦୃଷ୍ଟିରେ । ଶେଷରେ ମୁଁ ଆସି ବସିଲି ବୁଢ଼ାରଜା ପାହାଡ଼ ଉପରେ । ସନ୍ଧ୍ୟାର ଶୀତଳ ସମୀରଣ ସ୍ପର୍ଶରେ ମୁଁ ଟିକେ ଘୁମାଇ ପଡ଼ିଲି ।

 

–‘ସୁକାନ୍ତ !’

 

–‘କିଏ ? ମୁଁ ଚମକି ଉଠିଲି । ମୋ ଆଗରେ ଜଣେ ଅଳ୍ପବୟସ୍କା ତରୁଣୀ ଠିଆ ହୋଇଛନ୍ତି । ମୁଁ ତାଙ୍କୁ ଚିହ୍ନେନା, ଅଥଚ ସେ ମୋର ନାଁ ଜାଣନ୍ତି ! ମୁଁ ଆଶ୍ଚର୍ଯ୍ୟ ହୋଇ ଯାଉଥିଲି ।

 

–‘ଆରେ, ତମେ ମତେ ଚିହ୍ନି ପାରୁନ ! ଅଥଚ ମୁଁ ତୁମକୁ ଚିହ୍ନୁନି ବୋଲି ତମେ ଅଭିମାନ କରୁଚ ! ମୋ’ରି ଉପରେ ନାଚି କୁଦି ତମେ ଦୁଇ ବର୍ଷ କଟାଇଚ । ମହାନଦୀ ଧାରରେ ତମେ କେତୋଟି ସନ୍ଧ୍ୟା ବିତାଇ ଦେଇଚ ହାସ୍ୟମୁଖର ବନ୍ଧୁମାନଙ୍କ ଗହଣରେ, ଚପଳ ବନ୍ଧୁମାନଙ୍କ ସହ କେତେ ଥର ତମେ ମୋ’ରି ରାସ୍ତାକଡ଼ର ଆମ୍ବଗଛରୁ କଷି ଆମ୍ବ ଛିଣ୍ଡାଇ ଖାଇଚ, ଅଥଚ ତମେ ମତେ ଚିହ୍ନି ପାରୁନ । ଅବଶ୍ୟ ସେଦିନ ମୁଁ ଥିଲି ‘ବେବୀ’ ର ଶେଷ ପର୍ଯ୍ୟାୟରେ ଆଉ ଆଜି ‘ମୁଁ ‘ମିସ୍’ । ମୁଁ ମିସ୍ ସମ୍ବଲପୁର ।’

 

–‘ମିସ୍ ସମ୍ବଲପୁର ! ତମେ ମତେ ଚିହ୍ନିପାରିଲ !’ ଏକ ନିରୀହ ଅଥଚ ଅବ୍ୟକ୍ତ ଆନନ୍ଦରେ ମୁଁ ଶିହରି ଉଠିଲି ।

 

–‘ଜାଣ ସୁକାନ୍ତ, ମୁଁ ଆଜି କେବଳ ‘ମିସ୍’ ନୁହେଁ, ଗର୍ଭବତୀ ମଧ୍ୟ ।’

 

–‘ଗର୍ଭବତୀ ! କିନ୍ତୁ ମୁଁ ତୁମକୁ ‘ମିସ୍’ ଭାବରେ ଦେଖୁଚି ! କିଏ ସେଇ ସୌଭାଗ୍ୟବାନ୍ ପୁରୁଷ ?

 

–‘ହା–ହା–ହା–ହି–ହି–ହି ।’ ସେ ହସିଲା । ତା’ର ହସରେ ପ୍ରକମ୍ପିତ ହୋଇଉଠିଲା ବୁଢ଼ାରାଜାର ଅଗ୍ରଭାଗ ।

 

–‘ତମେ ବୋକା । ଗୋଟାଏ ନିର୍ଧୁମ ବୋକା ।’

 

–‘ମାନେ ?’ ମୁଁ ପ୍ରଶ୍ନ କଲି ।

 

–‘ଅତି ସହଜ । ପୁରୁଷ ବ୍ୟତୀତ ଅବଶ୍ୟ ନାରୀ ଗର୍ଭବତୀ ହୁଏନା । କିନ୍ତୁ ସେଥିନିମନ୍ତେ ଏକ ନିର୍ଦ୍ଦିଷ୍ଟ ପୁରୁଷର ତ ଆବଶ୍ୟକ ନାହିଁ ।’

 

–‘ଅତି କମ୍‍ ରେ ତ ମନେ ରଖିଥିବେ ସେଇ ପୁରୁଷଟା କିଏ ବୋଲି ?’

 

–‘ମନେ ରଖିବାର କୌଣସି ଆବଶ୍ୟକତା ନାହିଁ । ପ୍ରୟୋଜନ ମେଣ୍ଟି ଗଲା ପରେ ମନେ ରଖିବାର କୌଣସି ମାନେ ହୁଏନା ।’

 

–‘ତେବେ ଜାୟାତ୍ଵହୀନ ଜନନୀତ୍ଵ ଏକ ଅଭିଶାପ, ଏକ କଳଙ୍କ । ନାରୀ ଜୀବନରେ ଜନନୀତ୍ୱଠାରୁ ଜାୟାତ୍ୱ ହିଁ ସର୍ବଶ୍ରେଷ୍ଠ ।’

 

–‘ନା, କେବେ ନୁହେଁ । ତମେ କ’ଣ ମହାଭାରତରୁ କୁନ୍ତୀଙ୍କ ଚରିତ୍ର ପଢ଼ିନ ? କହିପାରିବ, ପଞ୍ଚପୁତ୍ରର ଜନନୀ କୁନ୍ତୀଙ୍କର କେଉଁ ପୁତ୍ରଟି ପଣ୍ଡୁଙ୍କର ?’

 

–ହେଲେ ମଧ୍ୟ......

 

–ତା’ହେଲେ ତମେ କ’ଣ କହିବାକୁ ଚାହଁ, ଓଭାରୀ ନଷ୍ଟ ହୋଇଯିବା ପରେ ଗୋଟାଏ ନାରୀ ତା’ର ସ୍ୱାମୀ ନିକଟରେ ଅଧିକ ଶାନ୍ତି ପାଇବ ବୋଲି ?

 

–କିନ୍ତୁ ସନ୍ତାନ କିପରି ତା’ର ପିତୃ ପରିଚୟ ଦେବ ?

 

–ମାତୃ ପରିଚୟ ଅପେକ୍ଷା ପିତୃ ପରିଚୟ ଅଧିକ ନୁହେଁ ସୁକାନ୍ତ ! ତମକୁ ତମ ଦୃଷ୍ଟିକୋଣ ବଦଳାଇବାକୁ ହେବ ।

 

–ତେବେ...ତେବେ ତମେ କ’ଣ କହିବାକୁ ଚାହଁ ଯେ...

 

–ମୁଁ କହିବାକୁ ଚାହେଁ, ନାରୀ ଜୀବନରେ ଜନନୀ ହେବାଟା ହିଁ ସବୁଠାରୁ ବଡ଼ କଥା । ସେଥିପାଇଁ ପୁରୁଷ ଯେତିକି ଦରକାର ସେତିକି । ତା’ପରେ ସେଇ ପୁରୁଷକୁ ମନେ ରଖିବାକୁ ଯେ ନାରୀ ବାଧ୍ୟ, ଏପରି ଯୁକ୍ତି ସମ୍ପୂର୍ଣ୍ଣ ଅର୍ଥହୀନ ।

 

ହଠାତ୍ ମୋର ତନ୍ଦ୍ରା ଭାଙ୍ଗିଗଲା । ଦେଖିଲି କେହି ନାହାନ୍ତି । ମୁଁ ଶୋଇ ଶୋଇ ଗୋଟାଏ ସ୍ୱପ୍ନ ଦେଖୁଥିଲି ତା’ହେଲେ । କୃଷ୍ଣ ପକ୍ଷର ପ୍ରସ୍ତ ପ୍ରସ୍ତ ଅନ୍ଧକାର ତଳେ ବୁଢ଼ାରାଜା ନିଜକୁ ହଜାଇ ବସିଚି ଆଉ ତା’ ଉପରେ ମୁଁ ଠିଆ ହୋଇଚି ଗୋଟାଏ ବୁଡ଼ି ମରିଥିବା ନାବିକର ପ୍ରୋତତ୍ମା ପରି ।

 

ବୁଢ଼ାରାଜାର ଡାହାଣ ପଟେ ସାରା ସମ୍ବଲପୁର ସହର ନିଅନ ଆଲୋକର ତଳେ ଜଳୁଚି-। ଟିକେ ଜଳିବାର କାମନା ନେଇ ମୁଁ ସମ୍ବଲପୁର ଆଡ଼କୁ ମୁହାଁଇଲି ।

 

ଠିକ୍ ଗଙ୍ଗାଧର ମେହେର କଲେଜ ସାମ୍ନାରେ ମୁଁ ଦେଖିଲି ମୋର ପୁରାତନ ବନ୍ଧୁ ଚମ୍ପକକୁ ।

 

–ଚମ୍ପକ !

 

–ଆରେ, କିଏ ସୁକାନ୍ତ ! କେବେ ଆସିଲୁ ? ଚମ୍ପକ ମୋ ସହିତ କରମର୍ଦ୍ଦନ କଲା ।

 

–ଏଇ ତ ଆଜି । ଆଉ ତୁ କେମିତି ଅଛୁ ?

 

–ମୁଁ ? ମ୍ଳାନ ହସଟିଏ ହସିଲା ଚମ୍ପକ । ଆରେ ଆ, ହୋଟେଲକୁ ଯିବା ।

 

ସେ ମୋତେ ହୋଟେଲକୁ ଯିବା ପାଇଁ ଆମନ୍ତ୍ରଣ ଜଣାଇଲା ।

 

–ହୋଟେଲକୁ ନୁହେଁ ବନ୍ଧୁ, ମୁଁ କହିଲି, ଶୁଣୁଚି, ତୁ ବର୍ତ୍ତମାନ ବିବାହିତ । ମତେ ବରଂ ଘରକୁ ନେଇଚାଲ । ବନ୍ଧୁପତ୍ନୀଙ୍କ ହାତରନ୍ଧା ବରଂ ବେଶ୍ ଭଲ ଲାଗିବ ଏଇ ହୋଟେଲ ରନ୍ଧା ଅପେକ୍ଷା ।

 

ରାସ୍ତା କଡ଼ର ଆଲୋକରେ ଦେଖିଲି ଚମ୍ପକର ମୁହଁଟା ଏକାବେଳକେ ଶେତା ପଡ଼ିଗଲା-

 

–ସେ ଅନେକ କଥାରେ ସୁକାନ୍ତ ! କଣ୍ଠଟା ତା’ର ଥରି ଉଠିଥିଲା ।

 

–ଅନେକ କଥା ?

 

–ହଁ, ଶୁଣ୍ ! ତା’ପରେ ସେ ମୋତେ ଭିଡ଼ିନେଲା ଗୋଟାଏ ହୋଟେଲକୁ ଆଉ ସେଇଠି ଆରମ୍ଭ କଲା ତା’ ଜୀବନର କରୁଣ କାହାଣୀ ।

 

–ଥର ଥର ଚାରି ଥର ମାଟ୍ରିକ୍ ପରୀକ୍ଷାରେ ଅକୃତକାର୍ଯ୍ୟ ହେବା ପରେ ମୁଁ ବାଛିନେଲି ଡ୍ରାଇଭର୍ ଜୀବନ–ଗୋଟାଏ ନିଛକ ଟ୍ରକ୍ ଡ୍ରାଇଭର୍‍ର ଜୀବନ, ଯୋଉ ଜୀବନରେ ଗର୍ବ ନାହିଁ, ଗୌରବ ନାହିଁ, ମାନ ସମ୍ମାନ କିଛି ନାହିଁ; କାରଣ ବଞ୍ଚି ରହିବାକୁ ହେଲେ ଗୋଟାଏ କାମ ତ ଦରକାର ! ଯାହା ତୁ ଶୁଣିଥିବୁ । ତା’ପରେ...ତା’ପରେ ମୁଁ ଭଲ ପାଇଲି ଗୋଟିଏ ତରୁଣୀକୁ ।

 

–ତୁ ଭଲ ପାଇଲୁ, ଏଥିରେ ତ କିଛି ନୂତନତା ନାହିଁ, ନିହାତି ସାଧାରଣ । ମୁଁ କହିଲି ।

 

–ହଁ, ନୂତନତା ଥିଲା । ମୁଁ ସିନା ମାଟ୍ରିକ୍ ପରୀକ୍ଷାରେ ବହୁ ବାର ଅକୃତକାର୍ଯ୍ୟ ହୋଇ ଡ୍ରାଇଭର ଜୀବନ ବାଛି ନେଇଥିଲି, କିନ୍ତୁ ସେ ଥିଲା ବି. ଏ. ପାଶ୍ କରା ଜଣେ ଶିକ୍ଷୟିତ୍ରୀ । ତା’ରି ପ୍ରେମରେ ଅନ୍ଧ ହୋଇ ମୁଁ ଘର ଭୁଲିଲି, ବାପା, ବୋଉ, ଭାଇ, ଭଉଣୀ ସମସ୍ତଙ୍କୁ ଭୁଲିଗଲି । ଶେଷରେ କୋର୍ଟରେ ତା’ ସହିତ ମୋର ସିଭିଲ୍ ମ୍ୟାରେଜ୍ ହୋଇଗଲା । ଆଉ ସେ ହେଲା ତୋ’ର ବନ୍ଧୁ ପତ୍ନୀ ।

 

ଟିକେ ଦମ୍ ନେଲା ଚମ୍ପକ ।

 

–ତା’ପରେ ଆମେ ଦୁହେଁ ଏଇ ସମ୍ବଲପୁର ସହରରେ ରହିଲୁ । ତା’ରି ପ୍ରରୋଚନାରେ ପଡ଼ି ମୁଁ ଛିନ୍ନ କଲି ମୋର ପିତାମାତାଙ୍କ ସହିତ ସମସ୍ତ ସମ୍ପର୍କ । ବାପା ଆସିଛନ୍ତି ଶୁଖିଲା ମୁହଁରେ ମତେ ଫେରାଇ ନେବାକୁ, ବୋଉ ଆସିଚି ଛଳ ଛଳ ଆଖିରେ ମତେ କୋଳାଇ ନେବାକୁ, ଛୋଟ ଭାଇ ଭଉଣୀ ମିନତି କରିଚନ୍ତି ଘରକୁ ଫେରିଯିବାକୁ । ଏପରି କି ସେମାନେ ମଧ୍ୟ ତାକୁ ବଧୂ ଭାବରେ ଗ୍ରହଣ କରିବାକୁ କୁଣ୍ଠିତ ହୋଇ ନାହାନ୍ତି । କିନ୍ତୁ ନିହାତି ନିଷ୍ଠୁର ଭାବରେ ମୁଁ ସେମାନଙ୍କର ସମସ୍ତ ଅଳିଝଳିକୁ ଉପେକ୍ଷା କରିଚି । ମୁଁ ବିଚାର କରିନି ମୋ’ ବୋଉ ଆଖିର ଲୁହକୁ ବାପାଙ୍କର ଶୁଖିଲା ମୁହଁକୁ, ଛୋଟ ଭାଇ ଭଉଣୀଙ୍କର ମିନତିକୁ । ସତରେ ସୁକାନ୍ତ, ସେମାନଙ୍କର ପ୍ରତି ମୁଁ ଏକାନ୍ତ ନିଷ୍ଠୁର ହୋଇପଡ଼ିଥିଲି ସେଇ ନାରୀଟାର ପ୍ରେମରେ ଅନ୍ଧ ହୋଇ ।

 

ତା’ପରେ ବିକଳ ଭାବରେ ମୋର ହାତ ଦୁଇଟାକୁ ଧରି ଚମ୍ପକ ପୁଣି କହିଲା–କିନ୍ତୁ ଏବେ କ’ଣ ହୋଇଚି ଜାଣୁ ସୁକାନ୍ତ, ଗତ କାଲି ସେଇ ଝିଅଟା ମତେ ଡାଇଭର୍ସ କରିଚି ଦୁଇଟି ସନ୍ତାନର ଜନନୀ ହେବା ପରେ । କୋର୍ଟରେ ସେ କାରଣ ଦେଖାଇଚି, ମୁଁ ମଦ୍ୟପ, ଚରିତ୍ରହୀନ; ତେଣୁ ସେ ମୋ’ ସହିତ ରହିବାକୁ ଚାହେଁନା ।

 

ଆଖିରୁ ଝରି ପଡ଼ୁଥିବା କେତେ ବିନ୍ଦୁ ଲୁହ ପୋଛି ନେଇ ଚମ୍ପକ କହିଲା–ଆଜି ମୁଁ ମୋର ବନ୍ଧୁମାନଙ୍କର କଥା ମନେ ପକାଉଛି । ବିବାହ ଦିନ ମୋର ଅନେକ ବନ୍ଧୁ କହିଥିଲେ, ତୁ ତାକୁ ବିବାହ କରୁଚୁ ସତ; କିନ୍ତୁ ଭବିଷ୍ୟତରେ ତୁ ସୁଖୀ ହୋଇପାରିବୁ ନି । କାରଣ ସେ ତୋ ଠାରୁ ଅଧିକ ଶିକ୍ଷିତା । ଆଜି ଯୌବନର ଏକ ଦୁର୍ବଳ ମୁହୂର୍ତ୍ତରେ ସେ ତତେ ବିବାହ କରୁଚୁ ସତ, ହେଲେ ଦିନେ ସେ ତା’ର ପଞ୍ଜୁରୀ ଭାଙ୍ଗି ଚାଲିଯିବ । ସେତେବେଳେ ସେ ଦୁଃଖ କ’ଣ ତୁ ସହ୍ୟ କରିପାରିବୁ-?

 

ପ୍ରକୃତରେ ଆଜି ମୁଁ ଦେଖିଚି ସେମାନେ ସବୁ ଠିକ୍ କହିଥିଲେ । ସେଇ ଝିଅଟା ପାଇଁ ମୋ ମନରେ କୌଣସି ଦୁଃଖ ନାହିଁ; କିନ୍ତୁ ଦୁଃଖ ରହିଗଲା ପିଲାମାନଙ୍କ ପାଇଁ, ଯେଉଁମାନଙ୍କୁ ସୃଷ୍ଟି କରିଥିଲି, ଦେହର ରକ୍ତ ଦେଇ ବଢ଼ାଇଥିଲି, ଏତେ ସ୍ନେହ ଶ୍ରଦ୍ଧା କରିଥିଲି, ସେମାନଙ୍କ ମୁହଁରୁ ଆଉ ବାପା ଡାକ ଶୁଣିବିନି ବୋଲି ।

 

କିନ୍ତୁ କୋର୍ଟ ପରେ ଯେତେବେଳେ ମୁଁ ତାକୁ ପଚାରିଥିଲି, ପ୍ରକୃତରେ ତ ମୁଁ ମଦ୍ୟପ ନୁହେଁ, ଚରିତ୍ରହୀନ ନୁହେଁ, କେବଳ ତମ ବ୍ୟତୀତ ଅନ୍ୟ କୌଣସି ନାରୀର ସ୍ପର୍ଶ ତ ମୁଁ କାମନା କରିନି, ତେବେ ତମେ ମୋ ଉପରେ ଏତେ ନିଷ୍ଠୁର ହୋଇପଡ଼ିଲ କାହିଁକି ?

 

ସେ ଉତ୍ତର ଦେଇଥିଲା–କେବଳ ପିଲାମାନଙ୍କ ପାଇଁ ମୁଁ ତମକୁ ଡାଇଭର୍ସ କରୁଚି । ପିଲାମାନେ ସେମାନଙ୍କର ପିତୃ ପରିଚୟ ଦେବା ବେଳେ ବାପା ଯେ ତାଙ୍କର ଏକ ଡ୍ରାଇଭର ଏକଥା କହିବା ଅପେକ୍ଷା ବରଂ ପିତୃ ପରିଚୟ ଦେଇ ନ ପାରିବାଟା ଉଚିତ୍ ।

 

ମୁଁ ଜଣେ ଡ୍ରାଇଭର ଏକଥା ଜାଣିଶୁଣି ବି ତମେ ମତେ ବିବାହ କରିଥିଲ କାହିଁକି ?

 

ସେ ଉତ୍ତର ଦେଇଥିଲା–କେବଳ ଜନନୀ ହେବାକୁ ନାରୀ କାମନା କରେ ପୁରୁଷର ସାହଚର୍ଯ୍ୟ । ଜନନୀତ୍ଵ ପାଇବା ପରେ ତା’ ଜୀବନରେ ଆଉ ପୁରୁଷର ଆବଶ୍ୟକତା ନାହିଁ । କିନ୍ତୁ ମୁଁ ଯଦି ମୋ’ରି ପରି ଜଣେ ଶିକ୍ଷିତ ବା ମୋ ଠାରୁ ଜଣେ ଉଚ୍ଚଶିକ୍ଷିତଙ୍କୁ ବିବାହ କରିଥାନ୍ତି, ତେବେ ତାଙ୍କୁ ଡାଇଭର୍ସ କରିପାରି ନ ଥାନ୍ତି ବୋଧେ । ତେଣୁ ଜାଣିଶୁଣି ତମକୁ ବିବାହ କରିଥିଲି ।

 

ତା’ପରେ ସେଇ ଝିଅଟା ମୋ ପାଖରୁ ଚାଲିଯାଇଥିଲା ।

 

ଟିକେ ରହିଗଲା ଚମ୍ପକ । ଆମ ନିକଟରେ ବହୁ ସମୟ ଧରି ଅପେକ୍ଷା କରିଥିବା ବୟକୁ କିଛି ଖାଦ୍ୟ ଆଣିବାକୁ ନିର୍ଦେଶ ଦେଲା ।

 

ମୁଁ ବସି ଭାବୁଥିଲି, ଆଜି ସନ୍ଧ୍ୟାର ସ୍ୱପ୍ନରେ ମୋ ପାଖକୁ ଆସିଥିବା ମିସ୍ ସମ୍ବଲପୁର ଓ ଚମ୍ପକର ଏକଦା ସ୍ତ୍ରୀ ମଧ୍ୟରେ ପ୍ରଭେଦ କେଉଁଠି ?

 

ଚମ୍ପକ ମୋର ଡାହାଣ ହାତଟାକୁ ଭିଡ଼ିନେଇ ତା’ ଆଖିର ଲୁହରେ ଭିଜାଉ ଭିଜାଉ କହିଲା, ଆଜି କିନ୍ତୁ ମୁଁ ନିରନ୍ଧ୍ର ଅନ୍ଧକାର ଭିତରେ କାଉଳି ଖାଉଚି, ପଥ କାହିଁ ? ପଥ କାହିଁ ?

 

ହଠାତ୍ ସାରା ସମ୍ବଲପୁର ସହରର ଇଲେକ୍‍ଟ୍ରିକ୍‍ ଫେଲ୍ କଲା । ନୀରନ୍ଧ୍ର ଅନ୍ଧକାର ତଳେ ଚାପି ହୋଇଗଲା ସବୁ କିଛି । ଅନ୍ୟ ଏକ ନୂତନ ଜ୍ୱଳନ ପାଇଁ ମାୟାବିନୀ ସମ୍ବଲପୁର ପ୍ରସ୍ତୁତ ହେଉଥିଲା ବୋଧହୁଏ ।

★★★

 

କାହାଣୀ ଏକ କରୁଣ ଅତୀତର

 

ସବୁ ଥର ପରି ଏଥରକ ଛୁଟିରେ ବି ମୁଁ ବୁଲି ବାହାରିଛି । କିନ୍ତୁ କୋଉଠିକି ଯିବି, କୋଉ ଷ୍ଟେସନରେ ଓହ୍ଲାଇବି କିଛି ସ୍ଥିର କରିନି । ଏଥର ଯାତ୍ରାରେ ମୋର କୈାଣସି ନିର୍ଦ୍ଦିଷ୍ଟ ଗତିପଥ ନାହିଁ-। ଭାବିଛି, ଟ୍ରେନରେ ଉଠିଯିବି, ଗୋଟିଏ ଛୋଟ ଷ୍ଟେସନ ଦେଖି ଓହ୍ଲାଇ ପଡ଼ିବି । ସେ ଷ୍ଟେସନ ପାଖରେ କେତେଖଣ୍ଡ ଗାଁ ଥିବ, ବଡ଼ ନ ହେଉ ପଛକେ ଦୁଇ ତିନୋଟି ଛୋଟ ମୁଣ୍ଡିଆ ପାହାଡ଼ ଥିବ ଆଉ ଥିବ, କିଛି ଜଙ୍ଗଲ । ଷ୍ଟେସନ ପାଖରେ ଯଦି ଛୋଟ ପାନ୍ଥନିବାସଟିଏ ଥିବ ସେଠି ରହିଯିବି । ନ ହେଲେ ଯାଇ ରହିବି ସେଇ ପାଖରେ ଥିବା କେଉଁ ଏକ ଗାଁର ଭାଗବତ ଘରେ । ଦିନସାରା ବୁଲିବି ଆଉ ରାତିଯାକ ଚେଇଁ ଚେଇଁ ଶୁଣିବି ପାଖ ଆମ୍ବତୋଟାରେ ବିଳପୁଥିବା ନିଶୀଥ ପକ୍ଷୀର କାକଳୀ ଗୋଟାଏ ଦୁଇଟା ନିଦଭଙ୍ଗା ପକ୍ଷୀ ଅବା ପକ୍ଷିଣୀଙ୍କର ଡେଣା ଝଡ଼ା ଶବ୍ଦ, ଦୂରରୁ ଭାସି ଆସୁଥିବା ଟ୍ରେନ୍‍ର ହ୍ୱିସିଲ । ଭାସି ଆସୁଥିବା ନାଁ–ନଜଣା ଫୁଲର ମହକରେ ଆମୋଦିତ ହୋଇ ମୁଁ ଚାହିଁରହିବି ଆକାଶର ଉଦ୍ୟାନରେ ଫୁଟିଥିବା ଅସଂଖ୍ୟ ତାରା–ଫୁଲଙ୍କୁ ।

 

ଟ୍ରେନ ଆସି ଯାଇଥିଲା । ମୋର ଯାତ୍ରାପଥର କୌଣସି ନିର୍ଦ୍ଦିଷ୍ଠତା ନଥିବାରୁ ମୁଁ କଟକରୁ ବାଲେଶ୍ଵର ପର୍ଯ୍ୟନ୍ତ ଟିକେଟ ଖଣ୍ଡେ କିଣି ଉଠି ପଡ଼ିଲି । ଗୋଟିଏ ସେକେଣ୍ଡ–କ୍ଲାସ କମ୍ପାର୍ଟମେଣ୍ଟରେ । ସେ କମ୍ପାର୍ଟମେଣ୍ଟରେ ଆଦୌ ଭିଡ଼ ନଥିଲା । ଗୋଟିଏ ଉଇଣ୍ଡୋ ସିଟ୍ ନିଜ ପାଇଁ ବାଛିନେଲି ।

 

ମୋ ସାମ୍ନାରେ ବସିଛନ୍ତି ଦୁଇ ଜଣ ଭଦ୍ରବ୍ୟକ୍ତି–ଜଣେ ଉଣେଇଶି କୋଡ଼ିଏ ବର୍ଷ ବୟସ୍କ ତରୁଣ; ଅନ୍ୟ ଜଣକ ପ୍ରୌଢ଼, ବୟସ ପ୍ରାୟ ପଚାଶ ପାଖାପାଖି । ପ୍ରୌଢ଼ଙ୍କର ପରିଧେୟ ତାଙ୍କ ଆଭିଜାତ୍ୟର ବେଶ୍ ସୂଚନା ଦିଏ । ତରୁଣଙ୍କର ପରିଧେୟରୁ ଆଭିଜାତ୍ୟର ସୂଚନା ମିଳୁଥିଲେ ବି ଜଣେ ବିଟ୍‍ନିକ୍ ଶିଳ୍ପୀଙ୍କର ପୋଷାକ ପରି ତାହା ଅସ୍ତବ୍ୟସ୍ତ । ତରୁଣଟି ଭାରି ଅନ୍ୟମନସ୍କ ଜଣା ପଡ଼ୁଥାନ୍ତି ।

 

ସେଇ ଛୋଟ କମ୍ପାର୍ଟମେଣ୍ଟ ଭିତରେ ମୁଁ ଥରେ ଖୁବ୍ ଭଲ ଭାବରେ ଆଖି ବୁଲାଇ ଆଣିଲି ।

 

ଷ୍ଟେସନ ଛାଡ଼ିବାକୁ ଟ୍ରେନ ଶେଷ ହ୍ୱିସିଲ୍ ଦେଲା । ସେଇ ଶ୍ରୁତିକଟୁ ହ୍ୱିସିଲ୍ ଶବ୍ଦରେ ମୋ ସାମ୍ନାରେ ବସିଥିବା ତରୁଣଙ୍କର ଅନ୍ୟମନସ୍କତା କଟିଗଲା ବୋଧେ । ସେ ମୋ ଆଡ଼କୁ ଚାହିଁଲେ,ମୋତେ ଚାହିଁ ସାମାନ୍ୟ ହସିଲେ ବି ।

 

ଟ୍ରେନ ଷ୍ଟେସନ ଛାଡ଼ି ଚାଲିବାକୁ ଆରମ୍ଭ କଲା ।

 

ସେଇ ତରୁଣ ଜଣକ ହଠାତ୍ ମୋ ପାଖକୁ ଝୁଙ୍କି ଆସିଲେ ଏବଂ ଠିକ୍ ଘରୁ ଆସିଲା ବେଳେ ଖୁବ୍ ଯତ୍ନସହକାରେ ସାର୍ଟର କାଜରେ ମାରିଥିବା ମୋର ପ୍ରିୟ ଗୋଲାପଫୁଲ ‘ଇଣ୍ଡିଆନ୍ ପ୍ରିନସେସ୍’ ଟିକୁ ନେଇ ମକଚିଦେଲେ ।

 

“ସରୋଜ.... !”ପ୍ରୌଢ଼ ଜଣକ ଚିତ୍କାର କରିଉଠିଲେ ।

 

“ଆଃ....ଏଇ ଗୋଲାପଗୁଡ଼ାକ ଉପରେ ମୋର କିନ୍ତୁ ଆଦୌ ଆସ୍ଥା ନାହିଁ ।” କିମିତି ଗୋଟାଏ ଖାପଛଡ଼ା ଭାବରେ ଜବାବ୍ ଦେଲା ସରୋଜ ।

 

“କିନ୍ତୁ ଜଣେ ଭଦ୍ର ଲୋକଙ୍କ ସହିତ ଏମିତି ବ୍ୟବହାର ! କ’ ଣ ଭାବିବେ ସେ ! ଛି...”

 

ପ୍ରୌଢ଼ଙ୍କର ଏଇ କଥାରେ ସରୋଜ ହଠାତ୍ ଅଟ୍ଟହାସ୍ୟ କରି ଉଠିଲା । ଏତେ ତୀବ୍ର, ଏତେ ସଂକ୍ରାମକ ଗୋଟାଏ ଅଟ୍ଟହାସ୍ୟ ଯେ ହୋଇପାରେ, ତାହା ମୋର ଧାରଣା ନଥିଲା । କିଛି ସମୟ ପରେ ତା’ର ଅଟ୍ଟହାସ୍ୟର ଉପସଂହାର ହେଲା ଓ ସେ ଅନେକଟା କରୁଣ ହୋଇପଡ଼ିଲା । ତା’ର ସେଇ ବଡ଼ ବଡ଼ ଆଖି ଦୁଇଟା ଲୁହରେ ଢଳଢ଼ଳ ହେଲା ।

 

ମୁଁ ପ୍ରଥମେ କିଛିଟା ଆଶ୍ଚର୍ଯ୍ୟ ହୋଇଯାଇଥିଲି ଓ ପରେ ପ୍ରଚଣ୍ଡ ଭାବରେ ରାଗି ଯାଇଥିଲେ ବି ମୁହଁ ଖୋଲି କିଛି କହିପାରୁ ନ ଥିଲି ।

 

“କିଛି ଭାବିବେନି ଆଜ୍ଞା, ଏଇ କେତେ ଦିନ ହେଲା ତା’ର ମେଣ୍ଟାଲ୍ ଡିଜର୍ଡ଼ର ହୋଇଯାଇଛି । ମୁଁ ତାକୁ ନେଇଯାଉଛି କାଙ୍କେ ।” ଦୁଃଖ ପ୍ରକାଶ କରିବାକୁ ଯାଇ ପ୍ରୌଢ଼ ଭଦ୍ରବ୍ୟକ୍ତିଟି ମୋର ଗୋଟିଏ ହାତ ଧରିପକାଇ କହିଲେ ।

 

“ଗୋଟିଏ ସ୍ଵତନ୍ତ୍ର କମ୍ପାର୍ଟମେଣ୍ଟ ରିଜର୍ଭ କରି ତାକୁ ନେବା ଉଚିତ୍ ଥିଲା ।” ନିହାତି ରୁକ୍ଷ ଭାବରେ ମୁଁ ତାଙ୍କୁ ଉତ୍ତର ଦେଲି ।

 

ମୋର କଥା ତାଙ୍କୁ ବାଧିଲା ବୋଧହୁଏ । ସେ ଖୁବ୍ ଅସହାୟ ଭାବରେ ମୋତେ ଚାହିଁଲେ ।

 

ନା, ମଣିଷର ଅବସ୍ଥା ବିଚାର ନ କରି ଏତେଟା ନିଷ୍ଠୁର ହେବା ମୋର ଉଚିତ୍ ହୋଇନି-। ମୁଁ ସେ ପ୍ରୌଢ଼ ବ୍ୟକ୍ତିଙ୍କଠାରୁ କ୍ଷମା ଚାହିଁଲି । ଆସ୍ତେ ଆସ୍ତେ ଆମ ଦୁହିଁଙ୍କ ଭିତରେ ଆରମ୍ଭ ହେଲା ଆଳାପ । ମୁଁ ଜାଣିଲି, ସେ ସରକାରଙ୍କର କୌଣସି ଏକ ବିଭାଗର ଜଏଣ୍ଟ ସେକ୍ରେଟାରୀ; ନାମ ଦୀନବନ୍ଧୁ । ଆଉ ସରୋଜ ତାଙ୍କର ଏକମାତ୍ର ପୁତ୍ର । ଏଇ କେତେ ଦିନ ହେବ ପାଗଳ ହୋଇଯାଇଛି ।

 

‘ପାଗଳ...ମୁଁ କ’ଣ ସତରେ ପାଗଳ...’ପୁଣି ଅଟ୍ଟହାସ୍ୟ କରିଉଠିଲା ସରୋଜ । କିଛି ସମୟ ପରେ ହଠାତ୍ କରୁଣ ହୋଇପଡ଼ିଲା ଆଗପରି ।

 

କୌତୁହଳ ଦମନ କରି ନ ପାରି ମୁଁ ସରୋଜର ପାଗଳାମିର କାରଣ ପଚାରି ବସିଲି ।

 

କାରଣ ଦର୍ଶାଇବାକୁ ଯାଇ ଦୀନବନ୍ଧୁ ବାବୁ ମୋତେ ଯେଉଁ କରୁଣ କାହାଣୀଟି ଶୁଣେଇଲେ ତା’ର ସାରାଂଶ ହେଉଛି ଏଇ !

 

ତିନି ବର୍ଷ ତଳର ସେ ଏକ ମଧୁର ପ୍ରଭାତ । ଅବଶ୍ୟ ପରେ ସେଇ ପ୍ରଭାତର ଘଟଣା ହିଁ ନିମନ୍ତ୍ରଣ କରିଆଣିଚି ସରୋଜର ଜୀବନକୁ ସମସ୍ତ ଅଶାନ୍ତି ଓ ଅଭିଶାପ । ସେଇ ପ୍ରଭାତରେ ସରୋଜ ତାଙ୍କ ଘର ସାମ୍ନାର ଲନ୍‍ ରେ ବୁଲି ବୁଲି ଓ ସଜଫୁଟା ଫୁଲଗୁଡ଼ିକର ଉପରେ ଝରି ପଡ଼ୁଥିବା କାକରବିନ୍ଦୁକୁ ଲକ୍ଷ୍ୟ କରୁ କରୁ ହଠାତ୍ ଆବିଷ୍କାର କଲା ସାତ ଆଠ ବର୍ଷାବୟସ୍କା ଗୋଟିଏ କିଶୋରୀ । ଅବଲୀଳାକ୍ରମେ ସେ ଗୋଟିଏ ପରେ ଗୋଟିଏ ଫୁଲ ତୋଳି ଡାଲାରେ ସାଇତି ରଖିଛି । ସେଇ କିଶୋରୀଟିର ପାଦରେ ବନହଂସୀର ଛନ୍ଦ, ଆଖିରେ ବନହରିଣୀର ଚଞ୍ଚଳତା, ଆଉ ହାତ ଦୁଇଟିରେ ପ୍ରଜାପତି ଡେଣା ଦୁଇଟିର ଚପଳତା ।

 

ସରୋଜ ସହି ପାରି ନ ଥିଲା । କାରଣ ସେ ଲନ୍‍ଟିର ପରିଚର୍ଯ୍ୟାର ଦାୟିତ୍ଵ ଥିଲା ତାରି ଉପରେ ନ୍ୟସ୍ତ । ତେଣୁ ସେ ଧାଇଁ ଯାଇଥିଲା ବାଧାଦେବାକୁ । ବାପା କିନ୍ତୁ ଆସି ତାକୁ ମନା କରିଥିଲେ; କାରଣ ସେଇ ଝିଅଟି ଥିଲା ତାଙ୍କର ଏକ ସହକର୍ମୀଙ୍କର ଝିଅ–ଯାହାଙ୍କର ପରିବାର ଏଇ ଦୁଇ ତିନି ଦିନ ହେଲା ଆସି ରହୁଚନ୍ତି ତାଙ୍କ ସାମ୍ନା କ୍ୱାଟରସ୍‍ ରେ । ସରୋଜ ସେଠାରୁ ଫେରିଯାଇ ଲନ୍‍ର ଗୋଟିଏ କୋଣରେ ଥିବା ସିମେଟେଡ୍ ବେଞ୍ଚ ଉପରେ ବସି ଅତି କରୁଣ ଓ ଅସହାୟ ଭାବରେ ଚାହିଁରହିଥିଲା ସେ ଝିଅଟିକୁ, ସିଏ ତା’ର ଏକାନ୍ତ ଆପଣାର ଫୁଲଗୁଡ଼ିକୁ ତୋଳି ନେଉଛି ଅବଲିଳାକ୍ରମେ ।

 

“ତମେ କାହିଁକି ମୋ ଉପରେ ରାଗୁଥିଲ ମା’ ! ମଉସା ପରା ମତେ କହିଛନ୍ତି ସବୁଦିନେ ସକାଳେ ଠାକୁରଙ୍କ ପାଇଁ ଫୁଲ ନେବାକୁ ।” ଫୁଲ ତୋଳିସାରିବା ପରେ ସେଇ ଝିଅଟି ଆସି ତାକୁ ପଚାରିଥିଲା ।

 

ତୋଳା ହୋଇଥିବା ଫୁଲଗୁଡ଼ିକ ଉପରେ ଥରେ କରୁଣ ଦୃଷ୍ଟି ବୁଲାଇଅଣି ସରୋଜ କହିଥିଲା “–ନା ମ, ମୁଁ ରାଗିବି କାହିଁକି ?”

 

“ଇସ୍...ମୋ ମା’ ଲୋ,ତମେ କେଡ଼େ ମିଛୁଆ ! ଆଚ୍ଛା, ତମ ନାଁ ସରୋଜ ପରା !’’

 

“ହଁ । ଆଉ ତମ ନାଁ ?’’

 

“ମଞ୍ଜୁ । ତମେ ମତେ ମଞ୍ଜୁ ବୋଲି ଡାକିବ । ମୋର କେହି ଭାଇ ନାହାନ୍ତି । ମୁଁ ତମକୁ ଡାକିବି ସରୋଜ ଭାଇ । ଆଚ୍ଛା ସରୋଜ ଭାଇ, ମୁଁ ତୋଳିଥିବା ଫୁଲରୁ ତମେ ଗୋଟିଏ ନବ କି ?”

 

“ଆଃ...ନିଶ୍ଚୟ ।” ସରୋଜ ମଞ୍ଜୁ ଆଡ଼କୁ ହାତ ବଢ଼ାଇ ଦେଇଥିଲା । ମଞ୍ଜୁ ଉପରେ ଆଉ ତା’ର ଆଦୌ ରାଗ ନ ଥିଲା ।

 

ଡାଲାରୁ ଗୋଟିଏ ଗୋଲାପ ନିର୍ବାଚନ କରି ମଞ୍ଜୁ ବଢ଼ାଇ ଦେଇଥିଲା ସରୋଜକୁ । ଭାଇ ପ୍ରତି ଏକ ସ୍ନେହକାଙ୍ଗାଳ ଭଉଣୀର ତାହା ହିଁ ଥିଲା ପ୍ରଥମ ଉପହାର ।

 

ସେଇ ପ୍ରଭାତର ପରେ ପରେ ନିୟମିତ ଭାବରେ ମଞ୍ଜୁ ପ୍ରତ୍ୟେକ ଦିନ ଆସି ଫୁଲ ତୋଳେ ଏବଂ ଫେରିଯିବା ସମୟରେ ତା’ ସରୋଜ ଭାଇକୁ ଉପହାର ଦେଇଯାଏ ଏକ ସୁନିର୍ବାଚିତ ଗୋଲାପ । ପରିଚୟର ଏଇ ଘନିଷ୍ଠତାରେ ସେମାନେ ପରସ୍ପରକୁ ଭଲ ପାଇବସିଲେ, ଠିକ୍ ଗୋଟିଏ ମା’ର ସନ୍ତାନ ପରି ।

 

ପ୍ରତ୍ୟେକ ଅପରାହ୍ନରେ ବି ମଞ୍ଜୁ ଚାଲିଆସେ ସରୋଜ ସହିତ ଖେଳିବାକୁ । ଲନ୍ ମଝିରେ ଥିବା ଟବ୍‍ରୁ ଆଞ୍ଜୁଳା ଆଞ୍ଜୁଳା ପାଣି ମଞ୍ଜୁ ମୁହଁକୁ ଛାଟି ଝରି ପଡ଼ୁଥିବା ପାଣିଧାରରେ ସରୋଜ ଦେଖେ ପ୍ରଭାତର ସଜଫୁଟା ଫୁଲ ଦେହରୁ ଗଡ଼ି ପଡ଼ୁଥିବା କାକରବିନ୍ଦୁର ଦୃଶ୍ୟ । ମଞ୍ଜୁ ବି ସ୍ନେହର ଅଳି କଷିବାକୁ ଯାଇ ସରୋଜର ଚାଲରେ ଛାଡ଼ିଯାଏ ନଖ ଆମ୍ପୁଡ଼ା ଦାଗ ।

 

ହଠାତ୍ ଦିନେ ମଞ୍ଜୁର ଆସିବା ବନ୍ଦ ହୋଇଗଲା ଓ ସରୋଜ ବୁଝିଲା ମଞ୍ଜୁର ଭୟଙ୍କର ଜ୍ୱର । ସେଇ ଜ୍ଵର କ୍ରମେ ବସନ୍ତର ରୂପାନ୍ତର ଗ୍ରହଣ କଲା । ମଞ୍ଜୁର, ମଞ୍ଜୁ ବାପା ବୋଉଙ୍କର ଏବଂ ନିଜ ବାପା ବୋଉଙ୍କର ସମ୍ମିଳିତ ଅନୁରୋଧରେ ମଞ୍ଜୁ ଆରୋଗ୍ୟ ହେବା ପର୍ଯ୍ୟନ୍ତ ସରୋଜ ତା’ ପାଖକୁ ଆସିବା ବନ୍ଦ କରିଦେଲେ ।

 

କିନ୍ତୁ ସରୋଜ ପୁଣି ଯେଉଁଦିନ ମଞ୍ଜୁକୁ ଭେଟିଲା, ସେଦିନ ସେ ବିଶ୍ୱାସ କରିପାରିଲା ନାହିଁ ଯେ ସିଏ ତା’ର ପୂର୍ବର ସେଇ ଏକାନ୍ତ ଆପଣାର ମଞ୍ଜୁ ବୋଲି । ବସନ୍ତର ଅତ୍ୟାଚାରରେ ନଷ୍ଟ ହୋଇଥିବା ଆଖି ଦୁଇଟି ଏବଂ ବିକଳାଙ୍ଗ ହୋଇଥିବା ମୁହଁଟିକୁ ଦେଖି ଚିତ୍କାର କରି ସେ ଧାଇଁଯାଇ ତା’ର ବୋଉ କୋଳରେ ମୁହଁ ଲୁଚାଇ ଦେଇଥିଲା ଏକାଦିକ୍ରମେ ପାଞ୍ଚ ଛଅ ଘଣ୍ଟା ପାଇଁ ।

 

ସେଇ ଝଞ୍ଜା–ଆକୁଳ କରୁଣ ମୁହୂର୍ତ୍ତର ଅସ୍ଵାଭାବିକ ପରିସ୍ଥିତି ସରୋଜର ମସ୍ତିଷ୍କରେ ଛାଡ଼ି ଦେଇଗଲା ଏକ ଅଶାନ୍ତ ଝଡ଼ ପାଇଁ ଯଥେଷ୍ଟ ଜୀବାଣୁ ।

 

ସେଇ ଘଟଣା ପରଠାରୁ ସରୋଜର ମସ୍ତିଷ୍କରେ ଘଟିଯାଇଛି କିଛି ଗଣ୍ଡଗୋଳ । ମଞ୍ଜୁ ଘରୁ ଚାଲି ଆସିବାର ଦୁଇ ଦିନ ପରେ ସେ ତାଙ୍କ ଲନ୍‍ଟାକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିଲା । ପ୍ରତ୍ୟେକ ସୁନ୍ଦର ପଦାର୍ଥ ପ୍ରତି ତା’ର ଆସିଯାଇଛି ଘୋର ବିତୃଷ୍ଣା ଏବଂ ସେଗୁଡ଼ିକୁ ସେ ସବୁବେଳେ ବିକୃତ କରିଦେବାକୁ ବା ନଷ୍ଟ କରିଦେବାକୁ ଚେଷ୍ଟା କରୁଛି । କାରଣ ପଚାରିଲେ ସେ ଯାହା କହେ, ତା’ର ଅର୍ଥ ହେଉଛି–

 

ସୌନ୍ଦର୍ଯ୍ୟ କେବେ ବି ଧ୍ରୁବ ନିଶ୍ଚିତ ନୁହେଁ, ବରଂ ପରିବର୍ତ୍ତନଶୀଳ । ତାହା ପୁଣି ଏକ ନିର୍ଦ୍ଦିଷ୍ଟ ସମୟରୁ ଚକ୍ର ମଧ୍ୟରେ ସୀମାବଦ୍ଧ । କୌଣସି ପଦାର୍ଥର ସୌନ୍ଦର୍ଯ୍ୟ କହିଲେ ପ୍ରକୃତରେ ତାହା ବୁଝାଏ ଏକ ନିର୍ଦ୍ଦିଷ୍ଟ କାଳକୁ, ଯଦିଓ ଆମେ ଭୁଲରେ ତାକୁ ବ୍ୟାପକ ଅର୍ଥରେ ବୁଝୁ ।

 

ପୁଣି ସେ କହେ–ସୌନ୍ଦର୍ଯ୍ୟ କୁତ୍ସିତର ଏକ କରୁଣ ରୂପାନ୍ତର ମାତ୍ର । ତା’ର ଜନ୍ମ କୁତ୍ସିତାର ଗର୍ଭରୁ ଏବଂ ଶେଷ ପରିଣତି ବି ସେଇ କୁତ୍ସିତର ଗର୍ଭରେ, ଯେମିତି ପଙ୍କଜ ପଙ୍କରୁ ଜନ୍ମ ନେଇ ପଙ୍କରେ ଲୀନ ହୁଏ । କୁତ୍ସିତ ହିଁ ଏକମାତ୍ର ସ୍ଥିର ସତ୍ୟ, ଯିମିତି ଆଲୋକ ଅପେକ୍ଷା ଅନ୍ଧକାର ଅଧିକ ଭାବରେ ସତ୍ୟ ।

 

ଜୀବନ ଓ ସୌନ୍ଦର୍ଯ୍ୟ ପ୍ରତି ସରୋଜର ଏହା ହିଁ କରୁଣ ଦର୍ଶନ ଓ ଏହା ହିଁ ତା’ର ପାଗଳାମିର ଭିତ୍ତି ଭୂମି । ବୟସ ବଢ଼ିବା ସଙ୍ଗେ ସଙ୍ଗେ ତା’ର ପାଗଳାମି ବଢ଼ିଚାଲିଛି । ତେଣୁ ଦୀନବନ୍ଧୁ ବାବୁ ତାକୁ ନେଇ ଯାଉଛନ୍ତି କାଙ୍କେ ।

 

ହରାଇ ଦେଇଥିବା ଆଖି ଏବଂ ବିକଳାଙ୍ଗ ମୁହଁଟିକୁ ନେଇ ମଞ୍ଜୁ କିନ୍ତୁ ଆଉ କେବେ ସରୋଜକୁ ସାମ୍ନା କରିବାକୁ ଚେଷ୍ଟା କରିନି, ବରଂ ନିଭୃତରେ ସରୋଜ ପାଇଁ ଲୁହ ଢାଳୁଛି ।

 

ଏହା ହିଁ ସରୋଜର କରୁଣ ଜୀବନର ବିକଳ ଉପାଖ୍ୟାନ ।

 

ଟ୍ରେନ୍‍ଟି ଗୋଟିଏ ଛୋଟ ଷ୍ଟେସନରେ ପହଞ୍ଚି ସାରିଥିଲା । ବାହାରକୁ ଆସି ଦେଖିଲି, ମୁଁ ଖୋଜୁଥିବା ସ୍ଥାନଟି ସହିତ ଏଇ ସ୍ଥାନଟିର ଅନେକ ସାମଞ୍ଜସ୍ୟ ଅଛି । ସେଇଠି ଓହ୍ଲାଇବାକୁ ସ୍ଥିର କରି ମୁଁ ଦୀନବନ୍ଧୁ ବାବୁଙ୍କଠାରୁ ବିଦାୟ ଆଣି କମ୍ପାର୍ଟମେଣ୍ଟ ଛାଡ଼ିବା ସମୟରେ ଦେଖିଲି, ସରୋଜ ମତେ ଚାହିଁ ଅଳ୍ପ ଅଳ୍ପ ହସୁଚି । ମୋର ମନେହେଲା, ବହୁ ବେଦନାରେ ଦଗ୍‍ଧ ତା’ର ହୃଦୟର ପ୍ରତୀକ ସ୍ୱରୂପ ଏଇ ହସଟି ଅନେକଟା କରୁଣ...କରୁଣ ।

★★★

 

ସବୁଜ : ଧୂସର

 

କେଉଁ ଏକ ନିଦଭଙ୍ଗା ପକ୍ଷିଣୀର ଡେଣାଝଡ଼ା ଶବ୍ଦରେ ଚେଇଁ ଉଠିଲେ ନୀରୋଦବାବୁ । ଏବେ ସାମାନ୍ୟ ଶବ୍ଦରେ ବି ନିଦ ଭାଙ୍ଗିଯାଏ ତାଙ୍କର । ବୟସ ବଢ଼ିବା ସଙ୍ଗେ ସଙ୍ଗେ ନିଦର ପରିମାଣ କମିଯାଏ ବୋଧହୁଏ । ଅନେକ ରାତି ଚେଇଁ ଚେଇଁ ସେ କଟାଇ ଦିଅନ୍ତି । ଜୀବନ–ପଥରେ ଦୀର୍ଘ ଯାତ୍ରା ପରେ ଏବେ ସେ ଥକି ପଡ଼ିଛନ୍ତି । ଅନେକ ତିକ୍ତ–ମଧୁର ଅନୁଭୂତିରେ ବିଭୂତିରେ ମଖା ତାଙ୍କର ଜୀବନ । ଅତୀତର ସେଇସବୁ ଅଶ୍ରୁ–ସରସ ସ୍ମୃତିକୁ ଚେଇଁ ଚେଇଁ ସେ ରୋମନ୍ଥନ କରନ୍ତି କେବଳ ।

 

ନା, ଶୋଇ ହେବନି । ନିଦ ଆଉ ଆସିବନି । ସକାଳ ହେବା ଆଗରୁ ଆଉ ସେ ଶୋଇ ପାରିବେନି ଜମା । ଖଟରୁ ଉଠି ସିଧା ଅଗଣାକୁ ଚାଲିଆସିଲେ ନୀରୋଦବାବୁ ।

 

ଚାନ୍ଦର ଆଲୋକରେ ଠିକ୍ ଭାବରେ ଜଣା ନ ପଡ଼ିଲେ ବି ବର୍ତ୍ତମାନ ଅନେକ ରାତି । ଏତେ ରାତିରେ ତାଙ୍କ ବ୍ୟତୀତ ଅନ୍ୟ କେହି ଯେ ଚେଇଁ ନ ଥିବେ ଏଇଟା ନିଶ୍ଚିତ ।

 

ବର୍ତ୍ତମାନ ଶୀତ ନାହିଁ । ଏଇ ମଧ୍ୟ ଫାଲ୍‍ଗୁନ ରାତିର ଶିରି ଶିରି ବତାସରେ ଶୀତଳତାର ସାମାନ୍ୟ ସ୍ପର୍ଶ ଥାଏ । ଆଉ ପତ୍ରଗୁଡ଼ାକ ହଳଦିଆ ହୋଇ ଝଡ଼ି ପଡ଼ିବାର ସାମାନ୍ୟ ଆଗରୁ ଜୋରରେ ଅସରାଏ ବର୍ଷା ହୋଇଯାଏ, ତେବେ ଶୀତଟା ପୁଣି ଫେରିଆସେ ।

 

ଏଥର ଶୀତଟା କିନ୍ତୁ ଖୁବ୍ ଶୀଘ୍ର ଚାଲିଯାଇଛି । ଜମା ବର୍ଷା ହୋଇନି । ଏଇ ଫାଲ୍‍ଗୁନର ପବନରେ ଉଷ୍ଣତାର ଅନେକ ସ୍ପର୍ଶ ଅଛି । ଏପରି ବସନ୍ତ ଏଠାକୁ ଯେମିତି ଏଇ ପ୍ରଥମ ଆସିଛି ।

 

ଅଗଣାରେ ଜ୍ୟୋସ୍ନାର ଏକ ପତଳା ପ୍ରଲେପ । ଦୂର ନଡ଼ିଆ ଗଛର ପତ୍ରେ ପତ୍ରେ ଜ୍ୟୋତ୍ସ୍ନାର ଫିନିକ୍ ଫୁଟିଛି ।

 

ଏକ ଅଦ୍ଭୁତ ଦୃଷ୍ଟି ତୋଳି ଆକାଶକୁ ଅନାଇଲେ ନୀରୋଦବାବୁ । (ସେ ଦୃଷ୍ଟିରେ କିଛି ପାଇବାର ଆକାଂକ୍ଷା ନାହିଁ, କିନ୍ତୁ ଅନେକ କିଛି ହଜାଇ ଦେଇଥିବାର କ୍ଳାନ୍ତି ଅଛି ।) ଆକାଶରେ ପୂର୍ଣ୍ଣିମା ପର ପଞ୍ଚମୀର ଏକ ଅଳ୍ପ ଖଣ୍ଡିଆ ଜହ୍ନ, ଆଉ ତା’ ପାଖରେ ଅନେକ ହାଲ୍‍କା ହାଲ୍‍କା ରୂପେଲୀ ବଉଦର ଭିଡ଼ । ଜହ୍ନ ଆଲୁଅରୁ ରଙ୍ଗ ନେଇ ସେଇ ହାଲ୍‍କା ବଉଦଗୁଡ଼ାକ ଆଉରି ହାଲ୍‍କା ହୋଇ ଉଠିଛନ୍ତି–ଠିକ୍ ଗୋଟାଏ ଗୋଟାଏ ପ୍ରଜାପତି ପରି ।

 

ନୀରୋଦବାବୁ ଭାବୁଥିଲେ, କିଏ ଯଦି ତାଙ୍କୁ ପଚିଶ ବର୍ଷ ପଛକୁ ଫେରାଇ ନେଇପାରନ୍ତା, ତେବେ ସେ ଗୋଟାଏ ପ୍ରଜାପତିର ରଙ୍ଗୀନ୍ ଡେଣା ଦୁଇଟା ନେଇ ଟିକେ ଘୂରି ବୁଲନ୍ତେ । ଏଇ ପତଳା ଜ୍ୟୋସ୍ନାର ସୁଅରେ ଉଜାଣି ଉଠି ଗୋଟାଏ ଦୁଇଟା କଅଁଳ ଗୋଲାପର ଉଲଗ୍ନ ଛାତିରେ ଅଳ୍ପ କେତୋଟି ମୁହୂର୍ତ୍ତ ପାଇଁ ଟିକେ ଘୁମାଇ ପଡ଼ି, ତା’ର ସୁରଭିତ ଅଙ୍ଗରାଗରେ ଆମୋଦିତ ହୋଇ ପୁଣି ଫେରିଆସନ୍ତେ ପଛେ ।

 

ଠିକ୍ ପଚିଶ ବର୍ଷ ପୂର୍ବେ...

 

ଏମିତି ଏକ ଫଗୁଣର ରାତି ଅଧରେ କେଉଁ ଏକ ନିଦବାଉଳା ପକ୍ଷୀ ଅବା ପକ୍ଷିଣୀର କାଉଳା ଶବ୍ଦରେ ହଠାତ୍ ଯେତେବେଳେ ସେ ଚେଇଁଉଠନ୍ତି, ସେତେବେଳେ ସେଇ ଏକୁଟିଆ ବିଛଣାଟା ତାଙ୍କୁ ଖୁବ୍ ନିଛାଟିଆ ଲାଗୁଥିଲା । ଜୀବନକୁ ପୂର୍ଣ୍ଣ କରିବାକୁ ସେ ଚାହୁଁଥିଲେ ଆପଣାର ଅତି ପାଖରେ ଅନ୍ୟ ଏକ ଦେହ–ଏକ ନାରୀର ଦେହ ।

 

ସେଇ ଫଗୁଣ ପୂର୍ଣ୍ଣମୀର ଛୁଟିରେ ଯେତେବେଳେ ସେ ଘରକୁ ଆସିଥିଲେ, ଦିନେ ରାତି ଅଧରେ ଠିକ୍ ଆଜି ପରି ତାଙ୍କର ନିଦ ଭାଙ୍ଗି ଯାଇଥିଲା; କିନ୍ତୁ ତାହା କେଉଁ ଏକ ପକ୍ଷିଣୀର ଡେଣାଝଡ଼ା ଶଦ୍ଦରେ ନୁହେଁ, ଦୂରରୁ ଭାସି ଆସୁଥିବା ସମ୍ମଳିତ ବାଦ୍ୟର ଝଙ୍କାରରେ । ଝରକା ଦେଇ ପଶିଆସିଥିବା ଦମକାଏ ପବନରୁ ସେ ପାଇଥିଲେ ବହୁ ନାଁ–ନଜଣା ଫୁଲର ବାସ୍ନା । ହଠାତ୍ ମନ ତାଙ୍କର ଜଳି ଉଠିଥିଲା, ପୋଡ଼ି ଉଠିଥିଲା ଗୋଟିଏ ସଙ୍ଗିନୀ ପାଇଁ ।

 

କି ଏକ ଅଦ୍ଭୁତ ଖିଆଲ ନେଇ ସେଇ ମଝି ରାତିରେ ସେ ବାହାରି ପଡ଼ିଥିଲେ ଗୋଲାପର ରଙ୍ଗ ନେଇ ଲାଲ ଟୁକୁ ଟୁକୁ ହୋଇଥିବା ଏକ କିଶୋରୀର ସନ୍ଧାନରେ । ଯାହାର ଯୌବନ ଥିବ, ବୟସ ଥିବ ।

 

ଅନେକ ଦୂରକୁ ଦଉଡ଼ି ଆସି ହଠାତ୍ ଠିଆହୋଇ ପଡ଼ିଥିଲେ ସେ । ଏତେଦୂର ଚାଲିଆସିବାର କ୍ଳାନ୍ତିରେ ସେ ଅବଶ ହୋଇ ପଡ଼ୁଥିଲେ । ତେବେ ବି ଗୋଟାଏ ନାରୀର ଦୁଇ କୋମଳ ହାତର ବେଷ୍ଟନୀ ନିମନ୍ତେ ନିଶା ନ ଖାଇ ବି ନିଶା ଧରିଥିଲା ନୀରୋଦବାବୁଙ୍କୁ । ପାଗଳଙ୍କ ପରି ସେ ଚାରିଆଡ଼କୁ ଚାହିଁଥିଲେ ।

 

ନା, କେହି ନାହାନ୍ତି ।

ଏଇ କେହି ନ ଥିବାର ନିଷ୍ଠୁର ସତ୍ୟର ଆଘାତରେ ମନ ତାଙ୍କର ଜଳୁଥିଲା ।

ଆଃ...ଗୋଟିଏ ବାନ୍ଧବୀ ନାହିଁ ତାଙ୍କର, ଗୋଟିଏ ପ୍ରେମିକା ନାହିଁ ।

ସେ ବସିପଡ଼ିଥିଲେ ଗୋଟାଏ ଗଛତଳେ । ବୋଧହୁଏ ଅଶ୍ୱତ୍‍ଥ ଗଛ । ପବନରେ ପତ୍ର କମ୍ପୁଥିଲା । ସନ୍ ସନ୍ ହୋଇ ଏକ ଅଦ୍ଭୁତ ଶବ୍ଦ ହେଉଥିଲା । ମୁଣ୍ଡ ଉପର ଆକାଶରେ ଅସଂଖ୍ୟ ଧଳା ଆଉ କଳା ମେଘ ଚିକ୍ ଚିକ୍ କରୁଥିଲା ।

ଆକାଶ ନୁହେଁ । ବତାସ ନୁହେଁ । ଗଛ, ପତ୍ର, ଫୁଲ, ଫଳ କିଛି ବି ନୁହେଁ । ଗୋଟାଏ ନାରୀ ଚାହିଁଥିଲେ ନୀରୋଦବାବୁ । କେବଳ ଗୋଟାଏ ନାରୀ । କିନ୍ତୁ କେହି ବି ନ ଥିଲେ ।

ନୀରୋଦବାବୁଙ୍କର ଇଚ୍ଛା ହୋଇଥିଲା ଖୁବ୍ ବଡ଼ପାଟିରେ କାନ୍ଦିବାକୁ ।

କିଛି ସମୟ ପରେ ପ୍ରକୃତିସ୍ଥ ହୋଇଥିଲେ ନୀରୋଦବାବୁ । ରାତି ଅଧରେ ପୁରୁଷ ଖୋଜିବାର କାମନା ନେଇ ଝିଅମାନେ କ’ଣ ଆଉ ଏଣେ ତେଣେ ବୁଲନ୍ତେ ? ନିଜର ନିର୍ବୋଧତାରେ ସାମାନ୍ୟ ହସିଥିଲେ ସେ ।

ଠିକ୍ ତା’ ପରଦିନ, ମେଲଣ ଦେଖିବାକୁ ନୀରୋଦବାବୁ ଯାଇଥିଲେ ଏକ ଦୂର ଗାଁକୁ ।

ମେଲଣ ଦେଖି ଯାଉ ଯାଉ ଅନ୍ୟ ଏକ ଗାଁର ଶେଷମୁଣ୍ଡ ଗୋଟିକିଆ ଘର ପାଖରେ ପାଖରେ ଛାଏଁ ଛାଏଁ ତାଙ୍କର ଗୋଡ଼ ଦୁଇଟା ଅଟକି ଯାଇଥିଲା । ସେଇ ଘରର ଭିତର ପାଖରେ ଝରକାକୁ ଆଉଜି ଠିଆ ହୋଇଥିଲା ଝିଅଟିଏ । ଯାହାର ବୟସ ଥିଲା, ଯୌବନ ଥିଲା ।

 

ଶୋଷର ଛଳନା କରି ଝରକା ପାଖରୁ ଆଗେଇ ଯାଇ ଇସାରାରେ ସେ ପାଣି ଚାହିଁଥିଲେ ।

 

ଗୋଟାଏ ଅପରିଚିତ ଲୋକକୁ ପାଣି ଆଣିବା ଏକା ଏକା ବତାଇ ଦେବାର ଭରସା ପାଇ ନଥିଲା ଝିଅଟି । ଆସ୍ତେ, ଖୁବ୍ ଆସ୍ତେ କହିଥିଲା–ଯାଅ, ଚାଲିଯାଅ ଏଠୁ । ଏଠି କିଛି ନାହିଁ ।

 

ଯାଇ ନ ଥିଲେ ନୀରୋଦବାବୁ । ଝରକା ପାଖକୁ ଆଉ ଟିକିଏ ଲାଗିଆସି ଆଞ୍ଜୁଳାପାତି କହିଥିଲେ–ଆଃ, ଭାରି ଶୋଷ । ପାଣି ଟୋପାଏ ଦିଅନା !

 

ନୀରୋଦବାବୁଙ୍କୁ ଦେଖି କେମିତି ଅଦ୍ଭୁତ ମନେହୋଇଥିଲା ଝିଅଟିର । ସାମାନ୍ୟ ଭୟ ବି ଆସିଥିଲା । ଉଦ୍ଦେଶ୍ୟ ବୁଝିପାରି ନ ଥିଲା ହଠାତ୍ । ପାଗଳ ନା କ’ଣ ? ପାଗଳ ନ ହେଲେ ଏମିତି ଉପରେ ପଡ଼ି କଥାବାର୍ତ୍ତା କରିବାକୁ କିଏ କାହିଁକି ବା ଆସିବ ?

 

ସତରେ, ସତରେ ପାଗଳ ହୋଇଯାଇଥିଲେ ନୀରୋଦବାବୁ । ସେ ପାଗଳ ହୋଇଯାଇଥିଲେ ଗୋଟାଏ କିଶୋରୀ ପାଇଁ । ଗୋଟାଏ ନାରୀର ଦେହ ପାଇଁ ।

 

ତାଙ୍କୁ ତଡ଼ି ଦେବାକୁ ଝିଅଟି କହିଥିଲା–ଯାଅ । ଚାଲିଯାଅ ଏଠୁ । ଏଠି ପାଣି ନାହିଁ । କିଛି ବି ନାହିଁ ।

 

ନୀରୋଦବାବୁଙ୍କର ମନେହୋଇଥିଲା ଏକ ଅଜ୍ଞାତକୁଳଶୀଳା ଅଶିକ୍ଷିତା ଗାଉଁଲୀ ଝିଅଟା ପାଖରେ ସେ ଯେମିତି ହାରିଯାଇଛନ୍ତି ।

 

ଗୋଟାଏ ମଦୁଆ ପରି ଟଳି ଟଳି ସେ ସେଠୁ ଚାଲି ଯାଇଥିଲେ ଭଙ୍ଗା ମନ ନେଇ ।

 

ଠିକ୍ ତା’ର ଦୁଇ ମାସ ପରେ ବୈଶାଖର ଏକ ଉତ୍ତପ୍ତ ତିଥିରେ ବିବାହ ହୋଇଗଲା ତାଙ୍କର । ସେ ଦିନର ଆକାଶରେ ଜ୍ୟୋସ୍ନାର ଏଇମିତି ଏକ ହାଲ୍‍କା ସୁଅ ଉଜାଣି ଉଠିଥିଲା ।

 

ମନ ତାଙ୍କର ଫେରିଆସିଲା ଅତୀତ ସ୍ମୃତିର ରୋମନ୍ଥନରୁ ।

 

ନା, ସେଇସବୁ ଆବେଗପୂର୍ଣ୍ଣ ଅଥଚ କରଣହୀନ ସ୍ମୃତିକୁ ମୂଲ୍ୟ ଦେବାକୁ ଏ ବୟସରେ ସେ ଆଦୌ ପ୍ରସ୍ତୁତ ନୁହନ୍ତି । ପ୍ରକୃତରେ କ’ଣ ବା ମୂଲ୍ୟ ସେଇସବୁ ସ୍ମୃତିର ? ଏବେ ଭାବିବସିଲେ କେମିତି ଲାଜ ଲାଗେ ।

 

ପାଖଘରୁ ଆସିଛି ତାଙ୍କ ସ୍ତ୍ରୀଙ୍କର ଖୁଁ ଖଁ କାଶର ଆୱାଜ୍ । ବୋଧହୁଏ ନିଦ ତାଙ୍କର ସାମାନ୍ୟ ଭାଙ୍ଗିଚି । ପୁଅ ବାହା ହେବା ପରେ ସ୍ତ୍ରୀ ତାଙ୍କର ଠାକୁରଘରେ ଶୁଅନ୍ତି । ମାଳା ଜପନ୍ତି । ଆଉ ଅନେକ ବେଳ ଯାଏ ବସି ବସି ଧ୍ୟାନ କରନ୍ତି । ସେଇସବୁ ଗଭୀର ତତ୍ତ୍ଵ ଠିକ୍ ଭାବରେ ନ ବୁଝିଲେ ବି ବସିଲେ ଉଠିଲେ କହନ୍ତି ଗୀତାର କଥା, ଭାଗବତର କଥା ।

 

ପୁଅ ବାହାଘର ପରେ ପରେ ସେ ଭାରି ଧର୍ମପ୍ରାଣା ହୋଇ ପଡ଼ିଚନ୍ତି । ବୋହୂ ବୋଧହୁଏ ପରୋକ୍ଷ ଭାବରେ ତାଙ୍କ ପାଇଁ ଖାଲି ଗୁଡ଼ାଏ ଧର୍ମ ଭାବନା ସାଙ୍ଗରେ ନେଇଆସିଚି ।

 

ଆରପଟ ଘରେ ପୁଅବୋହୂ ଶୋଇଚନ୍ତି । କବାଟ ଝରକା ସତର୍କତାର ସହିତ ବନ୍ଦ କରାଯାଇଛି । ଏଇ ମଝି–ରାତିରେ ବାହାରେ ଏତେ କଥା ଘଟୁଥିଲେ ବି ଏସବୁ ଉପରେ ଦୃଷ୍ଟିପାତ କରିବାକୁ ସେମାନଙ୍କୁ ଆଦୌ ସମୟ ନାହିଁ । ବାହାରର ପରିସ୍ଥିତିରେ ନିଜକୁ ଖାପ୍ ଖୁଆଇବା ଅପେକ୍ଷା ଆପଣାର ଉଷ୍ଣତାରେ ଆପେ ସେକି ହେଉଚନ୍ତି ସେମାନେ । ବର୍ତ୍ତମାନ ସେମାନେ ଅନ୍ୟ ଲୋକର, ଅନ୍ୟ ଏକ ରାଜ୍ୟର ମଣିଷ । ସେ ଇଲାକାରେ ଜରାର ସ୍ପର୍ଶ ନାହିଁ । ଦୁଃଖ, ରୋଗ, ଶୋକ କିଛି ବି ନାହିଁ ।

 

ପୁଅବୋହୂ ଦୁହେଁ ଅଧ୍ୟାପକ । ଛୁଟିରେ ଘରକୁ ଆସିଛନ୍ତି ।

 

କାନ ପାରିଲେ ନୀରୋଦବାବୁ । ନା, ସବୁଦିନ ପରି ଛୋଟ ଛୋଟ ସ୍ୱର, ହାଲ୍‍କା ହାଲ୍‍କା ହସର ଲହରୀ ସେ ଘରୁ ଭାସି ଆସୁନି, ସେମାନେ ଶୋଇ ପଡ଼ିଛନ୍ତି ।

 

ଠାକୁର ଘରର ପାଖ ଘରେ ଶୋଇଛି ତାଙ୍କ ବଢ଼ିଲା ଝିଅ ବାସନ୍ତୀ । କଳାର ଶେଷ ସ୍ନାତକ ଶ୍ରେଣୀରେ ଅଧ୍ୟୟନ କରୁଚି ସେ । ତା’ର ଶୋଇବା ଘରର ଝରକା ଦେଇ ଲଣ୍ଠନରୁ ଆଲୁଅ ଆସୁଛି । ଟିକେ ଆଗେଇଯାଇ ଦେଖିଲେ ନୀରୋଦବାବୁ, ଝିଅର ଖଟ ପାଖରେ ଥିବା ଟେବୁଲ ଉପରେ ଲଣ୍ଠନଟା ଜଳୁଚି । ଆଉ ସେଇ ଲଣ୍ଠନ ପାଖରେ ବହିଟାଏ ମୁହଁମାଡ଼ି ପଡ଼ିଚି ଅତି ଅସହାୟ ଭାବରେ ।

 

ଝିଅ ପାଇଁ ଏଥର ଗୋଟାଏ ବର ଖୋଜିବାକୁ ହେବ । ଗୋଟାଏ ଖୁବ୍ ଯୋଗ୍ୟ ପାତ୍ରର ସନ୍ଧାନ ନେବାକୁ ପଡ଼ିବ । କିନ୍ତୁ ଝିଅ କହୁଚି, ସିଏ ବାହା ହେବ ତା’ର ଏକ ସହପାଠୀକୁ । ଟିଉସନ୍ କରି ପାଠପଢ଼ିଲେ ବି ସବୁ ବର୍ଷ ବିଶ୍ଵବିଦ୍ୟାଳୟରେ ଯୋଉ ଟୋକା ପ୍ରଥମ ହୋଇ ଆସୁଚି, ତାକୁ ସିଏ ବାହା ହେବ ।

 

ନା, ଏଇସବୁ ତାରୁଣୀର ଚପଳତା, ଆବେଗଧର୍ମୀ ଭାବପ୍ରବଣତାକୁ ସେ ସହ୍ୟ କରିପାରିବେ ନାହିଁ । ସ୍ଵୀୟ ଜୀବନର ଅନୁଭୂତିରୁ ସେ ହୃଦୟଙ୍ଗମ କରିଛନ୍ତି, ଏସବୁ ନିହାତି ଯୁକ୍ତିହୀନ ଓ ମୂଲ୍ୟହୀନ । ସ୍ଵପ୍ନବିଭୋର ମୁହୂର୍ତ୍ତରେ କିଛି ସମୟ ପାଇଁ ଏସମସ୍ତ ରଙ୍ଗୀନ ହେଲେ ବି ବାସ୍ତବତାର ସ୍ପର୍ଶରେ ନିହାତି ରଙ୍ଗହୀନ । ତେଣୁ ଝିଅର ମତାମତ ଅନୁଯାୟୀ କାର୍ଯ୍ୟକରିବା ତାଙ୍କ ପକ୍ଷରେ ଉଚିତ ହେବନି । ତା’ର ଭବିଷ୍ୟତ ପ୍ରତି ତା’ ଅପେକ୍ଷା ସେ ଅଧିକ ସଚେତନ ।

 

ଜହ୍ନର ଠିକ୍ ଉପର ଦେଇ ବଉଦଖଣ୍ଡେ ଭାସିଗଲା । ଜ୍ୟୋତ୍ସ୍ନାର ସେଇ ପତଳା ସୁଅର ଖେଳିଗଲା ଏକ ହାଲ୍‍କା ତରଙ୍ଗ ।

 

ନୀରୋଦବାବୁଙ୍କର ଇଚ୍ଛା ହେଲା ଟିକେ ବାହାରେ ବୁଲିଆସିବାକୁ । ଏଇ ଗଭୀର ନିର୍ଜନ ରାତିରେ ହାଲ୍‍କା ଜ୍ୟୋତ୍ସ୍ନାର ସୁଅରେ ସିଆର କାଟି ଟିକେ ବୁଲିଆସିବାକୁ ।

 

ପଚିଶ ବର୍ଷ ତଳେ ଗୋଟାଏ ନାରୀ ଖୋଜିବାର ମନ ନେଇ ଯେମିତି ସେ ରାତିଅଧରେ ବାହାରି ପଡ଼ିଥିଲେ, ଆଜି ଠିକ୍ ସେଇ ମନ ନେଇ ସେ ଯାଉ ନାହାଁନ୍ତି । ସେ ମନରେ ତାଙ୍କର ଭଟ୍ଟା ପଡ଼ିଯାଇଚି ।

 

ଆଜି ସେ ବୁଲିବାକୁ ବାହାରିଛନ୍ତି, ଏଇ ନୀରବ ନିର୍ଜନ ରାତିରେ ପତଳା ଜହ୍ନ ଆଲୁଅରେ ନିପାହୋଇଥିବା ଗଛମାନଙ୍କୁ ଦେଖିବାକୁ । ଦୁଇଟା, ଗୋଟାଏ ନିଦଭଙ୍ଗା ପକ୍ଷୀ ଅବା ପକ୍ଷିଣୀର ଡେଣାଝଡ଼ା ଶବ୍ଦ ଶୁଣିବାକୁ । ଶିରି ଶିରି ବତାସରେ କମ୍ପୁଥିବା ପତ୍ରମାନଙ୍କର କମ୍ପନ ଦେଖିବାକୁ ଆଉ ଏକ ଖୋଲା ଆକାଶଟାକୁ ଭଲ ଭାବରେ ଦେଖିନେବାକୁ । ପ୍ରକୃତିର ଏଇସବୁ ରୂପ ମଧ୍ୟରେ ଅରୂପର ସନ୍ଧାନ ନେବାକୁ ।

 

ନୀରୋଦବାବୁ ବାହାରକୁ ବାହାରି ପଡ଼ିଲେ ।

 

ଏ ପାଖଟା ନିର୍ଜନ, ଟିକିଏ ବେଶୀ ନିର୍ଜନ । ଯଦିଓ ଘର ଅଛି, ତେବେ ଖୁବ୍ ଅଳ୍ପ । ପାଖାପାଖି, ଲଗାଲଗି ନୁହେଁ । ଦୂରରେ ଏକ ଛୋଟ ନଈର ଧାର । ବସନ୍ତର କ୍ଷୀଣାଙ୍ଗୀ ନଦୀର ପାଣିରେ ଚାନ୍ଦର ଆଲୁଅ ଅନ୍ୟ ଏକ ରଙ୍ଗ ଦେଇଥିବ ନିଶ୍ଚୟ ।

 

ଗୋଟାଏ ବଡ଼ ଚାକୁଣ୍ଡା ଗଛର ପାଖ ଦେଇ ଯାଉ ଯାଉ ଗଛକୁ ଅନାଇ ସ୍ୱଳ୍ପ ଚନ୍ଦ୍ରାଲୋକରେ ସେ ଦେଖିପାରିଲେ ଗଛର ଡାଳେ ଡାଳେ ଅନେକ ପକ୍ଷୀଙ୍କର ନୀଡ଼ । ସେମାନେ ସବୁ ଶୋଇ ପଡ଼ିଥିବେ । ଏଇ ଅସହ୍ୟ ନିର୍ଜନତାର ଭୟରେ ସେମାନେ ବର୍ତ୍ତମାନ ଉଠିବେ ନି ଜମା-। କିନ୍ତୁ ଏକ ଜହ୍ନଟା ତା’ର ସମସ୍ତ ରଙ୍ଗ ହରାଇ ଏକ ରୋରୁଦ୍ୟମାନା ସଦ୍ୟ ବିଧବା ତରୁଣୀଟି ପରି ଯେତେବେଳେ ପଶ୍ଚିମ ଦିଗର ଗୋଟାଏ କୋଣକୁ ଆଉଜି ପଡ଼ିଥିବ ଆଉ ପୂର୍ବଦିଗଟା ଫର୍ଚ୍ଚା ହୋଇ ଉଠୁଥିବ, ସେତେବେଳେ ସେମାନେ ଉଠିବେ କିଚିରି ମିଚିରି ହୋଇ ।

 

ଆଗକୁ ଚାଲିଲେ ନୀରୋଦବାବୁ, ଆହୁରି ଆଗକୁ–ତାଙ୍କ ଗାଁ ସୀମା ଛୁଇଁ ବୋହି ଯାଉଥିବା ଛୋଟ ନଈଟିର କ୍ଷୀଣ ପାଣି ଧାରରେ ଏଇ ଚାନ୍ଦର କିରଣ ରଜତର ଯେଉଁ ବର୍ଣ୍ଣଛଟା ଦେଖା ଦେଇଥିବ ତାକୁ ଥରେ ଆଖି ପୂରାଇ ଦେଖିନେବାର ଆଶା ନେଇ ।

 

ତାଙ୍କ ମୁଣ୍ତ ଉପର ଦେଇ କ’ଣ ଗୋଟାଏ ନିଶାଚର ପକ୍ଷୀ ସାଏଁ କରି ଉଡ଼ିଗଲା । ଯାଉ, ତା’ କାମରେ ସେ ଯାଉ ।

 

ନୀରୋଦବାବୁଙ୍କର କିନ୍ତୁ ମନହେଲା ସେଇ ପକ୍ଷୀ ଅବା ପକ୍ଷିଣୀଟି ପରି ସେ ଦୌଡ଼ନ୍ତେ ଏଇ ଆମ୍ବ ପଣସ ତୋଟା ଭିତରେ, ଆସନ୍ତା ଫସଲ ପାଇଁ ଚାଷ ହୋଇଥିବା ଜମି ଉପରେ, ଏଇ ଘୁମନ୍ତ ଆକାଶର ତଳେ ତଳେ ।

 

ସେ ଯାହା ହରାଇ ଦେଇଛନ୍ତି ତାକୁ ସେ ପାଇଥିଲେ । ଯାହା ପାଇ ନ ଥିଲେ ତାକୁ ବି ସେ ପାଇଛନ୍ତି । ତାଙ୍କର ଯେଉଁ ଆଶା କେବଳ ଆଶାରେ ରହିଯାଇଛି ଆଜିର ଏଇ ଅଭିଜ୍ଞ ବୟସରେ ବିଚାର କରି ଦେଖିଲେ ପ୍ରକୃତରେ ସେସବୁ ବ୍ୟର୍ଥ ହୋଇନି । ଯଦିଓ ଠିକ୍ ଜଣାଇ ହେବନି, ତଥାପି ସେମାନେ ସବୁ ଗୋଟାଏ ମୂଲ୍ୟଦେଇ ଯାଇଛନ୍ତି, ନା ତାଙ୍କର ଆଉ କିଛି ପାଇବାର ନାହିଁ । ସେ ସବୁ କିଛି ପାଇ ସାରିଛନ୍ତି ।

 

ଶେଷରେ ସେ ପହଞ୍ଚିଲେ ସେଇ ଅଶ୍ଵତ୍‍ଥ ଗଛ ମୂଳରେ–ଠିକ୍ ପଚିଶି ବର୍ଷ ତଳେ ଗୋଟାଏ ଝିଅ ଖୋଜିବାର କାମନା ନେଇ ରାତିଅଧରେ ସେ ଯାହା ମୂଳରେ ପହଞ୍ଚିଥିଲେ, ଆଜି ବି ପବନରେ ପତ୍ର କମ୍ପୁଚି, ସନ୍ ସନ୍ ଅଦ୍ଭୁତ ଶବ୍ଦ ହେଉଛି, ମୁଣ୍ଡ ଉପରେ ଆକାଶରେ ଅସଂଖ୍ୟ ଧଳା ଆଉ କଲା ମେଘ ଚିକ୍ ଚିକ୍ କରୁଛି ।

 

ଗୋଟାଏ ଝିଅ ପାଇଁ ନୁହେ କିମ୍ବା କେଉଁ ଏକ ନାରୀର ଦେହ ପାଇଁ ନୁହେ, ସ୍ତ୍ରୀ, ପ୍ରେମିକା କାହା ପାଇଁ ନୁହେଁ, ପ୍ରକୃତିର ରୂପ ଦେଖିବା ପାଇଁ କେବଳ ଏଇସବୁ ରୂପରୁ ଅରୂପର ସନ୍ଧାନ ନେବା ପାଇଁ ଉତ୍ତୀର୍ଣ୍ଣ ବୟସରେ ଆଜି ସେ ଛୁଟି ଆସିଛନ୍ତି ।

ଅଳ୍ପ ଦୂରରେ, ଠିକ୍ ନଈକୂଳରେ ଥିବା ଝାଉଁଗଛର ମଥାନ ଉପରେ ଜହ୍ନଟା ଭାରି ସୁନ୍ଦର ଦିଶୁଛି ।

ହଠାତ୍ ସେ ଚମକି ଉଠିଲେ ।

ନଈ ତୁଠରେ ଜହ୍ନ ଆଲୁଅ ପଡ଼ି ଚିକ୍ ଚିକ୍ କରୁଥିବା ବାଲି ଉପରେ ଦୁଇଟି ତରୁଣ ତରୁଣୀ ଧୀର ମନ୍ଥର ଗତିରେ ସେଇ ଝାଉଁଗଛର ପାଖ ଦେଇ କୁଆଡ଼କୁ ଆସୁଛନ୍ତି ।

ଏମାନେ ନିଶ୍ଚୟ ଦୁଇଟି ପ୍ରେମିକ–ପ୍ରେମିକା, ଅବୈଧ ପ୍ରଣୟର ଲୀଳା ରଚିବାକୁ ଏଇ ନଈକୂଳକୁ ଆସିଥିଲେ ବୋଧେ । ଏମାନଙ୍କୁ ଶାସନ କରିବାକୁ ହେବ । ନିଜର ହାତ ମୁଠା ଭିତରେ ସୌଖିନିଆ ବାଡ଼ିଟିକୁ ଜୋରରେ ଧରିଲେ ନୀରୋଦବାବୁ । ଏଇ ବାଡ଼ିର ଆଶ୍ଳେଷ ହିଁ ସେମାନଙ୍କୁ ଚେତାବନୀ ଦେବ ।

ଅଶ୍ୱତ୍‍ଥ ଗଛର କରରେ ଚୁପ୍ଚୁପ୍ ହୋଇ ବସିଗଲେ ନୀରୋଦବାବୁ ।

ଦମକାଏ ଥଣ୍ଡା ପବନ ଆସି ଲାଗିଲା ତାଙ୍କ ଦେହରେ । ଟିକିଏ ଦୂରରେ ଗୋଟାଏ ନିଶାଚର ପକ୍ଷୀ ଡାକି ଉଠିଲା । ଆଉ ଜହ୍ନର ସେଇ ଆଲୋକରେ ମନେହେଲା ଯେମିତି ଦିନ ହୋଇଯାଇଛି । ସବୁଆଡ଼ ପରିଷ୍କାର ଦେଖାଯାଉଛି । ସେଇ କ୍ଷୀଣ ନଦୀଟିର ପାଣି ଧାରରେ କଅଣ ଗୋଟାଏ ଭାସି ଭାସି ଯାଉଛି । ଆଉ ଆକାଶରେ ଧଳା ଧଳା ଛିଣ୍ଡା ମେଘ ଭାସିଯାଉଛି ଜହ୍ନର ପାଖ ଦେଇ ।

କିନ୍ତୁ ହଠାତ୍ ଯେମିତି ତନ୍ଦ୍ରା ତୁଟିଗଲା ନୀରୋଦବାବୁଙ୍କର । ସିଏ ସିଧାହୋଇ ବସିଲେ-। ବାଲିର ଢାଲୁପଥ ଦେଇ ଆଗେଇ ଆସୁଛନ୍ତି ଯେଉଁ ଦୁଇଟି ତରୁଣତରୁଣୀ, ଯାହାଙ୍କୁ ଚେତାବନୀ ଦେବାକୁ, ଶାସନ କରିବାକୁ ସେ ଦୃଢ଼ପ୍ରତିଜ୍ଞ ସେ ଦୁହେଁ ଆଉ କେହି ନୁହନ୍ତି, ତାଙ୍କରି ପୁଅ ଆଉ ବୋହୂ ।

ଏଇ ମାୟାବିନୀ ରାତ୍ରିର ହାଲ୍‍କା ଜ୍ୟୋସ୍ନାର ସୁଅରେ ଭାସି ଭାସି ନଈକୂଳକୁ ସେମାନେ ଆସିଥିଲେ ଏଇସବୁ ରୂପ ମଧ୍ୟରେ ଅନ୍ୟ ଏକ ରୂପର ସନ୍ଧାନ କରିବାକୁ ।

ନୀରୋଦବାବୁ ଲୁଚିଗଲେ ଅଶ୍ଵତ୍‍ଥ ଗଛର ପଛପଟେ, ଯେପରି ତାଙ୍କ ପୁଅ–ବୋହୂଙ୍କ ଆନନ୍ଦରେ କିଛି ବାଧା ନ ଆସେ ।

ତାଙ୍କ ମନରେ ଆଉ କାହା ପ୍ରତି କ୍ରୋଧର ଅଗ୍ନି ନାହିଁ । କାହାକୁ ଚେତାବନୀ ଦେବାକୁ ଆକାଂକ୍ଷା ନାହିଁ । ସେ ଆଜି ବୁଢ଼ା ହୋଇଯାଇଥିଲେ ବି ତାଙ୍କରି ରକ୍ତର ପ୍ରତିନିଧି ରାଜତ୍ଵ କରୁଛି ଯୌବନର ଇଲାକାରେ । ସେ ପାରୁ ପର୍ଯ୍ୟନ୍ତ ନିଜକୁ ଲୁଚାଇ ରଖିଲେ ।

ପିତୃତ୍ୱର ଆନନ୍ଦରେ ଛାତି ତାଙ୍କର ପୂରିଉଠିଲା ।

ପରେ, ଅନେକ ପରେ, ଜହ୍ନର ମଳିନ ଆଲୁଅରେ ଦେଖାଗଲା, ଗୋଟାଏ କ୍ଳାନ୍ତ ମଣିଷ ଆସ୍ତେ ଆସ୍ତେ ପାଦ ପକାଇ ଘରକୁ ଆଗେଇଯାଉଛି । କୌଣସି ଶବ୍ଦ ନାହିଁ ! ନୀରବରେ, ନିଃଶବ୍ଦ-

★★★

 

ଚାରି ବନ୍ଧୁଙ୍କ ଗଳ୍ପ

 

ହୋଟେଲ୍ ମଧୁକ୍ଷରାର ଏଇ ନିଭୃତ ପ୍ରକୋଷ୍ଠରେ ଖୁବ୍ ଏକାଗ୍ରଭାବରେ କକଟେଲ୍ ତିଆରି କରୁଛନ୍ତି ଅଧ୍ୟାପକ ଶତଦଳ । ସେ ଠିକ୍ ଭାବରେ ଜାଣନ୍ତି, କେତେ ହୁଇସ୍କିରେ କେତେ ଜିନ୍ ମିଶିବ, କେତେ ଲାଇମ୍ ମିଶିବ, କେତେ ବ୍ରାଣ୍ଡିରେ କେତେ ଜିଞ୍ଜାର, କେତେ କ୍ଲବ୍‍କପ୍‍ ରେ କେତେ ମିଲିକ୍–ପଞ୍ଚ୍ । କକଟେଲ୍ ତିଆରି କରିବାରେ ସେ ଖୁବ୍ ସିଦ୍ଧହସ୍ତ । ତାଙ୍କୁ ଘେରି ବସିଛନ୍ତି ତାଙ୍କର ଅନ୍ୟ ତିନୋଟି ବନ୍ଧୁ–ଜିଲାପାଳ ରମଣୀରଞ୍ଜନ, ଡାକ୍ତର ଶୁଭେନ୍ଦୁ ମୋହନ ଆଉ ଇଞ୍ଜିନିୟର ବିକାଶ । ବଡ଼ ସହରର ପରିବେଷ୍ଟନୀ ମଧ୍ୟରେ ଗଢ଼ି ଉଠିଥିବା ସଫିଷ୍ଟିକେଟେଡ଼୍ ସୋସାଇଟିର ନିର୍ଘାତ ମନୋଟନିରୁ ସାମୟିକ ମୁକ୍ତି ପାଇବାକୁ ସେମାନେ ଛୁଟି ଆସିଛନ୍ତି ଏଇ ଅଖ୍ୟାତ ଅବହେଳିତ ଛୋଟ ସହରକୁ । ରିଲିଜ୍ ଅଫ୍ ପାସନ୍‍ର ଭାବ ସମସ୍ତଙ୍କ ବ୍ୟବହାରରେ ।

 

କକଟେଲ୍‍ର ନିର୍ମାଣକୌଶଳ ଲକ୍ଷ୍ୟ କରୁ କରୁ ତା’ ରଙ୍ଗ ସମ୍ପର୍କରେ ମନ୍ତବ୍ୟ ଦେବାକୁ ଯାଇ ଜିଲାପାଳ ରମଣୀରଞ୍ଜନ ହଠାତ୍ କହିଉଠିଲେ–‘ଏଇ କକଟେଲ୍‍ର ରଙ୍ଗ ଠିକ୍ ମୋ ଅଫିସ୍‍ର ଲେଡ଼ି ରିସେପ୍‍ସନିଷ୍ଟ୍ ଏମିଲିର ରକ୍ତିମ ଅଧର ପରି ।’

 

‘ଇସ୍, ସେଇଟା ତ ବୁଢ଼ୀ ହେଲାଣି’–ଚିହିଁକି ଉଠି ଡାକ୍ତର ଶୁଭେନ୍ଦୁ ମୋହନ କହିଲେ । ‘ଆମ ହସ୍‍ପିଟାଲ୍‍ର ନବାଗତା ଷ୍ଟାଫ୍ ନର୍ସ ରତିର ଦୁଇ ଗୋଲାପୀ ଗଣ୍ଡର ବର୍ଣ୍ଣ ସହିତ ଏଇ କକଟେଲ୍‍ ତୁଳନୀୟ ।’

 

‘ଇଉ ଲିଟିଲ୍ ଫୁଲସ୍’ ଖୁବ୍ ଈର୍ଷାନ୍ଵିତ ଭାବେ ଗୋଟାଏ ହୁଇସ୍କି ବୋତଲକୁ ଟେବୁଲ ଉପରେ କଚିଦେଇ ଶତଦଳ ଗର୍ଜିଉଠିଲେ, ‘ତମେଗୁଡ଼ାକ ନିହାତି ବେରସିକ ସୌନ୍ଦର୍ଯ୍ୟ ସମ୍ପର୍କରେ ତମମାନଙ୍କର ଜ୍ଞାନ ଖୁବ୍ ସୀମିତ; ତେଣୁ ଠିକ୍ ଉପମା ଦେଇ ପାରୁନ । ମୁଁ ଭାବୁଚି ମୋର ପ୍ରାକ୍‍ବିଶ୍ଵବିଦ୍ୟାଳୟର ଲୀଳାମୟୀ ଛାତ୍ରୀ କୁମାରୀ ଲୀଳାର ଦେହ–ଦରିଆରୁ କିଛିଟା ରଙ୍ଗ ଆସି ଯେମିତି ଭର୍ତ୍ତିହୋଇ ଯାଇଛି ଏଇ ପେଗ୍ ଚାରିଟାରେ ।’

 

‘ଡୋଣ୍ଟ ବି ସିଲ୍ଲି’ ସେମାନଙ୍କ ଅଯଥା ଯୁକ୍ତିରେ ପୂର୍ଣ୍ଣଚ୍ଛେଦ ଦେବାକୁ ଯାଇ ଇଂଜିନିୟର ବିକାଶ ମନ୍ତବ୍ୟ ଦେଲେ, ‘ତମ ଲେଡ଼ି ରିସେପ୍‍ସନିଷ୍ଟ ଏମିଲିର ରକ୍ତିମ ଅଧର ହେଉ ବା ତାଙ୍କ ନବାଗତା ଷ୍ଟାଫ୍ ନର୍ସ ରତିର ଦୁଇ ଗୋଲାପୀ ଗଣ୍ଡ ହେଉ ଅଥବା ଶତଦଳଙ୍କ ପ୍ରାକ୍–ବିଶ୍ଵବିଦ୍ୟାଳୟର ଲୀଳାମୟୀ ଛାତ୍ରୀ କୁମାରୀ ଲୀଳାଙ୍କ ଦେହ ଦରିଆ ହେଉ କିମ୍ବା ମୋର ପଡ଼ୋଶୀଙ୍କ ଷୋଡ଼ଶୀ କନ୍ୟା ଉଦ୍‍ଭିନ୍ନଯୌବନା ନନ୍ଦିନୀଙ୍କ କରପଲ୍ଲବର ରଙ୍ଗ ହେଉ, ଠିକ୍ ଭାବରେ କହିବାକୁ ଗଲେ ଏକ ଅନିନ୍ଦ୍ୟ ସୁନ୍ଦରୀଙ୍କ ବର୍ଣ୍ଣବିଭା ସହିତ ଏଇ କକଟେଲ୍‍ ରଙ୍ଗ ତୁଳନୀୟ ।’

 

ବିକାଶଙ୍କ ମନ୍ତବ୍ୟ ପରେ ଆଉ ଯୁକ୍ତି କରି ହୁଏନା, ତେଣୁ ତାଙ୍କ ସମେତ ଅନ୍ୟ ତିନି ବନ୍ଧୁ ଚୁପ ରହିଲେ କିଛି ସମୟ ପାଇଁ ।

 

ସାମାନ୍ୟ ପୂର୍ବେ ଘଟିଥିବା ସେଇ ଅବାଞ୍ଛିତ ଯୁକ୍ତିର ଦାହ ଭୁଲି ଶତଦଳ ପୁଣି କକଟେଲ୍‍ ଫେଣ୍ଟିବାରେ ମନ ଦେଲେ । ରମଣୀରଞ୍ଜନ ଚାହିଁରହିଲେ କକଟେଲ୍‍ର ନିର୍ମାଣକୌଶଳକୁ । ଶୁଭେନ୍ଦୁ ଘୂର୍ଣ୍ଣାୟମାନ ସିଲିଂଫ୍ୟାନ୍‍କୁ ଆଉ ବିକାଶ କିଛିଟା ନିର୍ବୋଧ ଦୃଷ୍ଟି ଦେଇ ଚାହିଁରହିଥିଲେ ସେଇ ପ୍ରକୋଷ୍ଠରେ କାନ୍ଥରେ ଝୁଲୁଥିବା ଏକ ଉଲଗ୍ନ ନାରୀ ଚିତ୍ରକୁ ।

 

ଶତଦଳ ନିଜ ପାଇଁ ଗୋଟିଏ ପେଗ୍ ରଖି ଅନ୍ୟ ତିନି ବନ୍ଧୁଙ୍କୁ ତିନୋଟି ପେଗ୍ ଧରାଇଦେଲେ । ଏକ ନାଟକୀୟ ଭଙ୍ଗୀରେ ଟେବୁଲ ଉପରକୁ ସାମାନ୍ୟ ଝୁଙ୍କି ପଡ଼ି ପେଗ୍ ଚାରୋଟିକୁ ପରସ୍ପର ଦେହରେ ସାମାନ୍ୟ ଛୁଆଇଁ ଓଠ ପାଖକୁ ନେଉ ନେଉ ବିକାଶ କହିଲେ–‘ରିଅଲି ଉଇ ଆର୍ ହୋପ୍‍ ଲେସଲି ସରି ।’

 

‘ହ୍ୱାଇ ?’ ଅନ୍ୟ ତିନୋଟି ସମ୍ମିଳିତ କଣ୍ଠର ବିସ୍ମୟସୂଚକ ପ୍ରଶ୍ନ ।

 

‘ଆଜି ରାତିର ଏଇ ଆସରକୁ ସ୍ଵୟଂସଂପୂର୍ଣ୍ଣ କରିବାକୁ ଏମିଲି, ରତି, ଲୀଳା କିମ୍ବା ନନ୍ଦିନୀ ଏମାନଙ୍କ ମଧ୍ୟରୁ ଯେ କୌଣସି ଜଣଙ୍କର ଉପସ୍ଥିତି ଏକାନ୍ତ ଆବଶ୍ୟକ ଥିଲା ।’ ଏକ ବିଶେଷ ଭଙ୍ଗୀରେ ଉତ୍ତର ଦେଲେ ବିକାଶ ।

 

‘ନିଶ୍ଚୟ ନିଶ୍ଚୟ !!’ ରମଣୀରଞ୍ଜନ ଓ ଶୁଭେନ୍ଦୁ ମୋହନ ସମର୍ଥନ କଲେ ବିକାଶଙ୍କୁ ।

 

‘ଆଃ, ଯାହା ନାହିଁ ତା’ ସମ୍ପର୍କରେ ଆଲୋଚନା କରି କିଛି ଲାଭ ହୁଏନା । ଏଇ କକଟେଲ୍‍ର ସ୍ଵାଦ ଯେ କୌଣସି ନବଯୌବନାଙ୍କ ପ୍ରଥମ ପକ୍ଷ୍ମପାତ ପରି ଖୁବ୍ ମିଠା ମିଠା ।’ ପେଗ୍‍ରୁ ଦୁଇ ଚାରି ଢୋକ ପିଇସାରିବା ପରେ ଶତଦଳ ଏତକ ମନ୍ତବ୍ୟ ଦେଇ ପୁଣି ପିଇବାକୁ ଆରମ୍ଭ କଲେ ଏବଂ ମନ୍ତ୍ରମୁଗ୍‍ଧବତ୍ ଅନ୍ୟ ତିନୋଟି ବନ୍ଧୁ ତାଙ୍କୁ ଅନୁସରଣ କଲେ ।

 

ସେଇ ପ୍ରକୋଷ୍ଠର ଗୋଟାଏ କୋଣରେ କାନ୍ଥକୁ ଆଉଜି ଖୁବ୍ କାକୁସ୍ଥ, ଖୁବ୍ ନମ୍ର ଭାବରେ ଠିଆହୋଇ ସାହେବମାନଙ୍କ ଆଦେଶକୁ ଅପେକ୍ଷା କରିଥିବା ବୟଟା ହଠାତ୍ ସେମାନଙ୍କ ଟେବୁଲ ନିକଟକୁ ଚାଲିଆସି ବିନୟସୂଚକ ଗୁଡ଼ାଏ ହେଁ ହେଁ ହୋଇ ହସିସାରିବା ପରେ ବେକ କୁଣ୍ଡାଉ କୁଣ୍ଡାଉ ପଚାରିଲା–‘କ୍ୟା ସାହେବ, ଜାନ୍‍ନା ଚାହିଏ ?’

 

‘ଏକ୍‍ଜାକ୍ଟଲି !’ ଟେବୁଲ ଉପରେ ଏକ ପ୍ରଚଣ୍ଡ ମୁଷ୍ଟ୍ୟାଘାତ କରିସାରିବା ପରେ ଖୁବ୍ ଖୁସିରେ ଡାକ୍ତର ଶୁଭେନ୍ଦୁମୋହନ କହିଲେ । ତା’ପରେ ନାରୀମାଂସଲୋଭୀ ଚାରିଯୋଡ଼ା ଆଖିର କ୍ଷୁଧିତ ହିଂସ୍ର ଚାହାଁଣୀ ଏକତ୍ର ହୋଇ ପଡ଼ିଲା ସେଇ ବୟଟା ମୁହଁରେ । ସେଇ ଚାରିଯୋଡ଼ା ଚକ୍ଷୁର ପ୍ରଚଣ୍ଡ ଦୀପ୍ତି ସମ୍ମୁଖରେ ଏକ ସ୍ତିମିତ ଦୀପାଲୋକର ସମସ୍ତ ଭୟ ନେଇ ବୟଟା ଛିଟିକି ପଡ଼ିଲା ବାହାରକୁ ।

 

ଏକ ଶୀତାର୍ତ୍ତ ଅରଣ୍ୟର କାକୁସ୍ଥ ଅଙ୍ଗରେ ପ୍ରଥମ ମଳୟର ଶଙ୍କିତ ପଦକ୍ଷେପ ପରି କିଛି ସମୟ ପରେ ସେଇ କୋଠରୀ ଭିତରକୁ ମୃଦୁ ଗତିରେ ଅନେକ ହାଲ୍‍କା ବାସ୍ନାର ହିଲ୍ଲୋଳ ଛୁଟାଇ ଯେଉଁ ଆଗନ୍ତୁକା ଜଣକ ପଶିଆସିଲେ, ତାଙ୍କୁ ସମ୍ମାନ ଦେବାକୁ ହଠାତ୍ ଚେୟାର୍ ଛାଡ଼ି ଉଠିପଡ଼ିଲେ ବନ୍ଧୁ ଚାରି ଜଣ ।

 

ମୁଁ...ମୁଁ...ଅଧ୍ୟାପକ ଶତଦଳ । ଆଉ ଇଏ...ଇଏ...ମୋର ବନ୍ଧୁ...

 

ମୁଁ ଜିଲାପାଳ ରମଣୀରଞ୍ଜନ ।

 

ମୁଁ ଡାକ୍ତର ଶୁଭେନ୍ଦୁମୋହନ ।

 

ମୁଁ ଇଂଜିନିୟର୍ ବିକାଶ ।

 

ଅଧ୍ୟାପକ ଶତଦଳଙ୍କ ପ୍ରତି ପ୍ରଚଣ୍ଡ ଈର୍ଷାରେ ଫାଟିପଡ଼ିବା ପରି ନିଜନିଜର ପରିଚୟ ଏକକାଳୀନ ପ୍ରଦାନ କଲେ ଅନ୍ୟ ତିନୋଟି ବନ୍ଧୁ ।

 

ସେଇ ଚାରି ଜଣ ବନ୍ଧୁଙ୍କର ପରସ୍ପର ଈର୍ଷାର ପୂର୍ଣ୍ଣଚ୍ଛେଦ ଟାଣି ସେଇ ଆଗନ୍ତୁକା ଜଣକ ଏକ ସ୍ମିତ ହାସ୍ୟର ସହିତ ଆପଣାର ପରିଚୟ ପ୍ରଦାନ କଲେ–‘ମୁଁ ମିସ୍ ରେବା । କୁହନ୍ତୁ ମୁଁ ଆପଣମାନଙ୍କର କି ସାହାଯ୍ୟ କରିପାରେ ?’

 

ଶିକ୍ଷା, ସମ୍ମାନ ତଥା ପ୍ରତିପତ୍ତିର ଉଚ୍ଚପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ, ହୋଇ ସମାଜର ସମସ୍ତ ଗୌରବରେ ଗୌରବାନ୍ଵିତ ହେଉଥିବା ସେଇ ବନ୍ଧୁ ଚାରି ଜଣ ହଠାତ୍ ଚୂଡ଼ାନ୍ତ ମାଇଚିଆମିର ପରିଚୟ ଦେଇ ଗୁଡ଼ାଏ ହସିବା ପରେ ସମସ୍ୱରରେ କହିଉଠିଲେ–‘ଆପଣ, ଆଃ ! ବରଂ କୁହନ୍ତୁ ଆମେ ଆପଣଙ୍କର କି ସେବା କରିପାରିବୁ ?’

 

‘ନା, ବରଂ ଆପଣମାନଙ୍କ ସେବାର୍ଥେ ମୁଁ ଏଠାକୁ ଆସିଛି ।’ ଖୁବ୍ ସହଜ ଅଥଚ କିଛିଟା ନାଟକୀୟ ଭଙ୍ଗୀରେ ଉତ୍ତର ଦେଲେ ମିସ୍ ରେବା ।

 

ସେମାନଙ୍କ ମସ୍ତିଷ୍କରେ ସେତେବେଳକୁ ଆରମ୍ଭ ହୋଇ ଯାଇଥିଲା କକଟେଲ୍‍ର ପ୍ରତିକ୍ରିୟା ।

 

ଅଧ୍ୟାପକ ଶତଦଳଙ୍କର ମନେହୋଇଥିଲା–କୌଣସି ଏକ ରାଜ୍ୟର ରାଜକୁମାର ସେ, ନଗରର ଉଦ୍ୟାନ ଭିତରେ ଘୂରିବୁଲି ଭାବି ଚାଲିଛନ୍ତି ଏକ ଅପରିଚିତା ଅଥଚ ପ୍ରତି ରାତ୍ରିର ସ୍ୱପ୍ନରେ ତାଙ୍କ ସହ ମିଳିତ ହେଉଥିବା ବିଦଗ୍‍ଧା ରୂପସୀକୁ । କିନ୍ତୁ ଆଃ, ନିହାତି ଆକସ୍ମିକ ଭାବରେ ସେଇ ରୂପସୀକୁ ଉଦ୍ୟାନର କେଉଁ ଏକ ନିର୍ଜନ ନିଭୃତ ସ୍ଥାନରେ ଭେଟି ସେ ଯେମିତି ପ୍ରଗଳ୍‍ଭ ହୋଇ ଉଠିଲେ–‘ନା, ନା, ରେବା ! ଆଜି ସମଗ୍ର ରାତ୍ରି ପାଇଁ ତମେ ଏକାନ୍ତ ଭାବେ ମୋର ।’ ତା’ପରେ ରେବାର ହାତ ଧରି ଟାଣିବାକୁ ଲାଗିଲେ ।

 

‘ନା, ନା, ରେବା ! ତମେ ମୋର... ।’ ଜିଲ୍ଲାପାଳ ରମଣୀରଞ୍ଜନ ରେବାଙ୍କର ଅନ୍ୟ ହାତଟି ଧରି ଟାଣିବାକୁ ଲାଗିଲେ ।

 

ସେମାନଙ୍କ କବଳରୁ ନିଜକୁ କୌଣସି ପ୍ରକାରରେ ମୁକ୍ତ କରି ରେବା କହିଲା–‘ଆଜି ରାତିକ ପାଇଁ ତ ମୁଁ ସମାନ ଭାବରେ ଚାରି ଜଣଙ୍କର ।

 

ଡାକ୍ତର ଶୁଭେନ୍ଦୁମୋହନ କହିଲେ, ‘ତା’ ହୋଇପାରେନା, ତମେ ଆମ ଚାରି ଜଣଙ୍କ ଭିତରୁ ଯେ କୌଣସି ଜଣକୁ ହିଁ ବାଛିବ ।’

 

‘ସେଇ ଜଣକ ହିଁ ମୁଁ ।’ ନିହାତି ହିଂସ୍ର ଭାବରେ ଅଧ୍ୟାପକ ଶତଦଳ ଛାତି ଉପରକୁ ଟାଣିନେଲେ ରେବାକୁ ।

 

‘ତୁ ???’ ହଠାତ୍ ଇଂଜିନିୟର୍ ବିକାଶ କୁଦିପଡ଼ିଲେ ଶତଦଳଙ୍କ ଉପରକୁ ।

 

ରେବା ଅନେକ ଚେଷ୍ଟାକରି ସେ ଦୁହିଁଙ୍କୁ ଅଲଗା କଲାପରେ କହିଲା–‘ଦେଖନ୍ତୁ, ନିଜ ନିଜ ଭିତରେ କଳି କରିବାଟା ଆଦୌ ଶୋଭନୀୟ ନୁହେଁ । ମୁଁ ତ ସମସ୍ତଙ୍କର ।’

 

‘ନା, ତମେ ମୋର, ଏକାନ୍ତ ଭାବେ ମୋର ।’ ଶତଦଳ ପ୍ରଚଣ୍ଡ ରାଗରେ ଫାଟିପଡ଼ିବା ପରି ଚିତ୍କାର କଲେ ।

 

ସେମିତି ହେଲେ ବରଂ ‘ମୁଁ ଚାଲିଯାଉଛି ।’ ସେଇ ଅଶୋଭନୀୟ ପରିସ୍ଥିତିକୁ କିଛିଟା ଲଘୁ କରିବାକୁ ରେବା ସେଠାରୁ ଚାଲିଯିବାକୁ ବସିଲା ।

 

‘ନା, ମତେ ଛାଡ଼ି ତମେ ଯାଇ ପାରିବନି । ବରଂ ଚାଲ ଆମେ ଦୁହେଁ ସାଙ୍ଗହୋଇ ଚାଲିଯିବା ।’ ଅଧ୍ୟାପକ ଶତଦଳ ରେବାଙ୍କୁ ଅନୁସରଣ କଲେ ।

 

ଅନ୍ୟ ତିନି ବନ୍ଧୁଙ୍କର ମନେହେଲା, ଯେମିତି ସେମାନଙ୍କର ବହୁ କଷ୍ଟଲବ୍‍ଧ କୌଣସି ମୂଲ୍ୟବାନ ପଦାର୍ଥକୁ ଗୋଟାଏ ବର୍ବର ଦୁରନ୍ତ ଦସ୍ୟୁ ଅପହରଣ କରିନେଉଛି ସେମାନଙ୍କର ସମସ୍ତ ପୌରୁଷକୁ ଉପହାସ କରି । ଏ ଉପହାସ ଯେମିତି ଆଦୌ ସହନୀୟ ନୁହେଁ । ଗୋଟିଏ କି ଜ୍ଵଳନର ଜ୍ୱାଳାରେ ସେମାନେ ଜଳି ଯାଉଥିଲେ ଯେମିତି ।

 

‘ଶତଦଳ ବଡ଼ ଅନ୍ୟାୟ କରୁଚି, ଖୁବ୍ ଔଦ୍ଧତ୍ୟ ଦେଖାଉଚି, ଆମେ ଇଆର ପ୍ରତିଶୋଧ ନେବୁ ।’ ଅନ୍ୟ ତିନି ବନ୍ଧୁ ସମସ୍ୱରରେ ଏତକ କହି କୁଦି ପଡ଼ିଲେ ଶତଦଳଙ୍କ ଉପରକୁ ।

 

ତା’ପରେ ସେଇ ପ୍ରକୋଷ୍ଠଟି ପରିଣତ ହେଲା ଏକ ଯୁଦ୍ଧକ୍ଷେତ୍ରରେ । ଅଗଣିତ ସୈନିକଙ୍କର ମୃତାହତ ଦେହ ଏଣେ ତେଣେ ବିକ୍ଷିପ୍ତ ହୋଇ ପଡ଼ିବା ପରି ଚାରିଆଡ଼େ ବିଞ୍ଚିହୋଇ ପଡ଼ିଲା ଚେୟାର୍, ଟେବୁଲ୍, ପେଗ୍ ଆଉ ବଟଲ୍ ।

 

ପ୍ରତିରୋଧ କରିବାକୁ ଅନେକ ଚେଷ୍ଟା କଲେ ବି ତିନି ଜଣଙ୍କର ସମ୍ମିଳିତ ଆକ୍ରମଣରୁ ନିଜକୁ ରକ୍ଷାକରି ପାରିଲେନି ଶତଦଳ । ତାଙ୍କର କ୍ଳାନ୍ତ ଦେହଟା ଅସାଡ଼ ଭାବରେ ଲୋଟିପଡ଼ିଲା ଚଟାଣ ଉପରେ ଏକ ଆର୍ତ୍ତନାଦ ସହ ଆଉ ପ୍ରାଗୈତିହାସିକ ତିନୋଟି ଆଦିମ ଅଧିବାସୀଙ୍କର ସମସ୍ତ ବନ୍ୟତା ନେଇ ସେମାନେ ଶତଦଳଙ୍କ ବେହୋସ୍ ଶରୀରଟାକୁ ବିଧା ଗୋଇଠାରେ ପୋତି ପକାଇଲେ । କିଛି ସମୟ ପରେ ଜିଲାପାଳ ରମଣୀରଞ୍ଜନ ଶତଦଳଙ୍କ ଛାତି ଉପରେ ଠିଆହୋଇ ତାଣ୍ଡବ ନୃତ୍ୟ ଆରମ୍ଭ କରିଦେଲେ ।

 

‘ଆଚ୍ଛା, ବର୍ତ୍ତମାନ ତା’ ଛାତି ଚିରି ଦେଖାଯାଉ, ସେଥିରେ ମିସ୍ ରେବାଙ୍କ ପାଇଁ କେତେ ପ୍ରେମ ଓ ଆମ ପାଇଁ କେତେ ଘୃଣା ସଞ୍ଚିତ ହୋଇ ରହିଛି ।’ ଡାକ୍ତର ଶୁଭେନ୍ଦୁମୋହନ କହିଲେ ।

 

‘ହଁ, ହଁ, ତାହା ହିଁ ହେଉ ।’ ରମଣୀରଞ୍ଜନ ଶତଦଳଙ୍କ ଛାତି ଉପରୁ ତଳକୁ ଡେଇଁପଡ଼ିଲେ ।

 

ଠିକ୍ ତା’ପରେ ଶତଦଳଙ୍କ ପାଟି ଓ ନାକ ଦେଇ ବାହାରି ଆସିଲା ଝଲକା ଝଲକା ହୋଇ ଅନେକ ରକ୍ତ ଏବଂ ସେ ଜିଭ କାମୁଡ଼ି ଖୁବ୍ ବୀଭତ୍ସ ଓ କରୁଣ ଭାବରେ ବେକ ମୋଡ଼ି ଦେଇଥିଲେ ।

 

‘ଇଲୋ ମୋ ବୋଉଲୋ ! ସେ ଯେ ମରିଗଲେ !! ତମେମାନେ ଯେ ତାଙ୍କୁ ମାରିଦେଲ-!!! ପୋଲିସ୍...ପୋଲିସ...’ ଚିତ୍କାର କରି ଦଉଡ଼ି ପଳାଇ ଯାଉଥିବା ଅବସ୍ଥାରେ ପ୍ରକୋଷ୍ଠର ପ୍ରବେଶଦ୍ୱାରରେ ଧକ୍‍କା ଖାଇ ମିସ୍ ରେବା ବେହୋସ୍ ହୋଇ ପଡ଼ିଗଲେ ।

 

ଏଁ ମରିଗଲା !!!’ ଅବଶିଷ୍ଟ ତିନି ବନ୍ଧୁଙ୍କ ମସ୍ତିଷ୍କରୁ ହଠାତ୍ କକଟେଲ୍‍ର ପ୍ରତିକ୍ରିୟା ଅପସାରିତ ହୋଇଗଲା । ସେମାନେ ଦେଖିଲେ, ତାଙ୍କରି ଆଗରେ ଲୋଟିପଡ଼ିଛି ସେମାନଙ୍କର ଅତି ପ୍ରିୟ ଓ ଘନିଷ୍ଠ ବନ୍ଧୁ ଶତଦଳର ମୃତଦେହ ।

 

‘ଆମେ କରିବା କ’ଣ ?’ ପୁଣି ସେମାନଙ୍କ ମିଳିତ କଣ୍ଠରେ ପ୍ରଶ୍ନର ଝଙ୍କାର ।

 

ମିସ୍ ରେବାଙ୍କ ବିକଳ ଚିତ୍କାରରେ ହୋଟେଲ୍ ମ୍ୟାନେଜର ଧାଇଁଆସି ସେମାନଙ୍କୁ ଖୁବ୍ ଭୟକରି ପଚାରିଲା–‘ବର୍ତ୍ତମାନ ଉପାୟ ?’

 

‘ବର୍ତ୍ତମାନ ଉପାୟ ? ଉପାୟ ??’

 

ଅବଶିଷ୍ଟ ତିନି ବନ୍ଧୁଙ୍କର ମୁଁହ ବହୁ ଦିନରୁ କବର ନେଇଥିବା ଏକ ଏକ ଶବର ମୁଁହ ପରି ବିବର୍ଣ୍ଣ ହୋଇଗଲା ।

 

ତଥାପି ସେମାନେ ସେଇ ପରିସ୍ଥିତିକୁ ସାମ୍ନା କରିବାକୁ ଉପାୟ ଚିନ୍ତା କରୁଥିଲେ ।

★★★

 

ପ୍ରଶ୍ନବାଚୀ

 

ସୂର୍ଯ୍ୟ ଉଠିବାକୁ ଅନେକ ଡେରି ଅଛି । ବୋଧହୁଏ ଘଣ୍ଟାଏ ଡେରି । ତନ୍ଦ୍ରିତ ଧରଣୀର ସ୍ଵପ୍ନିଳ ଆଖିରେ ଅନେକ ଭାବରେ ସମାହାର । ତା’ର ତନୁତନିମାରେ ଆଳସ୍ୟର ସୁସ୍ପଷ୍ଟ ଆଭାସ । କେଉଁ ଏକ ଅଜଣା ପୁଷ୍ପିତା ରାଜକନ୍ୟାର ନିଦ୍ରାର ସୁଯୋଗ ନେଇ ନିହାତି ଅଜ୍ଞାତରେ ତା’ର ସୁଗଠିତ ପୃଷ୍ଠଦେଶରୁ ପଣତଟି ଖସିଯାଇ ପାହାନ୍ତିଆ ପବନରେ ଉଡ଼ିବୁଲିବା ପରି ବେଳାଭୂମିର ଶେଷ ଭାଗରେ ସମୁଦ୍ରର ପାଣି ଦୋଳି ଖେଳୁଛି । ଆଉ ସେହି ସୁକୁମାରୀ ରାଜକନ୍ୟାର ତନ୍ଦ୍ରା ଭାଙ୍ଗିବାକୁ ଚେଷ୍ଟା କରୁଥିବା ଅସଂଖ୍ୟ ଭାଟଙ୍କ ପରି ଝାଉଁଗଛଗୁଡ଼ାକ ଗୀତ ବୋଲୁଛନ୍ତି । ହେଲେ ରାଜଜେମା ଶୋଇଛି, ନିଦ ଭାଙ୍ଗିଯାଇଥିଲେ ବି ସେଇମିତି ଆଖିବୁଜି । ସେମାନଙ୍କର ଚାଟୂକ୍ତିରେ ତା’ର ଆଦୌ ଯାଏ ଆସେ ନାହିଁ ।

 

ସେଇ ଉଦ୍ଧତ–ଯୌବନା ରାଜକନ୍ୟା ଗୁଡ଼ାଏ ଗର୍ବ, ଗୁଡ଼ାଏ ଅହମିକା ନେଇ ସ୍ତୁତିଗାନ କରୁଥିବା ଭାଟଗୁଡ଼ାଙ୍କ ଉପରେ ହଠାତ୍ ବିରକ୍ତ ହୋଇଉଠିବା ପରି ଗୁଡ଼ାଏ ସାମୁଦ୍ରିକ ପକ୍ଷୀ କେଁକଟର ହୋଇଉଠି ସମୁଦ୍ର ଉପର ଆକାଶଟାରେ ଉଡ଼ିବୁଲିବାକୁ ଲାଗିଲେ ।

 

ପୂର୍ବଦିଗ ଉଜ୍ଜ୍ୱଳ ହେବାକୁ ଆରମ୍ଭ କଲାଣି । ଆଉ ସାମାନ୍ୟ ପରେ ହୁଏତ ସୂର୍ଯ୍ୟ ଉଠିବ-। ନୀଳ ଆକାଶ ଓ ନୀଳ ପାରାବାରର ସଙ୍ଗମସ୍ଥଳରେ ଯୋଉଠି ମହାନୀଳର ସୃଷ୍ଟି, ସେଇଠି-

 

ରାଜଜେମାର ତନ୍ଦ୍ରା ଭାଙ୍ଗିଲାଣି । ଗହନ ନିଦର ବହଳ ସପନରୁ ମନ ତା’ର ଫେରି ଆସିଲାଣି । ସେ ରାଜଜେମା । ତା’ର ସାମାନ୍ୟ ଇଙ୍ଗିତରେ ଅସଂଖ୍ୟ ନିରୀହ ପ୍ରଜାଙ୍କର ଶେଷ–ଶ୍ୱାସ ବାୟୁମଣ୍ଡଳରେ ମିଳାଇଯିବ ମାତ୍ର ଗୋଟିଏ ମୁହୂର୍ତ୍ତରେ । ସମ୍ପତ୍ତି, ପ୍ରତିପତ୍ତି ଓ ରୂପର ଆଭିଜାତ୍ୟ ନେଇ ଗଠିତ ସେ ଏକ ରାଜକନ୍ୟା । କିନ୍ତୁ ଗତ ରାତ୍ରିରେ ଆପଣାର ଦୈହିକ କ୍ଷୁଧାକୁ ଶାନ୍ତ କରିବା ନିମନ୍ତେ କଟୁଆଳ ପୁଅ ନିକଟରେ ପ୍ରଣୟଭିକ୍ଷା କରୁଥିବା ରକ୍ତମାଂସରେ ଗଠିତ ଏକ ସାଧାରଣ ଝିଅ ସେ ନୁହେଁ । କାରଣ ଗତ ରାତ୍ରିର ମଳିନତା ପ୍ରଭାତର ସ୍ପର୍ଶରେ ଅପସରି ଯାଇଛି । ବର୍ତ୍ତମାନ ସେ ଏକ ରାଜକନ୍ୟା । ତା’ର ଆଭିଜାତ୍ୟ ଅଛି । ଗହଳ ରାତ୍ରିର ବହଳ ଅନ୍ଧକାର ମଧ୍ୟରେ ଏକ ଦୁର୍ବଳ କମଳିନୀ ପରି କବର ନେଲେ ବି ଦିବସରେ ସେ ଏବେ ଏକ କଣ୍ଟକିତ କେତକୀ ।

 

ସେଇ କଣ୍ଟକିତ ବାଡ଼ କାଟି ତା’ର ରକ୍ତିମ ଓଷ୍ଠରୁ ସୁଧାଝରା ମଧୁ ପିଇବାକୁ କେବଳ ଇତର କଟୁଆଳ ପୁଅ କାହିଁକି, ଐଶ୍ୱର୍ଯ୍ୟବାନ୍ ରାଜପୁତ୍ରଗଣ ବି ଶଙ୍କିଯିବେ ।

 

କେବଳ ସେତିକି ନୁହେଁ....

 

ତା’ର ମଦବିହ୍ୱଳିତ ଅଙ୍ଗର ସାମାନ୍ୟ ସ୍ପର୍ଶ ପାଇଁ ଯେତେବେଳେ ଶହ ଶହ ରାଜପୁତ୍ର ପ୍ରତିଯୋଗିତା ଆରମ୍ଭ କରିଦେବେ, ସେତେବେଳେ ହତଭାଗ୍ୟ କଟୁଆଳ ପୁଅ ହତାଶ ଚକ୍ଷୁରେ ଚାହିଁରହିବ କେବଳ । ତା’ର ପ୍ରଶ୍ନିଳ ଚକ୍ଷୁରେ ଗୁଡ଼ାଏ ପ୍ରଶ୍ନ ନେଇ ସେ ଯେତେବେଳେ ଜେମାର ନୟନକୁ ଚାହିଁ ଉତ୍ତରର ଅପେକ୍ଷା କରିବ ସେତେବେଳେ ଜେମାର ଉଦ୍ଧତ ନୟନ ଦୁଇଟି ହୁଏତ ଉତ୍ତର ଦେବ–‘ମୋ ପିତାଙ୍କ ରାଜ୍ୟରେ ଶାନ୍ତି ରକ୍ଷା କରିବାକୁ ତୋ ବାପା ଯେପରି ଏକ ଭୃତ୍ୟ । ସେହିପରି ମୋ ଦେହର କ୍ଷଣିକ କ୍ଷୁଧାକୁ ପ୍ରଶମିତ କରିବା ନିମନ୍ତେ ତୁ ଥିଲୁ ଏକ ଭୃତ୍ୟ । ତଫାତ୍ ଭିତରେ ତୋ ବାପା ତା’ର ପାରିଶ୍ରମିକ ସ୍ୱରୂପ ମୋ ପିତାଙ୍କଠାରୁ ଅର୍ଥ ନିଏ ଆଉ ତୁ ମୋ’ଠାରୁ ନେଉ ଦେହ । ଭୃତ୍ୟ ପୁତ୍ରର ଭୃତ୍ୟତ୍ୱ ହିଁ ପ୍ରାପ୍ୟ, ତା’ଠାରୁ ଅଧିକ କିଛି ନୁହେଁ ।

 

ଲୁହର ମାପକାଠି ପକାଇ ପ୍ରଣୟର ଗଭୀରତା କଳିବାକୁ ଯାଉଥିବା କଟୁଆଳ ପୁଅ ହୁଏତ ସ୍ତବ୍‍ଧ ହୋଇଯିବ । କିନ୍ତୁ ଜେମାର ମନ–ଉପବନରେ ତା’ର କୌଣସି ଚିହ୍ନ ସୁଦ୍ଧା ନ ଥିବ ।

 

ହୁଏତ କୌଣସି ସାମୁଦ୍ରିକ ସର୍ପର ବିଷାକ୍ତ ଶ୍ୱାସରେ ବେଳାଭୂମିଟି କିଛି ସମୟ ପାଇଁ ତା’ ଦେହର ଜ୍ଵଳନ ପ୍ରଶମିତ କରିଥିବ: କିନ୍ତୁ ବର୍ତ୍ତମାନ ତା’ର କୌଣସି ବିଶ୍ଵାସଯୋଗ୍ୟ ନିର୍ଭର ପ୍ରମାଣ ନାହିଁ । ଗତ ରାତ୍ରିର ମଳିନତା ଅନ୍ଧକାର ସହିତ ଅପସରି ଯାଇଛି । ବର୍ତ୍ତମାନ ସେ ସଂପୂର୍ଣ୍ଣ ଅକ୍ଷତ ।

 

ସେଇ ଅକ୍ଷତ ବେଳାକୁ ସର୍ବପ୍ରଥମେ ବିକ୍ଷତ କରି ମୁଁ ବସିଥିଲି ତା’ ଉପରେ ।

 

କୋଣାର୍କର ଡାକବଙ୍ଗଳାଗୁଡ଼ିକଠାରୁ ସମୁଦ୍ରଟି ବେଶ୍ କିଛି ଦୂରରେ ଥିବାରୁ ବେଶି ଲୋକ ତଥାପି ବି ଆସି ନାହାନ୍ତି । ବେଳାଭୂମିରେ ଖେଳି ବୁଲୁଚି ଏକ ଶାନ୍ତ ନୀରବ ବାତାବରଣ ।

 

ଏଇ ସୂର୍ଯ୍ୟ ଉଠିବ......

 

‘ଆଃ, ଆଜିକାର ସୂର୍ଯୋଦୟ କି ଚମତ୍କାର ! କିନ୍ତୁ ଏ ନିର୍ଜନତା ମୋତେ ଆଦୌ ଭଲ ଲାଗେ ନା ।’

 

ଏକ କୋମଳ ଅପରିଚିତ କଣ୍ଠସ୍ୱର ଶୁଣି ମୁଁ ମୋର ଭାବନାରୁ ଫେରିଆସି ଦେଖେ ତ ମୋ ନିକଟରେ ଜଣେ ଅପରିଚିତା ତରୁଣୀ ଠିଆ ହୋଇଛନ୍ତି ।

 

ଆପଣ ଯାହା କୁହନ୍ତୁ ନା କାହିଁକି, ମୁଁ କିନ୍ତୁ ପୁରୀ ସମୁଦ୍ରବେଳାକୁ ଅଧିକ ପସନ୍ଦ କରେ । ବେଳାଭୂମିର ଠିକ୍ ଉପରେ ହୋଟେଲଗୁଡ଼ାକ, ଉଠିବା ସାଙ୍ଗେ ସାଙ୍ଗେ ଯାଇ ପହଞ୍ଚିହେବ । ଆଉ ଏଠି...ବାପରେ ବାପ୍ ! ବାଲିରେ ଚାଲି ଚାଲି ମଣିଷ ନୟାନ୍ତ । ସୂର୍ଯୋଦୟ ଦେଖା ନ ହେଲା ପଛେ-

 

କିଛି ଗୋଟାଏ ଉତ୍ତର ନ ଦେବା ଅଭଦ୍ରତା ହେବ ଭାବି ମୁଁ କହିଲି–’ଯାହା ହେଉ, ଏଠାକାର ଶାନ୍ତ ନୀରବ ବାତାବରଣ କିନ୍ତୁ ସେଠାରେ ଦୁଷ୍ପ୍ରାପ୍ୟ ।’

 

–‘ତେବେ ଆପଣ ଜଙ୍ଗଲକୁ ତପସ୍ୟା କରିବାକୁ ନ ଯାଇ ଏଠି ବସିଚନ୍ତି କାହିଁକି ?’

 

ତାଙ୍କର ଏପରି ଏକ ଅଦ୍ଭୁତ ଓ ଅବାନ୍ତର ପ୍ରଶ୍ନର କୌଣସି ଉତ୍ତର ମୁଁ ଦେଲି ନାହିଁ । କାରଣ ଏଇ ମଧୁର ପ୍ରଭାତର ଶାନ୍ତନୀରବ ବାତାବରଣ ଭିତରେ କୌଣସି ଅପ୍ରୀତିକର ପରସ୍ଥିତି ସୃଷ୍ଟି କରିବାକୁ ମୋର ଆଦୌ ଇଚ୍ଛା ନ ଥିଲା । ମୁଁ ଚାହିଁରହିଲି ଉଦୀୟମାନ ସୂର୍ଯ୍ୟକୁ ଆଉ ମୋର ଦୁଇପାଖର ବାଲୁପନ୍ତାକୁ । ବେଶି ନ ହେଲେ ବି କିଛି ପରିମାଣରେ ଲୋକ ଜମିଗଲେଣି । ଛୋଟ ଝିଅଟିଏ ଗୁଡ଼ିକଙ୍କ ପଛରେ ଗୋଡ଼ାଇ ଗୋଡ଼ାଇ ତା’ ନିକଟତର ହେଲା ବେଳକୁ ସେ ପୁଣି ଉଡ଼ିଯାଉଛି ଦୂରକୁ । ଦୌଡ଼ି ଦୌଡ଼ି ବିଚାରୀ କ୍ଳାନ୍ତ ହୋଇ ପଡ଼ିଲାଣି । ଛୋଟ ପୁଅଟିଏ ବାଲି ହରିଣକୁ ଧରିବା ପାଇଁ ଚେଷ୍ଟା କରୁଛି, କିନ୍ତୁ ପାରୁନି । ତଥାପି ସେ କ୍ଳାନ୍ତ ହୋଇନି । ଆଉ କେତୋଟି ପିଲା–ଟିକେ ଭିତରେ ବାଲିଘର ତୋଳୁଚନ୍ତି । କିନ୍ତୁ ସବୁଥର ବାଲିଘର ଭାଙ୍ଗିପଡ଼ୁଚି ଢେଉର ଆଘାତରେ । ତଥାପି ବି ସେମାନେ ବିରକ୍ତ ନ ହୋଇ ପୁଣି ତୋଳିବାରେ ଲାଗିପଡ଼ୁଛନ୍ତି; କିନ୍ତୁ ସେମାନଙ୍କ ମଧ୍ୟରୁ କେତେକ ସମୁଦ୍ରକୁ ଗାଳିଦେବାକୁ ଆରମ୍ଭ କଲେଣି ।

 

‘ଆଜିକାର ଏଇ କମନୀୟ ପ୍ରଭାତଟିକୁ ନିହାତି ନିଃସଙ୍ଗତା ମଧ୍ୟରେ ନ କଟାଇବା ପାଇଁ ମୁଁ ଆପଣଙ୍କର ସାହାଯ୍ୟ ଲୋଡ଼ୁଚି ଯେତେଦୂର ସମ୍ଭବ ମତେ ନିରାଶ କରିବେ ନାହିଁ ।’

 

‘ମୋର ଶକ୍ତି ଅନୁଯାୟୀ ଆପଣଙ୍କୁ ସାହାଯ୍ୟ କରିବି ନିଶ୍ଚୟ ।’ ସୌଜନ୍ୟ ଦୃଷ୍ଟିରୁ ଉତ୍ତର ଦେଲି ।

 

ସେ ମୋର ପାଖକୁ ଲାଗି ବସିପଡ଼ିଲେ । ଏତେ ପାଖରେ ବସିବେ ବୋଲି ମୁଁ ଆଦୌ ବିଶ୍ଵାସ କରିପାରି ନ ଥିଲି । କାରଣ କୌଣସି ଅପରିଚିତ ତରୁଣର ଏତେ ନିକଟରେ ବସିବାକୁ ଯେ କୌଣସି ଝିଅ ସଂକୋଚ କରିବା କଥା ।

 

‘ଆପଣ ଆଜିକାର ସୂର୍ଯ୍ୟୋଦୟ ଦେଖି କ’ଣ ଅନୁଭବ କରୁଚନ୍ତି ?’ ସେ ମୋତେ ପଚାରିଲେ ।

 

‘ମୁଁ ଅନୁଭବ କରୁଚି ଏକ ଦିବ୍ୟ ଆନନ୍ଦ ଓ ଅବଲୋକନ କରୁଚି ଏକ ନୂତନ ଜ୍ୟୋତିକୁ, ଯାହାକୁ ନେଇ ଆମେ ମିଥ୍ୟା ବିରୁଦ୍ଧରେ ଯୁଦ୍ଧ ଘୋଷଣା କରି ସତ୍ୟ ଓ ଅମୃତର ଅଧିକାରୀ ହୋଇପାରିବା । ତେଣୁ ତ ଋକ୍‍ ବେଦ ସୂର୍ଯ୍ୟୋଦୟର ବନ୍ଦନା କରି ଉଦ୍ଦାତ୍ତ କଣ୍ଠରେ ଗାଇଛି–

 

“ଉଦ୍‍ବୟଂ ତମସସ୍ପରି ଜ୍ୟୋତିଷ୍ପଶ୍ୟନ୍ତ ଉତ୍ତରମ୍”

 

ବେଦଂ ଦେବତ୍ରା ସୂର୍ଯ୍ୟମଗନ୍ମ ଜ୍ୟୋତିରୁତ୍ତମମ୍ ।”

 

ମୋର ଉତ୍ତର ଶୁଣି ସେ ହସିଲେ, ବହୁତ ହସିଲେ । ହସି ହସି ବେଳାଭୂମି ଉପରେ ଲୋଟିପଡ଼ିଲେ ।

 

‘ଏ ପ୍ୟାଣ୍ଟସାର୍ଟ କାହିଁକି ? ଗୈରିକ ବସନ ପିନ୍ଧନ୍ତୁ । କାରଣ ଗୈରିକ ଚିନ୍ତା ତ ଆପଣଙ୍କ ମନରେ ।’ ସେ ମନ୍ତବ୍ୟ ଦେଲେ ।

 

‘ଆପଣଙ୍କୁ କୋଣାର୍କର ଚାରୁକଳା ମୁଗ୍‍ଧ କରିଚି କି ?’ ସେ ପୁଣି ପ୍ରଶ୍ନ କଲେ ।

 

‘ହଁ ।’ ଏକ ସଂକ୍ଷିପ୍ତ ଉତ୍ତର ଦେଲି ।

 

‘ଆଉ ସେ ଅଶ୍ଳୀଳ ମୂର୍ତ୍ତିଗୁଡ଼ାକ... ?’

 

ମୁଁ ଚମକି ଉଠିଲି । ପୁରୁଷ ହେଲେ ବି ଏକ ନାରୀସୁଲଭ ଲଜ୍ଜା ମୋ ମୁଖମଣ୍ଡଳକୁ ରକ୍ତିମ କରିଦେଲା । ଜଣେ ଅପରିଚିତ ତରୁଣୀ ଯେ କେବେ ଏପରି ପ୍ରଶ୍ନ ପଚାରି ପାରନ୍ତି, ତା’ ମୁଁ ବିଶ୍ୱାସ କରିପାରି ନ ଥିଲି । ଅଥଚ ସେ ନିର୍ଲିପ୍ତ ଭାବରେ ହସୁଥିଲେ ।

 

ମୁଁ ଉଠି ଠିଆହେଲି ।

 

‘ଆରେ, ଆପଣ ଫେରିବା ପାଇଁ ଠିଆ ହେଲେଣି ବୋଧେ ? କିନ୍ତୁ କହିଲେନି ତ ସେଇ ମୂର୍ତ୍ତିଗୁଡ଼ିକ ଆପଣଙ୍କ ମନରେ କି ପ୍ରଭାବ ପକାଇଚନ୍ତି ? ବିରହ-ବିଧୁର ଶିଳ୍ପୀପ୍ରାଣର ଦୈହିକ କାମନା ତା’ର ସମସ୍ତ ଚେତନାକୁ ଗ୍ରାସ କଲା ପରେ ଏଇସବୁ ଅଶ୍ଳୀଳ ମୂର୍ତ୍ତିର ସୃଷ୍ଟି ନିଶ୍ଚୟ ।”

 

ସଙ୍ଗାରୀଚେତ୍ ଶିଳ୍ପୀମାନର ସେଇସବୁ ରସୋତ୍ତୀର୍ଣ୍ଣ ଅବଦାନ ସମ୍ପର୍କରେ ତାଙ୍କ ସହିତ ଆଲୋଚନା କରିବାର ସପକ୍ଷରେ ମୁଁ ନ ଥିଲି । ତେଣୁ ଦୃଢ଼ ପ୍ରତିବାଦ ଜଣାଇ କହିଲି–‘ନା, ଭକ୍ତର ଭକ୍ତି ପରୀକ୍ଷା କରିବା ନିମନ୍ତେ । ମଣିଷ ତା’ର ପ୍ରାଣମୟ ଆବେଗକୁ ନେଇ ଏକାଠି ଭୁଲିଯିବ ନା, ପ୍ରକୃତରେ ଭକ୍ତିର ପରାକାଷ୍ଠା ନେଇ ଦେବତାର ଦର୍ଶନ କରିବ ?’

 

‘ଆପଣ ଭାରି ପ୍ରାଚୀନପନ୍ଥୀ ।’ ସେ ପୁଣି ହସି ଉଠିଲେ ।

 

ମୁଁ ଫେରି ଆସିବାକୁ ଲାଗିଲି । ସେ ମଧ୍ୟ ମୋ ପଛେ ପଛେ ଆସିଲେ ।

 

ଆଜିର ଏଇ ସୁନ୍ଦର ସକାଳଟା କେବଳ ଆପଣଙ୍କ ପାଇଁ ନଷ୍ଟ ହୋଇଗଲା । ସେ ମୋତେ ଆକ୍ଷେପ କରି ନାନା ପ୍ରକାର ଅବାନ୍ତର ପ୍ରଶ୍ନ ପଚାରିବାକୁ ଲାଗିଲେ । ଭଦ୍ରତା ଦୃଷ୍ଟିରୁ ମୁଁ କେବଳ ସଂକ୍ଷିପ୍ତ ଉତ୍ତର ଦେଇ ସେଇ ପ୍ରଶ୍ନଗୁଡ଼ିକୁ ଏଡ଼ାଇବାକୁ ଯଥାସମ୍ଭବ ଚେଷ୍ଟା କରୁଥାଏ ।

 

ଶେଷରେ ଆମେ ଝାଉଁବନ ଅତିକ୍ରମ କରି କୋଣାର୍କର ଡାକବଙ୍ଗଳା ଓ ବଜାରର ନିକଟବର୍ତ୍ତୀ ହେଲୁ । ହଠାତ୍ ସେ କଥାବାର୍ତ୍ତା ବନ୍ଦ କରି ଖୁବ୍ ଗମ୍ଭୀର ହୋଇ ଚାଲିବାକୁ ଲାଗିଲେ । ମୁଁ ଭଗବାନଙ୍କୁ ଧନ୍ୟବାଦ ଜଣାଇଲି ।

 

‘ଆଜିର ଦିବସଟି ଆପଣଙ୍କ ପକ୍ଷେ ଶୁଭପ୍ରଦ ହେଉ ।’ ଡାକବଙ୍ଗଳା ନିକଟରେ ତାଙ୍କଠାରୁ ଅଲଗା ହେବାର ପ୍ରାକ୍‍କାଳରେ ଭଦ୍ରତା ଦୃଷ୍ଟିରୁ ବିଦାୟ ସମ୍ଭାଷଣ ଜଣାଇଲି ।

 

‘ଆପଣ ଜଣେ ଶିକ୍ଷିତ ନିଶ୍ଚୟ ।’ ସେ ଟିକେ ଚଢ଼ାଗଳାରେ ଆରମ୍ଭ କଲେ, ‘କିନ୍ତୁ ଜଣେ ଅପରିଚିତା ତରୁଣୀ ସହିତ ଏପରି ବ୍ୟବହାର ! ଛି, ଛି, ଚରିତ୍ର ସଂଶୋଧନ କରିବାକୁ ଦୃଷ୍ଟି ଦିଅନ୍ତୁ-।’

 

ତାଙ୍କ ନିକଟରେ ମୁଁ କେମିତି ସାନ ହୋଇଗଲି । ବ୍ୟବହାରରେ ଆଶ୍ଚର୍ଯ୍ୟ ବି ହେଲି । କିନ୍ତୁ ଅନେକ କିଛି କହିବାକୁ ଇଚ୍ଛା କରୁଥିଲେ ବି କିଛି କହିପାରିଲି ନି । କେବଳ ଚାହିଁ ରହିଥିଲି ତାଙ୍କର ଗମ୍ଭୀର ଭାବଭଙ୍ଗୀକୁ ।

 

ସେତେବେଳକୁ ମୋ ପାଖରେ ଅନେକ ଲୋକ ଜମି ଯାଇଥିଲେ ।

★★★

 

Unknown

ନୀଳହ୍ରଦର ପ୍ରଶ୍ନ

 

ସମସ୍ତ ଉଦ୍ୟମ ସତ୍ତ୍ୱେ ମଧ୍ୟ ଆମ ଦୁହିଁଙ୍କୁ ପରସ୍ପରଙ୍କ ଘରେ ପରିଷ୍କାର ଭାବରେ ଜଣାଇ ଦିଆଗଲା–ସୁଜାତା ସହିତ ମୋର ବିବାହ ସମ୍ପୂର୍ଣ୍ଣ ଅସମ୍ଭବ । ମୁଁ ବିଚଳିତ ହୋଇପଡ଼ିଲି ଏବଂ ସୁଜାତାର ଦୁଇ ଚକ୍ଷୁ ପ୍ଳାବିତ କରି ବୋହି ଚାଲିଥିଲା ଅବାରିତ ଅଶ୍ରୁଧାରା ।

 

....ଆମେ ପରସ୍ପରଠାରୁ ବିଚ୍ଛିନ୍ନ ନ ହେବାକୁ ପୁଣି ଥରେ ଶପଥ ନେଲୁ ।

 

ମୁଁ ସୁଜାତା ର ହାତ ଦୁଇଟି ଚାପି ଧରି ଆବେଗଭରା କଣ୍ଠରେ ହଠାତ୍ କହିଉଠିଲି–ଚାଲ, ଆମେ ଏଠୁ ବହୁଦୂରକୁ ଚାଲିଯିବା । ଯେଉଁ ପିତାମାତା ପୁତ୍ରକନ୍ୟାଙ୍କ ହୃଦୟ ବୁଝିବାକୁ ଚେଷ୍ଟା ନ କରନ୍ତି, ସେପରି ପିତାମାତାଙ୍କର ଆମେ ବାଧ୍ୟ ହେବା କାହିଁକି ?

 

କିଛି ସମୟ ପାଇଁ ସୁଜାତା ଛଳ ଛଳ ଆଖିରେ ଖୁବ୍ କରୁଣ ଭାବରେ ମୋତେ ଚାହିଁରହିଲା । ସେଇ ଦୃଷ୍ଟିରେ ମୋ ପ୍ରତି ଥିଲା ତା’ର ଅନେକ ଅନୁରକ୍ତି, ଯଥେଷ୍ଟ ସହାନୁଭୂତି । ସେଇ ଦୃଷ୍ଟିର ଅନ୍ତରଙ୍ଗତାରେ ମୁଁ ଆତ୍ମ–ବିସ୍ମୃତ ହୋଇପଡ଼ିଲି । ମୋର ମନେହେଲା, ଏକ ନିର୍ଜନ ନୀଳ-ହ୍ରଦ ତୀରରେ ମୁଁ ଠିଆ ହୋଇଛି କେଉଁ ଏକ ଗଭୀର କ୍ଷତର ବେଦନାକୁ ହୃଦୟରେ ଧରି । ସେ ବେଦନା ମୋର ଏକାନ୍ତ ଅନ୍ତରଙ୍ଗ, ସମ୍ପୂର୍ଣ୍ଣ ନିଜସ୍ଵ ।

 

ମୁଁ ଗଭୀର ଦୀର୍ଘଶ୍ଵାସ ସହ ସୁଜାତାର ଓଷ୍ଠରେ ଚୁମ୍ବନର ମୃଦୁସ୍ପର୍ଶ ଦେଲି ।

 

ସାମାନ୍ୟ ପରେ ସୁଜାତା ଖୁବ୍ କରୁଣ ଭାବରେ ମୋ ଓଷ୍ଠରେ ପ୍ରତିଚୁମ୍ବନ ଦେଇ କହିଲା–ଆଜି ହୁଏତ ତାରୁଣ୍ୟର ଏଇ ଦୁର୍ବଳ ମୁହୂର୍ତ୍ତରେ ଅବାଧ୍ୟ ହୋଇ ଆମେ ପିତାମାତାଙ୍କୁ ଫାଙ୍କି ଦେବା । କିନ୍ତୁ କୁହ, କାଲି ଯେତେବେଳେ ଆମରି ସନ୍ତାନ ଆମର ଅବାଧ୍ୟ ହେବେ, ଆମେ କ’ଣ ତାଙ୍କୁ ନିର୍ବାଚାରରେ ସହ୍ୟ କରିପାରିବା ?

 

ସୁଜାତାର ପ୍ରଶ୍ନ ମୋତେ ନିର୍ବାକ୍ କରିଦେଲା ଆଉ ସେ ମୋର ଛାତି ଉପରେ ଲୋଟିପଡ଼ି କାନ୍ଦିଉଠିଲା ।

★★★

 

ପୁନରାବୃତ୍ତି

 

ତଥାପି ସେମାନଙ୍କୁ କ୍ଷମା କରିବାକୁ ହେବ: ପୁତ୍ର ନିକଟରେ ଦୃଢ଼ ଅଥଚ କରୁଣ ସ୍ଵରରେ ଘୋଷଣା କଲେ ବେଣୀମାଧବ । ବାପାଙ୍କର ଏ ଘୋଷଣା ପରେ ଆଉ ଅଧିକ ମୁକ୍ତି କରିବାକୁ ସାହସ ପାଇ ନ ଥିଲା ଅଶ୍ଵିନୀ ।

 

ଅତୀତରେ ସେମାନେ କରିଥିବା ସମସ୍ତ ଦୋଷ ଓ ଅତ୍ୟାଚାରକୁ ଭୁଲିଯାଇ ବର୍ତ୍ତମାନର ପରିସ୍ଥିତିରେ ସେମାନଙ୍କୁ ସ୍ଵାଗତ ଓ ଅଭିନନ୍ଦନ ଜଣାଇବା ଆମର କର୍ତ୍ତବ୍ୟ । ଯାହାହେଲେ ବି ସେମାନେ ଆମର ସମ୍ମାନନୀୟ ଅତିଥି । ଅତିଥି ହିନ୍ଦୁ ଗୃହସ୍ଥର ଦେବତା ସଦୃଶ । ତୁ ଯାଇ ସେମାନଙ୍କୁ ଫେରାଇଆଣ ଅଶ୍ଵିନୀ, ବୋଧହୁଏ ସେମାନେ ବେଶି ବାଟ ଯାଇ ନ ଥିବେ ।

 

ବାପାଙ୍କର ଏ ଆଦେଶ ପାଳନ କରିବାକୁ ଇଚ୍ଛା ନଥିଲେ ବି ପାଦ ଘୋଷାରି ଘୋଷାରି ସେ ବାହାରିଗଲା ସେମାନଙ୍କୁ ଫେରାଇ ଆଣିବାକୁ ।

 

ଅଶ୍ଵିନୀର ଯିବା ପଥକୁ ଚାହିଁ ସାମାନ୍ୟ ହସିଲେ ବେଣୀମାଧବ । ସେ ହସରେ ପୁତ୍ରର ଯୁକ୍ତି ପ୍ରତି ଯେତିକି ସମର୍ଥନ ଥିଲା, ସେଇ ହତଭାଗ୍ୟମାନଙ୍କ ପ୍ରତି ଥିଲା ସେତିକି ଆନ୍ତରିକତା । ଅଶ୍ଵିନୀର ଯୁକ୍ତିକୁ ସଂପୂର୍ଣ୍ଣ ଫାଙ୍କି ଦେଇ ହୁଏନା, ତଥାପି ମାନବିକତା ଓ ଆଦର୍ଶବୋଧ ଦୃଷ୍ଟିରୁ ସେମାନଙ୍କୁ କ୍ଷମା ଦିଆଯିବା ଉଚିତ ।

 

ଏଇ ମାନବିକତା ଓ ଆଦର୍ଶବୋଧକୁ ନେଇ ଅଶ୍ଵିନୀ ସହିତ ଯୁକ୍ତି କରିଥିଲେ ସେ । କିନ୍ତୁ ବାଧ୍ୟ ପୁତ୍ର ଅଶ୍ଵିନୀ ତା’ ଜୀବନରେ ପ୍ରଥମ ଥର ପାଇଁ ଏଇ ଦୁଇଟି କଥାକୁ ହସରେ ଉଡ଼ାଇଦେଇ ଚେତାଇ ଦେଇଥିଲା ତାଙ୍କ ଅତୀତ ଓ ବର୍ତ୍ତମାନ ସମ୍ପର୍କରେ ।

 

ବେଣୀମାଧବଙ୍କ ମନେପଡ଼ୁଥିଲା ନିଷ୍ଠୁର ନିର୍ମମ ଅତୀତର ସେହି ଅବିସ୍ମରଣୀୟ ଜଘନ୍ୟ ସ୍ମୃତି......

 

ଆଜି ଏଠାରେ ସ୍ଥାୟୀ ଭାବରେ ବସବାସ କରିବାକୁ ଆରମ୍ଭ କରି ଦେଇଥିଲେ ବି ଏହା ତାଙ୍କର ଜନ୍ମସ୍ଥାନ ନୁହେଁ । ଯଦି ଓ ଏଠାକାର ପାଣି ପବନରେ ତାଙ୍କର ଶେଷ ନିଶ୍ଵାସ ଟିକକ ମିଳାଇଯିବ, ତଥାପି ତାଙ୍କର ଶୈଶବ, କୈଶୋର ତଥା ଯୌବନର ଅନେକ ଅଭୁଲା ସ୍ମୃତି ସହିତ ଏ ମାଟି ଜଡ଼ିତ ନୁହେଁ ।

 

ବେଣୀମାଧବଙ୍କର ଭାରତ ଆଗମନ ସମଗ୍ର ମାନବସମାଜ ପାଇଁ ଏକ ଲୋମହର୍ଷଣକାରୀ ମର୍ମନ୍ତୁଦ ଇତିହାସର ଗୋଟାଏ କଳଙ୍କିତ ଅଧ୍ୟାୟ । କେବଳ ସେ ନୁହନ୍ତି, ତାଙ୍କରି ପରି ଲକ୍ଷ ଲକ୍ଷ ଲୋକ ପ୍ରିୟ ଜନ୍ମମାଟିର ମାୟାମମତା ତୁଟାଇ ଧାଇଁ ଆସିଥିଲେ ଭାରତର ବିଭିନ୍ନ ଅଞ୍ଚଳକୁ ।

 

ବେଣୀମାଧବ ଆଜିକୁ ପଚାଶ ବର୍ଷ ତଳେ ଜନ୍ମ ନେଇଥିଲେ ଢାକା ନିକଟବର୍ତ୍ତୀ ଏକ ସମ୍ଭ୍ରାନ୍ତ ଗ୍ରାମର ଅଭିଜାତସଂପନ୍ନ ରାୟଚୌଧୁରୀ ବଂଶରେ ଯେଉଁ ବଂଶର ଅଧୀନରେ ବହୁ ସ୍ଥାନର ଜମିଦାରୀ ତାଙ୍କ ଯୌବନର ମଧ୍ୟାହ୍ନରେ ଘଟିଥିବା ସେଇ ଦାରୁଣ ଦୁର୍ବିପାକ ପର୍ଯ୍ୟନ୍ତ ସୁଦ୍ଧା ସୁରକ୍ଷିତ ଥିଲା.....

 

ତାଙ୍କର ଜନ୍ମ....

 

ସ୍ଵୀୟ ଜନ୍ମବୃତ୍ତାନ୍ତ ସେ ଧାଈମା’ଙ୍କ ନିକଟରୁ ବହୁବାର ଶୁଣିଛନ୍ତି । ବହୁ ବିଳମ୍ବରେ ସେ ଜନ୍ମ ନେଇଥିଲେ ଇଷ୍ଟଦେବ ‘ଯୁଗଳକିଶୋରୀ’ଙ୍କର ଆଶୀର୍ବାଦ ଫଳରେ । ସେଦିନ କୁଆଡ଼େ ପିତା ତାଙ୍କର ମୁକ୍ତହସ୍ତରେ ଦାନ କରିଥିଲେ ପାଖ ଆଖର ଅନେକ କାଙ୍ଗାଳ ଓ ଭିକ୍ଷାର୍ଥୀଙ୍କୁ; ସ୍ଵହସ୍ତରେ ଅନ୍ନ–ବ୍ୟଞ୍ଜନ ପରିବେଷଣ କରିଥିଲେ ବହୁ ବୁଭୁକ୍ଷୁଙ୍କ ପତ୍ରରେ । ସେଦିନ କୁଆଡ଼େ ତାଙ୍କ ଜନ୍ମ ଉପଲକ୍ଷେ ଦେବ–ମନ୍ଦିରରେ ବହୁ ସମୟ ପର୍ଯ୍ୟନ୍ତ ପୂଜା ଅର୍ଚ୍ଚନା ଚାଲିଥିଲା, ମସ୍‍ଜିଦରେ ଅନୁଷ୍ଠିତ ହୋଇଥିଲା ବିଶେଷ ପ୍ରାର୍ଥନାସଭା । ଜନ୍ମର ଏକବିଂଶତି ଦିବସରେ କୁଳପୁରୋହିତ ଓ ମୌଲାନା ଉଭୟ ବେଣୀମାଧବଙ୍କ ପିତାଙ୍କ ନିକଟରୁ ଅନେକ ଉପହାର ସହିତ ପାଇଥିଲେ ବହୁ ନିଷ୍କର ଜାଗିରି ।

 

ଏସବୁ ଧାଇମା’ଙ୍କର ଗାଲୁ ଗଳ୍ପ ନୁହେଁ । ପରବର୍ତ୍ତୀ ଜୀବନରେ ଏସବୁର ଯଥେଷ୍ଟ ପ୍ରମାଣ ପାଇଛନ୍ତି ବେଣୀମାଧବ। ସେ ନିଜେ ଦେଖିଛନ୍ତି–ପ୍ରତିବର୍ଷ ତାଙ୍କ ଜନ୍ମୋତ୍ସବ ଦିନ ମନ୍ଦିରରେ ଦେବାର୍ଚ୍ଚନା ସହିତ ମସ୍‍ଜିଦରେ ବିଶେଷ ପ୍ରାର୍ଥନାସଭା ଅନୁଷ୍ଠିତ ହେବା । ପୁରୋହିତ ଓ ମୌଲାନା ଉଭୟ ଆସି ତାଙ୍କୁ ଆଶୀର୍ବାଦ କରିଯାନ୍ତି ସେଦିନ । ନିକଟସ୍ଥ ଅଞ୍ଚଳର ବହୁ ବୁଭୁକ୍ଷୁ ଓ କାଙ୍ଗାଳମାନଙ୍କୁ ତାଙ୍କ ଜନନୀ ସ୍ଵହସ୍ତରେ ଖାଦ୍ୟ ପରିବେଷଣ କରନ୍ତି ଏକ ସ୍ଵତନ୍ତ୍ର ଭୋଜିରେ । ସେଇଦିନ ରାତ୍ରିରେ ବହୁ ହିନ୍ଦୁ ଓ ମୁସଲମାନ୍ ଭଦ୍ରବ୍ୟକ୍ତି ନିମନ୍ତ୍ରିତ ହୁଅନ୍ତି ‘ସତ୍ୟନାରାୟଣ’ଙ୍କ ପ୍ରସାଦ ସେବନ କରିବା ନିମନ୍ତେ ।

 

କେବଳ ଜନ୍ମଦିନରେ ଯେ ବହୁ ହିନ୍ଦୁ ଓ ମୁସଲମାନ୍ ଭଦ୍ରବ୍ୟକ୍ତି ତାଙ୍କ ଗୃହରେ ଏକତ୍ର ହୁଅନ୍ତି ତାହା ନୁହେଁ, ଦଶହରା ଓ ଦୋଳୋତ୍ସବରେ ବହୁ ମୁସଲମାନ ଭଦ୍ରବ୍ୟକ୍ତି ନିମନ୍ତ୍ରିତ ହୁଅନ୍ତି ତାଙ୍କ ଉଆସକୁ । ସେ ମଧ୍ୟ ପିତାଙ୍କ ସହିତ ମହରମ୍ ଇତ୍ୟାଦି ପର୍ବରେ ପଡ଼ୋଶୀ ମୁସଲମାନ୍ ଭାଇମାନଙ୍କର ନିମନ୍ତ୍ରଣ ରକ୍ଷା କରିଛନ୍ତି ।

 

କିନ୍ତୁ ନିଷ୍ଠୁର ଅତୀତର ସେହି ରକ୍ତପାୟୀ ଜଘନ୍ୟ ମୁହୂର୍ତ୍ତ...ଆଃ !

 

ଯାହାର ନାରକୀୟ ସ୍ମୃତି ମନେପଡ଼ିଲେ ଏବେ ବି ତାଙ୍କର ଶରୀର ପ୍ରଚଣ୍ଡ ଘୃଣାରେ କମ୍ପି ଉଠେ । ସେଇ ଜଘନ୍ୟ ମୁହୂର୍ତ୍ତର ପ୍ରାକ୍–କାଳ ଥିଲା ଏକ ଅପୂର୍ବ ସଂଗଠନର ଯୁଗ । ସେତେବେଳେ ଅଖଣ୍ଡ ଭାରତର ସ୍ଵାଧୀନତା ବ୍ୟତୀତ ଅନ୍ୟ କିଛି ସେମାନଙ୍କର କାମ୍ୟ ନଥିଲା । ମହାତ୍ମା ଗାନ୍ଧିଙ୍କର ନେତୃତ୍ଵରେ ପରିଚାଳିତ ସ୍ଵାଧୀନତା ସଂଗ୍ରାମରେ ତାଙ୍କରି ପରି ଅନେକ ହିନ୍ଦୁ ଓ ମୁସଲମାନ୍ ଯୁବକ ହୋଇଥିଲେ ଅଗ୍ରଣୀ ସୈନିକ । କିନ୍ତୁ ପରେ ଯେତେବେଳେ ବହୁ ବାଞ୍ଛିତ ସ୍ଵାଧୀନତା ମିଳିବାର ସମସ୍ତ ସମ୍ଭାବନା ଓ ପ୍ରତିଶ୍ରୁତି ଫଳପ୍ରଦ ହେବାକୁ ଗଲା, ସେତେବେଳେ ଇଂରେଜ ସରକାରଙ୍କର କୂଟନୀତି ତଥା ଜିନ୍ନା ଇତ୍ୟାଦି କେତେକ ନ୍ୟସ୍ତସ୍ୱାର୍ଥ ମୁସଲମାନ ନେତାଙ୍କର ହୀନ ଚକ୍ରାନ୍ତ ଫଳରେ ଧର୍ମୀୟ ବିଭ୍ରାନ୍ତିର ଦ୍ୱାହି ଦେଇ ଗୃହ ବିପ୍ଳବ ଆରମ୍ଭ ହେଲା ଅଖଣ୍ଡ ଭାରତକୁ ବିଖଣ୍ଡିତ କରିବା ପାଇଁ ଶେଷକୁ ତାହା ହିଁ ହେଲା । କୌଣସି ବିଶେଷ ଭୌଗୋଳିକ ପରିସ୍ଥିତି ପାଇଁ ନୁହେଁ, କେବଳ କ୍ଷମତା ଲାଳସାର ହୀନ ଷଡ଼ଯନ୍ତ୍ର ଫଳରେ ଧର୍ମକୁ ଆଳକରି ସୃଷ୍ଟି କରାଗଲା ‘ପାକିସ୍ଥାନ’ ରାଷ୍ଟ୍ର । ତା’ପରେ ସେଇ ଧର୍ମ ନାମରେ ଯେତେସବୁ ବିବାଦ, ନରହତ୍ୟା, ଲୁଟ୍‍ତରାଜ୍, ଧର୍ଷଣ...ଓଃ !

 

ଭାଇ ଭାଇକୁ ଭୁଲିଗଲା । ଭୁଲିଗଲା ସେମାନଙ୍କ ମଧ୍ୟରେ ଥିବା ସ୍ନେହ, ସୌହାର୍ଦ୍ଦ୍ୟ । ସେତେବେଳେ ମଣିଷ ଆଉ ମଣିଷ ହୋଇ ରହିଲା ନାହିଁ, ତା’ ଭିତରେ ଥିବା ପଶୁତ୍ୱ ଚେଇଁ ଉଠିଲା-। ନା, କେବଳ ପଶୁ ହୋଇ ମଣିଷ ସନ୍ତୁଷ୍ଟ ରହିଲା ନାହିଁ, ସେ ହେଲା ଆହୁରି ଜଘନ୍ୟ, ଆହୁରି ବର୍ବର ପାଷାଣ୍ଡ ଗୋଟାଏ ଗୋଟାଏ ରକ୍ତପିପାସୁ ରାକ୍ଷସ ।

 

ତାଙ୍କର ଠିକ୍ ମନେଅଛି, ଯେଉଁ ମୁସଲମାନ ଭାଇମାନଙ୍କ ନିକଟରେ ସେମାନେ ପରମ ସମ୍ମାନନୀୟ ଓ ଆଦରଣୀୟ ଥିଲେ ସେଇମାନେ ତାଙ୍କ ଘରେ ପଶି ଲୁଟ୍‍ତରାଜ ଓ ପୋଡ଼ାଜଳା ଆରମ୍ଭ କରିଥିଲେ । ଆଉ ମୌଲାନା, ଯିଏ ତାଙ୍କ ଜନ୍ମ ସମୟରେ ମସ୍‍ଜିଦରେ ବିଶେଷ ପ୍ରାର୍ଥନସଭା ଅନୁଷ୍ଠିତ କରାଇ ଯଥେଷ୍ଟ ଉପହାର ପାଇଥିଲେ, ସେଇ ସେଦିନ ନିର୍ମମ ଭାବରେ ହତ୍ୟା କରିଥିଲେ ବେଣୀମାଧବଙ୍କ ବୃଦ୍ଧ ପିତାଙ୍କୁ । ମା’ ତାଙ୍କର ମୂର୍ଚ୍ଛା ଯାଇଥିଲେ ଇଷ୍ଟଦେବ ‘ଯୁଗଳକିଶୋର’ଙ୍କର ବିଗ୍ରହ ନିକଟରେ ଏବଂ ସେଇ ପାଷଣ୍ଡମାନଙ୍କ ମଧ୍ୟରୁ କେତେଟା ‘ଯୁଗଳକିଶୋର’ଙ୍କର ବିଗ୍ରହଟାକୁ କଚିଦେଇଥିଲେ ତାଙ୍କ ମା’ଙ୍କର କପାଳ ଉପରେ । ଭକ୍ତାର ରକ୍ତରେ ଅବଗାହନ କରିଥିବା ଦେବତାଙ୍କ ବିଗ୍ରହର ଚମତ୍କାର ଦୃଶ୍ୟ ଅବଲୋକନ କରିବାର ସାହାସ କିମ୍ବା ପିତାମାତାଙ୍କ ଶବ ସତ୍କାର କରିବା ପାଇଁ ସମୟ କିନ୍ତୁ ନ ଥିଲା ବେଣୀମାଧବଙ୍କର । ସେ ସ୍ତ୍ରୀ ଏବଂ ଶିଶୁପୁତ୍ର ଅଶ୍ଵିନୀ ସହିତ ପ୍ରାଣବିକଳରେ ପଳାଇ ଆସୁ ଆସୁ ସ୍ତ୍ରୀ ତାଙ୍କର ଅପହୃତା ହେଲେ ସେଇ ବର୍ବରମାନଙ୍କରଦ୍ଵାରା ।

 

ତା’ପରେ...ତା’ପରେ ଶିଶୁପୁତ୍ର ଅଶ୍ଵିନୀ ସହିତ ତାଙ୍କର ଭାରତ ଆଗମନ ଏକ ଅଶ୍ରୁଳ ଉପାଖ୍ୟାନ ।

 

ଅଶ୍ଵିନୀ ନ ଥିଲେ ବୋଧହୁଏ ଜୀବନ ତାଙ୍କର ଦୁର୍ବିସହ ହୋଇ ଉଠିଥାନ୍ତା । ତାକୁ ହିଁ ମଣିଷ କରିବା ପାଇଁ ବହୁ ଅଭାବ ଓ ଅସୁବିଧା ଏଡ଼ାଇ ଶେଷରେ ସେ ମଣିଷ ପରି ବଞ୍ଚିବାକୁ ସମର୍ଥ ହେଲେ ।

 

କିନ୍ତୁ ଆଜି...

 

ଆଜି ଇତିହାସ ପୁଣି ପୁନରାବୃତ୍ତି କରିଛି ।

 

ଯେଉଁଦିନ ଢାକାର ବେତାର ମୁକ୍ତିର ଘୋଷଣା କଲା, ଘୋଷଣା କଲା ସ୍ଵାଧୀନ ବଙ୍ଗ୍‍ଲାର ଜନ୍ମ ସେଦିନ କିପରି ଆଶ୍ଚର୍ଯ୍ୟବୋଧ କଲେ ବୃଦ୍ଧ ବେଣୀମାଧବ । ଯଦିଓ ସେ ଜାଣିଥିଲେ, ପୂର୍ବପାକିସ୍ଥାନର କୌଣସି ସ୍ଵାତନ୍ତ୍ର୍ୟ ନାହିଁ ବରଂ ତାହା ପଶ୍ଚିମ ପାକିସ୍ଥାନର ଏକ ଉପନିବେଶ ମାତ୍ର ଏବଂ ସେଠାକାର ଜନସାଧାରଣ ପଶ୍ଚିମ–ପାକିସ୍ଥାନର ନ୍ୟସ୍ତ–ସ୍ଵାର୍ଥ, କ୍ଷ–ତାଲିପ୍‍ସୁ କେତେକ ରାଜନୈତିକ ବ୍ୟକ୍ତିଙ୍କର କ୍ରୀଡ଼ନକ ମାତ୍ର, ତଥାପି ତାଙ୍କର ଧାରଣା ନ ଥିଲା ଯେ, ସେମାନେ ପ୍ରକୃତରେ କେବେ ଜାଗ୍ରତ ହୋଇ ବିଶ୍ଵ ସମ୍ମୁଖରେ ଆପଣା ମୁକ୍ତିର ଦାବୀ ଉପସ୍ଥାପିତ କରିପାରିବେ ବୋଲି ।

 

ସେଦିନ ସେ ସ୍ୱସ୍ତିର ନିଶ୍ୱାସ ପକାଇ ଭାବିଲେ–ଆଃ ! ହତଭାଗ୍ୟମାନେ ଏବେ ବୁଝିଲେ ଧର୍ମ ଆଳରେ ଦିନେ ସେମାନଙ୍କୁ କାବୁ କରାଯାଇଥିଲା, ସେମାନଙ୍କୁ ଚିରପଦାନତ କରି ରଖିବା ପାଇଁ ଜଘନ୍ୟ ବ୍ୟକ୍ତିମାନଙ୍କର ସେସବୁ ହୀନ ଚକ୍ରାନ୍ତ ଥିଲା ବୋଲି ।

 

ତା’ପରେ ପାକିସ୍ଥାନର ହିଂସ୍ର ତାଣ୍ଡବ ଲୀଳା ସ୍ଵାଧୀନ ବଙ୍ଗଳାର ପୁରପଲ୍ଲୀରେ, ନଗର ଓ ସହରରେ । ପୁଣି ଅତୀତର ସେଇସବୁ ଧର୍ଷଣ, ନରହତ୍ୟା ଇତ୍ୟାଦିର ପୁନରାବୃତ୍ତି । ଏଥର କିନ୍ତୁ ପୂର୍ବାପେକ୍ଷା ଅଧିକତର ନାରକୀୟ, ଜଘନ୍ୟ ଓ ବର୍ବରୋଚିତ ଭାବେ । ଏଥର ଧର୍ମର ଦ୍ୱାହି ନାହିଁ, ଅଛି ଦେଶଦ୍ରୋହର ଦ୍ୱାହି ।

 

ଏଥର କିନ୍ତୁ କେବଳ ହିନ୍ଦୁ ନୁହନ୍ତି, ଲକ୍ଷ ଲକ୍ଷ ସଂଖ୍ୟାରେ ମୁସଲମାନ ଭାଇମାନେ ଛୁଟି ଆସୁଛନ୍ତି ଭାରତକୁ ଟିକେ ଆଶ୍ରୟ ପାଇଁ ।

 

ଓଃ ! ଇତିହାସର କି କ୍ରୂର ପରିହାସ !

 

ବେଣୀମାଧବ ଦୃଢ଼ ନିଶ୍ଚୟ କଲେ ସେମାନଙ୍କୁ ସବୁମନ୍ତେ ସାହାଯ୍ୟ କରିବାକୁ । କିନ୍ତୁ ପୁତ୍ର ଅଶ୍ଵିନୀ ପଦେ ପଦେ ଯୁକ୍ତିବାଢ଼ିଲା ଯେଉଁମାନଙ୍କଦ୍ୱାରା ସେମାନେ ଏକଦା ନିର୍ଯ୍ୟାତିତ ସେମାନଙ୍କୁ ସାହାଯ୍ୟ କରାଯିବ କାହିଁକି ?

 

ହେଲେ କାଲି ଅର୍ଦ୍ଧରାତ୍ରିରେ ସାମୟିକ ଆଶ୍ରୟ ନିମନ୍ତେ ସ୍ଵାଧୀନ ବାଙ୍ଗ୍‍ଲାରୁ ଯେଉଁ ଶରଣାର୍ଥୀ ଦଳଟି ତାଙ୍କ ପାଖରେ ଆସି ପହଞ୍ଚିଲେ, ପୁତ୍ରର ଶତ ନିର୍ଦ୍ଦେଶ ସତ୍ତ୍ଵେ ସେମାନଙ୍କୁ ସେ ତଡ଼ିଦେଇ ପାରି ନ ଥିଲେ । ପୁଅକୁ ବୁଝାଇବାକୁ ଯାଇ ସେ କହିଲେ, ସିଏ ହେଉଛି ପ୍ରକୃତ ମଣିଷ ଯିଏ ଶତ୍ରୁ ଦ୍ୱାରା ଏକଦା ନିର୍ଯ୍ୟାତିତ ହୋଇ ସୁଦ୍ଧା ତା’ର ବିପଦରେ ତା’ ଆଖିରୁ ଲୁହ ପୋଛିଦିଏ । ଆଉ ବର୍ତ୍ତମାନ ସେମାନେ ଆମର ଶତ୍ରୁ ନୁହନ୍ତି । ଯେପର୍ଯ୍ୟନ୍ତ ସେମାନେ ପୂର୍ବପାକିସ୍ଥାନର ଜନସାଧାରଣ ଥିଲେ ସେ ପର୍ଯ୍ୟନ୍ତ ସେମାନେ ଥିଲେ ଆମର ଶତ୍ରୁ । ଆଜି ସେମାନେ ‘ସ୍ୱାଧୀନ ବାଙ୍ଗ୍‍ଲା’ ର ନାଗରିକ; ଆମର ପରମ ସମ୍ମାନନୀୟ ଅତିଥି ।

 

ଅଶ୍ୱିନୀ ଚୁପ୍ ରହିଥିଲା ।

 

କିନ୍ତୁ ଆଜି ପ୍ରଭାତର ଦିବାଲୋକରେ ସେଇ ଶରଣାର୍ଥୀ ଦଳଟିକୁ ଦେଖି ଚମକି ଉଠିଥିଲେ ବେଣୀମାଧବ ।

 

ସେମାନେ ଅନ୍ୟ କେହି ନୁହନ୍ତି, ତାଙ୍କର ଜନ୍ମମାଟିର ଲୋକ, ଯେଉଁମାନଙ୍କର ବର୍ବର ଆକ୍ରମଣରେ ସେ ହରାଇଛନ୍ତି ପିତା, ମାତା, ସ୍ତ୍ରୀ ଆଉ ସମସ୍ତ ସ୍ଥାବର ଅସ୍ଥାବର ସଂପତ୍ତି । ପ୍ରଚଣ୍ଡ ଘୃଣାରେ ସେ କମ୍ପି ଉଠୁଥିଲେ ବି ନିଜକୁ ସଂଯତ କରିନେଲେ ।

 

ସେମାନେ କିନ୍ତୁ ପାରିଲେ ନାହିଁ, ଲଜ୍ଜାରେ ମ୍ରିୟମାଣ ହୋଇ ଫେରିଗଲେ ସମସ୍ତେ ।

 

ତା’ପରେ କାହିଁକି କେଜାଣି ମନଟା ତାଙ୍କର ଅସ୍ଥିର ହୋଇଉଠିଲା ସେମାନଙ୍କ ପାଇଁ । ଯେତେହେଲେ ବି ସେମାନେ ମଣିଷ...ମଣିଷ ! ଦିନେ ପଶୁତ୍ଵ ସେମାନଙ୍କ ଅନ୍ତରରେ ମୁଣ୍ଡ ଟେକିଥିଲା, ଆଜି କିନ୍ତୁ ମନୁଷ୍ୟତ୍ଵ ଜାଗ୍ରତ ହୋଇଛି । ଦିନେ ସେ ନିଜେ ବି ଏଇପରି ଶିଶୁପୁତ୍ର ଅଶ୍ଵିନୀକୁ କୋଳରେ ଧରି ଟିକେ ଆଶ୍ରୟ ପାଇଁ ଅନେକଙ୍କ ଦ୍ଵାରସ୍ଥ ହୋଇଥିଲେ ।

 

ନା, ସେମାନଙ୍କୁ ସେ ଆଶ୍ରୟ ଦେବେ । ନିଶ୍ଚୟ ଆଶ୍ରୟ ଦେବେ ।

 

ବହୁ ଯୁକ୍ତି ପରେ ପୁଅକୁ ପଠାଇଛନ୍ତି ସେମାନଙ୍କୁ ଫେରାଇ ଆଣିବାକୁ ।

 

ବାହାରକୁ ଚାହିଁ ଦେଖିଲେ ବେଣୀମାଧବ, ଅଶ୍ଵିନୀ ସହିତ ସେମାନେ ଫେରି ଆସୁଛନ୍ତି-

 

ଭାଇ ଫେରିଆସୁଛି ଭାଇ ପାଖକୁ ।

 

ଆଃ ! ପରମ ତୃପ୍ତିରେ ନିଶ୍ଵାସ ମାରିଲେ ସେ ।

 

ଆକାଶରେ ନୂତନ ପ୍ରଭାତର ସୂର୍ଯ୍ୟୋଦୟ ।

★★★

 

କାମନା : ସାମାନ୍ୟ ଉତ୍ତାପର

 

ପୌଷର ଏକ ଶୀତାର୍ତ୍ତ କରୁଣ ସନ୍ଧ୍ୟା । ପୀଡ଼ିତ ପ୍ରକୃତି କାନ୍ଦୁଚି । ଟୋପା ଟୋପା ଅଶ୍ରୁ ଝୁରୁଚି ଶିଶିରସିକ୍ତ କ୍ରୋଟେନ୍ ପତ୍ରରୁ । ଶୀତଳ ବାୟୁର ଶୀତ୍କାର ଯେମିତି ତା’ର ପ୍ରାଣରେ ଆଣୁଚି ନିର୍ଯାତିତର କୋହ ।

 

କିଶୋର ଗୋଟାଏ ଲମ୍ବା ଛ’ଇଞ୍ଚ ବହଳର ମୋଟା ଗ୍ରେଟ୍ କୋଟ୍ ପିନ୍ଧି ଘର ଓ ଲନ୍‍କୁ ସଂଯୁକ୍ତ କରୁଥିବା ବାରଣ୍ଡା ଉପରର ଗୋଟାଏ କାଉଚ୍ ଉପରେ ବସିଚି ଏଇ ଶୀତ ପ୍ରପୀଡ଼ିତ ରାତ୍ରିକୁ ସାମ୍ନା କରି ।

 

ଓଃ...ଶୀତଳତା ! ପ୍ରଚଣ୍ଡ ଶୀତଳତା !!

 

ଏଇ ପୋଷାକସବୁର ଅସମ୍ଭବ ଭିଡ଼ ଭିତରେ ବି ଏପରି ଶୀତଳତାକୁ ସହ୍ୟ କରି ହୁଏନା !

 

ଟେବୁଲ୍ ଉପରେ ଥୁଆ ହୋଇଥିବା ସ୍କଚ୍ ବଟଲ୍‍ରୁ କିଛି ପେଗରେ ଅଜାଡ଼ିନେଇ ଆଭ୍ୟନ୍ତରୀଣ ଶୀତଳତାର ମଧ୍ୟରେ ଉଷ୍ମତାର ଏକ କ୍ଷୀଣ ପ୍ରବାହ ଆଣିବାକୁ ବିଫଳ ଚେଷ୍ଟା କଲା କିଶୋର । ତା’ପରେ ମୁହଁ ତୋଳି ଆବିଷ୍ଟ ଦୃଷ୍ଟିରେ ସେ ଚାହିଁରହିଲା ସାସ୍ନାର ଲନ୍‍କୁ ।

 

ଲନ୍‍ର ସଜ୍ଜିତ ପୁଷ୍ପିତା କବରୀ କିନ୍ତୁ ଶିଥିଳ ହୋଇ ଫିଟି ପଡ଼ିଛି ମୂର୍ଚ୍ଛାହତ ଭାବରେ ସେଇ ଲନ୍‍ର ବକ୍ଷ ଦେଶରେ ।

 

ଏହି ରଙ୍ଗର ସମାରୋହ ନେଇ ଏଇ ପୁଷ୍ପର ସମ୍ଭାର ମନୋରମ ସତ; କିନ୍ତୁ ଗନ୍ଧହୀନ । ପୌଷର ଏଇ ନିଷ୍କରୁଣ ଶୀତଳତା ଅତି ନିଷ୍ଠୁର ଭାବରେ ସେମାନଙ୍କର ସମସ୍ତ ବାସ୍ନା ଲୁଣ୍ଠି ନେଇଚି ଯେମିତି । ଅତ୍ୟାଚାରିତା ପୁଷ୍ପବିଥିକା ହରାଇ ବସିଚି ତା’ର ସମସ୍ତ ସୁଗନ୍ଧ । ଗନ୍ଧବିହୀନ ପୁଷ୍ପବିଥିକାର ନୀରବ କ୍ରନ୍ଦନ ସେଇ କରୁଣ ପରିବେଶକୁ କରି ତୋଳିଚି ଅଧିକ କରୁଣତର ।

 

ଆଜିର ଆକାଶରେ ଚନ୍ଦ୍ରର ଆଦୌ ସ୍ପର୍ଶ ନାହିଁ । ଜୋତ୍ସ୍ନାର ବଦଳରେ ଆକାଶରେ ଜମାଟ ବାନ୍ଧିଛନ୍ତି ରେଣୁ ରେଣୁ ଅନ୍ଧକାର । ଅନ୍ଧକାରର ଊର୍ମି ଖୋଜିବୁଲୁଚି ତା’ ନିଜ ଚାରିପାଖରେ ସାସ୍ନାର ଲନ୍‍ ରେ ଓ ଲନ୍ ସଂଲଗ୍ନ ପ୍ରାଚରୀର ଆରପଟେ ଲମ୍ବି ଯାଇଥିବା ରାଜପଥ ଉପରେ । ସେଇ ରାଜପଥ ଉପରେ ଚାଲିଛନ୍ତି ଅଗଣିତ ପରିଚୟହୀନ ପଦାତିକର ଦଳ ଏଇ ଅସହ୍ୟ ଶୀତଳତାର ମଧ୍ୟରେ ଅନ୍ଧକାରର ଊର୍ମିରେ ଭାସି ଭାସି । ସେମାନଙ୍କ ପରିଚୟ ନେବାର ଅବକାଶ ନାହିଁ । ଆବଶ୍ୟକତା ବି ନାହିଁ । ସେଇ ରାଜପଥ ପାର୍ଶ୍ଵ ଦେଶରେ ଥିବା ଇଲେକ୍‍ଟ୍ରିକ୍‍ ଲାଇଟ୍ ପୋଷ୍ଟ କେତୋଟିର ବଲ୍‍ବ ସବୁ ନିହାତି କାକୁସ୍ଥ ଭାବରେ ଜଳୁଛନ୍ତି ଏହି ଅନ୍ଧକାରକୁ ଭୟ କରି ।

 

ଦୁଇ ଓଠର ମଝିରେ ଗୋଟାଏ ମୋଟା ସିଗାରେଟ୍ ଧରି ଏକ କାରଣହୀନ ଆବେଗ ନେଇ ଲନ୍‍କୁ ଚାଲି ଆସିଲା କିଶୋର । ନିରନ୍ଧ୍ର ଅନ୍ଧକାର ଭିତରେ ସ୍ତିମିତ ଆଲୋକ ଦେଇ ଜଳୁଥିବା ରାସ୍ତାଧାରର ଗୋଟାଏ ଲାଇଟ୍ ପୋଷ୍ଟର ବଲବ୍‍ରୁ ଏକ କ୍ଷୀଣ ଭୟାର୍ତ୍ତ ଆଲୋକରେଖା ପଡ଼ିଛି ଲନ୍ ମଝିରେ ଥିବା ପୁଷ୍ପହୀନ ଗୋଲାପଗଛର ପାଦଦେଶରେ ସଙ୍କୁଚିତ ହୋଇ ।

 

ଆଲୋକ ଅନ୍ଧକାରକୁ ଏତେ ଭୟକରେ ସତେ ! କିଶୋର ଜୀବନରେ ଏହା ଏକ ନୂତନ ଅନୁଭୂତି । ସେଇ ନବ ଅନୁଭୂତିର ବିଭୂତି ଭିତରେ ନିଜକୁ ଆଉଥରେ ନୂଆକରି ଆବିଷ୍କାର କରିବାକୁ ଚେଷ୍ଟାକରି ବିଫଳ ହେଲା କିଶୋର । ସେ ପରାଜିତ ଦୃଷ୍ଟି ତୋଳି ଚାହିଁରହିଲା ସେଇ ପୁଷ୍ପହୀନ ଗୋଲାପଗଛକୁ–ଏଇ ଶୀତଳତାର ନିକଟରେ ଯିଏ ଆଜି ପରାଜିତ ଅତିଷ୍ଠ ।

 

ତା’ର ମନେପଡ଼ିଲା ଅତୀତର ପଚିଶବର୍ଷ ତଳେ, ଯେତେବେଳେ କିଶୋର ଶୈଶବ ଅତିକ୍ରମ କରି ନୂଆହୋଇ କୈଶୋରରେ ପାଦ ଦେଇଥାଏ, ସେତେବେଳେ ଏଇ ଲନ୍ ଠିକ୍ ଗୋଟାଏ ଲନ୍ ରୂପ ନେଇ ନ ଥାଏ । ଅସଜ୍ଜିତ ଫୁଲଗଛ କେତୋଟି ନିହାତି ଅଯତ୍ନ ଭାବରେ ବଢ଼ି ଉଠିଥାନ୍ତି ପନିପରିବା ଗଛ ଭିତରେ । ତଥାପି ସେମାନଙ୍କ ପାଇଁ ଏକ ବିଶେଷ ଆକର୍ଷଣ ଥିଲା ତା’ର କିଶୋର ପ୍ରାଣରେ ।

 

ସେଇ କୈଶୋର କାଳର ଏକ ସୁମଧୁର ପ୍ରଭାତରେ ବାରଣ୍ଡା ଉପରେ ଅନ୍ୟମନସ୍କ ଭାବରେ ଠିଆ ହୋଇଥିବା କିଶୋର ଛୁଟି ଯାଇଥିଲା ଶୀତଳ ବତାସରେ ହଲି ଦୋହଲି ନାଚୁଥିବା କେତୋଟି ହସନ୍ତ ଗୋଲାପଙ୍କ ନିକଟକୁ ।

 

ପୃଥିବୀର ପ୍ରତ୍ୟେକ ବସ୍ତୁ ସହିତ ପ୍ରଥମ ପରିଚୟ ଆରମ୍ଭ ହୁଏ ଏଇ କୈଶୋର ବୟସରେ ହିଁ ପ୍ରତ୍ୟେକଙ୍କର । ନବ ପରିଚୟର ଆସର ମଧ୍ୟରେ ବନ୍ଧୁତ୍ୱ ବାନ୍ଧିବାର ଆବେଗ ଥାଏ ପ୍ରତ୍ୟେକଙ୍କ ହୃଦୟରେ । ଅପରିପକ୍ଵ କିଶୋର ପ୍ରାଣ ବନ୍ଧୁତ୍ୱ ବାନ୍ଧିବାକୁ ଇଛେ ପୃଥିବୀର ପତ୍ୟେକଟି ସଜୀବ ଓ ନିର୍ଜୀବ ବସ୍ତୁଙ୍କ ସହିତ । ଏଇ ମଣିଷ, ଅକଳନ ଜୀବ–ଜନ୍ତୁ, ବୃକ୍ଷଲତା, ପୁଷ୍ପ–ଫଳ ଆଉ ଏଇ ସୂର୍ଯ୍ୟ ଓ ଚାନ୍ଦ, ତାରାଙ୍କ ସହିତ ।

 

କିଶୋରର କୈଶୋର ଜୀବନରେ ସେଥିରେ କୌଣସି ବ୍ୟତିକ୍ରମ ନ ଥିଲା । ବନ୍ଧୁତ୍ୱ ବାନ୍ଧିବାର ବାସନା ନେଇ ସେ ସେଇ ହସନ୍ତ ଗୋଲାପ କେତୋଟିଙ୍କ ସହ ଆତ୍ମୀୟତା ଆଣିବାକୁ ଯାଇ ପଚାରିଥିଲା–ତମରିମାନଙ୍କ ଆହ୍ଵାନରେ ମୁଁ ବାରଣ୍ଡା ଉପରୁ ଏତେ ବାଟ ଛୁଟି ଆସିଲି, ମୋତେ କିଛି ଉପହାର ଦିଅନା !

 

ନିଶ୍ଚୟ, ନିଶ୍ଚୟ !! ସମସ୍ୱରରେ କହି ଉଠିଥିଲେ ସେଇ ଗୋଲାପ କେତୋଟି । ନିଅ, ତମେ ଆମର ବାସ୍ନା ନିଅ । ତମେ ମହକି ଉଠ ।

 

କିଶୋରର ହୃଦୟରେ ଲାଗିଥିଲା ଏକ ନୂତନ ପ୍ରାଣ ସ୍ପନ୍ଦନର ଧକ୍‍କା । ସେ ନାଚି ଉଠିଥିଲା ବଗିଚାର ଶିଶିରସିକ୍ତ କୋମଳ ଦୁର୍ବା ଉପରେ ।

 

ସେଇସବୁ ଗୋଲାପଙ୍କ ନିକଟରୁ ବିଦାୟ ନେଇ ଉଡ଼ି ଯାଉଥିବା ପ୍ରଜାପତିକୁ ଡାକି ସେ ପଚାରିଥିଲା–ଆଉ ପ୍ରଜାପତି ଭାଇ ତୁମେ ? ଚିତ୍ରିତ ଡେଣା ଦୁଇଟିହଲାଇ ଉଡ଼ି ଯାଉଥିବା ପ୍ରଜାପତିଟି ତା’ର କାନ୍ଧ ଉପରେ ଅଳ୍ପ କେତୋଟି ମୁହୂର୍ତ୍ତ ପାଇଁ ବସି ପଡ଼ି କହିଥିଲା–ମୁଁ ତୁମକୁ ଦେଉଚି ମୋର ଛନ୍ଦ–ଚପଳ–ଯାଯାବର–ଗତି ।

 

କିନ୍ତୁ ଶିଶିର ଭିଜା ଗୁଳ୍ମ–ଲତାର ପତ୍ରେ ପତ୍ରେ ଅପୂର୍ବ ବର୍ଣ୍ଣବୈଚିତ୍ର୍ୟ ସୃଷ୍ଟି କରୁଥିବା ଉଦୀୟମାନ ସୂର୍ଯ୍ୟ ଆପଣା ମନକୁ କହିଥିଲେ–କିଶୋର, ତମେ ମୋର ଆଲୋକ ନିଅ ।

 

ସେଇ ନୂତନ ଅନାସ୍ୱାଦିତ ରସକୁ ସେଦିନ ଚନ୍ଦ୍ର–ଚର୍ଚ୍ଚିତ ରାତ୍ରିରେ ଆସ୍ୱାଦନ କରୁଥିବା ଅବସ୍ଥାରେ ଚନ୍ଦ୍ର ତାକୁ ପଚାରିଥିଲେ ମୋ’ଠାରୁ କ’ଣ କିଛି ନେବ ନି କିଶୋର ?

 

ନିଶ୍ଚୟ, କିଛି ଦିଅନା !

 

ନିଅ, ମୋ’ଠାରୁ କିଛି ସ୍ଵପ୍ନ ନିଅ । ତୁମ ଦୁଇ ଆଖିର ପତାକୁ ଭରିଦିଅ ଏଇ ସ୍ଵପ୍ନ ନେଇ-

 

ଆଉ ସେଇ ଜ୍ୟୋସ୍ନାର ତରଙ୍ଗରେ ସିଆର କାଟି ଉଡ଼ି ଯାଉଥିବା ଏ ପକ୍ଷୀଠାରୁ କିଛି ସଂଗୀତ ଆଣି ସେ ସାଇତି ରଖିଲା ତା’ର ସ୍ୱରପେଟିକାରେ ।

 

ଗୋଲାପର ବାସ୍ନା, ପ୍ରଜାପତିର ଛନ୍ଦ–ଚପଳ–ଯାଯାବର ଗତି, ଉଦୀୟମାନ ସୂର୍ଯ୍ୟଙ୍କର ଆଲୋକ, ଚନ୍ଦ୍ରମାର ସ୍ଵପ୍ନ ଓ ପକ୍ଷୀର ସଂଗୀତ ନେଇ ବେଶ୍ କିଛି ଦିନ ଘୁରି ବୁଲୁଥିଲା କିଶୋର ।

 

କିନ୍ତୁ ତା’ର ଜୀବନର ପରିଧିକୁ ଯୌବନର ସ୍ପର୍ଶକ ସ୍ପର୍ଶ କରିବାର କିଛିଦିନ ପରେ, ଅନ୍ୟ ଏକ ପ୍ରଭାତରେ ଗୋଲାପ କେତୋଟି ତାକୁ କହିଥିଲେ–ତମେ କ’ଣ ଆମର ବାସ୍ନାନେଇ ସନ୍ତୁଷ୍ଟ ରହିଗଲ କିଶୋର ? ଆମ ଦେହରେ ଏତେ ନିଆଁ, ତମେ କିଛି ନିଅ ।

 

ପ୍ରଜାପତି କହିଥିଲା–ପାଦରେ ଖାଲି ଯାଯାବରର ଚପଳଗତି ନୁହେଁ, ତୁମ ହୃଦୟ ପାଇଁ ମୋ’ଠାରୁ ଟିକେ ଜ୍ୱଳନ ନିଅ ।

 

ଆଉ ସୂର୍ଯ୍ୟ କହିଥିଲେ–କେବଳ ଆଲୋକ ନୁହେଁ, ମୋ’ଠାରୁ କିଛିଟା ଉତ୍ତାପ ବି ନିଅ ।

 

ମୋର ଏଇ ମୟୁଖ; ଚନ୍ଦ୍ର କହିଥିଲେ, ଶୀତଳତାର ପ୍ରତୀକ ନୁହେଁ । ମୋର ଏଇ ସ୍ଵପ୍ନ, ସାଧାରଣ ସ୍ଵପ୍ନକଳାର ବିଭବ ନୁହେଁ; ବରଂ ଏମାନେ ମୋର ଜ୍ଵଳନର ରୂପାନ୍ତର । ମୋ ଦେହରେ ଜ୍ୱଳନ୍ତ ସୂର୍ଯ୍ୟ–ରଶ୍ମିର ଦହନର ରୂପାନ୍ତର ଏମାନେ ସବୁ । ତେଣୁ କେବଳ ସ୍ଵପ୍ନ ନୁହେଁ କିଛି ଜ୍ଵଳନ ବି ନିଅ ।

 

ଆଉ ସେଇ ପକ୍ଷୀ....

 

ସେ କହିଥିଲା–ଏଥର ତୁମର ବୟସ ହୋଇଚି କିଶୋର, କେବଳ ସଂଗୀତ ନୁହେଁ ସ୍ଵରରେ କିଛି ଉଷ୍ମତା ବି ନିଅ ।

 

ଅଗ୍ନି, ଜ୍ଵଳନ, ଉତ୍ତାପ ଆଉ ଉଷ୍ମତା ଏସବୁ ନେବାରେ ସେଦିନ ମନା କରି ନ ଥିଲା କିଶୋର । କାରଣ ସେ ବୁଝିଥିଲା, ଏ ସମସ୍ତ ହିଁ ଏକ ଆଉ ଏହାକୁ ଗ୍ରହଣ କରିବାର ବୟସ ତା’ର ହୋଇଛି । ହଠାତ୍ ସେ ସ୍ଵୀୟ ଯୌବନ ସମ୍ପର୍କରେ ସଚେତନ ହୋଇ ଉଠିଥିଲା ।

 

ପୂର୍ବର ସେଇ ବାସ୍ନା, ଯାଯାବର ଗତି, ଆଲୋକ, ସ୍ଵପ୍ନ ଆଉ ସଙ୍ଗୀତ ସହିତ କିଛି ଉତ୍ତାପକୁ ସେ ଫେଣ୍ଟି ନେଇଥିଲା ଏବଂ ବୁଝିଥିଲା ଜୀବନରେ ଜ୍ଵଳନ ହିଁ ଶ୍ରେଷ୍ଠ ।

 

କିନ୍ତୁ ଆଜି.....

 

ଜୀବନର ସେଇ ଚମତ୍କାର ସନ୍ଧିସ୍ଥଳ ଅତିକ୍ରମ କଲାପରେ, ତା’ର ସମସ୍ତ ଅନୁଭୂତି ଯେମିତି ସ୍ଥିର ହୋଇଯାଇଚି ଏକ ଆବଦ୍ଧ ଜଳାଶ୍ରୟର ଜଳପରି ।

 

ସେ ଅନୁଭବ କରୁଚି ତା’ ଜୀବନର ପରିଧି ଗୋଟାଏ ନିର୍ଦ୍ଦିଷ୍ଟ ସୀମାରେଖା ସ୍ପର୍ଶ କଲାପରେ ସେଇ ତୀବ୍ରଜ୍ଜ୍ଵଳନ ଶାନ୍ତ ହେବାକୁ ବସିଚି । ତା’ର ଉତ୍ତପ୍ତ ଅନୁଭୂତିସହ ଫେଣ୍ଟି ହୋଇଯାଉଚି କିନ୍ତୁ କିଛି ଶୀତଳତା । ଶୀତଳତାର ଦଂଶନରେ ତା’ର ଅବୟବ ଅବଶ ହୋଇପଡ଼ୁଚି-

 

କିଶୋର !

 

ମନ୍ତ୍ରମୁଗ୍‍ଧ ପରି ଫେରି ଚାହିଁଲା କିଶୋର । ଲନ୍‍ର ଗୋଟାଏ କୋଣରେ ଅନ୍ଧକାର ଭିତରେ ଠିଆହୋଇଚି କଳାରଙ୍ଗର ଏକ ନାରୀ ମୂର୍ତ୍ତି । ରେଣୁ ରେଣୁ ଅନ୍ଧକାରର ଏକତ୍ରୀକରଣ ଫଳରେ ତା’ର ଅବୟବ ଗଠିତ ଯେମିତି ।

 

ତୁମେ...? ପ୍ରଶ୍ନ କଲା କିଶୋର ।

 

ମୁଁ...ମୁଁ ଏଇ ପୌଷର ଅନ୍ଧକାରମୟ ଶୀତଳ ରାତ୍ରି । ମୁଁ ତୁମକୁ କିଛି ଦେବାକୁ ଚାହେଁ କିଶୋର ।

 

ଦେବ ? କ’ଣ ବା ମୋତେ ଦେବ ?

 

ଆଜି ମୋ ଶୀତଳତାରୁ ତୁମକୁ କିଛି ଭାଗଦେବି ।

 

ନା, ନା । ଚିତ୍କାର କରି ଉଠିଲା କିଶୋର । ବରଂ ତୁମେ ତୁମର ସମସ୍ତ ଅଭିଶାପରେ ମତେ ଅଭିଶପ୍ତ କର, ତୁମ ସକଳ ନିର୍ଯ୍ୟାତନାରେ କର ନିର୍ଯ୍ୟାତିତ, କିନ୍ତୁ ମୁଁ ସାମାନ୍ୟ ବି ଶୀତଳତା ଚାହେଁନା । ମୋର ଚାରିପାଖରେ ଚକ୍ରବ୍ୟୁହ ରଚିଥିବା ଏଇ ଶୀତଳତା ମଧ୍ୟରେ ମୁଁ ଆଜି ଅତିଷ୍ଠ । ମୁଁ ଆଜି କାମନା କରୁଛି ସାମାନ୍ୟ ଉତ୍ତାପ, ମୁଁ ଚାହେଁ ମୋର ଅତୀତର ଜ୍ଵଳନ ନିକଟରେ ଆତ୍ମସମର୍ପଣ କରିବାକୁ ।

 

ମୁଁ ତୁମକୁ ସାମାନ୍ୟ ବି ଉତ୍ତାପ ଦେଇପାରିବି ନି କିଶୋର; ମୁଁ ଦୁଃଖିତ । କାହାରିକୁ ଉତ୍ତାପ ଦାନ କରିବା ମୋର ଧର୍ମ ନୁହେଁ, ବରଂ ଶକ୍ତିର ବହିର୍ଭୂତ । ନିଶ୍ଚିତ ଭାବରେ ତୁମକୁ ଆଜି ମୋ ଶୀତଳତାରୁ କିଛି ଦେବି । କାରଣ ଶୀତଳତା ଗ୍ରହଣ କରିବାର ବୟସ ତୁମର ହୋଇଛି ।

 

ଏଇ ନିଷ୍ଠୁର ଉକ୍ତିରେ ଚମକି ଉଠିଲା କିଶୋର । ତା’ ସାମ୍ନାରେ ଠିଆ ହୋଇଥିବା ସେଇ ପୌଷର ଶୀତଳରାତ୍ରି ମ୍ଳାନ ହସଟିଏ ହସି ମିଳାଇଗଲା ଆସ୍ତେ ଆସ୍ତେ ।

 

ନିଜର ବର୍ତ୍ତମାନ ଅବସ୍ଥା ସମ୍ପର୍କରେ ସଚେତନ ହୋଇଉଠିଲା କିଶୋର । ଆଃ...ଏହା ଭିତରେ ସେ ଶୈଶବ କୈଶୋର ଓ ଯୌବନ ଅତିକ୍ରମ କରିସାରି ବାର୍ଦ୍ଧକ୍ୟର ସୀମା ସ୍ପର୍ଶ କଲାଣି ତା’ହେଲେ ! ଖୁବ୍ କରୁଣ ହୋଇପଡ଼ିଲା କିଶୋର । ଲନ୍ ଭିତରୁ ଆସ୍ତେ ଆସ୍ତେ ବାରଣ୍ଡା ଉପରକୁ ଉଠିଆସିଲା ସେ ଶତ ପରାଜୟର ଗ୍ଲାନିରେ ଜର୍ଜ୍ଜରିତ ହୋଇ ।

★★★

 

ଏକ ଯକ୍ଷର କାହାଣୀ

 

ଗୋଟିଏ ସମକୋଣୀ ଚତୁର୍ଭୁଜର କର୍ଣ୍ଣପରି ଶୋଇରହି ମୁଁ ଖଟଟିକୁ ଦୁଇଟି ସମକୋଣୀ ତ୍ରିଭୂଜରେ ପରିଣତ କରିଥିଲି । ବାହାରେ ନୂତନ ବର୍ଷର ପ୍ରଥମ ବର୍ଷା–ଆଷାଢ଼ ଆସିବାକୁ ଆଉ ସାମାନ୍ୟ ଡେରି ଅଛି । ବର୍ଷା ଯୋଗୁଁ ଗରମର ପରିମାଣ ଅନେକଟା କମିଯାଇଛି । ବର୍ଷା ଭିଜା ଧରିତ୍ରୀ ଆଜି ଚମତ୍କାର ଦିଶୁଛି–ଠିକ୍ ଏକ ନବପୁଷ୍ପିତା ବାଳିକାର ଯୌବନଶ୍ରୀ ପରି । ବର୍ଷାଭିଜା ମାଟିରୁ ଏକ ମଧୁର ଗନ୍ଧ ବାହାରୁଚି, ଆଉ ସେଇ ଗନ୍ଧ ଆମୋଦିତ କରୁଚି ବାୟୁର ପ୍ରତ୍ୟେକ ସ୍ତରକୁ । ବର୍ଷାଭିଜା ମାଟିର ଗନ୍ଧ ଓ ବର୍ଷାଜଳର ଶୀତଳତାରେ ଫେଣ୍ଟି ହୋଇଥିବା ପବନ ହୃଦୟକୁ ସ୍ପର୍ଶ କରିପାରୁଚି ।

ନୂତନ ବର୍ଷାର ମାଦକତା, ଜଳସିକ୍ତ ମାଟିର ବାତ୍ସ୍ନା ଓ ବାୟୁର ଶୀତଳତା ସହିତ ଗତ ଅତୀତର ସ୍ମୃତିକୁ ମିଶାଇ ମୁଁ ଏକ ବଢ଼ିଆ ସୁପ୍ ତିଆରି କରିଥିଲି । ଆଉ ସେଇ ସୁପ୍‍ର ପ୍ଲେଟ୍‍ଗୁଡ଼ିକୁ ମୁଁ ଗୋଟିକ ପରେ ଗୋଟିଏ ହାପୁଡ଼ିବାରେ ଲାଗିଥିଲି । ସେଇ ପ୍ଲେଟ୍‍ଗୁଡ଼ିକୁ ହାପୁଡ଼ି ହାପୁଡ଼ି ନିଃଶେଷ କରିବା ସମୟରେ ମୁଁ ହଠାତ୍ ଗୋଟାଏ ପ୍ଲେଟ୍ ପାଖରେ ଅଟକି ଗଲି–ପ୍ଲେଟ୍‍ଟି ଉପରେ ଲେଖାଥାଏ, ତୁମ ପାଇଁ...।’

‘ତୁମ ପାଇଁ...’

ଏହା ଏକ ଖଣ୍ଡବାକ୍ୟ । ତୋ ଓ ମୋ ବ୍ୟତୀତ ଅନ୍ୟମାନଙ୍କ ନିକଟରେ ପୂରାପୂରି ଅବୋଧ୍ୟ ।

ମୁଁ ସାମାନ୍ୟ ବିଚଳିତ ହୋଇପଡ଼ିଲି । ଚିନ୍ତାର ଜାଲ ମଧ୍ୟରୁ ନିଜକୁ ମୁକ୍ତ କରିବାକୁ ମୁଣ୍ଡଟାକୁ ଦୁଇହାତରେ ଖୁବ୍‍ ଜୋରରେ ଚାପି ଧରିଲି । ନା...ସବୁକିଛି ଗୋଳମାଳ ହୋଇଯାଉଛି । ସ୍ମୃତିର ପର୍ଦ୍ଦାଟା ଆସ୍ତେ ଆସ୍ତେ ଖୋଲିଯାଉଚି । ଶେଷରେ ମୁଁ କିଛି ବି ଆପତ୍ତି କଲି ନାହିଁ, ସ୍ଥିରହୋଇ ବସିରହିଲି ଅତୀତର ସ୍ମୃତିକୁ ଆଉଥରେ ମୋ ମନର ପର୍ଦ୍ଦାରେ ଦେଖିବା ଆଶାରେ ।

ଏକ କରୁଣ ସଙ୍ଗୀତର ଶେଷ ମୂର୍ଚ୍ଛନା ଆସ୍ତେ ଆସ୍ତେ ବାୟୁର ସ୍ତରେ ସ୍ତରେ ମିଳାଇ ଯିବାପରି ମୁଁ ଯେତେବେଳେ ତୋ’ ମୋ’ ଭିତରେ ଥିବା ପ୍ରେମକୁ ଧୀରେ ଭୁଲି ଯାଉଥିଲି, ଠିକ୍ ସେତିକିବେଳେ ତୁ ହଠାତ୍ ମୋ ପାଖକୁ ଆସିଥିଲୁ ଗୋଟାଏ କିଛି ଉପହାର ଧରି (ବୋଧହୁଏ ରୁମାଲ୍ ହେବ) ଯାହା ଉପରେ ସୁନ୍ଦର ଏମ୍ବ୍ରୋଡ଼ାରୀରେ ଲେଖିଥିଲା ତୁମ ପାଇଁ...’ ।

ସେଦିନ ମୁଁ ଆଶ୍ଚର୍ଯ୍ୟହୋଇ ତୋ ଆଗମନୀର କାରଣ ପଚାରିଥିଲି । ମୋର ସେଇ ଆଶ୍ଚର୍ଯ୍ୟହେବା ପଛରେ ଅନେକଟା ଯୁକ୍ତି ବି ଥିଲା । ମୋ ସହିତ ସମସ୍ତ ସଂପର୍କ ତୁଟାଇବାରେ ଦୃଢ଼ ନିଶ୍ଚୟ କରିନେବା ପରେ, ପୁଣି ତୋର ଆଗମନୀ ମତେ ବାସ୍ତବରେ ଏକ ଗୋଲକ ଧନ୍ଦାରେ ପକାଇଥାଏ ।

ତୁ ମୋ ହାତକୁ ଉପହାରଟି ବଢ଼ାଇଦେଇ ଉତ୍ତରରେ କହିଥିଲୁ, ଯାହା ନିମିତ୍ତ ଯେଉଁଟି ଉଦ୍ଦିଷ୍ଟ, ତାକୁ ସେଇଟି ନ ଦେବା ଏକ ଗୁରୁତର ଅପରାଧ ।’

ତୋର ଉତ୍ତର ଶୁଣିବା ପରେ ମୁଁ ହଠାତ୍ ପ୍ରଶ୍ନ କରିଥିଲି, ‘ତେବେ ତୋର ଯୋଉ ଦେହଟି ଦିନେ କେବଳ ମୋ ନିମନ୍ତେ ଉଦ୍ଦିଷ୍ଟ ଥିଲା, ତାକୁ ତୁ ଅନ୍ୟକୁ ଉତ୍ସର୍ଗ କରିବାକୁ ଯାଉଚୁ କେମିତି ?’

 

ମୁଁ ଭାବିଥିଲି ମୋର ଏଇ ପ୍ରଶ୍ନଟିରେ ତୁ ବିଚଳିତ ହୋଇପଡ଼ିବୁ, କିନ୍ତୁ ତୋର ବୁଦ୍ଧିଯୁକ୍ତ ଉତ୍ତର ବାସ୍ତବିକ ମତେ ମୁଗ୍‍ଧ କଲା । ଆଗରୁ ଆଗରୁ ପ୍ରସ୍ତୁତ ଥିବାପରି ତୁ ଉତ୍ତର ଦେଇଥିଲୁ–’ ଦେହ ଏକ ଜଡ଼ ପଦାର୍ଥ ନୁହେଁ ମନ ସହିତ ତା’ର ଯୋଗସୂତ୍ର ରହିଛି ଏବଂ ଯେହେତୁ ମନ ଚିରପରିବର୍ତ୍ତନଶୀଳ, ତେଣୁ ଦେହ ମଧ୍ୟ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତ ନିମନ୍ତେ ସବୁଦିନ ପାଇଁ ଉଦ୍ଦିଷ୍ଟ ହୋଇ ନ ପାରେ ।’

 

ତା’ପରେ ତୁ ଯିବାକୁ ବାହାରିଲୁ, ଆଉ ମୁଁ ପ୍ରୀତିପର୍ବ ଉଦ୍‍ଯାପନର ଶେଷ ସ୍ୱାକ୍ଷର ଦେବାକୁ ଯାଇ ତୋ ଭ୍ରୂଲତା ଉପରେ ଆଙ୍କି ଦେଲି ଗୋଟିଏ ଚୁମା । କିନ୍ତୁ ମୁଁ ଖୁବ୍ ଦୁଖିତ ହୋଇପଡ଼ିଲି, କାରଣ ସବୁଥର ପରି ତୁ ଆନ୍ତରିକ ସମ୍ମତି ସୂଚକ ସାମାନ୍ୟ ପ୍ରତିବାଦ କଲୁନି ବୋଲି-। ହେଲେ ବି ତୁ ନିର୍ଲ୍ଲଜୀଙ୍କ ପରି ମୋ ଆଡ଼କୁ ମୁହଁ ବଢ଼ାଇ ଚୁମ୍ବନଟିକୁ ଉପଭୋଗ କରିଥିଲୁ ଏବଂ ତାହା ହିଁ ଥିଲା ତୋ’ ସହିତ ମୋର ଶେଷ ମିଳନ ।

 

କିଛିଦିନ ପରେ ମୁଁ ଜାଣିଲି ତୁ ଜଣେ ଥାର୍ଡ଼ ଇୟର ସିନିଅର୍ ମେଡ଼ିକାଲ୍ ଷ୍ଟୁଡ଼େଣ୍ଡ୍‍ର ପ୍ରଣୟାସକ୍ତ । ମୁଁ ଏଥିରେ ଦୁଃଖିତ ହୋଇ ନ ଥିଲି । ବରଂ ମୋ ପରି ଏକ ସମ୍ବଳହୀନ ଲେଖକର ମାନସୀ ନ ହୋଇ, ଏ ଯୁଗରେ ପ୍ରକୃତ ମଣିଷ ପରି ବଞ୍ଚିରହିବାର ଅଧିକାର ପାଇଥିବା ଜଣେ ଡାକ୍ତରର ସହଧର୍ମିଣୀ ହେବାକୁ ଚେଷ୍ଟାକରି ତୁ ଯୋଉ ତୀକ୍ଷ୍ଣ ବୁଦ୍ଧିର ପରିଚୟ ଦେଉଥିଲୁ ସେଥିନିମନ୍ତେ ମୁଁ ଖୁସି ହୋଇଥିଲି । ତୋର ଆଗାମୀ ଦିନଗୁଡ଼ିକ ଯେ ନିଶ୍ଚୟ ସୁଖମୟ, ସେ ବିଷୟରେ ମୁଁ ସଂପୂର୍ଣ୍ଣ ନିଶ୍ଚିନ୍ତ ଥିଲି ।

 

କିନ୍ତୁ ହଠାତ୍ ତୋର ଗତିପଥରେ ବାଧା ସୃଷ୍ଟିକରି ତୋ ଦେହରେ ଦେଖାଗଲା ଦୁର୍ଦ୍ଦାନ୍ତ ରାଜଯକ୍ଷ୍ମା । ଯଦିଓ ତୋ ସହିତ ମୋର ସମସ୍ତ ସଂପର୍କ ତୁଟି ଯାଇଥିଲା, ତଥାପି ମୁଁ ତୋ ପାଇଁ ଚିନ୍ତିତ ହୋଇପଡ଼ି ତତେ ସବୁମନ୍ତେ ସାହଯ୍ୟ କରିବାକୁ ଦୃଢ଼ ନିଶ୍ଚୟ କଲି । କିନ୍ତୁ ଜଣେ ବୃଦ୍ଧ, ଯେ କି ସରକାରଙ୍କର ଜଣେ ପଦସ୍ଥ କର୍ମଚାରୀ ତାଙ୍କ ସାହାଯ୍ୟରେ ଭଲ ହେବା ପାଇଁ ତୁ ସାନୋଟୋରିୟମ୍‍କୁ ଗଲୁ ଏବଂ ତାଙ୍କ ପ୍ରତି କୃତଜ୍ଞତା ଦେଖାଇ ମହାପ୍ରସାଦ ଦେଇ ତାଙ୍କୁ ବାପା–କରିପକାଇଲୁ । ହେଲେ ଏଇ ପବିତ୍ର ସଂପର୍କ ବେଶିଦିନ ତିଷ୍ଠି ପାରିଲା ନାହିଁ । ସେଇ ବିପତ୍ନୀକ ବୃଦ୍ଧ ତୋର ଅସାମାନ୍ୟ ସୌନ୍ଦର୍ଯ୍ୟରେ ମୁଗ୍‍ଧ ହୋଇ ତୋର ପ୍ରଣୟପ୍ରାର୍ଥୀ ହେଲେ ଏବଂ ତୋର ତତ୍କାଳୀନ ଅବସ୍ଥା ଏବଂ ଭବିଷ୍ୟତ ପ୍ରତି ଦୃଷ୍ଟି ଦେଇ ତୁ ସେଥିରେ ସମ୍ମତି ପ୍ରଦାନ କଲୁ । କାରଣ ତୁ ଭଲଭାବରେ ଜାଣିଥିଲୁ ରୋଗମୁକ୍ତ ପରେ କୌଣସି ଯୁବକ ତତେ ନିଜର କରିବାକୁ ଆଗେଇ ଆସିବେ ନାହିଁ ।

 

ମୁଁ ତତେ ପାଇବାକୁ କେବଳ ଲାଳାୟିତ ନୁହେଁ, ବ୍ୟାକୁଳ ବି ଥିଲି । କିନ୍ତୁ ମୋର ବ୍ୟାକୁଳତା ଯେ ଚରମ ନିର୍ବୋଧତାର ପରିଚାୟକ, ଏ କଥା ମୁଁ ସେଇ ଦିନ ଜାଣିଲି, ଯେଉଁଦିନ ସାନୋଟୋରିୟମରେ ତୁ ମତେ ଅପଦସ୍ଥ କଲୁ ।

 

ଅନେକ ଆଶା ଓ ଆକାଂକ୍ଷା ନେଇ ସେଦିନ ମୁଁ ଛୁଟି ଯାଇଥିଲି ତୋ ପାଖକୁ । ହେଲେ ତୋର ଉତ୍ତରରେ ମୁଁ ଆହତ ହୋଇ ଫେରି ଆସିଥିଲି । ତୁ କହିଥିଲୁ–‘ଲେଖକ ହିସାବରେ ତୁମର ପ୍ରତିଭା ଅଛି, ମୁଁ ସ୍ଵୀକାର କରୁଛି । କିନ୍ତୁ ଆଧୁନିକ ନାରୀ ପ୍ରତିଭା ଚାହେଁନି, ଚାହେଁ ପ୍ରତିପତ୍ତି । ଯାହାର ପ୍ରତିପତ୍ତି ଅଛି ସେ ବୃଦ୍ଧ ହେଉ ବା ତରୁଣ ହେଉ ତାକୁ ବିବାହ କଥା । କାରଣ ତମ କଳ୍ପରେ କ୍ଳାନ୍ତ ନିରସ ମନକୁ ସରସ କରାଯାଇ ପାରେ; କିନ୍ତୁ ସେଥିରେ ପେଟ ପୁରିବନି ସମ୍ମାନ ମିଳିବନି ।’

 

ମୁଁ ଚୁପ୍ ରହିଥିଲି ।

 

ତା’ପରେ ତୁ ପୁଣି କହିଥିଲୁ–ଦେଖ, ଆଉ ସେମିତି ତମେ ମତେ ବିବ୍ରତ ନ କର । ଯଦି କେବେ ରାସ୍ତାରେ ବି ଆମ ଦୁହିଁଙ୍କର ଭେଟ ହୁଏ, ତେବେ ଯେମିତି ପରସ୍ପରକୁ ପରିଚିତର ଦୃଷ୍ଟିରେ ନ ଚାହିଁ ଅପରିଚିତ ପରି ଚାହିଁବା ।

 

ମୁଁ ଲେଉଟି ଆସିଥିଲି ।

 

ତୁ ରୋଗମୁକ୍ତ ହେବାର କିଛିଦିନ ପରେ ସେହି ବୃଦ୍ଧଙ୍କ ସହିତ ସିଭିଲ୍ ମ୍ୟାରେଜ କଲୁ । ଏ ସମ୍ବାଦ ପାଇବା ପରେ ବାସ୍ତବିକ୍ ମୁଁ ଖୁବ୍ ମର୍ମାହତ ହେଲି । ତୁ ଯେ ମତେ ପ୍ରତ୍ୟାଖ୍ୟାନ କରି ଅନ୍ୟ ଜଣଙ୍କର ହେଲୁ, ସେଥିପାଇଁ ନୁହେ । ତୁ ଜଣେ ଅନିନ୍ଦ୍ୟ ସୁନ୍ଦରୀ ଭାବେ ଯୌବନର ଏକ ସାର୍ଥକ ପ୍ରତିନିଧି ହୋଇ ମଧ୍ୟ ସାମାନ୍ୟ ଧନ ଓ ପ୍ରତିପତ୍ତିର ପ୍ରଲୋଭନରେ ଜଣେ ଅର୍ଦ୍ଧଶତ ବର୍ଷୀୟ ବୃଦ୍ଧକୁ ଯେ ବିବାହ କଲୁ ସେଥିନିମନ୍ତେ । କାରଣ ମୋ ଧମନୀରେ ଏକ ରକ୍ଷଣଶୀଳ ଯୌବନଦୀପ୍ତ ରକ୍ତଟା ଖେଳି ବୁଲୁଥିଲ କି ନା । ସେଥିଯୋଗୁଁ ତ ତୁ ମତେ ପ୍ରତ୍ୟାଖ୍ୟାନ କରି ଯେତେବେଳେ ମେଡ଼ିକାଲ ଷ୍ଟୁଡ଼େଣ୍ଟ୍‍ଟିକୁ ଭଲ ପାଉଥିଲୁ ମୁଁ ଯେତେ ଆନନ୍ଦିତ ହୋଇଥିଲି, ତା’ର ଦୁଇଗୁଣ ଦୁଃଖିତ ହୋଇପଡ଼ିଲି ସେଇ ବୃଦ୍ଧଟିକୁ ଭଲ ପାଇବା ପରେ ।

 

ତୋର ଏଇ କାର୍ଯ୍ୟକଳାପ ମୋ ମନରେ ଭରିଦେଲା ସାଧାରଣ ନାରୀ ସମାନ ପ୍ରତି ଏକ ଅବିଶ୍ୱାସର ବିଷ ଓ ଅନେକ ଘୃଣା । ତା’ପରେ ସାଧାରଣତଃ ମୁଁ ନାରୀମାନଙ୍କୁ ଘୃଣା କରିବାକୁ ଲାଗିଲି । ଆଉ ସମାଜର ଏଇ ଦୁଷ୍କୃତି ମଧ୍ୟରୁ ଉଦ୍ଧାର ପାଇବାକୁ ଚେଷ୍ଟା କଲି ।

 

ଅନେକ କଥା ସେ । ବହୁଥର ମୁଁ ହତାଶରେ ଭାଙ୍ଗି ପଡ଼ିଚି । କ୍ଷୋଭ ଆଉ ଗ୍ଳାନିର ନିରନ୍ଦ୍ର ନିଝୁମ ଅନ୍ଧକାର ମଧ୍ୟରେ କାଉଳି ଖାଇଚି । କିନ୍ତୁ ସମାଜର ପ୍ରତି ସ୍ଥାନରେ ଯେଉଁ ବିଷାକ୍ତମୟ ବାୟୁ ବୋହୁଥିଲା ସେଥିରୁ ମୁକ୍ତି ପାଇବା ନିମିତ୍ତ କୌଣସି ଉପାୟ ପାଇନି । ମୋର ମନେ ହେଉଛି ମୁଁ ଯେମିତି ସେଇ ବିଷର ଜ୍ଵାଳାରେ ଜଳିଯିବି, ଭସ୍ମୀଭୂତ ହେବି । ସମାଜ ବି ନିଶ୍ଚିହ୍ନ ହେବ ।

 

କିନ୍ତୁ ହଠାତ୍ ଅନେକ ଖୋଜା ଖୋଜି ପରେ ମୁଁ ମୋର ଅନ୍ତରରୁ ପାଇଲି ଗୋଟିଏ ଡାକ । ସେ ଡାକଥିଲା ଯୋଗର । ମଣିଷ ସହିତ ଭଗବତ୍ ଯୋଗର ଡାକ । ମୁଁ ତାକୁ ଶୁଣିଲି । ଗଭୀର ଭାବରେ ଅନୁଧ୍ୟାନ କଲି । ମୋର ମସ୍ତିଷ୍କ ଦେଇ ବୁଝିବାକୁ ଓ ହୃଦୟ ଦେଇ ହୃଦୟଙ୍ଗମ କରିବାକୁ ଚେଷ୍ଟା କଲି ଆଉ ପରିଶେଷରେ ମୁଁ ଏଇ ସତ୍ୟରେ ଉପନୀତ ହେଲି ଯେ, କେବଳ ଯୋଗ ଏଇ ଦୁଃସ୍ଥ ସମାଜକୁ ସୁସ୍ଥ କରିପାରେ, ଦୁର୍ବଳ ମନରେ କରିପାରେ ବଳର ସଞ୍ଚାର ।

 

ତେଣୁ କେବଳ ମୋର ମୁକ୍ତି ନିମନ୍ତେ ନୁହେଁ, ଏଇ ଦୁସ୍ଥ ସମାଜର ସେବା ନିମନ୍ତେ ମୁଁ ଆଗେଇ ଆସିଲି ଯୋଗ ପଥରେ । ଆଉ ଶେଷରେ ମୁଁ ଆଶ୍ରୟ ନେଇଛି ଏକ ଆଶ୍ରମରେ । କାରଣ ମୁଁ ଖୁବ୍ ଭଲ ଭାବରେ ହୃଦୟଙ୍ଗମ କରିପାରିଲି ଯେ, “ଭଗବତ୍ ପ୍ରେମ କେବେ ବି ବ୍ୟର୍ଥ ହୁଏନା । ମଣିଷକୁ କେତେବେଳେ ବି ନିରାଶ କରେ ନା ।” ତେଣୁ ଆଶ୍ରମରେ ଯୋଗଦେଇ ଶହ ଶହ ସାଧକଙ୍କ ମେଳରେ ମୁଁ ସାଧନାରେ ଲାଗିରହିଛି ଆଉ ଯୋଗମାର୍ଗରେ ଅଗ୍ରସର ହେବାକୁ ମୁଁ ଏଇଠାରୁ ପାଉଛି ସବୁଠାରୁ ବେଶି ସାହାଯ୍ୟ ।

 

କିନ୍ତୁ ହଠାତ୍ ଦିନେ ଦେଖିଲି ତୁ ଆଶ୍ରମକୁ ଆସିଛୁ, ତୋର ଅବଶିଷ୍ଟ ଜୀବନକୁ ସାଧିକା ଭାବରେ କଟାଇ ଦେବା ପାଇଁ । ବୁଝିବାକୁ ମୋ ପକ୍ଷରେ କଷ୍ଟ ହୋଇ ନ ଥିଲା ତୋର ବର୍ତ୍ତମାନର ଅବସ୍ଥା ସମ୍ପର୍କରେ । କିନ୍ତୁ ଘୃଣା ପରିବର୍ତ୍ତେ ଏକ ପ୍ରେମପୂର୍ଣ୍ଣ ଦୃଷ୍ଟି ତୋଳି ମୁଁ ତୋ ଆଡ଼କୁ ଚାହିଁ ରହିଲି । ସେ ପ୍ରେମ ରୂପକ ନୁହେଁ, ଦିବ୍ୟପ୍ରେମ ।

 

ତୁ କିନ୍ତୁ ମତେ ଦେଖି ବିଚଳିତ ହୋଇ ପଡ଼ିଥିଲୁ । ମୋର ଉପସ୍ଥିତ ସହ୍ୟ କରି ପାରୁ ନ ଥିଲୁ ବୋଧେ । ତା’ପରେ ତୁ ଆଶ୍ରମ ଛାଡ଼ି ଚାଲି ଯାଇଥିଲୁ । ତୋର ଆଗମନୀରେ ମୁଁ ଯେମିତି ଆଶ୍ଚର୍ଯ୍ୟ ହୋଇ ନ ଥିଲି, ତୋର ପଳାୟନରେ ମୁଁ ସେଇପରି କିଛି ନୂତନତା ଦେଖି ନ ଥିଲି ।

 

କିନ୍ତୁ ମୁଁ ଦୁଃଖିତ ହୋଇଥିଲି, କାରଣ ସାନୋଟୋରିୟମରେ କହିଥିବା ତୋର ଶେଷ କଥା ପଦକୁ ତୁ ରକ୍ଷା କରି ପାରି ନ ଥିଲୁ ବୋଲି ।

 

ତୋ ଉପରେ ତୋର ଆସ୍ଥା ଓ ବିଶ୍ଵାସ ନ ଥିଲା, ତେଣୁ ମତେ ଦେଖି ତୁ ବିଚଳିତ ହୋଇପଡ଼ିଲୁ ।

 

ମୋ ଉପରେ ମୋର ଗଭୀର ଆସ୍ଥା ଓ ବିଶ୍ଵାସ ଥିଲା, ତେଣୁ ମୁଁ ଅବିଚଳିତ ରହିଥିଲି ।

 

ବାହାରେ ବର୍ଷା ଓ ପବନ ଫେଣ୍ଟିହୋଇ ବୁଲୁଛନ୍ତି । ବର୍ଷା ଭିଜା ମାଟିର ଗନ୍ଧ ଏବେ ବି ମନକୁ ଆମୋଦିତ କରୁଛି । ମୁଁ ଖଟ ଉପରେ ସେଇମିତି ଶୋଇରହି ସେଇ ସୁପ୍‍ର ପ୍ଳେଟଟିକୁ ନିଃଶେଷ କରିଦେଲି । ଆଉ ଶେଷ ହାପୁଡ଼ାଟା ପରେ ଏକ ପ୍ରେମପୂର୍ଣ୍ଣ ଦୃଷ୍ଟି ତୋଳି ଆକାଶକୁ ଚାହିଁ ରହିଲି । ପରେ ସେ ଦୃଷ୍ଟି ଧ୍ୟାନରେ ପରିଣତ ହେଲା ।

★★★

 

ହରିଣୀ ଶିକାର

 

ପ୍ରଥମେ କୌଣସି ଏକ ସହରକୁ ଅନ୍ୟ ଏକ ଦୂରନ୍ତ ସହର ସହିତ ସଂଯୁକ୍ତ କରୁଥିବା ପିଚ୍ଢ଼ଳା କଳା ମଚମଚ ରାଜପଥ, ପରେ ସେଇ ରାଜପଥ ସହିତ ଏବେ ନୂଆ ହୋଇ ସହର ଭାବରେ ପରିଚିତ ହେଉଥିବା କେଉଁ ବହୁ ବିଦିତ ଗ୍ରାମକୁ ସଂଯୋଗ କରିଥିବା ନାଲି ଗୋଡ଼ି ନିର୍ମିତ ଜନପଥ, ତା’ପରେ କେଉଁ ଅଖ୍ୟାତ ପଲ୍ଲୀର ଧୂଳି ଧୂସରିତ କଚ୍ଚାରାସ୍ତା ଓ ତତ୍‍ପରେ ବୁଦ୍‍ବୁଦିଆ ଜଙ୍ଗଲର ମଧ୍ୟବର୍ତ୍ତୀ ପାଦଚଲା ବାଟ ଅତିକ୍ରମ କରି ଏଇ ଶ୍ୟାମଳ ବନାନୀର ଦେହ ଛୁଇଁ କଳକଳ ନାଦରେ ବୋହି ଯାଉଥିବା ଗିରି–ଝରଣାର ନିକଟରେ କିଛି ପୋଡ଼ା ପେଟ୍ରୋଲ୍ ଗନ୍ଧ ଛାଡ଼ି ଶେଷରେ ଜିପ୍ ଅଟକିଗଲା । ସେଇ ଜିପ୍ ଭିତରୁ ଆମେ ଚାରିଜଣ ବନ୍ଧୁ ଚାରୋଟି ବନ୍ଧୁକ ହାତରେ ଧରି ଖପ୍ ଖାପ୍ ତଳକୁ କୁଦି ପଡ଼ିଲୁ । ସେତେବେଳକୁ ଆକାଶର ଅଙ୍ଗନରେ ବାସନ୍ତୀଗୋଧୂଳିର ରଙ୍ଗ ମ୍ଳାନ ପଡ଼ି ଆସୁଥିଲା । କିନ୍ତୁ ଅରଣ୍ୟର ଏଇସବୁ ନବପତ୍ର ଶୋଭିତ ଅସଂଖ୍ୟ ବୃକ୍ଷଙ୍କ ଭିତରେ ଏଣେ ତେଣେ ବିକ୍ଷିପ୍ତ ଭାବରେ ବଢ଼ି ଉଠିଥିବା କେତୋଟି ପଳାଶ ଗଛର ମୁଥ ମୁଥ ଫୁଲ ପ୍ରଭାତର ସୂର୍ଯ୍ୟକୁ ସୁଦ୍ଧା ଉପହାସ କରୁଥିଲା ।

 

ଆମ ନିର୍ଦ୍ଦେଶରେ ନିର୍ମିତ ହୋଇଥିବା ମଞ୍ଚା ଉପରକୁ ଯିବା ପୂର୍ବରୁ ଆମେ ଚାରିଜଣ କିଛି ସମୟ ପାଇଁ ଏଇ ଝରଣା କୂଳରେ ଥିବା ଏକ ପ୍ରସ୍ତର ଫଳକ ଉପରେ ବସି ପଡ଼ିଲୁ । କିନ୍ତୁ ଆମେ ଏଇ ବାସନ୍ତୀ ଗୋଧୂଳିର ମ୍ଳାନ ରଙ୍ଗ କିମ୍ବା ଅସୁମାରୀ ପଳାଶ ଫୁଲର ବର୍ଣ୍ଣବିଭା ଉପଭୋଗ କରିବାକୁ ଏଠି ବସି ନ ଥିଲୁ । ଆମେ ବସିଥିଲୁ ଦୀର୍ଘ ଯାତ୍ରାର କ୍ଳାନ୍ତି ମେଣ୍ଟାଇବା ପାଇଁ-। ପ୍ରଥମେ ଆମେ ସାଙ୍ଗରେ ଆଣିଥିବା କିଛି ସ୍ନାକ୍‍ସ ଖାଇଥିଲୁ ଓ ଫ୍ଳାକ୍‍ସରୁ ଢାଳି ଚାରିକପ୍ ଚା’ ପିଇଥିଲୁ ।

 

ଆମର ମିଳିତ ପରିଚୟ :

 

ଆମେ ସମସ୍ତ ଦୋଷ–ଗୁଣରେ ପରିପୂର୍ଣ୍ଣ ଦ୍ଵିପଦ ସାମାଜିକ ଅସାମାଜିକ (??) ପ୍ରାଣୀ-: ଯେଉଁମାନେ କି ମନୁଷ୍ୟ ନାମରେ ପରିଚିତ ।

 

ଆମର ବ୍ୟକ୍ତିଗତ ପରିଚୟ :

 

ମୁଁ, ସୁକାନ୍ତ ମହାନ୍ତି ଏମ୍.ଏ.ଏଲ୍ ଏଲ୍ ବି.ବର୍ତ୍ତମାନ ଜୀବିକାର୍ଜ୍ଜନ୍ନ କରୁଛି ଗୋଟିଏ କମ୍ପାନୀରେ କାର୍ଯ୍ୟ କରି ।

 

ଓ ମୋ’ର ଅନ୍ୟ ତିନିବନ୍ଧୁ :

 

ସୁଜିତ୍ ପଟ୍ଟନାୟକ ଏମ୍.ଏସ୍‍ସି, ଏଲ୍ ଏଲ୍.ବି. ଆଡ଼ଭୋକେଟ୍ ଓଡ଼ିଶା ହାଇକୋର୍ଟ, ସଂବିତ୍ ଚୌଧୁରୀ ଏମ୍.ଏସ୍‍ସି. ଅଧ୍ୟାପକ ଉଦ୍ଭିଦ ବିଜ୍ଞାନ, ହେମନ୍ତ କାନୁନ୍ ଗୋ ଏମ୍.ଏ., ଏଲ୍ ଏଲ୍. ବି ବ୍ୟବସାୟୀ ।

 

ଏବଂ ଆମେ ଚାରିବନ୍ଧୁ ସାମାନ୍ୟ ଭାବେ ରସିକ ।

 

ମଞ୍ଚା ଉପରକୁ ଯିବା ପୂର୍ବରୁ ଆମେ କେତେ ବୋତଲ କୋକାକୋଲା ଏବଂ କେତୋଟି ପ୍ୟାକେଟ୍ ସିଗାରେଟ୍ ନିଃଶେଷ କରିଥିଲୁ ।

 

ମତେ ଏକାନ୍ତରେ ଭେଟିଲେ ହଠାତ୍ ନୀରବ ହୋଇ ପଡ଼ୁଥିବା ସୁଜାତାର ବେଦନାଦ୍ର ଦୁଇ କରୁଣ ବ୍ୟଥିତ ଚକ୍ଷୁ ପରି ସନ୍ଧ୍ୟାର ନୀରବ ଆକାଶରେ କେଉଁ ବ୍ୟଥା ଓ କାରୁଣ୍ୟରେ ଆଦ୍ର ହୋଇ ଦୁଇଟି ତାରକା ଜଳୁଥିଲେ ଏବଂ ତା’ର ଗହଳ କାକକୃଷ୍ଣ ଜଡ଼ା ପରି ଶାଳ ପିଆଶାଳ ଘେରା ଏଇ ଅରଣ୍ୟରେ ସନ୍ଧ୍ୟାର ଅନ୍ଧକାର ଘନୀଭୂତ ହେଇଥିଲା । ମୁଁ ସାମାନ୍ୟ ଆତ୍ମବିସ୍ମୃତ ଭାବେ ସନ୍ଧ୍ୟାର ନୀରବ ଆକାଶର ସେଇ କରୁଣ ବ୍ୟଥିତ ତାରକା ଦୁଇଟିଙ୍କୁ ଚାହିଁ ଚାହିଁ ସୁଜାତାର ସେଇ ଆଶ୍ଚର୍ଯ୍ୟ ଚମତ୍କାର ଚକ୍ଷୁ ଦୁଇଟିର କଥା ଭାବୁଥିଲି ।

 

‘ଲେଟ୍ଅସ୍ ମୁଭ୍ ! ନିରବତା ଭଙ୍ଗକରି ବନ୍ଧୁ ସୁଜିତ୍ କହି ଉଠିଲେ । ତା’ପରେ ଆମେ ଚାରି ବନ୍ଧୁ ହାତରେ ବନ୍ଧୁକ ଧରି ଉଠିପଡ଼ି ଶିକାର ମଞ୍ଚା ଦିଗକୁ ଚାରୋଟି ନିଷ୍ଠୁର ଜହ୍ଲାଦଙ୍କ ପରି ଆଗେଇ ଚାଲିଲୁ । କିନ୍ତୁ ମୋ’ର ଆତ୍ମବିସ୍ମୃତ ଭାବ ତଥାପି ସୁଦ୍ଧା କଟି ନ ଥିଲା । ସେଇ ଅନ୍ଧକାର ଭିତରେ ମୋ’ର ମନେ ହେଉଥିଲା–ଯେମିତି ଅନନ୍ତ କାଳରୁ ଏଇ ଅନ୍ଧକାର ଭିତରେ ମୁଁ ଭାସି ଚାଲିଛି କେଉଁ ଏକ ନୂତନ ପୃଥିବୀର ସନ୍ଧାନରେ । ହୁଏତ ମୋ’ର ସ୍ଵପ୍ନ ସଫଳ ହେବା ପୂର୍ବରୁ ଏଇ ଅନ୍ଧକାର ଭିତରେ ମୁଁ ଚିରଦିନ ପାଇଁ ହଜିଯିବି ।

 

ଆମେ ମଞ୍ଚାର ନିକଟବର୍ତ୍ତୀ ହେଲୁ ।

 

ମଞ୍ଚା ଉପରକୁ ଯିବା ପୂର୍ବରୁ ପୁଣି ଚାରୋଟି ସିଗାରେଟ୍ ନିଃଶେଷ କଲୁ ଓ ଆମର ବନ୍ଧୁକ ଗୁଡ଼ିକ ଶେଷଥର ପାଇଁ ପରୀକ୍ଷା କରି ଗୁଳି ଭର୍ତ୍ତି କରି ସାରିବା ପରେ ଟର୍ଚ୍ଚଲାଇଟ୍ ସାହାଯ୍ୟରେ ସ୍ଥାନଟିକୁ ପୁଣି ଥରେ ଭଲ ଭାବରେ ଦେଖି ନେଲୁ । ତା’ପରେ ଶିକାରର କେତୋଟି ସାଧାରଣ ନିୟମ ମନେପକାଇ ଖୁବ୍ ସନ୍ତର୍ପଣରେ ମଞ୍ଚା ଉପରକୁ ଉଠିଲୁ ।

 

ଆମ ଚାରିବନ୍ଧୁଙ୍କ ମଧ୍ୟରେ କେହି ବି ପୋଖତ ପେଷାଦାର ଶିକାରୀ ନ ଥିଲେ । ଆମେ ସମସ୍ତେ ଥିଲୁ ନୂତନ ସୌଖୀନ ଶିକାରୀ । ଶିକାରକୁ ଆସିବା ଆମ ସମସ୍ତଙ୍କର ଏଇ ଦ୍ଵିତୀୟବାର ମାତ୍ର । ପୁଣି ଗୋଟିଏ ଝିଅ ସହିତ ବାଜି ମାରି ଆମେ ଚାରିବନ୍ଧୁ ପ୍ରଥମଥର ବୀରଦର୍ପରେ ଶିକାରକୁ ଆସି ପରାଜୟର ଗ୍ଳାନି ନେଇ ଫେରୁଥିବା ଅବସ୍ଥାରେ ଅସାବଧାନତାବଶତଃ ଆମ ଜିପ୍‍ର ଚକାତଳେ ଚାପାପଡ଼ି ମାରିଥିବା ଏକ ଶଶକର ମୃତଦେହ ଆମକୁ କିଛି ପରିମାଣରେ ଆଶ୍ଵସ୍ତ କରିଥିଲା । କାରଣ ସେଇ ଶଶକର ଶବକୁ ଦୁଇଟି ଗୁଳିରେ କ୍ଷତକରି ଆମ ଜିପ୍‍ ରେ ପକାଇ ନେଇ ଯାଇଥିଲୁ । ତେଣୁ ଏଥର ନିଜ ହାତରେ ଶିକାର କରିବାର ପ୍ରତିଜ୍ଞା କରି ଆସିଥିଲୁ । କିନ୍ତୁ ଅରଣ୍ୟର ମଧ୍ୟସ୍ଥଳୀରେ ଥିବା ଜଳାଶୟ ନିକଟରେ ମଞ୍ଚା ନିର୍ମାଣ କରି ବା ଜଙ୍ଗଲ ଭିତରେ ବୁଲି ବୁଲି ବନ୍ୟ-ଜନ୍ତୁ ଖୋଜି ଶିକାର କରିବାର ସାହସ ଆମର ନ ଥିଲା । କାରଣ ବନ୍ଧୁକ ଚାଳନାର କୌଶଳ ଖୁବ୍ ଭଲ ଭାବରେ ଆମେ ଆୟତ୍ତ କରି ପାରି ନ ଥିଲୁ ଏବଂ ପୈତୃକ ପ୍ରାଣ ପ୍ରତି ଆମ ସମସ୍ତଙ୍କର ଗଭୀର ମମତା ଥିଲା । ତେଣୁ ଅରଣ୍ୟର ସୀମା ଛୁଇଁ ବୋହି ଯାଉଥିବା ଏଇ ଗିରି–ଝରଣାର ଅପର ପାର୍ଶ୍ୱରେ ମଞ୍ଚାନିର୍ମାଣ କରିବାକୁ ଆମେ ନିର୍ଦ୍ଦେଶ ଦେଇଥିଲୁ ।

 

ରାତ୍ରି କ୍ରମେ ବଢ଼ି ଚାଲିଥିଲା । ସେଇ ଅନ୍ଧକାର ମଧ୍ୟରେ ମଞ୍ଚା ଉପରେ ଆମେ ଚାରି ବନ୍ଧୁ ନୀରବରେ କିନ୍ତୁ ଉତ୍କର୍ଣ୍ଣ ଭାବରେ ଅପେକ୍ଷା କରିଥିଲୁ ଝରଣାକୁ ତୃଷା ମେଣ୍ଟାଇବା ପାଇଁ ଆସୁଥିବା ବନ୍ୟ ଜନ୍ତୁମାନଙ୍କର ଶବ୍ଦ ଶୁଣିଲେ ବନ୍ଧୁକ ଚଳାଇବାକୁ । କିନ୍ତୁ କୌଣସି ଜନ୍ତୁ ଆସିବାର ସାମାନ୍ୟ ଆଭାସ ସୁଦ୍ଧା ନ ଥିଲା । ବାସନ୍ତୀ ରାତ୍ରିର ପବନ ସେଇ ଅରଣ୍ୟରେ ଚିତ୍କାର କରି କାନ୍ଦୁଥିଲା । କିନ୍ତୁ ସେଥିରେ ମିଶି ରହିଥିଲା ବହୁ ନାଁ–ଅଜଣା ଅରଣ୍ୟ ଫୁଲଙ୍କର ବାସ୍ନା । ସେଇ ଶୋକାତୁରା ବାୟୁର ସ୍ପର୍ଶରେ ଅରଣ୍ୟର ବୃକ୍ଷମାନେ କମ୍ପୁଥିଲେ । ବାସନ୍ତୀ ବାୟୁର କ୍ରନ୍ଦନ, ବୃକ୍ଷମାନଙ୍କର କମ୍ପନ, କେତୋଟି ଆରଣ୍ୟକ ପକ୍ଷୀଙ୍କର ସାମୟିକ ସ୍ୱର ଓ ଝରଣାର କଳକଳ ନାଦ ବ୍ୟତୀତ ସେଠାରେ ଅନ୍ୟ କୌଣସି ଶବ୍ଦ ନ ଥିଲା । ଅଜଣା ତିଥିର ଚନ୍ଦ୍ର ସେ ପର୍ଯ୍ୟନ୍ତ ଆକାଶକୁ ଆସି ନ ଥିଲେ; କିନ୍ତୁ ଆକାଶର ସମସ୍ତ ତାରା ଜଳୁଥିଲେ ଓ ବସନ୍ତର ଜଳଭାରହୀନ ଶୁଭ୍ର ବାଦଲ ବେଳେ ବେଳେ ଭାସି ବୁଲୁଥିଲେ । ପୃଥିବୀ ଅକୁଣ୍ଠିତା ପରି ନିଜକୁ ଆକାଶ ନିକଟରେ ଉନ୍ମୁକ୍ତ କରିଥିଲା ଆଉ ଆକାଶ ପୃଥିବୀକୁ ସାଫଲ୍ୟ ପ୍ରଣୟର ପ୍ରତିଶ୍ରୁତି ଦେଉଥିଲା । ଅକୁଣ୍ଠିତାର ଆଲିଙ୍ଗନୋଦ୍ୟତ ଦୁଇ ବ୍ୟଗ୍ର ବାହୁ ପରି ଅରଣ୍ୟ ବୃକ୍ଷମାନେ ଆକାଶ ଆଡ଼କୁ ଲମ୍ବି ଯାଉଥିଲେ ଓ ଆକାଶରୁ ଗୋଟି ଗୋଟି ହୋଇ ତାରା ଝରଣାର ସ୍ୱଚ୍ଛ ଜଳରାଶି ଉପରକୁ ଝାମ୍ପି ପଡ଼ୁଥିଲେ ।

 

ସେସବୁ ପ୍ରତି କିନ୍ତୁ ଦୃଷ୍ଟିପାତ କରିବାକୁ ଆମର ଆଗ୍ରହ ନ ଥିଲା । ଶିକାର ଅପେକ୍ଷାରେ କ୍ଳାନ୍ତ ହୋଇ ମୋର ଅନ୍ୟ ତିନି ବନ୍ଧୁ ନୀରବରେ ସିଗାରେଟ ଟାଣୁଥିଲେ ଏବଂ ମୁଁ ସେଇ ଅନ୍ଧକାର ଭିତରେ ବହୁ ସମୟ ଧରି ବନ୍ଧୁକ ସଜାଡ଼ି ଅକ୍ଳାନ୍ତ ଭାବେ ଅପେକ୍ଷା କରିଥିଲି ନିଜ ଆତ୍ମାକୁ ହତ୍ୟା କରିବାକୁ ।

 

ସେଇ ଅନ୍ଧକାର ଭିତରେ ଆଲୋକର ଝାପ୍‍ସା ତରଙ୍ଗ ଖେଳି ବୁଲିବା ଯେମିତି । କିନ୍ତୁ ସେ ଆଲୋକର ତରଙ୍ଗ ବୃକ୍ଷଲତାକୁ ଅତିକ୍ରମ କରି ଅରଣ୍ୟର ଅନ୍ଧକାର ଦୂର କରିବାକୁ ଆଦୌ ସକ୍ଷମ ହୋଇପାରୁ ନ ଥିଲା । ମୁଁ ଚାହିଁ ଦେଖିଲି, ଆକାଶରେ ଅଜଣା ତିଥିର ବହୁବିଳମ୍ବିତ ଚନ୍ଦ୍ରୋଦୟ ।

 

ହଠାତ୍ ହେମନ୍ତ ପଚାରିଲେ–କ’ଣ ପ୍ରକୃତରେ ଏ ପର୍ଯ୍ୟନ୍ତ କୌଣସି ଜନ୍ତୁ ଝରଣାକୁ ଆସିଲେ ନାହିଁ ନା ଆମ ଅଜାଣତରେ ନିଃଶବ୍ଦରେ ଆସି ଚାଲିଗଲେ ?

 

–ସର୍ଚ୍ଚ ଲାଇଟ୍ ପକାଯାଇ ଥରେ ଦେଖାଯାଉ । ସଂବିତ୍ ପ୍ରସ୍ତାବ ଦେଲେ ।

 

ସର୍ଚ୍ଚ ଲାଇଟ୍ ପକାଇ ହଠାତ୍ ଆମେ କିଂକର୍ତ୍ତବ୍ୟବିମୂଢ଼ ହୋଇପଡ଼ିଲୁ । କାରଣ ଆମେ ଦେଖିବାକୁ ପାଇଲୁ ଝରଣାର ଅପର ପାର୍ଶ୍ୱରେ ଏକ ବିରାଟକାୟ ମହାବଳ ବାଘ ନୀରବରେ ପାଣି ପିଇବାରେ ଲାଗିଛି । ସ୍ଥାନଟି ହଠାତ୍ ଆଲୋକିତ ହୋଇ ଉଠିବାରୁ ସେ ପାଣି ପିଆ ବନ୍ଦ କରି ତା’ ଆଡ଼କୁ ଆସୁଥିବା ଆଲୋକ ଏବଂ ଆଲୋକର ଦିଗକୁ କିଛି ସମୟ ପାଇଁ ଚାହିଁରହିଲା । ତା’ପରେ କ’ଣ ଭାବିଲା କେଜାଣି, ପଛଗୋଡ଼ ଦୁଇଟିକୁ ଭାଙ୍ଗି ସାମ୍ନା ଗୋଡ଼ ଦୁଇଟିକୁ ସିଧା ରଖି ସେଇଠି ବସି ପଡ଼ିଲା ଓ ତା’ର ଲାଞ୍ଜଟିକୁ ବୁଲାଇ ଆଣି ଆଗ ଗୋଡ଼ ଦୁଇଟିର ପାଦ ଉପରେ ରଖି କେତେ ଥର ସାମାନ୍ୟ ମୁଣ୍ଡ ଝାଡ଼ି ଓଠ ଉପରେ ଜିଭ ବୁଲାଇ ଆଣିଲା, ସତେ ଯେମିତି ସେ ଅରଣ୍ୟର ପ୍ରତାପଶାଳୀ ସମ୍ରାଟ ମହାବଳ ନୁହେଁ, ଗୃହାଙ୍ଗନର ନିରୀହ ପୁଷି ବିଲେଇଟିଏ ।

 

–ଫା...ୟାର ! ସୁଜିତ୍ ପ୍ରାୟ ଚିତ୍କାର କରି ଉଠୁଥିଲେ । ମୁଁ କିନ୍ତୁ ତାଙ୍କ ପାଟିକୁ ଚାପି ଧରିଲି ।

 

–ଖେଳଘର କଥା ନୁହେଁ ସୁଜିତ୍, ଯଦି ଆମେ ଲକ୍ଷ୍ୟଭ୍ରଷ୍ଟ ହେଉ ତେବେ ନିର୍ବିବାଦରେ ସେ ଆମକୁ ଶିକାର କରିବ । ସେ ବାଘ । ମୁଁ କହିଲି ।

 

–ବାଘ । ହଁ, ବାଘ । ମହାବଳ ।

 

ଆମେ ଚାରି ବନ୍ଧୁ ଥରିବାକୁ ଲାଗିଲୁ ।

 

ଲାଇଟ୍ ଅଫ୍ କର । ନ ହେଲେ...ନ ହେଲେ ବୋଧହୁଏ ଆମେ ବର୍ତ୍ତମାନ ବାଘର ଶିକାର ହେବା । ସଂବିତ୍ କମ୍ପିତ କଣ୍ଠରେ କହୁଥାନ୍ତି । ଏଇ...ଏଇ ସେ ବାଘ କେମିତି ଆମକୁ ଲକ୍ଷ୍ୟ କରି ଠିଆ ହେଲାଣି ।

 

କିନ୍ତୁ ସର୍ଚ୍ଚ ଲାଇଟ୍‍ର ସୁଇଚ୍ ଅଫ୍ କରିବା ଆମ ଚାରିଯୋଡ଼ା କମ୍ପିତ ହସ୍ତର ଶକ୍ତିବହିର୍ଭୂତ ଥିଲା ଏବଂ ଯୂପକାଷ୍ଠରେ ମୁଣ୍ଡ ରଖି ଘାତକର କୁଠାର ଘାତକୁ ଶଙ୍କିତ ହୃଦୟରେ ଅପେକ୍ଷା କରିଥିବା କୌଣସି ଛାଗଳର ଦୁଇ ନିରୀହ ଭୟାର୍ତ୍ତ ଚକ୍ଷୁ ପରି ଆମ ଚାରି ବନ୍ଧୁଙ୍କର ଚାଟିଯୋଡ଼ା କରୁଣ ଭୟାର୍ତ୍ତ ଚକ୍ଷୁ ଚାହିଁ ଦେଖୁଥିଲେ, ମହାବଳ ବାଘଟି ନୀରବରେ ଠିଆ ହୋଇ ପ୍ରଥମେ ଅଳସ ଭାଙ୍ଗିଲା ଓ ତା’ପରେ ରାଜକୀୟ ଠାଣିରେ ପଛକୁ ବୁଲି ପଡ଼ି ଏକ ଭୟଙ୍କର ଲମ୍ବା ହେଣ୍ଟାଳ ମାରି ମନ୍ଥର ଗତିରେ ବନ ମଧ୍ୟରେ ଅଦୃଶ୍ୟ ହୋଇଗଲା ।

 

ସର୍କସର ପିଞ୍ଜରାବଦ୍ଧ ବାଘ ମୁଁ ଦେଖିଛି, ହୁଏତ ତା’ର ହେଣ୍ଟାଳ–ହେଣ୍ଟାଳ ନୁହେଁ ତ ହଣ୍ଟରରେ ମାଡ଼ ଖାଇଥିବା ବାଘର କରୁଣ ଚିତ୍କାର ଶୁଣିଛି । ଥରେ ଥରେ ଦରଦ ଓ ସମବେଦନାରେ ଦର୍ଶକ ଗ୍ୟାଲେରୀରୁ ଉଠିଯାଇ ତା’ର ସେଇ ନରମ କୋମଳ ଭେଲ୍‍ ଭେଟ୍ ପିଠିକୁ ଆଉଁସି ଦେବାକୁ ଇଚ୍ଛା କରିଛି; କିନ୍ତୁ ଅରଣ୍ୟର ସ୍ଵାଧୀନ ବିଚରଣଶୀଳ ମହାପ୍ରତାପୀ ମହାବଳକୁ ଭେଟିବା ଓ ତା’ର ଭୟଙ୍କର ହେଣ୍ଟାଳ ଶୁଣିବା କେବଳ ମୋ’ ଜୀବନରେ କାହିଁକି, ଆମ ଚାରି ବନ୍ଧୁଙ୍କ ଜୀବନରେ ଏଇ ଥିଲା ପ୍ରଥମ ।

 

ମହାବଳର ହେଣ୍ଟାଳ ଶୁଣି ଭୟରେ କମ୍ପୁଥିବା ଆମ ଚାରି ବନ୍ଧୁଙ୍କ ମଧ୍ୟରୁ ମୁଁ ସଂଜ୍ଞାହୀନ ହୋଇ ମଞ୍ଚାର ଗୋଟିଏ କୋଣରେ ଆଉଜି ପଡ଼ିଲି ଓ ବନ୍ଧୁକଟି ମୋ ହାତମୁଠା ସହିତ ଜାବ ପଡ଼ି ଯାଇଥିଲା । ମଞ୍ଚା ଉପରୁ ସର୍ଚ୍ଚ ଲାଇଟ୍‍ଟି ତଳକୁ ଖସି ପଡ଼ି ଚୂନା ହୋଇ ଯାଇଥିଲା; କିନ୍ତୁ ବାଘର ହେଣ୍ଟାଳ ବ୍ୟତୀତ ମୋର ଆଉ କିଛି ମନେ ନ ଥିଲା ।

 

ଚେତନା ଫେରିପାଇ ଦେଖିଲି ମୋ’ର ଅନ୍ୟ ତିନି ବନ୍ଧୁ ନିଜ ନିଜର ବନ୍ଧୁକ ଧରି ମଞ୍ଚା ଉପରେ ନିହାତି ଅସହାୟ ଭାବେ ଘୁମାଇ ପଡ଼ିଛନ୍ତି । ସେମାନଙ୍କ ମୁହଁସବୁ ଆସନ୍ନ ମୃତ୍ୟୁ ଭୟରେ ବିବର୍ଣ୍ଣ ହୋଇଯାଇଛି ଏବଂ ମୁଁ ନିଜେ ମୃତ୍ୟୁ କବଳରୁ ଫେରି ଆସୁ ଆସୁ ପୁଣି ଥରେ ତା’ର ଶୀତଳ ହସ୍ତଦ୍ଵାରା କବଳିତ ହେଉଛି ।

 

ବାହାରକୁ ଚାହିଁ ଜାଣିଲି, ରାତ୍ରି ଶେଷ ହୋଇ ଆସୁଥିଲା । ବହୁ ବିଳମ୍ବରେ ଆକାଶକୁ ଆସିଥିବା ଚନ୍ଦ୍ର ପଶ୍ଚିମ ଦିଗରେ ଧୀରେ ଧୀରେ ଫିକା ପଡ଼ି ଆସୁଥିଲା । ତା’ର ମ୍ଳାନ ଜ୍ୟୋସ୍ନା ଆହୁରି ମଳିନ ପଡ଼ି ଯାଇଥିଲା । କିନ୍ତୁ ଉଷାର ନୀରବ ଆକାଶରେ ଦୁଇଟି ତାରକା ଖୁବ୍ ଉଜ୍ଜ୍ୱଳ ଭାବରେ ଜଳୁଥିଲେ ସୁଜାତାର ବେଦନାଦ୍ର ଦୁଇ ଆଶ୍ଚର୍ଯ୍ୟ ଚମତ୍କାର ଚକ୍ଷୁ ପରି । ମୁଁ ସେଇ ତାରକା ଦୁଇଟିଙ୍କୁ କିଛି ସମୟ ପାଇଁ ଚାହିଁରହିଲି । ଧୀରେ ଧୀରେ ସେଇ ତାରକା ଦୁଇଟି ସୁଜାତାର ଚକ୍ଷୁରେ ଓ ଆକାଶ ତା’ର ମୁଖମଣ୍ଡଳରେ ପରିଣତ ହେଲା ।

 

–ସୁଜାତା !!

 

ବିସ୍ମୟରେ ମୁଁ ପ୍ରାୟ ମଞ୍ଚା ଉପରୁ କିଛିଟା ଝୁଙ୍କି ପଡ଼ିଲି । ସୁଜାତାର ରକ୍ତିମ ଅଧରକୁ ମୋର କମ୍ପିତ ଅଧର ସ୍ପର୍ଶ କଲା ଯେମିତି । ମୁଁ ଆନନ୍ଦରେ ଆଖି ବୁଜିଦେଲି ।

 

କିନ୍ତୁ ଆଖି ଖୋଲି ଦେଖିଲି, ସେ ମୁହଁ ସୁଜାତାର ନୁହେଁ, ଅନ୍ୟ ଏକ ଝିଅର, ଯେଉଁ ଝିଅ ସହିତ ବାଜି ମାରି ଆମେ ପ୍ରଥମ ଥର ଶିକାରକୁ ଆସି ପରାଜୟର ଗ୍ଲାନି ନେଇ ଫେରୁ ଫେରୁ ଆମ ଜିପ୍‍ର ଚକାତଳେ ଚାପା ପଡ଼ି ମରିଥିବା ଏକ ଶଶକର ମୃତ ଦେହକୁ ଗୁଳିବିଦ୍ଧ କରି ସାଙ୍ଗରେ ନେଇଯାଇଥିଲୁ । ସେ ଚକ୍ଷୁ ଦୁଇଟି ସୁଜାତାର ଦୁଇ ବେଦନାର୍ଦ୍ର ଆଶ୍ଚର୍ଯ୍ୟ ଚମତ୍କାର ଚକ୍ଷୁ ନୁହେଁ, ସେଇ ଝିଅର ଦୁଇଟାଯାକ ହିଂସ୍ର ଚକ୍ଷୁ । ସେଥିରେ ମୋ ପାଇଁ ସହାନୁଭୂତି ନାହିଁ, ସମବେଦନା ନାହିଁ, ବରଂ ଆମ ଚାରି ବନ୍ଧୁଙ୍କ ପ୍ରତି ସେଥିରେ ପୁଞ୍ଜୀଭୂତ ହୋଇଛି ଅନେକ ବିଦ୍ରୂପ ଓ ଉପହାସ । ଆମମାନଙ୍କ ପୌରୁଷକୁ ଉପହାସ କରି ସେ ଦୁଇଟି ଜଳୁଚି ଯେମିତି । ବାଘର ହେଣ୍ଟାଳ ଶୁଣି ମୃତପ୍ରାୟ ହୋଇଯାଇଥିବା ଆମ ଚାରି ବନ୍ଧୁଙ୍କ ଅବସ୍ଥା ସେ ଦେଖିନେଇଛି ଯେମିତି ।

 

ମୁଁ ଜୋରକରି ମୋର ଦୃଷ୍ଟି ସେଠାରୁ ଫେରାଇ ଆଣି ଦେଖିଲି, ଝରଣାର ଅପର ପାର୍ଶ୍ୱରେ କେତୋଟି ନିରୀହ ବାଦାମୀ ରଙ୍ଗର ହରିଣ ହରିଣୀ ଖେଳୁଛନ୍ତି ଆଉ ଝରଣାରୁ ପାଣି ପିଉଛନ୍ତି । ମଞ୍ଚା ଉପରେ ନୀରବରେ ମୋର ବନ୍ଧୁମାନେ ଶୋଇ ପଡ଼ିଛନ୍ତି ।

 

ମୁଁ ପୁଣି ବାହାରକୁ ଚାହିଁ ଦେଖିଲି, ହରିଣୀମାନେ ପୂର୍ବବତ୍ ଖେଳୁଛନ୍ତି ଆଉ ପାଣି ପିଉଛନ୍ତି । ଗୋଟିଏ ଶାବକ ସ୍ତନ୍ୟପାନରେ ବ୍ୟସ୍ତ ଆଉ ତା’ର ଜନନୀ ଗଭୀର ସ୍ନେହରେ ତାକୁ ଚାଟିବାରେ ଲାଗିଛି । ମୁଁ କେମିତି କୋମଳ ହୋଇ ପଡ଼ୁଥିଲି କିନ୍ତୁ ଆକାଶରେ ସେଇ ଉଦ୍ଧତ କନ୍ୟାର ଦୁଇ ହିଂସ୍ର ଚକ୍ଷୁ ଏବେ ସୁଦ୍ଧା ଆମକୁ ବିଦ୍ରୁପ କରୁଥଲା ଯଥେଷ୍ଟ ସୁଯୋଗ ପାଇ ସୁଦ୍ଧା ଏଯାବତ୍ ଆମେ ଗୋଟାଏ କିଛି ଶିକାର କରପାରିଲୁ ନାହିଁ ବୋଲି ।

 

ମୋର ନିଦ୍ରିତ ବନ୍ଧୁମାନଙ୍କର ନୀରବତା ଏବଂ ଆକାଶରେ ସେଇ ଦୁଇ ହିଂସ୍ର ଚକ୍ଷୁର ବିଦ୍ରୁପ ମୋତେ ପୁଣି କଠିନ କରିଦେଲା । ଏଇ ମାତ୍ର କେତେ ଘଣ୍ଟା ପୂର୍ବରୁ ମହାପ୍ରତାପୀ ମହାବଳ ବାଘ ନିକଟରେ ପରାଜିତ ହୋଇଥିବାର ପ୍ରତିଶୋଧ ଏଇ ନିରୀହ ହରିଣମାନଙ୍କ ଉପରେ ନେବାକୁ ଦୃଢ଼ ମନ କରି ମୁଁ ବନ୍ଧୁକ ଚଳାଇଲି ଏବଂ ଠିକ୍ ପରମୂହୁର୍ତ୍ତରେ ଦେଖିଲି, ବିଜୁଳିର ଅନେକ ତରଙ୍ଗ ବିଞ୍ଚି ବିଞ୍ଚି ସେଇ ହରିଣ ପଲ ଭୟରେ ଅରଣ୍ୟ ମଧ୍ୟକୁ ଛୁଟି ଯାଉଛନ୍ତି ଓ ସେମାନଙ୍କ ମଧ୍ୟରୁ ଗୋଟିଏ ଅଳ୍ପଦୂର ମାତ୍ର ଯିବା ପରେ ବିକଳ ଭାବେ ଆର୍ତ୍ତନାଦ କରି ଢଳି ପଡ଼ିଲା । ମୋ’ର ଗୁଳି ତା’ ଦେହରେ ବାଜିଥିଲା; କିନ୍ତୁ ସାମାନ୍ୟ ପୂର୍ବରୁ ସ୍ତନ୍ୟପାନରେ ରତଥିବା ସେଇ ଶାବକଟି ସାମାନ୍ୟ ଆଗେଇଯାଇ ଢଳି ପଡ଼ିଥିବା ହରିଣଟି ନିକଟକୁ ଛୁଟି ଆସି ବିକଳ ଭାବେ ତା’ର ଗୁଳିବିଦ୍ଧ କ୍ଷତକୁ ଚାଟିବାରେ ଲାଗିଲା । ସେଇଟି ବୋଧହୁଏ ହରିଣୀ, ସେଇ ଶାବକର ଜନନୀ; କିନ୍ତୁ କିଛି ଭାବିବା ପୂର୍ବରୁ ମୁଁ ପୁଣି ଗୁଳି ଚଳାଇଲି ଏବଂ ହରିଣ ଶିଶୁଟି ଅସ୍ପଷ୍ଟ ଚିତ୍କାର କରି ତା’ ମା’ ପାଖରେ ଢଳି ପଡ଼ିଲା ।

 

ଗୁଳି ଶବ୍ଦରେ ମୋର ନିଦ୍ରିତ ବନ୍ଧୁମାନଙ୍କର ନିଦ ଭାଙ୍ଗିଗଲା । ସେମାନେ ଝରଣାର ଅପର ପାର୍ଶ୍ୱରେ ପଡ଼ିଥିବା ହରିଣୀ ଓ ତା’ର ଶାବକର ଶବ ଦେଖି ଖୁବ୍ ଆନନ୍ଦରେ ମୋତେ ଅଭିନନ୍ଦନ ଜଣାଇଲେ । ତା’ପରେ ନୀରବ ବନଭୂମିକୁ ‘ଇଉରେକା’ ଧ୍ୱନିରେ ମୁଖରିତ କରି ଆମେ ଚାରି ବନ୍ଧୁ ମଞ୍ଚାରୁ ଓହ୍ଲାଇ ଝରଣା ଅତିକ୍ରମ କରି ଶିକାର ଦୁଇଟିକୁ ଆଣିବା ପାଇଁ ଛୁଟି ଚାଲିଲୁ । ସେତେବେଳକୁ ପ୍ରଭାତ ହୋଇ ଆସୁଥିଲା ।

 

ଶିକାର ଦୁଇଟିକୁ ଝରଣାର ଏ କୂଳକୁ ଆଣିସାରିବା ପରେ ଆମେ ଚାରି ବନ୍ଧୁ ପୁଣି ସେଇ ପ୍ରସ୍ତରଫଳକ ଉପରେ କିଛି ସମୟ ପାଇଁ ନୀରବରେ ବସି ଗୋଟିକପରେ ଗୋଟିଏ ସିଗାରେଟି ନିଃଶେଷ କରିବାରେ ଲାଗିଲୁ । ଆମ ସାମ୍ନାରେ କେତୋଟି ନିଃଶେଷିତ ସିଗାରେଟ୍ ଟୁକୁରା, ଖାଲି ପ୍ୟାକେଟ୍, ଜରି ଓ କାଲିର ସାକ୍‍ସ ଠୁଙ୍ଗା ଇତ୍ୟାଦି ପଡ଼ି ରହିଥିଲା । ଝରଣାର କୂଳରେ ଥିବା ପଳାଶ ଗନ୍ଥର କେତୋଟି ବାସି ଫୁଲ ତଳେ ଖସି ପଡ଼ିଥିଲା । ପୂର୍ବଦିଗ ଧୀରେ ଧୀରେ ରକ୍ତାଭ ହୋଇ ଆସୁଥିଲା । ମୃତ ହରିଣୀ ଓ ତା’ର ଶିଶୁ, ଦୁହିଁଙ୍କ ଦେହର କ୍ଷତ ସ୍ଥାନରୁ ରକ୍ତ ଝରି ଝରଣାର ପାଣିକୁ କିଛି ପରିମାଣରେ ଲାଲ କରିଥିଲା । ହରିଣୀର ଦୁଇ ନିରୀହ ଚକ୍ଷୁ ସେଇମିତି ଖୋଲିଥିଲା ଦୁଇଟି କାଚ ଚକ୍ଷୁ ପରି ଏବଂ ସେଥିରୁ ଝରି ଆସିଥିବା ଦୁଇ ଧାର ଲୁହ ତା’ର ମୂହଁ ଉପରେ ଶୁଖି ଯାଇଥିଲା । ମୃତ ଶାବକଟିକୁ ଆମେ ତା’ ମା’ର ଶବ ନିକଟରେ ପକାଇଥିଲୁ ।

 

କାହିଁକି କେଜାଣି ସେଇ ହରିଣୀ ଓ ତା’ର ଶିଶୁକୁ ବହୁ ସମୟ ଧରି ନିରୀକ୍ଷଣ କରି ମୁଁ ଅନେକ ସିଗାରେଟ୍ ନିଃଶେଷ କରି ଚାଲିଥିଲି । ମୁଁ ହଠାତ୍ ଅନୁଭବ କଲି ମୋ’ ଚାରିପଟେ ମୋ’ ବୋଉର କରୁଣ କୋମଳ ସ୍ନେହ ଘେରି ରହିଥିବା ପରି ମୃତ ଶିଶୁଟି ପ୍ରତି ହରିଣୀ ଶବର କରୁଣ କୋମଳ ସ୍ନେହ ଏ ଯାବତ୍ ଅକ୍ଷୁଣ୍ଣ ରହିଛି । ମୁଁ ଯେମିତି ସେଇ ହରିଣୀ ଓ ତା’ର ଶିଶୁକୁ ନୁହେଁ, ମୋ ବୋଉକୁ ଓ ମୋ ନିଜକୁ ହତ୍ୟା କରିଛି ।

★★★

 

Unknown

ମ୍ଳାନ ଗୋଧୂଳିର ଅସ୍ପଷ୍ଟ ଛାୟା

 

ମୁଁ ତାଙ୍କ ନଜରରେ ଖୁବ୍ ସାନ ଥିଲି । ମାନେ, ମୁଁ ତାଙ୍କ ମତରେ ଥିଲି ନିହାତି ପିଲା ଲୋକ, ଖୁବ୍ ଛୋଟ ଆଉ ଗୁଲୁଗୁଲିଆ ଟିଏ । ସତେ ଯେମିତି ମୁଁ ଏବେ ଚାଲି ଶିଖୁଛି, ଆଉ କଥା କହିବା ବି । ସିଏ ବି ମତେ ଅନେକ ଥର କହିଚନ୍ତି–‘‘ସତରେ ମାଷ୍ଟର ମହାନ୍ତି, ତମର ବ୍ୟବହାର, ଭାବଭଙ୍ଗୀ ଆଉ କଥାବାର୍ତ୍ତାରେ ସେମିତି ବାଲ୍ୟଚପଳତା ପ୍ରଚ୍ଛନ୍ନ ଭାବରେ ରହିଛି ନା....ତମେ ଯଦି ପ୍ରକୃତରେ ସେମିତି ଗୋଟିଏ ଛୋଟ ପିଲା ହୋଇଯାନ୍ତ, ତମର ବୟସ ଯଦି ଅନେକ ତଳକୁ ଖସି ପଡ଼ନ୍ତା, ତେବେ ମୁଁ ତମକୁ ଗୋଟିଏ ସୁନ୍ଦର ବେବି ସୁଟ୍‍ ପିନ୍ଧାଇ, ତମ ହାତ ଧରି ଶ୍ୟାମଳ ଘାସର ସବୁଜ ଲନ୍ ରେ ଅନେକ ସମୟ ଧରି ବୁଲାନ୍ତି । ମୁ ତମକୁ ଥୋପା ଥୋପା ଫୁଲରେ ଭରିଥିବା କୃଷ୍ଣଚୁଡ଼ା ଗଛ ଦେଖାଇ ପଚାରନ୍ତି–କହିଲ ଦେଖି ଏଇଟା କି ଗଛ ? ସାରୁ ନା ଖଜୁରୀ ? ଦୂର ଦିଗନ୍ତର ଅସ୍ତ ସୂର୍ଯ୍ୟକୁ ଦେଖାଇ ଅନେକ କଥା ବୁଝାଇ ଦିଅନ୍ତି । ସେଇ ସବୁଜ ଲନ୍ ରେ ତମକୁ ମୋ କୋଳକୁ ଆଉଜାଇ ଆଣି ବହୁତ ଗପ କହନ୍ତି–‘ବୁଢ଼ୀ ଅସୁରୁଣୀ କଥା’, ‘କଲୁରୀ ବେଣ୍ଟ କଥା’, ଆଉ ‘ରାଜକୁମାରୀ ଓ କୃଷ୍ଣସର୍ପ’ କଥା । ସେଇ ଲନ୍‍ ରେ ବସୁ ବସୁ ସନ୍ଧ୍ୟା ଡେଇଁ ରାତି ଅନେକ ହୋଇଯାନ୍ତା, ଗୋଟାଏ ଘରବାହୁଡ଼ା ଟିଟ୍ଟିଭର ଡାକରେ ମୋ ଗଳ୍ପର ଖିଅ ଛିଣ୍ଡିଯାନ୍ତା ଆଉ ତମେ ଭୟ ପାଇ ମୋ ଛାତିରେ ମୁଁହ ଗୁଞ୍ଜି ଅଭୟ ଚାହଁନ୍ତ । ଠିକ୍ ସେଇ ସମୟରେ ନିର୍ମଳ ଆକାଶର ଛାତିରେ ଅସଂଖ୍ୟ କୁନି କୁନି ତାରା ବିଛାଇ ହୋଇ ପଡ଼ିଥାନ୍ତେ, ମୁଁ ତମର ଭୟ ଭାଙ୍ଗିବାକୁ ତମ ନିସ୍ତରଙ୍ଗ ଶିଶୁ ମନରେ ଏକ ମଜାର ତରଙ୍ଗ ଖେଳାଇ ଦେଇ ଶିଖାଇ ଦିଅନ୍ତି ତାରା ଗଣିବାର କୋଶଳ ।”

 

ମତେ ଆକ୍ଷେପ କରି ଏପରି କହିବା ପଛରେ ଅବଶ୍ୟ ଗୋଟାଏ ଯୁକ୍ତି ଅଛି । ମୋ ଚରିତ୍ରର ସବୁଠାରୁ ପ୍ରଧାନ ଓ ଲକ୍ଷ୍ୟ କରିବାର ବିଷୟ ହେଲା ବାଳଚପଳତା । ଖାଣ୍ଟି ଓଡ଼ିଆରେ ଯାହାକୁ କୁହନ୍ତି ପିଲାଳିଆମି । ସେଥିପାଇଁ ସିଏ କ’ଣ ଯେ କୌଣସି ବ୍ୟକ୍ତି ବି ମତେ ପିଲା ଭାବି ହେୟଜ୍ଞାନ କରିବେ । ଅବଶ୍ୟ ମୁଁ ତାଙ୍କର ଏଇ ଆକ୍ଷେପ ଯୋଗୁ ତାଙ୍କ ଉପରେ କେବେ ରାଗ କରି ନାହିଁ । ବରଂ ତାଙ୍କର ଏଇସବୁ କଥାକୁ ମୁଁ ଭାରି ଭଲ ପାଏ । ତେଣୁ ତାଙ୍କ ଆଗରେ ମୁଁ ମୋର ପିଲାଳିଆମିକୁ ଆଉ ଟିକିଏ ବଢ଼ାଇଦିଏ ।

 

କମନୀୟ ଭାସ୍କର୍ଯ୍ୟ ଓ ପ୍ରକୃତିର ସୁନ୍ଦର ସୁନ୍ଦର ଦୃଶ୍ୟରାଜିକୁ ସେ ଭାରି ଭଲ ପାନ୍ତି । ସେଇସବୁକୁ ସେ ବାନ୍ଧି ରଖିବାକୁ ଉଦ୍ୟମ କରନ୍ତି ତାଙ୍କର ଛୋଟ ଫଟୋଗ୍ରାଫିକ୍ କ୍ୟାମେରା ଭିତରେ ଆଉ ତା’ପରେ ସଜାଇ ରଖନ୍ତି ଆଲ୍‍ବମରେ । ମୁଁ ତାଙ୍କର ଆଲବମ୍ ଭିତରୁ ଦେଖିବାକୁ ପାଇଛି ଭାରତର ବିଭିନ୍ନ ଐତିହାସିକ ତଥା ପ୍ରାକୃତିକ ସ୍ଥାନର ଦୃଶ୍ୟରାଜି ।

 

ମୋର ଫଟୋ ନେବାର ସଉକ ନେଇ ଅନେକ ଥର ତାଙ୍କ କାମେରା ସାମ୍ନାରେ ମତେ ସେ ବସାଇଛନ୍ତି । ହେଲେ ପ୍ରତିଥର ତାଙ୍କୁ ମୁଁ ହଇରାଣ କରିଦେଇଛି ମୋର ଶିଶୁସୁଲଭ ବ୍ୟବହାରରେ । ଶିଶୁ ଯିମିତି ଗୋଟାଏ କିଛି ନୀତି, ନିୟମ ପାଳନ କରିବାକୁ ସଂପୂର୍ଣ୍ଣ ନାରାଜ, ତାକୁ ଗୋଟାଏ ପ୍ରକାର ନିର୍ଦ୍ଦେଶ ଦେଲେ ସେ ତା’ର ଇଚ୍ଛା ମୁତାବକ ବ୍ୟବହାର କରେ, ମୁଁ ସେମିତି କ୍ୟାମେରା ସାମ୍ନାରେ ତାଙ୍କ ନିର୍ଦ୍ଦେଶିତ ପୋଜ୍ ଛାଡ଼ି ମୋ ଇଚ୍ଛାନୁସାରେ ନେଇଯାଏ ଅନ୍ୟ ଏକ ପୋଜ୍ । ମତେ ଗୋଟାଏ ପୋଜରେ ବସାଇ କ୍ୟାମେରା ଠିକ୍ କରି କହିନ୍ତି, ‘ହୁଁ‚ ଜମା ହଲିବନି, ପ୍ଲିଜ୍ ରେଡ଼ି...ଉଆନ୍...ଟୁ...ସେ କିନ୍ତୁ ‘ଥ୍ରି’ କହିବାର ଠିକ୍ ପୂର୍ବରୁ ମୁଁ ତାଙ୍କ ନିର୍ଦ୍ଦେଶିତ ପୋଜ୍ ଛାଡ଼ି ସାରିଥାଏ । ସେତେବେଳକୁ ସୁଇଚ୍ ଅନ୍ ହୋଇ ସାରିଥାଏ କିନ୍ତୁ ।

 

ଖୁବ୍ ଗୋଟାଏ ବିରକ୍ତିରେ ଆକ୍ଷେପ କରି ସେ କହନ୍ତି–“ବୁଝିଲନା ମାଷ୍ଟର ମହାନ୍ତି, ତମ ପରି ଗୋଟାଏ ଅପଗଣ୍ଡର ଫଟୋ ନେବା ଯାହା, ଗାଣ୍ଡୁଆଏ ଗୋବରର ଫଟୋ ନେବା ସେଇଆ-।”

 

ତାଙ୍କ ଆକ୍ଷେପରେ ମୁଁ ସାମାନ୍ୟ ବି ବିରକ୍ତ ନ ହୋଇ ହସିଉଠେ, ଠିକ୍ ଗୋଟାଏ ସର୍କସର ବିଶୁଦ୍ଧ କ୍ଳାଉନ୍ ପରି ।

 

ମୋର ଶିଶୁସୁଲଭ ଚପଳତାରେ ତାଙ୍କ ବିରକ୍ତିସବୁ ଉଭେଇଯାଏ ଗୋଟାଏ ପାଣିଗାର ପରି । ଓଠକୋଣରେ ହସର ତରଙ୍ଗ ଖେଳାଇଦେବା ପରେ ମୋ ଗାଲରେ ସରୁ ଚାପୁଡ଼ାଟିଏ ମାରି କହନ୍ତି–“ବୁଝିଲ ନା ମାଷ୍ଟର ମହାନ୍ତି, ତମେ ଗୋଟିଏ ପିଲା ।”

 

ତାଙ୍କ କଥାବାର୍ତ୍ତାରେ ଯେମିତି ରୁଚି ଓ ଆଭିଜାତ୍ୟ ପ୍ରଚ୍ଛନ୍ନ ଭାବରେ ରହିଥାଏ, ତାଙ୍କ ପୋଷାକ ପରିଚ୍ଛଦରେ ବି ସେମିତି । କୋଉ ରଙ୍ଗର ଶାଢ଼ୀକୁ କୋଉ ରଙ୍ଗର ବ୍ଲାଉଜ୍ ପୁଣି କୋଉ ରଙ୍ଗର ରିବନ୍ ଆଉ ଫୁଲ, ଏ କଥା ସେ ଖୁବ୍ ଭଲ ଭାବରେ ଜାଣନ୍ତି । ନାଭିକେନ୍ଦ୍ରଠାରୁ କେତେ ମିଲିମିଟର ତଳେ ଶାଢ଼ୀ ପିନ୍ଧାଯିବା ଉଚିତ୍, ନାଭିକେନ୍ଦ୍ରର କେତେ ଇଞ୍ଚ ଉପରକୁ ବ୍ଲାଉଜ୍ ପିନ୍ଧିଲେ ପେଟର କିଛି ଅଂଶ ବାହାରର ଅସଂଖ୍ୟ ତରୁଣଙ୍କ ଭୋକିଲା ଆଖିକୁ ଆହୁରି କ୍ଷୁଧାତୁର କରିପାରିବ, ସେ ବିଷୟରେ ସେ ସମ୍ପୂର୍ଣ୍ଣ ଧୂରନ୍ଧର । କେତେ ଜାକିଲା ହୋଇ ବ୍ଲାଉଜ୍ ଉପରେ ଶାଢ଼ୀଟା ଯିବ ଆଉ କାନ୍ଧ ଉପରୁ କେତେ ଚଉଡ଼ାରେ ତଳକୁ ଓହଳିପଡ଼ି ପବନରେ ଦୋଳି ଖେଳିବ, ସେ କଥା ବି ତାଙ୍କୁ ମାଲୁମ୍ । ବ୍ଲାଉଜ ଚେଷ୍ଟ ସମ୍ପର୍କରେ ସେ ଟେଲ୍‍ରକୁ ଉପଦେଶ ଦେବା ମୁଁ ବହୁବାର ଶୁଣିଚି । ତାଙ୍କ ସ୍ଵରରେ ସେପରି ସଂଗୀତର ମୂର୍ଚ୍ଛନା, ତାଙ୍କ ଅଙ୍ଗଭଙ୍ଗୀରେ ସେହିପରି କଳାର ଲାଳିତ୍ୟ । କିନ୍ତୁ ତାଙ୍କ ମନରେ ଅହଂତ୍ଵର ସୁସ୍ପଷ୍ଟ ଆଭାସ ।

ସେ ବନ ହରିଣୀ ନୁହନ୍ତି, ବରଂ ଏକ ସିଂହୀ । ସେ ସରଳା ଅଲିଅଳୀ ବାଳିକା ନୁହନ୍ତି, ବରଂ ଏକ ଆଭିଜାତ୍ୟପୂର୍ଣ୍ଣ ଗର୍ବିତା ରାଜକନ୍ୟା ।

ତାଙ୍କ ସହିତ ମୋର ପରିଚୟ ଏଇମିତି ଭାରି ସିଧାସାଧା । ଆମ ଘରକୁ ଦୁଇ ତିନିଟା ଘର ଛାଡ଼ି ତାଙ୍କ ଘରଟା । ଆଜିକୁ ପ୍ରାୟ ଚାରି ପାଞ୍ଚ ବର୍ଷ ହେବ ସେଇ ଘରକୁ ସେ ବୋହୂ ହୋଇ ଆସିଛନ୍ତି । ତେଣୁ ପଡ଼ୋଶୀ ଭାବରେ ପରିଚୟର ଆରମ୍ଭ, ଯଦିଓ ସହରରେ କାହାରି ସହିତ କାହାରି ବିଶେଷ ସମ୍ପର୍କ ନ ଥାଏ, ତେବେ ତାଙ୍କ ସ୍ଵାମୀଙ୍କ ସହିତ ମୋର ସମ୍ପର୍କ ଖୁବ୍ ଘନିଷ୍ଠ । ଅବଶ୍ୟ ତାଙ୍କ ସ୍ଵାମୀ ମିଷ୍ଟର ବହିଦାରଙ୍କଠାରୁ ବୟସରେ ମୁଁ ଅନେକ ଛୋଟ । ସେ ଆଉ ତାଙ୍କ ସ୍ଵାମୀ ଏଇ ଦୁଇ ଜଣଙ୍କୁ ନେଇ ହିଁ ତାଙ୍କର ପରିବାର । ସ୍ଵାମୀ ତାଙ୍କର କୌଣସି ଏକ କମ୍ପାନୀର ଉଚ୍ଚପଦସ୍ଥ କର୍ମଚାରୀ, ବେଶ୍ ଅମାୟିକ ଓ ଭଦ୍ର । ତାଙ୍କ ମନରେ କିନ୍ତୁ ବେଜାଏ ଗର୍ବ ଓ ଗୁଡ଼ାଏ ଅହମିକା କେବଳ ତାଙ୍କର ସେଇ ଅପୂର୍ବ ରୂପସମ୍ଭାର ନିମନ୍ତେ ।

କିନ୍ତୁ ତାଙ୍କ ସହିତ ମୋର ଘନିଷ୍ଠତା ଆସିବାର ଏକ କାରଣ ଅଛି । ତାଙ୍କ ସହିତ ମୋର ଏଇ ଘନିଷ୍ଠତା ଯୋଗୁଁ ବାପା ମତେ ଅନେକ ଥର ସନ୍ଦେହ କରିଛନ୍ତି ଓ ବୋଉ ରାଗରେ ମତେ ଥରେ ବାପାଙ୍କ ସାମ୍ନାକୁ ଡାକିଆଣି ପଚାରିଚି, “ମୋ ପେଟରୁ, ଜନ୍ମ ହୋଇ, ଅନ୍ୟର ଝିଅ ବୋହୂଙ୍କ ସହିତ ମିଶିବାକୁ କେବେଠାରୁ ଅଭ୍ୟାସ କଲୁଣି ଶୁଣେ ? ସମୟ ଆସିଲେ ମୁଁ ବାଛି ବାଛି ଗୋଟାଏ ସୁନାନାକୀ ବୋହୂ ଆଣିବି । ତୁ ଗୋଟାଏ ଅଲାଜୁକୀ ଅବାହିତା ନାରୀ ସହିତ ମିଶି ଦୁଇଦୁଇଟା ବଂଶରେ କଳଙ୍କ ଲଗାଇ ବସୁଚୁ କାହିଁକି ?”

ନିଜେ ଜନ୍ମ ଦେଇ ମଧ୍ୟ ବୋଉ ଆଜି ପର୍ଯ୍ୟନ୍ତ ମତେ ଚିହ୍ନି ପାରିନି ବୋଲି, ମୋ ବିଷୟରେ ଏତେ କମ୍ ଜାଣିଚି ବୋଲି ଦୁଃଖ କରି ନିର୍ବାକ୍ ଭାବରେ ମୁଁ ବାହାରକୁ ଚାଲିଯାଇଥିଲି ସେଦିନ ।

ବାପା ବୋଉ ମତେ ଯୋଉଥିପାଇଁ ସନ୍ଦେହ କରୁଥିଲେ, ମୁଁ କିନ୍ତୁ ସେଥି ସକାଶେ ତାଙ୍କ ସହିତ ମିଶୁ ନ ଥିଲି । ମୁଁ ତାଙ୍କ ସହିତ କାହିଁକି ସମ୍ପର୍କ ରଖିଥିଲି ଏ କଥା ତାଙ୍କ ସ୍ଵାମୀଙ୍କ ବ୍ୟତୀତ ଅନ୍ୟ କେହି ଜାଣି ନ ଥିଲେ ।

ଏଥର ତେବେ ତାଙ୍କ ସହିତ ମୋର ଘନିଷ୍ଠତା ଆସିବାର କାହାଣୀଟା କହେ । ହଠାତ୍ ଦିନେ ସେ ତାଙ୍କର ସ୍ୱାମୀକୁ ଡାଇଭର୍ସ କରିଦେଲେ । କାରଣଟା ମୁଁ ଅବଶ୍ୟ କହିପାରିବି ନି । ତେବେ ସେମିତି କିଛି ନୁହେଁ । ଡାଇଭର୍ସ ପରେ ସେଇ ଘରଟିକୁ ତାଙ୍କୁ ଛାଡ଼ିଦେଇ ମିଷ୍ଟର ବହିଦାର ଚାଲିଗଲେ ରହିବାକୁ ଏକ କମ୍ପାନୀ କ୍ଵାଟର୍ସରେ । ଆଉ ଗଲାବେଳେ ମୋ ପାଖରୁ ଦୁଃଖକରି ଗଲେ । ମୁଁ ତାଙ୍କୁ ଆଶ୍ୱାସନା ଦେଇଥିଲି ତାଙ୍କ ସ୍ତ୍ରୀଙ୍କୁ ସତ୍‍ପଥକୁ ଫେରାଇ ଆଣିବାକୁ ମୁଁ ଚେଷ୍ଟା କରିବି ବୋଲି ଏବଂ ଯଦି ପାରେ ତେବେ ତାଙ୍କ ଭାଙ୍ଗିଲା ସଂସାରକୁ ପୁଣି ଥରେ ତୋଳିବାରେ ସାହାଯ୍ୟ କରିବି ବୋଲି । ସେଦିନ ମିଷ୍ଟର ବହିଦାର ମୋର ହାତ ଦୁଇଟିକୁ ଧରି ବାଷ୍ପାକୁଳ ନେତ୍ରରେ କହିଥିଲେ, “ସତେ.....ସତେ ତମେ ପାରିବ ମାଷ୍ଟର ମହାନ୍ତି !”

 

ତେଣୁ ମୁଁ ଜାଣିଶୁଣି ତାଙ୍କ ସହିତ ଘନିଷ୍ଠତା ବଢ଼ାଇଚି । ସେଇ ଘନିଷ୍ଠତାକୁ ଯିଏ ଯୋଉ ଅର୍ଥରେ ଗ୍ରହଣ କରନ୍ତୁ ନା କାହିଁକି, କିନ୍ତୁ ମୁଁ ଜାଣେ ମୋର ଅନ୍ତରାତ୍ମା ଜାଣେ, ପ୍ରକୃତରେ ‘ମୁଁ’ କ’ଣ-?

 

ମୁଁ ତାଙ୍କୁ ଅନେକ ଥର କହିଚି ସ୍ଵାମୀଙ୍କ ପାଖକୁ ଫେରିଯିବାକୁ । ମୋର ଏଇ କଥା ଶୁଣିଲେ ମତେ ଟିକିଏ ରାଗିଲା ଆଖିରେ ଚାହାନ୍ତି, ତା’ପରେ ଅନ୍ୟଆଡ଼େ ଚାଲିଯାଇ କିଛି ସମୟ ପରେ ପୁଣି ଫେରିଆସନ୍ତି । ଗୋଟାଏ ନିର୍ବୋଧଙ୍କ ପରି ମୁଁ କେବଳ ବସିରହେ ଆଉ ତାଙ୍କୁ ହିଁ ଚାହିଁଥାଏ ଅବୁଝା ଆଖିରେ । ତାଙ୍କ ପରି ଏକ ନାରୀର ମନସ୍ତତ୍ତ୍ୱକୁ ବିଶ୍ଳେଷଣ କରିବାକୁ ଚେଷ୍ଟାକରେ; କିନ୍ତୁ କିଛିଟା ବି ପାରେନା ।

 

ଦିନେ ମୁଁ ତାଙ୍କ ଖାସ୍‍ କାମେରା ଭିତରକୁ ପଶିଯାଇ ଦେଖିଲି ପିଆନୋ, ମାଣ୍ଡୋଲିନ୍, ଭାଓଲିନ୍, ଗିଟାର୍, ସିତାର, ବେହେଲା, ବଂଶୀ ଇତ୍ୟାଦି ଅନେକ ଦେଶୀ ବିଦେଶୀ ବାଦ୍ୟର ସମାବେଶ । ଗୋଟାଏ କାଉଚ୍ ଟାଣି ନେଇ ମୁଁ ବସି ପଡ଼ିଲି ପିଆନୋ ପାଖରେ । ତା’ପରେ ପକେଟ୍‍ରୁ ଗୋଟାଏ ଟଫି କାଢ଼ି ପାଟିରେ ପକାଇ ସାରିବା ପରେ ମୋର ନିହାତି ଅନଭ୍ୟସ୍ତ ହାତକୁ ଚଳାଇବାକୁ ଲାଗିଲି ପିଆନୋର ରିଡ଼୍ ଉପରେ । ଅଭ୍ୟାସହୀନ ହାତର ସ୍ପର୍ଶରେ ପିଆନୋରୁ ଝରିଲା ଏକ ବେଖାପ ମୂର୍ଚ୍ଛନା । ଠିକ୍....ଠିକ୍ ଏଇ ଜାଗାଟା ? ବାଃ, ବାଃ ଚମତ୍କାର ! ପିଆନୋର ସେଇ ରିଡ଼୍‍ଟା ଉପରେ ମୋ ଅଙ୍ଗୁଳିର ସ୍ପର୍ଶ ଦେବାକୁ ଲାଗିଲି ଖାଲି । ଗୋଟାଏ ମଧୁର ଅଥଚ ନିଷ୍ଠୁର ସ୍ଵର ଆସୁଚି । ପିଲାଙ୍କ ପରି ମୁଁ କେବଳ ସେଇ ରିଡ଼୍‍ଟାକୁ ଦବାଉଥାଏ ।

 

ସେଇ ରୁମ୍‍ର ବାଲକୋନି ନିକଟରେ ଠିଆ ହୋଇ ନିହାତି ଅନ୍ୟମନସ୍କ ଭାବରେ ସେ ଚାହିଁ ରହିଥିଲେ ଆକାଶ ଆଡ଼କୁ ଆଉ ବେଳେ ବେଳେ ଦୃଷ୍ଟିପାତ କରୁଥିଲେ ଲନ୍ ଆଡ଼କୁ । ସେଇ ଶ୍ୟାମଳ ସବୁଜ ଘାସର ଲନ୍‍କୁ । ତାଙ୍କୁ ଦେଖି ଜିଭ କାମୁଡ଼ି ପକାଇ ମୁଁ ଉଠିଯାଇଥିଲି କାଉଚରୁ, ସେ କିନ୍ତୁ ମତେ ଅଟକାଇ କହିଲେ–“କୁଆଡ଼େ ଚାଲିଯାଉଛ ମାଷ୍ଟର ମହାନ୍ତି ! ଆରେ, ଆରେ, ବସନା । ତମର ସେଇ ଅଭ୍ୟାସହୀନ ହାତର ସ୍ପର୍ଶରେ ପିଆନୋରୁ ଯୋଉଁ ତାଳହୀନ ସଂଗୀତର ସୃଷ୍ଟି ହେଉଚି ମତେ ଭାରି ଭଲ ଲାଗୁଚି । ମୋର ମନେ ହେଉଚି ମୋ ସହିତ ତା’ର ଯୋଗସୂତ୍ର ଅଛି । ସେମିତି ବଜାଅ ତ ଆଉଥରେ । ହୁଁ, ସୁନାପିଲା ପରି ବଜାଅ । ଆରେ, ଆରେ, ଭୟ କରୁଚ କାହିଁକି ? ମୁଁ ଦେଖିନେଇଚି ବୋଲି ତ ! କିନ୍ତୁ ମୋର ଦେଖିବାରେ କ’ଣ ଅଛି ? କାହାରି ଇଚ୍ଛା ଉପରେ ହସ୍ତକ୍ଷେପ କରିବାର ପ୍ରକୃତି ମୋର ନାହିଁ । ଆମେ ମଣିଷ, ସଉକ୍‍ଟା ଆମର ପ୍ରବୃତ୍ତି । ଅନଭ୍ୟସ୍ତ ବୋଲି ଯଦି ଗୋଟାଏ ଜିନିଷ ଭାଙ୍ଗିଗଲା ସେଥିରେ ଯାଏ ଆସେ କ’ଣ ? ଭାଙ୍ଗିବାକୁ ତ ପଦାର୍ଥର ସୃଷ୍ଟି ।”

 

ମୁଁ ପୁଣି ସେଇ ରିଡ଼୍‍ଟା ଉପରେ, କେବଳ ସେଇ ରିଡ଼୍‍ଟା ଉପରେ ସ୍ପର୍ଶ ଦେବାକୁ ଲାଗିଲି । କିଛି ସମୟ ପରେ ସେ କହିଲେ, ‘‘ବାଃ...ବାଃ...ମାଷ୍ଟର ମହାନ୍ତି ! ଚମତ୍କାର ! ଚମତ୍କାର ତମର ଚଏସ୍ । ସତରେ କାହିଁକି କେଜାଣି ମତେ ଭାରି ଖୁସି ଲାଗୁଛି ।’’

 

ହଠାତ୍ ମୁଁ ମୋର ଗତାନୁଗତିକ ବାଲ୍ୟଚପଳତା ଛାଡ଼ିଦେଇ ସାମାନ୍ୟ ଗମ୍ଭୀର ହୋଇ କହିଲି–“ତମେ ଯଦି ତମ ସ୍ଵାମୀଙ୍କ ନିକଟିକୁ ଫେରିଯାନ୍ତ ତେବେ ମୁଁ ଅଧିକ ଖୁସି ହୁଅନ୍ତି ମିସେସ୍ ବହିଦାର !”

 

ଜୋର୍ କରି ସମସ୍ତ ରକ୍ତିମତା କାଢ଼ି ନେଇଥିବା ଗୋଟିଏ ବିବର୍ଣ୍ଣ ଗୋଲାପ ପରି ମୁହଁଟା ତାଙ୍କର ଶେତା ପଡ଼ିଗଲା । ମୋ କଥା ତାଙ୍କୁ ଖୁବ୍ କାଟିଲା ବୋଧେ ।

 

“ସ୍ଵାମୀ.....କେମିତି ଅବଶ ଭାବରେ ସେ କହିଲେ । ତମେ ମତେ ମିସେସ୍ ବହିଦାର ନ ଡାକି ମିସ୍ ବର୍ମା ଡାକିଲେ ଖୁବ୍ ଭଲ ହୁଅନ୍ତା ମାଷ୍ଟର ମହାନ୍ତି । ମୁଁ ମୋର ଅତୀତକୁ ଭୁଲିଯାଇଛି । ମୁଁ କେବେବି ବିବାହ କରି ନଥିଲି । ମୋର କେହି ସ୍ଵାମୀ ନାହାନ୍ତି । ମୁଁ କୁମାରୀ ।”

 

–ତମେ ଭୁଲ୍‍ କହୁଛ ମିସେସ୍ ବହିଦାର ! ସ୍ଵାମୀଙ୍କୁ ଡାଇଭର୍ସ କରି ନାଁ ପୂର୍ବରୁ ମିସେସ୍ କାଟି ମନଇଚ୍ଛା ମିସ୍ ଲେଖିଲେ ବି ମିସେସ୍ ତମ ପାଖରୁ ଦୂରେଇ ଯିବନି । ତମେ କେବେହେଲେ କୁମାରୀ ହୋଇପାରିବନି ।

 

ମୋ କଥାରେ ସେ ଯିମିତି ଆହୁରି ଭାଙ୍ଗି ପଡ଼ିଲେ, ଆହୁରି ଅସହାୟ ହୋଇପଡ଼ିଲେ ।

 

‘‘ତମେ ବୁଝିନ ମାଷ୍ଟର ମହାନ୍ତି !” ସେ କହିବାକୁ ଲଗିଲେ–‘‘ସ୍ତ୍ରୀର ଇଚ୍ଛା ପୂରଣ କରି ନ ପାରି, ଆଶା ମେଣ୍ଟାଇ ନ ପାରି ସ୍ଵାମୀତ୍ଵ ଇଚ୍ଛିବା କେବଳ ଭୁଲ୍‍ ନୁହେଁ, ଏକ ଅକ୍ଷମଣୀୟ ଅପରାଧ-। ମତେ ସେ ଅନାଦର ନ କଲେ ସୁଦ୍ଧା ମୋ ପ୍ରତି ସେ ସହାନୁଭୂତିଶୀଳ ନୁହନ୍ତି । ବିବାହ ପରେ ହନିମୁନ୍ ପାଇଁ ବାହାରକୁ ଯିବାକୁ ମୁଁ ଏତେ କହିଲି, ହେଲେ ସେ ମୋ କଥା ଆଦୌ ଶୁଣିଲେ ନାହିଁ-। କାଶ୍ମୀର କିମ୍ବା ଦାର୍ଜିଲିଂରେ ଖରାଦିନଗୁଡ଼ାକ କଟାଇ ଆସିବାକୁ ମୁଁ ତାଙ୍କୁ ପ୍ରତିଥର ଅନୁରୋଧ କଲେ ବି ସବୁଥର ସେ ନାରାଜ ହୁଅନ୍ତି । କ’ଣ ଉତ୍ତର ଦିଅନ୍ତି ଜାଣ ? କହନ୍ତି–ଯୋଉଁ ଦେଶର ନାଗରିକମାନଙ୍କୁ ଦୁଇବେଳା ପେଟ ପୁରାଇ ଖାଇବାକୁ ମିଳେନା ସେଇ ଦେଶର ବାସିନ୍ଦା ହୋଇ ତମେ କେମିତି କାଶ୍ମୀରର ନୌକା–ଗୃହରେ କିଛି ଦିନ କଟାଇ ଆସିବାକୁ ସ୍ୱପ୍ନ ଦେଖୁଚ ?

 

ଆଉ ଦିନେ ଅଫିସରୁ ଫେରି ମାଛମାନଙ୍କୁ ଫିଡ଼ିଙ୍ଗ୍ ଦେଉ ଦେଉ କହିଲେ, ‘‘ଆମ କମ୍ପାନୀର ସାତ ଆଠ ଜଣ ଅଫିସରଙ୍କୁ ସାଙ୍ଗ କରି ମୁଁ ଖୁବ୍ ଶୀଘ୍ର ଗୋଟିଏ ନୈଶବିଦ୍ୟାଳୟ ଆରମ୍ଭ କରିବି ଆଉ ପ୍ରତି ମାସରେ ସାହାଯ୍ୟାର୍ଥେ ଏଇ ଅନୁଷ୍ଠାନକୁ ମୁଁ ଦାନ କରିବି ମୋ ଦରମାର ଏକ–ଦଶମାଂଶ ।’’

 

ମୁଁ ତାଙ୍କୁ ଡାଇଭର୍ସ କରିବାର କିଛି ଦିନ ପୂର୍ବେ, ଥରେ ସକାଳେ ତାଙ୍କ ନିଦ ଭଙ୍ଗିବାର ଠିକ୍‍ ପରେ ମତେ କହିଲେ, ଏଥର ବ୍ରେକ୍‍ଫାଷ୍ଟରେ ଆମେ ଚୂଡ଼ା କଦଳୀ ଖାଇବା ଡାର୍ଲିଂ; କାରଣ ମୁଁ ଭାବିଚି ସାଧାରଣ ଖାଦ୍ୟ ଖାଇଲେ ଆମର ଯୋଉ ପଇସାଟା ବଳିବ ସେଥିରେ ଅବଶ୍ୟ କେତେ ଜଣ ନିରନ୍ମ ବ୍ୟକ୍ତି ଚଳିଯିବେ । ସେଦିନ ରାଗରେ କେତେଟା କପ୍ ସସ୍‍ରକୁ ଚୂନା କରିସାରିବା ପରେ, ରେଡ଼ିଓସେଟ୍‍ଟାକୁ ଛତୁ କରିଦେବାକୁ ମୋ ଇଚ୍ଛା ହେଉଥିଲା । ଶୁଣିଲ ତ ମାଷ୍ଟର ମହାନ୍ତି, ତାଙ୍କର ଯେତେସବୁ ହୋପଲେସ୍ ଥଟ୍ । ଆରେ ବାବା, ଆରେ ବାବା, ଦେଶ କଥାରେ ଆମର ଯାଏ ଆସେ କେତେ ? ଆମର ପଇସା ଅଛି, ଆମେ ସଉକ୍ କରିବା । ମଣିଷ ହୋଇ ଯଦି ସଉକ୍ ଛାଡ଼ିବ, ଜୀବନକୁ ଉପଭୋଗ କରି ନ ପାରିବ, ତେବେ ସେମିତି ଗୋଟାଏ ମୂଲ୍ୟହୀନ ଜୀବନଯାପନ କରିବା ଅପେକ୍ଷା ଆତ୍ମହତ୍ୟା କରିବା ବରଂ ଶ୍ରେୟସ୍କର । ତାଙ୍କ ପରି ଏକ ଲୋକ ପାଖରେ ମୁଁ ଆସ୍ତେ ଆସ୍ତେ ଅଣନିଶ୍ଵାସୀ ହୋଇପଡ଼ିଲି । ଜାଣିପାରିଲି, ତାଙ୍କ ପାଖରେ ଆଉ କିଛି ଦିନ ରହିଲେ ବଞ୍ଚି ରହିବାର ଅମ୍ଳଜାନ ସଉକ୍‍ର ବ୍ୟତୀତ ଛାଟିପିଟି ହୋଇ ମୁଁ ମରିଯିବି-। ତେଣୁ ବାଧ୍ୟ ହୋଇ ତାଙ୍କୁ ଡାଇଭର୍ସ କଲି । ତା’ ବ୍ୟତୀତ ଯେ ମୋର ଅନ୍ୟ ଉପାୟ ନ ଥିଲା-।”

 

ସେ କିଛି ସମୟ ପାଇଁ ଚୁପ୍ ରହିଲେ । ମୁଁ ଭାବୁଥିଲି, ଏପରି ଦୁଇଟି ବିପରୀତ ମତବାଦର ଲୋକଙ୍କୁ ଭଗବାନ କାହିଁକି ଏକାଠି କରନ୍ତି ?

 

‘ତମର କିଛି ପାନୀୟ ଦରକାର କି ମାଷ୍ଟର ମହାନ୍ତି ?” ସେ ନୀରବତା ଭାଙ୍ଗି ମତେ ପଚାରିଲେ ।

 

‘ପାନୀୟ ! ମାନେ କଫି...କୋକ୍...’

 

‘ନା, ନା, ସେସବୁ କିଛି ନୁହେଁ’ । ସେ ହସୁଥିଲେ, ‘ବ୍ରାଣ୍ଡି...ରମ୍... ହୁଇସ୍କି... I’

 

‘କ୍ଷମା କରିବେ, ମୁଁ ଭାରତୀୟ ।’

 

ମୋର ଉତ୍ତର ଶୁଣିବା ପରେ ଗୋଟାଏ କଟାକ୍ଷ ହାଣି ମତେ କହିଲେ, “ମାଷ୍ଟର ମହାନ୍ତି ତମେ, ଗୋଟିଏ ପିଲା, ତେଣୁ ଜୀବନକୁ ଉପଭୋଗ କରିବାର ପନ୍ଥା ତମେ ଜାଣିନ । ଅନେକ କଥା ଶିଖିବାକୁ ଓ ଅନେକ ଜାଣିବାକୁ ତମର ତଥାପି ବାକୀ ଅଛି । ଏଇମାତ୍ର ଯୌବନର ସ୍ପର୍ଶ ଲାଗିଚି ତମ ଦେହରେ, ଆଜିଠାରୁ ମିଃ ବହିଦାରଙ୍କ ପରି ଅର୍ଦ୍ଧପାଗଳ ନ ହୋଇ ମଣିଷ ଭଳି ବଞ୍ଚି ରହିବାକୁ ଶିଖ । ନ ହେଲେ ମୁଁ ସିନା ମିଃ ବହିଦାରଙ୍କୁ ଖାଲି ଡାଇଭର୍ସ କରିଚି, ତମକୁ କିନ୍ତୁ ତମ ସ୍ତ୍ରୀର ହାଇହିଲ୍ ଆଘାତ ସହିବାକୁ ପଡ଼ିବ ।”

 

ଖୁବ୍ ଗୋଟାଏ ବଡ଼ ପାଟିରେ ତାଙ୍କୁ କହିଦେବାକୁ ଇଚ୍ଛା ହେଉଥିଲା, ମିଃ ବହିଦାର ସେମିତି ବୋଲି, କିନ୍ତୁ ମୁଁ ହୋଇଥିଲେ ଫାଶୀ ପାଆନ୍ତି ପଛେ ତମ ପରି ସ୍ତ୍ରୀର ତଣ୍ଟି ଚିପି ସାରନ୍ତିଣି-। କିନ୍ତୁ ଗୋଟାଏ କିଛି ଅପ୍ରୀତିକର ଘଟଣା ଘଟାଇବାକୁ ମୋର ଇଚ୍ଛା ନ ଥିଲା । ତାଙ୍କ ସହିତ କୌଣସି ଯୁକ୍ତି ନ କରି ମୁଁ ଚାଲି ଆସିବାର ଉପକ୍ରମ କରୁଥିଲି ।

 

‘ନା, ନା, ପିଇ ନ ସାରି ତମେ ଏଠୁ କୁଆଡ଼େ ଯାଇ ପାରିବନି । ପିଲାଳିଆମି ସବୁବେଳେ ଭଲ ନୁହେଁ ।’ ମତେ ଅଟକାଇ ରଖିବାକୁ ଘର ଦରଜା ଭଲଭାବରେ ବନ୍ଦକରି ଚାଲିଗଲେ ପାନୀୟ ଆଣିବାକୁ ।

 

ତା’ପରେ.... ।

 

ତା’ପରେ ପେଗ୍ ଦୁଇଟା ଭିତରେ ସୁରାର ଆବର୍ତ୍ତନୀ ମଧ୍ୟରେ ଭଉଁରୀ ଖାଉଗଲା ଭାରତୀୟ ନାରୀର ନୈତିକ ତଥା ଆଧ୍ୟାତ୍ମିକ ପରମ୍ପରା । ମୈତ୍ରେୟୀ, ଲୋପାମୁଦ୍ରା, ଗାର୍ଗୀ, ସୀତା, ସାବିତ୍ରୀ, ଲକ୍ଷ୍ମୀବାଈ, ଦୁର୍ଗାବତୀ ଇତ୍ୟାଦିଙ୍କର ଆଦର୍ଶ । ନୋବେଲ୍ ମାର୍ଗାରେଟ୍, ମିରା ରିଚାର୍ଡ଼ ଇତ୍ୟାଦି ବିଦେଶିନୀଗଣ ଭାରତୀୟ ଶିକ୍ଷା, ସଂସ୍କୃତି ଓ ଦର୍ଶନରେ ମୁଗ୍‍ଧ ହୋଇ ଭାରତକୁ ନିଜର ଜନ୍ମମାଟି ଭାବରେ ବରିନେଇ ଭଗିନୀ ‘ନିବେଦିତା’ ଓ ‘ଶ୍ରୀମା’ ଭାବରେ ଆଜି ଭାରତରେ ପୂଜା ପାଉଛନ୍ତି । ଅଥଚ... ଅଥଚ...ଏଇ ଦେଶର ମହିଳା ହୋଇ ଏମାନେ ସବୁ କେତେ ନିମ୍ନକୁ ଖସି ଯାଉଛନ୍ତି ସତେ ?

 

‘ନା, ନା, ମିସେସ୍ ବହିଦାର ! ଆପଣ ମଦ ସ୍ପର୍ଶ କରିପାରିବେ ନାହିଁ । କାରଣ ଆପଣ ଭାରତୀୟା–ମୁଁ ଗର୍ଜିଉଠିଲି ।

 

‘ହୁଁ, ଭାରତୀୟା ! ଇଉ ଅର୍ଥୋଡ଼େକ୍‍ସ ଫେଲୋ । ଜୀବନକୁ ଉପଭୋଗ କରିବା ପାଇଁ ମଦ୍ୟପାନ ଏକ ପନ୍ଥା । ଏଥିପାଇଁ ମୁଁ ସ୍ଵାମୀଙ୍କୁ ଛାଡ଼ିଦେଇ ପାରିଲି, ଆଉ ଭାରତ....! ହେଲେ ମାଷ୍ଟର ମହାନ୍ତି, ତମ ମୁଣ୍ଡରେ ମିଃ ବହିଦାରଙ୍କ ମୁଣ୍ଡର ଭୂତଟାର କିଛିଟା ଆଧିପତ୍ୟ ଅଛି । ତମେ ତାଙ୍କର ଛୁଆ ବନ୍ଧୁଟିଏ ଥିଲ କି ନା !

 

ତା’ପରେ ପେଗ୍ ଦୁଇଟାକୁ ଆଣି ‘ଫର ଇଓର ହେଲ୍‍ଥ’ ବୋଲି କହି ଗୋଟିଏ ମୁହଁରେ ଲଗାଇ ଅନ୍ୟଟିକୁ ବଢ଼ାଇଦେଲେ ମୋ ଆଡ଼କୁ । ଗୋଟାଏ ଧକ୍‍କା ମାରି ମୁଁ ସେଇ ପାନୀୟ ଓ ପେଗ୍‍ଟାକୁ ନଷ୍ଟ କରିଦେଲି । ସେତେବେଳକୁ ସେ କିନ୍ତୁ ତାଙ୍କର ପାନ ପାତ୍ରକୁ ନିଃଶେଷ କରି ସାରିଥିଲେ ।

 

ମୁଁ ଝଡ଼ ବେଗରେ ସେଠାରୁ ଚାଲିଆସିଲି ସେଇ ନଷ୍ଟମୁଖୀ ନାରୀ ସହିତ ମୋର ସମସ୍ତ ସମ୍ପର୍କ ଛିନ୍ନ କରିବାର ଶପଥ ନେଇ ।

 

‘ମାଷ୍ଟର ମହାନ୍ତି, ଇଉ ଆର ଷ୍ଟିଲ୍ ଏ ଚାଇଲଡ଼ ।’ ମିସେସ୍ ବହିଦାର ଅଟ୍ଟହାସ୍ୟ ସହିତ ମୋ ପ୍ରତି ଟିପ୍‍ପଣୀ ଦେଉଥିଲେ ।

 

ତା’ପରେ ମୁଁ ମିଷ୍ଟର ବହିଦାରଙ୍କୁ ଜଣାଇ ଦେଇଥିଲି ସମସ୍ତ ବିବରଣୀ ।

 

ପରେ ମୁଁ ଶୁଣିଲି, ମିସେସ୍ ବହିଦାରଙ୍କର କିଶୋର ସହିତ ଖୁବ୍ ଘନିଷ୍ଠତା ବଢ଼ିଛି । ଯଦିଓ କିଶୋର ସହିତ ତାଙ୍କର ପରିଚୟ ମୋର ତାଙ୍କ ସହିତ ସମସ୍ତ ସମ୍ପର୍କ ଛିନ୍ନ ହେବା ପରେ, ତଥାପି ମୁଁ ତାଙ୍କ ସମ୍ପର୍କରେ ଖୁବ୍ ଆଶାନ୍ଵିତ ହେଲି । କାରଣ ଆମ ବନ୍ଧୁ ମହଲରେ ଚରିତ୍ର ପାଇଁ କିଶୋରର ଯଥେଷ୍ଟ ସୁନାମ ଥିଲା ଏବଂ କୌଶଳକ୍ରମେ ଅନେକ ବିପଥଗାମୀଙ୍କ ସତ୍‍ପଥକୁ ଫେରାଇ ଆଣିଥିବାରୁ ସେ ପ୍ରାୟ ସମସ୍ତଙ୍କର ପ୍ରଶଂସା ଓ ଧନ୍ୟବାଦର ପାତ୍ର ଥିଲା । ତେଣୁ ମୁଁ ଅନେକ ପରିମାଣରେ ଆଶ୍ଵସ୍ତ ଥିଲି ।

 

ହଠାତ୍ ଦିନେ ମିଷ୍ଟର ବହିଦାର ଆସି ମୋତେ ଅନୁରୋଧ କଲେ ମିସେସ୍ ବହିଦାରଙ୍କର ବର୍ତ୍ତମାନ ଅବସ୍ଥା ସମ୍ପର୍କରେ ପର୍ଯ୍ୟବେକ୍ଷଣ କରିବାକୁ ।

 

କିନ୍ତୁ ସେଦିନ ଅପରାହ୍ନରେ ମିସେସ୍ ବହିଦାରଙ୍କ ଖାସ୍‍କାମେରାର ଉନ୍ମୁକ୍ତ ଦ୍ଵାର ନିକଟରେ ପହଞ୍ଚି ମୁଁ ଯାହା ଦେଖିଲି, ତା’ର ଯଥେଷ୍ଟ ପୂର୍ବରୁ ମୋର ଅକ୍ଷି ଦୁଇଟା ନଷ୍ଟ ହୋଇ ଯାଇଥିଲେ ମୁଁ ଭଗବାନଙ୍କୁ କୃତଜ୍ଞତା ଜଣାଇଥାନ୍ତି ।

 

ସେଇ ମ୍ଳାନ ଗୋଧୂଳିର ଅସ୍ପଷ୍ଟ ଛାୟାରେ, ସେଇ ଆସନ୍ନ ସନ୍ଧ୍ୟାରେ ପ୍ରାଗୈନ୍ଧକାର ମଧ୍ୟରେ ମୁଁ ଦେଖିଲି, ମିସେସ୍ ବହିଦାର ଓ କିଶୋର ସୁରାର ସ୍ରୋତରେ ଭାସି ଭାସି ହଜିଯାଇଛନ୍ତି ଦୁହେଁ ଦୁହିଁଙ୍କର ନିବିଡ଼ ଆଶ୍ଳେଷ ମଧ୍ୟରେ ।

 

ଅନେକ ଆଶା ଓ ଭରସା ଦେଇ ମିଃ ବହିଦାରଙ୍କ କଥାରେ ମୁଁ ସେଠିକି ଛୁଟି ଯାଇଥିଲି-। ହେଲେ...ହେଲେ...କିଶୋରର, ଚରିତ୍ରବାନ୍ କିଶୋରର ଏ ଅବସ୍ଥା ମତେ ନିସ୍ତେଜ କରିଦେଲା; ମତେ ଯଥେଷ୍ଟ ଆଘାତ ଦେଲା । ମୁଁ ସେଠୁ ଚାଲିଆସିଲି ଖୁବ୍ ସନ୍ତର୍ପଣରେ ।

 

ରାସ୍ତା ଉପରେ ମିଃ ବହିଦାର ମତେ ତଥାପି ବି ଅପେକ୍ଷା କରିଥିଲେ; କିନ୍ତୁ ତାଙ୍କୁ କୌଣସି ଉତ୍ତର ଦେବାର ଶକ୍ତି ମୋର ଆଉ ନ ଥିଲା ।

★★★

 

କଳା, ଜୀବନ ଓ ଜହ୍ନ

 

ବେଶ୍ ରୋମାଣ୍ଟିକ୍ ଏଇ ଚଣ୍ଡୀଖୋଲ ଉପତ୍ୟକାଟି । ଗୋଟିଏ ପାହାଡ଼ର ପାଦଦେଶରେ ଏଇ ଉପତ୍ୟକାଟିର ସ୍ଥିତି ହେଲେ ବି ମନେହୁଏ ଯେମିତି ତିନି ଦିଗ ତୀଖା ପାହାଡ଼ଘେରା । ନିର୍ଦ୍ଦୟ, ନିଷ୍ଠୁର, ନିଷ୍କରୁଣ ପାହାଡ଼ର ପଥୁରିଆ ଛାତିକୁ କେଉଁ କରୁଣ ରସରେ ଗଳିତ କରି ଅନୂଢ଼ା ଝିଅଟି ପରି କୁଳୁକୁଳୁ ରୁଣୁଝୁଣୁ ହୋଇ ନାଚି ନାଚି ବୋହି ଯାଉଥିବା ପାର୍ବତ୍ୟ ଝରଣାଟି ଆଉରି ରୋମାଣ୍ଟିକ୍ । ଠିକ୍ ଉପତ୍ୟକା ଉପରେ ଏଇ ଝରଣା ପାଖରେ ଠିଆ ହେଲେ ପାନ୍ଥନିବାସ, ମନ୍ଦିର, ସନ୍ନ୍ୟାସୀଙ୍କ ଆଶ୍ରମ ଆଉ ଚାରିପାଖର ନିବିଡ଼ ଜଙ୍ଗଲ ବ୍ୟତୀତ ଅନ୍ୟ କିଛି ଦୃଷ୍ଟିଗୋଚର ହୁଏନା । ମନେହୁଏ ଖାଲି ଝରଣାର ସଂଗୀତ, ପାତିଙ୍କର ଖପ୍‍ଖାପ୍ ଶବ୍ଦ, ବଣ ପକ୍ଷୀଙ୍କର ଡାକ, ବଣ ମୟୂରୀର ରାବ ଆଉ ଜଙ୍ଗଲ, ଆଉ ଜଙ୍ଗଲ । ବେଶ୍ ଉପଭୋଗ୍ୟ, ବେଶ୍ କାବ୍ୟିକ ପରିବେଶ ।

 

ଅତୁଳନୀୟ ! ଅପୂର୍ବ !!

 

ଝରଣାର ଅଦୂରବର୍ତ୍ତୀ ଏକ ଗଛମୂଳରେ ଭ୍ରମଣକାରୀଙ୍କ ସାମୟିକ ବିଶ୍ରାମ ପାଇଁ ଯେଉଁ ସିମେଣ୍ଟେଡ଼୍ ଚଉତରାଟି ନିର୍ମିତ ହୋଇଚି, ତାରି ଉପରେ ଗୋଟିଏ କ୍ୟାମ୍ପ ଚେୟାର୍ ଉପରେ ବସି ଭାବୁଥିଲା ଜୀବନ । ତା’ର ମନେ ହେଉଥିଲା, ଏଇ ଏକକ ଦେହର ଖୋଳପା ଭିତରୁ ବେଶି ସମୟ ପାଇଁ ନ ହେଲା ନାହିଁ ପଛେ, ଅଳ୍ପ କେତୋଟି ମୁହୂର୍ତ୍ତ ପାଇଁ ସେ ଯଦି ଆପଣାର ଆତ୍ମାକୁ ମୁକ୍ତ କରି ଏଇ ସୁବିସ୍ତୃତ ବନାନୀର ଆଦିଗନ୍ତ ଶ୍ୟାମଳିନୀ ଭିତରେ ନିଜକୁ ମିଶାଇ ଦେଇପାରନ୍ତା....ଆଃ !

 

ଆହା,ସେ ଭଲା ଜାଣିଥାନ୍ତା ଯୋଗର ‘ଅନ୍ୟ ଶରୀରରେ ପ୍ରବେଶ’ ବିଦ୍ୟାକୁ, ଯାହାଦ୍ଵାରା ସେ ତା’ର ମଣିଷ ଦେହ ଭିତରୁ ଆତ୍ମାକୁ କାଢ଼ିଦେଇ ପ୍ରବେଶ କରନ୍ତା ଗୋଟାଏ କୁନି ପାତିର ଦେହରେ ଆଉ ଏଇ ଜଙ୍ଗଲର ଗଛମାନଙ୍କରେ ସେ ଖପଖାପ୍ ଡେଇଁ ବୁଲନ୍ତା ଏ ଡାଳରୁ ସେ ଡାଳକୁ, ଏପଟରୁ ସେପଟକୁ । ଅବା କେଉଁ ବଣ ପକ୍ଷୀ କିମ୍ବା ବଣ ମୟୂରର ଦେହ ଭିତରେ ଆଶ୍ରୟ ନେଇ ସେ ଜଙ୍ଗଲର ପ୍ରତିଟି ସ୍ଥାନରେ ଉଡ଼ିବୁଲି ଚେଷ୍ଟା କରନ୍ତା ଅରଣ୍ୟଟିକୁ ସଂଗୀତମୁଖରିତ କରିବାକୁ । ଅଥବା ସେ ଯଦି ଆତ୍ମାକୁ ତା’ର ଏଇ ଝରି ଆସୁଥିବା ଝରଣାର ପାଣିରେ କିଛି ସମୟ ପାଇଁ ମିଶାଇଦେଇ କୁଳୁକୁଳୁ ରୁଣୁଝୁଣୁ ଗୀତ ଗାଇପାରନ୍ତା ଆଉ ତା’ର ଆତ୍ମାହୀନ ଶରୀରଟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଏକ ସଦ୍ୟ ମା’ଛେଉଣ୍ଡ ପିଲା ପରି କାନ୍ଦି କୁନ୍ଥେଇ ତାକୁ ଖୋଜି ବୁଲନ୍ତା ଏଇ ବନାନୀ ଭିତରେ କେତେ ମଜା ହୁଅନ୍ତା ସତେ !!

 

ଜୀବନର ମନ ହେଉଥିଲା ସେ ଯାଇ ଅଜସ୍ର ଚୁମା ଦିଅନ୍ତା ବନାନୀର ପ୍ରତିଟି ସ୍ଥାନରେ, ଝରଣାର ପାଣିରେ ପାଣିରେ ।

 

କ୍ଷୀଣ ଶଦ୍ଦଟିଏ ହେଲା । ସଚେତନ ହୋଇ ଉଠିଲା ଜୀବନ । ଗୋଟାଏ ତୁଳୀ ଗଡ଼ିପଡ଼ିଚି ତଳକୁ । ଆଗରେ ଥୁଆ ହୋଇଥିବା ସେଇ ଅସମାପ୍ତ କାନ୍‍ଭାସ୍, ବହୁ ରଙ୍ଗ ଓ ତୁଳୀକୁ ଛାତିରେ ଧରିଥିବା କ୍ୟାମ୍ପ ଟେବୁଲ୍‍ଟିର ଉପରୁ ।

 

ଜୀବନ ଜଣେ ଶିଳ୍ପୀ । ଚିତ୍ରଶିଳ୍ପୀ । ଚିତ୍ରକଳା ଆଉ ପ୍ରକୃତି ବ୍ୟତୀତ ସେ କିଛି ବୁଝେନା-। ଏଇ ବିରାଟ ଦୁନିଆ ଉପରେ ଘଟିଯାଇଥିବା ଛୋଟ ବଡ଼ ସଂଖ୍ୟାତୀତ ଘଟଣା ସଂପର୍କରେ କିଛି ଜାଣିବାକୁ ସେ ଚେଷ୍ଟା ବି କରେନା । ଏବେ ନୂଆ ହୋଇ ଶାନ୍ତିନିକେତନରୁ ଚିତ୍ରକଳାରେ ସର୍ବୋଚ୍ଚ ଉପାଧି ହାସଲ କରିଚି ସେ । ପୁଣି ଅଧିକ ଜ୍ଞାନ ଲାଭ ପାଇଁ ସେ ପ୍ୟାରିସ୍ ଯିବ ।

ଶାନ୍ତିନିକେତନରୁ ଫେରି ସେ ଚାଲିଆସିଚି ଏଇ ଚଣ୍ଡୀଖୋଲ ଉପତ୍ୟକାକୁ । ତା’ ପ୍ରତିଭାରେ ମୁଗ୍‍ଧ ହୋଇ ଏଠାକାର ସନ୍ନ୍ୟାସୀ ତାକୁ ଖୁବ୍ ଭଲ ପାଇଚନ୍ତି । ଏଇ ଉପତ୍ୟକାଟି ତାକୁ ବେଶ୍ ଭଲ ଲାଗିଛି । ତାକୁ ଲାଗିଛି ସହରୀ ଜୀବନର ଯାନ୍ତ୍ରିକତା ଅପେକ୍ଷା ଏଇ ସାଧା ସିଧା ଅରଣ୍ୟର ପରିବେଷ୍ଟନୀ । ଏଇ ବନାନୀର ଗୁଳ୍ମଲତା, ବଙ୍କାଟଙ୍କା ରାସ୍ତାରେ, ଏଇ ଟାଙ୍ଗର ଭୂଇଁରେ ଯିମିତି ଜୀବନର ଗୋଟାଏ ଛନ୍ଦ ଅଛି, ବଞ୍ଚିବାର ଗୋଟାଏ ମୋହ ଅଛି । ଆଃ...ଏଠକାର ପବନରେ ମାଦକତା ଅଛି । ସମ୍ମୋହନଶକ୍ତି ଅଛି ଏଇ ଉପତ୍ୟକାର ।

ବନାନୀର ନଗ୍ନ ଅଥଚ ରୁଚିସଂପନ୍ନ ସୌନ୍ଦର୍ଯ୍ୟ ତାକୁ ଆତ୍ମହରା କରିଚି । ଏଠାକାର ଦିଗ୍‍ବଳୟ ତଳୁ ଖୁବ୍ ଦୁଷ୍ଟ ଅଥଚ ଅଭିଭାବକଙ୍କ ସାମ୍ନାରେ ଶାନ୍ତ ସୁଧାର ପିଲାଟିଏ ପରି ଅଭିନୟ କରୁଥିବା ବାଳକର ଚାଲିଚଳନକୁ ଅନୁକରଣ କରୁଥିବା ଉଦୀୟମାନ ସୂର୍ଯ୍ୟକୁ ଦେଖି ସେ ହସି ହସି ଲୋଟିଯାଏ । ଖୁବ୍ ଖୁସିହୁଏ ଅନେକ ହଳଦିଆ ଖରାର ବର୍ଚ୍ଛା ମାରି ବି ବନାନୀର କିଛି କରିପାରି ନ ଥିବାର ଅନୁଶୋଚନାରେ ମଧ୍ୟାହ୍ନର ସୂର୍ଯ୍ୟ ଅରଣ୍ୟର ଆକାଶରେ ଅସହାୟ ହୋଇପଡ଼ିଲେ । ପୁଣି ସେ ଦୟାକରେ ଶେଷ ସୂର୍ଯ୍ୟର ରଶ୍ମିକୁ ।

ଏଇସବୁ ସମୟର ଏଫେକ୍ଟକୁ ନେଇ ସେ ଅନେକ ଚିତ୍ର ସମାପ୍ତ କରିଚି । କିନ୍ତୁ ତା’ର ମନ ହୁଏ, ଏଠା ଆକାଶର ସୌନ୍ଦର୍ଯ୍ୟମୟୀ ଜହ୍ନକୁ ସେ ଯେପରି ଅନ୍ୟ କେଉଁଠି ଭେଟି ନାହିଁ ।

ଜହ୍ନରାତିର ପୁଣି ଏମିତି ମାୟା ଥାଏ !

କୌଣସି ସହରରେ କିମ୍ବା କୌଣସି ସମୁଦ୍ରର ବେଳାଭୂମିରେ ସେ ତ ଜହ୍ନ ରାତିକୁ ଏପରି ଉପଭୋଗ କରିପାରିନି । କୌଣସି ଏକ ପୂର୍ଣ୍ଣିମା ରାତିରେ ସମୁଦ୍ର ବେଳାରେ ଅନେକ ବେଳଯାଏ ଜହ୍ନକୁ ଲକ୍ଷ କରି ତା’ର ମନେ ହୋଇଚି, କୋଳାହଳ କରି ଡେଇଁ ବୁଲୁଥିବା ଗୁଡ଼ାଏ ଚପଳ ଶିଶୁଙ୍କର କାରଣହୀନ ପ୍ରହରରେ ଜହ୍ନଟା ଯିମିତି ଆହତ । ସହରର ରୁଗ୍‍ଣ ଆକାଶରେ ଜହ୍ନ ତାକୁ ଦେଖାଯାଏ ପ୍ରବଳ ପବନ ସୁଅମୁହଁରେ ଏକ ଅସହାୟ କାଗଜ ଗୁଡ଼ି ପରି ।

କିନ୍ତୁ ଏଠା ଆକାଶର ଜହ୍ନ ତା’ ଆଖିକୁ ଦେଖାଯାଏ...ଦେଖାଯାଏ...

ନା, ଠିକ୍ ବ୍ୟକ୍ତ କରି ହେବନି ଭାଷାରେ, ସେ ଠିକ୍ ବୁଝି ବି ପାରୁନି । ବ୍ୟକ୍ତ କରି ହେବନି ବୋଲି ତ, ବୁଝିପାରୁନି ବୋଲି ତ ସେ ତାକୁ ବାନ୍ଧି ରଖିବାକୁ ଚେଷ୍ଟା କରୁଚି ତା’ କାନ୍‍ଭାସରେ ଅନେକ ରଙ୍ଗ ବୋଲି ବହୁ ପ୍ରକାରରେ ।

ଆଗରେ ଥିବା ଅସମାପ୍ତ କାନ୍‍ଭାସ୍‍ଟିରେ ନିଜଦ୍ୱାରା ନବ ଆବିଷ୍କୃତ ଜହ୍ନକୁ ସେ ନୂଆ କରି ଅନ୍ୟ ଏକ ପ୍ରକାରରେ ବିଶ୍ଳେଷଣ କରିବାକୁ ଚେଷ୍ଟା କରୁଚି । କାଲି ଖୁବ୍ ସକାଳୁ ଆରମ୍ଭ କରିଥିଲେ ବି ଏବଂ ଗତ ରାତ୍ରି ସାରା ବିନିଦ୍ର ଭାବରେ ନିଜର ସମସ୍ତ ବୁଦ୍ଧି ଓ କୌଶଳ ପ୍ରୟୋଗ କରିଥିଲେ ସୁଦ୍ଧା ଆଜି ସେଇଟିକୁ ସାରିପାରୁଚି କି ନା ସନ୍ଦେହ ?

ଜୀବନ ଗଡ଼ି ପଡ଼ିଥିବା ତୁଳୀଟିକୁ ତଳୁ ଉଠାଇ ଆଣିଲା ।

ସମତଳ ରାସ୍ତା ଛାଡ଼ି ଉପତ୍ୟକା ଉପରକୁ ଉଠି ଆସୁଥିବା ଗୋଟାଏ ବସ୍‍ର ଶବ୍ଦ ଶୁଭୁଛି । ବସ୍ ଏଠାକୁ ଆସିବା ନୂଆ ନୁହେଁ । ପ୍ରତିଦିନ ନ ହେଲେ ବି ପ୍ରାୟ ଛୁଟିଦିନମାନଙ୍କରେ ବସ, କାର୍, ଜିପ୍, ମୋଟର ବାଇକ୍ ନେଇ ବିଭିନ୍ନ ସ୍ତରର ଅନେକ ଲୋକ ଆସନ୍ତି ଗୋଟାଏ ଦିନକୁ ପିକ୍‍ନିକ୍‍ର ଅନୁଭୂତିରେ ଓଦା କରିଯିବା ପାଇଁ ।

 

ବସ୍ ଆସି ଅଟକିଗଲା ସେଇ ଉପତ୍ୟକାର ଗୋଟିଏ କଡ଼ରେ । ଖପ୍‍ଖାପ୍ ହୋଇ ଡେଇଁପଡ଼ିଲେ ତା’ ଭିତରୁ ପଞ୍ଝା ପଞ୍ଝା ପୁଅଝିଅ, ସତେ ଯେମିତି କୋଉ ହୃଦୟହୀନ ବ୍ୟକ୍ତିଦ୍ଵାରା ବନ୍ଧା ହୋଇ ରହିଥିବା ନଦୀର ସବୁତକ ପାଣି ହଠାତ୍ ବନ୍ଧ ଭାଙ୍ଗି ବିଞ୍ଚିହୋଇ ପଡ଼ିଲା ଫୁଲଝାଡ଼ ଭଳି । ବେଶ୍ ହସ ହସ, ବେଶ୍ ସତେଜ ସେମାନେ । ଅତୀତ ପାଇଁ ସେମାନଙ୍କର ଅନୁଶୋଚନା ନାହିଁ, ଭବିଷ୍ୟତ ପାଇଁ ଭାବନା ନାହିଁ; ବର୍ତ୍ତମାନ ହିଁ ସେମାନଙ୍କ ପାଖରେ ସବୁ କିଛି । କୋଉ କଲେଜର ଛାତ୍ରଛାତ୍ରୀ ସେମାନେ ନିଶ୍ଚୟ; ସାଙ୍ଗରେ ତାଙ୍କର ଅଧ୍ୟାପକ ଓ ଅଧ୍ୟାପିକା ।

 

ଚିତ୍ରାଙ୍କନରେ ପୁଣି ମନଦେଲା ଜୀବନ; କିନ୍ତୁ ପାରିଲାନି ।

 

ସେମାନେ ପାଟିତୁଣ୍ଡ କରୁଚନ୍ତି; ଗୋଳମାଳ କରୁଚନ୍ତି । ଝରି ଆସୁଥିବା ଝରଣାର ପାଣିକୁ କିଛି ପରିମାଣରେ ଅଟକାଇ ରଖିବା ପାଇଁ ତିଆରି ହୋଇଥିବା କୁଣ୍ଡ ଭିତରକୁ ସେମାନଙ୍କ ମଧ୍ୟରୁ କେତେ ଜଣ ଡାଇଭ୍ ମାରି ପହଁରିବାକୁ ଆରମ୍ଭ କରିଦେଲେଣି । ଆଉ କେତେ ଜଣ ଏଇ ଉପତ୍ୟକାର ଚାରିପଟେ ଘେରି ରହିଥିବା ବନାନୀର ଆଦିଗନ୍ତ ଶ୍ୟାମଳିମା ଉପରେ ମନ୍ତବ୍ୟ ଦେବାକୁ ବି ଲାଗିଲେଣି ।

 

ନା, ଏ ଗୋଳମାଳ ତାକୁ ଖରାପ ଲାଗୁନି, ବରଂ ବେଶ୍ ଭଲ ଲାଗୁଚି । ତା’ର ମନେ ହେଉଚି, ଅନେକ ଦିନ ହେଲା ଚାପା ପଡ଼ି ରହିଥିବା ଏକ ସଂଗୀତର ସ୍ରୋତ ହଠାତ୍ ଯେମିତି ମୁକ୍ତି ପାଇ ପ୍ରସାରିତ ହେଉଛି ।

 

ଆରେ, ଏଠି ଜଣେ ଆର୍ଟିଷ୍ଟ ! କିଏ ଜଣେ ମନ୍ତବ୍ୟ ଦେଇ ଉଠିଆସିଲେ ତା’ ପାଖକୁ । ବୋଧହୁଏ ଜଣେ ଅଧ୍ୟାପକ । ଅନେକ ପିଲା ବି ଚାଲିଆସିଲେ ତାଙ୍କ ପଛେ ପଛେ । କେତେକ କଥାବାର୍ତ୍ତା ପରେ ସେମାନଙ୍କ ଅନୁରୋଧକ୍ରମେ ଚିତ୍ରର ନମୁନା ଦେଖାଇବାକୁ ସେମାନଙ୍କୁ ନେଇଗଲା ପାନ୍ଥନିବାସରେ ସେ ରହୁଥିବା ପ୍ରକୋଷ୍ଠକୁ ।

 

ସେମାନେ ଆଧୂନିକ ପ୍ରୟୋଗାତ୍ମକ ଚିତ୍ରକଳାର ଦୂର୍ଭେଦ୍ୟତା ଭେଦ କରି ନ ପାରି ଶୁଖିଲା ପ୍ରଶଂସା କରି ଫେରିଗଲେ ଗୋଟି ଗୋଟି ହୋଇ । ଜୀବନର କିନ୍ତୁ ସେ ସବୁରେ ଲକ୍ଷ୍ୟ ନ ଥିଲା । ସେ କେବଳ ଆଗ୍ରହର ସହିତ ଦେଖାଇ ଯାଉଥିଲା ଚିତ୍ରଗୁଡ଼ିକୁ ।

 

‘ଏବଷ୍ଟ୍ରେକ୍‍ଟ ଆର୍ଟସ୍ !’

 

ଏଇ ମନ୍ତବ୍ୟ ପରେ ସେଇସବୁ ଚିତ୍ରକୁ ସାମାନ୍ୟ ବୁଝାଇବାକୁ ସ୍ଥିର କରି ପଛକୁ ଫେରି ଚାହିଁ ଜୀବନ ଦେଖିଲା, କେବଳ ଗୋଟିଏ ଝିଅ ବ୍ୟତୀତ ଅନ୍ୟ କେହି ନାହାନ୍ତି ଆଉ ସେଇ ଝିଅଟି ତନ୍ମୟ ହୋଇ ଦେଖିଯାଉଚି ପ୍ରତିଟି ଚିତ୍ରକୁ ।

 

କିଛି ସମୟ ପରେ ଅତ୍ମୀୟତା ସୃଷ୍ଟି କରିବାକୁ ଝିଅଟି କହିଥିଲା–“ମୋ ନାଁ ମିସ୍ ଚନ୍ଦ୍ରକଳା ରାୟ, କେବଳ କଳା ଡାକିଲେ ବି ଚଳିବ । କିନ୍ତୁ ଶିଳ୍ପୀଙ୍କର ପରିଚୟ ଜାଣି ପାରିଲି ନି ତ-!”

 

“ଆପଣ ତ ମୋର ଯଥାର୍ଥ ପରିଚୟ ପାଇଚନ୍ତି, “ସାମାନ୍ୟ ହସି ଉତ୍ତର ଦେଇଥିଲା ଜୀବନ, “ମୁଁ ଜଣେ ଶିଳ୍ପୀ, କଳାକାର । ଏହାଠାରୁ ବଳି ମୋ’ର ଆଉ ଅଧିକ କ’ଣ ବା ପରିଚୟ ଅଛି ? ଏଇ କଳାର ମାଧ୍ୟମରେ ତ ମୋର ଯାହା କିଛି ବ୍ୟକ୍ତିତ୍ଵ । ତେବେ ବାପା ବୋଉ ମୋତେ ଡାକନ୍ତି ଜୀବନ । ଜୀବନକୃଷ୍ଣ ଦାସ ନାମରେ ମୁ ବାହାରେ ପରିଚିତ ।”

 

“ଆପଣ ଜଣେ କଳାକାର ଆଉ ମୋ ନାଁ କଳା । ସତେ କି ସୁନ୍ଦର ଯୋଗସୂତ୍ର ଅଛି ମୋ ନାଁ । ଏବଂ ଆପଣଙ୍କ ମଧ୍ୟରେ ।” ତା’ପରେ ଖିଲ୍ ଖିଲ୍ ହୋଇ ହସି ଉଠିଥିଲା ଝିଅଟି ।

 

କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ଏବଂ ନିର୍ବାକ୍ ଭାବରେ ଜୀବନ ଚାହିଁ ରହିଥିଲା ସେଇ ଝିଅଟିର ମୁହଁକୁ, ସତେ ଯେମିତି ସେଇ ଝିଅଟି ଆର୍ଟ ପାଇଁ ଏକ ସୁନ୍ଦର ମଡ଼େଲ୍ ।

 

“ମୋ ବ୍ୟବହାର ପାଇଁ କିଛି ମନେ କରିବେନି ଶିଳ୍ପୀ !” ହଠାତ୍ ଗମ୍ଭୀର ହୋଇଉଠି ଚାଲିଗଲା ସେ, ଆଉ ତା’ର ଯିବା ପଥକୁ ପଲକହୀନ ଦୃଷ୍ଟିରେ ଚାହିଁ ରହିଲା ଜୀବନ । ଜୀବନର ମନେହେଲା, ଏଇ ସବୁଜ ଅରଣ୍ୟଘେରା ପାହାଡ଼ର ବୁକୁରେ ସେ ଅନ୍ୟ ଏକ ଝରଣା ବାଧାହୀନ, ବନ୍ଧନହୀନ ଭାବରେ ବୋହିଯାଉଚି ।

 

କିଛି ସମୟ ପରେ ସେଇ ପିକ୍‍ନିକ୍‍ ପାର୍ଟି ପକ୍ଷରୁ ଜଣେ ଅଧ୍ୟାପକ ଆସି ତାକୁ ନିମନ୍ତ୍ରଣ କରି ନେଇଗଲେ ସେମାନଙ୍କ ସହ ଯୋଗ ଦେବାକୁ । ସେତେବେଳେ ପାର୍ଟିର କାର୍ଯ୍ୟସୂଚୀରେ ଥିଲା ପାହାଡ଼ଚଢ଼ାର କାର୍ଯ୍ୟକ୍ରମ । ଜୀବନ ବି କେଉଁ ଏକ ଅଦ୍ଭୁତ ଖିଆଲରେ ଅଦମ୍ୟ ଉତ୍ସାହ ନେଇ ସେମାନଙ୍କ ସହ ଆଗେଇ ଚାଲିଲା ଏବଂ ଅନେକ ଉପରକୁ ଉଠିଆସିବା ପରେ କ୍ଳାନ୍ତ ହୋଇ ପଛକୁ ଫେରି ଚାହିଁ ଦେଖେ ତ କେବଳ ସେଇ ଝିଅ କଳା ବ୍ୟତୀତ ଅନ୍ୟ କେହି ନାହାନ୍ତି ।

 

କଳା ସାଙ୍ଗେ ସାଙ୍ଗେ ସେଇ ପାଖରେ ପାହାଡ଼ ଛାତିରୁ ବାହାରକୁ ଚଟାଣ ପରି ବାହାରି ଆସିଥିବା ଏକ ପ୍ରସ୍ତରଫଳକ ଉପରେ ନାଟକୀୟ ଛନ୍ଦରେ ବସିପଡ଼ି ଆଳସ ଭାବରେ କ୍ଳାନ୍ତି ମେଣ୍ଟାଉ ମେଣ୍ଟାଉ କହିଲା–“ମୋର ଠିକ୍ ଏଇ ଅବସ୍ଥାର ଖଣ୍ଡେ ଛବି ଆଙ୍କିଦେବେ ଜୀବନବାବୁ, ଦୟାକରି ସ୍କେଚ୍ ନିଅନ୍ତୁ ନା !”

 

ଜୀବନ ତାକୁ କୌଣସି ଉତ୍ତର ନ ଦେଇ ଚାହିଁ ରହିଲା କେବଳ ।

 

ହଠାତ୍ ସେଇ ପଥର ଚଟାଣର ଠିକ୍ ପଛରେ ଥୋପାଥୋପା ଫୁଲରେ ନେସି ହୋଇଥିବା ଏକ କୃଷ୍ଣଚୂଡ଼ା ଗଛ ଦେଖି କଳା ଚିତ୍କାର କଲା ଭଳି କହିଉଠିଲା–‘‘ଆବ୍‍ନର୍‍ମାଲ୍ ! ଇସ କି ଆଶ୍ଚର୍ଯ୍ୟ ! ପାହାଡ଼ର ଏତେ ଉପରେ ବି କୃଷ୍ଣଚୂଡ଼ା ଗଛ ।” ତା’ପରେ କେତେ ପେନ୍ଥା ଫୁଲ ତୋଳି ଜୀବନ ହାତକୁ ବଢ଼ାଇ ଦେଇ କହିଥିଲା, “ଏଥିରୁ ଅଧେ ଆପଣଙ୍କର, ଆଉ ଅଧେ ମୋର-।”

 

“ତେବେ ମତେ ସବୁତକ ବଢ଼ାଇଦେଲେ କାହିଁକି ?” ଜୀବନ ପଚାରିଥିଲା ।

 

“ଏଥର ମୋ ଭାଗତକ ଆପଣ ଫେରାଇ ଦିଅନ୍ତୁ !” ଦୁଷ୍ଟାମୀର ହସ ହସି ଉତ୍ତର ଦେଇଥିଲା କଳା ।

 

“ନିଅନ୍ତୁ ।”

 

“ଉଁ ହୁଁ...ଏମିତି କ’ଣ ଆଉ ହାତକୁ ହାତ ଫେରାଇ ହୁଏ ?” ହଠାତ୍ ଜୀବନ ଆଡ଼କୁ ପଛ କରି ଅଳି କଲା ପରି କଳା ପୁଣି କହିଲା, “ଯୋଉ ହାତରେ ତୁଳୀ ଧରି ଆପଣ କାନ୍‍ଭାସ୍ ସଜାନ୍ତି, ସେଇ ହାତରେ ଫୁଲ ଦେଇ ମୋ ଜୁଡ଼ାଟାକୁ ସଜେଇ ଦିଅନ୍ତୁ ନା ଜୀବନବାବୁ !”

 

ଜୀବନ ନିର୍ବାକ୍ ଭାବରେ ରହିଗଲା କିଛି ସମୟ ପାଇଁ ।

 

ଖୁବ୍ ଜୋରରେ ହସୁ ହସୁ କଳା କହିଲା–“ଆପଣ ବଡ଼ ନିରୀହ ନା !”

 

କିଛି ସମୟ ପରେ ସାମାନ୍ୟ ଗମ୍ଭୀର ହୋଇ କଳା ଜୀବନକୁ ପଚାରିଲା–“ଏଇ ବନାନୀଘେରା ପାହାଡ଼ର ଶ୍ୟାମଳିମା ଆପଣଙ୍କୁ କେମିତି ଲାଗୁଚି ?”

 

“ବେଶ୍ ଭଲ ଲାଗୁଚି ।” ଉତ୍ତର ଦେଲା ଜୀବନ । “ମୁଁ ଯେମିତି ବାନ୍ଧି ହୋଇ ପଡ଼ିଚି ଏଇ ଅରଣ୍ୟର ସୁବିସ୍ତୃତ ଶ୍ୟାମଳିମାରେ ।”

 

“ଆଉ ମୁଁ ?” ଗୋଟାଏ କଟାକ୍ଷ ହାଣି ପଚାରିଲା କଳା ।

 

“ଆପଣ...ଆପଣ ମତେ ଲାଗୁଚନ୍ତି ଠିକ୍ ଏଇ ଦୁଷ୍ଟା ଝରଣାଟି ପରି ।”

 

ଆଖିଡ଼ୋଳା ଦୁଇଟିକୁ ନଚାଉ ନଚାଉ କଳା ପଚାରିଲା, “ଖାଲି ଝରଣା, ଆଉ କିଛି ନୁହେଁ ? ହଉ ତେବେ ଚାଲନ୍ତୁ ଫେରିଯିବା ।”

 

ଫେରୁ ଫେରୁ କଳା ଜୀବନକୁ ପଚାରିଲା–“ଗୋଟାଏ ପାହାଡ଼ର ପଥୁରିଆ ଛାତି ଉପରେ ଆପଣାର ସ୍ଥାନ ବାଛିନେଇ ଏଇ କୃଷ୍ଣଚୂଡ଼ା ଗଛଟି ସିନା ପାହାଡ଼ର ସୌନ୍ଦର୍ଯ୍ୟ ବଢ଼ାଉଚି, କିନ୍ତୁ ପାହାଡ଼ କ’ଣ କୃଷ୍ଣଚୂଡ଼ାର ମୁଲ୍ୟାଙ୍କନ କରିପାରୁଚି ?”

 

ଜୀବନ କିନ୍ତୁ ନିରୁତ୍ତର ରହିଲା ।

 

ପହଞ୍ଚିବା ପରେ ଜୀବନକୁ ସେମାନଙ୍କ ଭୋଜିରେ ଯୋଗଦେବା ପାଇଁ ବାଧ୍ୟ କରାଗଲା-। ଖାଇବା ପରେ କିଛି ସମୟ ବିଶ୍ରାମ ନେଇ ସେମାନଙ୍କର ଫେରିଯିବା କଥା; କିନ୍ତୁ ଜୀବନ ସେଦିନଟା ସେମାନଙ୍କୁ ରହିଯିବାକୁ ଅନୁରୋଧ କରି କହିଲା–“ଆଜି ପୂର୍ଣ୍ଣିମା । ଯଦିଓ ଏଠାକାର ଜହ୍ନକୁ ମୁଁ ଆଜି ପର୍ଯ୍ୟନ୍ତ ଠିକ୍ ଭାବରେ ଆବିଷ୍କାର କରିପାରିନି, ତଥାପି ମୁଁ ଏତିକି ଜୋରଦେଇ କହିପାରିବି ଯେ, ଅନ୍ୟାନ୍ୟ ସ୍ଥାନର ଜହ୍ନରାତି ଅପେକ୍ଷା ଏଇ ପାହାଡ଼ ଓ ଅରଣ୍ୟଘେରା ଉପତ୍ୟକାର ଜହ୍ନରାତି ଖୁବ୍ ଚମକପ୍ରଦ, ଖୁବ୍ ଆଶ୍ଚର୍ଯ୍ୟ । ମୁଁ ଅନୁଭବ କରିଚି, ଏଠିକା ଜହ୍ନରାତିର ସିମିତି ଏକ ମାୟା ଅଛି, ଅଛି ସମ୍ମୋହନ ଶକ୍ତି । ଆଜିକ ଏଠି ଅଟକି ଯାଆନ୍ତୁ ନା !”

 

ତା’ର ଅନୁରୋଧ ରକ୍ଷାକରି ପାରୁ ନ ଥିବାରୁ ଜଣେ ଛାତ୍ର ଦୁଃଖ ପ୍ରକାଶ କରି କହିଲେ, “ଦେଖନ୍ତୁ ଆଜ୍ଞା, ଆମେ ଯଦି କେବଳ ପୁଅପିଲା ଆସିଥାଆନ୍ତୁ, ତେବେ ଗୋଟିଏ କାହିଁକି ଦଶଟା ରାତି ଅଟକି ରହି ଏଠାକାର ଜହ୍ନରାତିକୁ ଉପଭୋଗ କରିବାରେ କୌଣସି ଆପତ୍ତି ନ ଥାନ୍ତା । କିନ୍ତୁ ଏମାନଙ୍କୁ ସାଙ୍ଗରେ ଆଣି ଆଉ ସାମାନ୍ୟ ସମୟ ବିଳମ୍ବ କରିବାର ଶକ୍ତି ଆମର ନାହିଁ ।”

 

ତା’ପରେ ସେମାନେ ଫେରିଯିବାର ଆୟୋଜନରେ ଲାଗିପଡ଼ିଲେ ।

 

ଫେରିଯିବାର ସାମାନ୍ୟ ପ୍ରାକ୍‍କାଳରେ ବିଦାୟ ନେବାକୁ ଆସି କଳା ତାକୁ କହିଗଲା–“ଏଇ ଜହ୍ନ ପାହାଡ଼, ଅରଣ୍ୟ ଆଉ ରଙ୍ଗ ଓ ତୁଳୀ ନେଇ ଆପଣ ଶିଳ୍ପୀ ହୋଇ ରହିଗଲେ ସିନା, କିନ୍ତୁ ପୁରୁଷ ହୋଇ ପାରିଲେନି । ଯୋଉଦିନ ଆପଣ ପୁରୁଷ ହୋଇ ନାରୀର ମନ ବୁଝିପାରିବେ ସେଦିନ ଆପଣ ଆବିଷ୍କାର କରିପାରିବେ ଏଇ ଉପତ୍ୟକାର ଜହ୍ନକୁ ।”

 

ସେମାନେ ଫେରିଗଲେ । କିନ୍ତୁ ଜୀବନକୁ କଳା ଯେଉଁ ଆକ୍ଷେପ କରିଗଲା ତା’ର ସୁତୀବ୍ର ଦହନର ଜ୍ଵାଳାରେ ମୁହ୍ୟମାନ ହୋଇ କାରଣ ଖୋଜୁ ଖୋଜୁ ଜୀବନ ଅବଶ ହୋଇପଡ଼ିଲା-

 

ଯେତେବେଳେ ତା’ର ତନ୍ଦ୍ରା ତୁଟିଲା ସେତେବେଳକୁ ଅନେକ ରାତି ହୋଇଗଲାଣି । ବାହାରକୁ ଆସି ସେ ଦେଖିଲା, ପୂର୍ଣ୍ଣିମା ଜ୍ୟୋତ୍ସ୍ନାର ସ୍ପର୍ଶରେ ଅତନ୍ଦ୍ର ହୋଇଉଠିଛି ଏଇ ଉପତ୍ୟକା । ଆକାଶକୁ ବହୁବେଳ ପର୍ଯ୍ୟନ୍ତ ଦୃଷ୍ଟିପାତ କରି କିଛି ଯିମିତି ଆବିଷ୍କାର କରିବାକୁ ଚେଷ୍ଟାକଲା ସେ ।

 

ଆଃ...! ଆନନ୍ଦରେ ନାଚିଉଠିଲା ଜୀବନ । ଏତେ ଦିନ ପରେ ସେ ଆଜି ଆବିଷ୍କାର କରିପାରିଚି ଏଇ ଉପତ୍ୟକାର ଜହ୍ନକୁ । ଏ ଜହ୍ନ କୌଣସି ସମୁଦ୍ର ଉପକଣ୍ଠରେ ଗୁଡ଼ିଏ ଚପଳ ଶିଶୁଙ୍କର ଅକାରଣ ପ୍ରହାରରେ ବ୍ୟଥିତ ଜହ୍ନ ନୁହେଁ କିମ୍ବା ସହରର ରୁଗ୍‍ଣ ଆକାଶରେ କଟିଯାଇଥିବା କାଗଜର ଗୁଡ଼ି ନୁହେଁ । ଏଇ ଉପତ୍ୟକାର ଜହ୍ନ ଏକ ପ୍ରଣୟାକାଙ୍‍କ୍ଷୀ ଅଷ୍ଟାଦଶୀ ରମଣୀ । ତା’ର ମନେହେଲା, ଆଜିର କଳା ଆଉ ଏଇ ଜହ୍ନ ଯିମିତି ଏକ ଓ ଅଭିନ୍ନ । କଳା ଜହ୍ନର ଆତ୍ମା, ଜହ୍ନ କଳାର ଆତ୍ମା । କିଛି ଭିନ୍ନତା ନାହିଁ, କିଛି ପାର୍ଥକ୍ୟ ନାହିଁ ଉଭୟଙ୍କ ଭିତରେ । ଦୀର୍ଘ ଏକ ମାସ ଧରି ଜହ୍ନକୁ ଆବିଷ୍କାର କରିବାକୁ ଏଇଠି ବସି ବସି ସେ ଯେଉଁ ଅକ୍ଲାନ୍ତ ପରିଶ୍ରମ କରୁଥିଲା, ସେଇ ଐକାନ୍ତିକ ପରିଶ୍ରମର ଫଳ ସ୍ଵରୂପ ଯେପରି ଜହ୍ନ କଳା ରୂପରେ ଧରାଦେବାକୁ ଆସିଥିଲା ତା’ ପାଖକୁ ।

 

ଜୀବନର ମନେହେଲା, ଆଜିର ଉଦାସ ଅପରାହ୍ନରେ ପାହାଡ଼ ଉପରର ସେଇ କୃଷ୍ଣଚୂଡ଼ା ମୂଳରେ କଳା ତାକୁ ଯେପରି ଆହ୍ଵାନ କରିଥିଲା, ଜହ୍ନ ବର୍ତ୍ତମାନ ଠିକ୍ ସେଇପରି ଆହ୍ଵାନ କରୁଚି । ତା’ର ନିଷ୍କ୍ରିୟତା ଦେଖି ସେ ଯେମିତି କହୁଚି, ମୁଁ କେବଳ ତୁମ ତୁଳୀର କିମ୍ଵା କବିର ସ୍ୱପ୍ନ ସାଥୀ ନୁହେଁ ଅବା ମହାକାଶଚାରୀଙ୍କ କଥାରେ ମୁଁ କେବଳ ମାଟି ପଥରରେ ଗଠିତ ଏକ ଜଳଶୂନ୍ୟ ସ୍ଥାନ ନୁହେଁ । ମୁଁ ରସବନ୍ତୀ, ମୁଁ ନାରୀ, ମୁଁ କଳା, ମୁଁ ସେଇ ଝିଅ ମିସ୍ ଚନ୍ଦ୍ରକଳା ରାୟ । ତମେ ମୋ’ ଆଲୋକର ମାୟା ଦେଖି ସେଠି ଅଟକି ଯାଅନା ଜୀବନ, ମୋର ଅତି ନିକଟକୁ ଆସିବାକୁ ଚେଷ୍ଟାକର । ଚେଷ୍ଟାକର ମୋ ମନ ବୁଝିବାକୁ, ମୁଁ ନାରୀ, ମୁଁ ରମଣୀ, ତମେ ମୋତେ ଶିଳ୍ପୀ ଭାବରେ ଯିମିତି ଭଲ ପାଉଚ, ପୁରୁଷ ଭାବରେ ଠିକ୍ ସେମିତି ଭଲପାଇବାକୁ ଚେଷ୍ଟାକର । ତମେ ପୁରୁଷ, ତମେ ପୁରୁଷ, ତମେ କେବଳ ଶିଳ୍ପୀ ନୁହଁ, ତମେ ପୁରୁଷ ।

 

ନା, ଜୀବନ ଯିବ । ତା’ର ପ୍ରଶସ୍ତ ଛାତି ଉପରକୁ ଆଜି ଭିଡ଼ି ଆଣିବ ଜହ୍ନକୁ, ଜହ୍ନରୂପୀ କଳାକୁ । ସେ ପୁରୁଷ, ବୃହନ୍ନଳା ନୁହେଁ । ନାରୀର ଆମନ୍ତ୍ରଣକୁ ବୃହନ୍ନଳା ଉପେକ୍ଷା କରେ, କିନ୍ତୁ ପୁରୁଷ ପାରେନା ।

 

ତାକୁ ଜଣାଗଲା ଏ ଜ୍ୟୋତ୍ସ୍ନା ଜହ୍ନର ଆଲୋକ ନୁହେଁ, ଏକ ନାରୀର ପରିଧାନ । ଏଇ ଜହ୍ନ ଆକାଶକୁ ଆସୁଥିବା ସବୁଦିନିଆ ଜହ୍ନ ନୁହେଁ, ଏକ ନାରୀର ମୁଖମଣ୍ଡଳ । ଆଦିଗନ୍ତ ବିସ୍ତୃତି ଲଭିଥିବା ଏଇ ଆକାଶ ତା’ର କେଶଗୁଚ୍ଛ ଆଉ ଏଇସବୁ ତାରକାପଂକ୍ତି ସେଇ ଜୁଡ଼ାରେ ମରା ହୋଇଥିବା ସଜଫୁଲ । ତା’ ସାମ୍ନାର ଏଇ ସୁବିସ୍ତୃତ ଅରଣ୍ୟ ସେଇ ନାରୀର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ।

 

ସେଇ ଜହ୍ନ ସେମିତି ତାକୁ ଆକ୍ଷେପ କରି କହୁଚି, ତମେ କ’ଣ ପୁରୁଷ ନୁହଁ ଜୀବନ ? ତମେ କ’ଣ ବୃହନ୍ନଳା ??

 

ଆଗେଇ ଚାଲିଲା ଜୀବନ ସେଇ ବନାନୀ ଭିତର ଦେଇ ବଙ୍କାଟଙ୍କା ଗଡ଼ାଣି ଉଠାଣି ରାସ୍ତାରେ ଅରଣ୍ୟର ସବୁଜପତ୍ର ଉପରେ ଫିଟିପଡ଼ି ସ୍ଵପ୍ନ ରହିଥିବା ଜ୍ୟୋତ୍ସ୍ନାକୁ ଆଶ୍ଳେଷ ଦେଇ ଦେଇ, ଅଜସ୍ର ଚୁମାରେ ପୋତିପକାଇ ।

 

ଶେଷରେ ସେ ଆସି ପହଞ୍ଚିଲା ପାହାଡ଼ର ଅଧା ଉପରେ ଥିବା ସେଇ କୃଷ୍ଣଚୂଡ଼ା ଗଛ ନିକଟରେ । ସେଇ ପ୍ରସ୍ତରଖଣ୍ଡ ଉପରେ ବସି କଳା ଯେମିତି ତାକୁ କହୁଚି, ‘ସେତେବେଳେ ମୋ ଗଭାରେ କେତେ ପେନ୍ଥା କୃଷ୍ଣଚୂଡ଼ା ଫୁଲ ଖୋସିଦେବାକୁ ତମେ ଏତେ ଭୟ କାହିଁକି କଲ ଜୀବନ-? ସତେ ତମେ ବଡ଼ ନିରୀହ । କେବଳ ଶିଳ୍ପୀ ହୋଇ ରହିଗଲେ ଲାଭ ହୁଏନା, ପୁରୁଷ ହେବାକୁ ଚେଷ୍ଟା କର !’

 

ଟିକେ ଅନ୍ୟମନସ୍କ ଭାବରେ ଜୀବନ ସେଠି ଠିଆ ହୋଇପଡ଼ିଲା । ତା’ର ମନେ ହେଲା, କଳା ଯେମିତି ତା’ର ସମସ୍ତ ପୁରୁଷତ୍ଵକୁ ଆକ୍ଷେପ କରି ହସି ହସି ଲୋଟିଯାଉଛି । ଯେମିତି କହୁଚି, ତମେ ପୁରୁଷ ନୁହଁ ଜୀବନ, ତମେ ପୁରୁଷ ନୁହଁ । ତମେ... ତମେ ଏକ ବୃହନ୍ନଳା ।

 

‘ନା, ନା କଳା, ମୁଁ ବୃହନ୍ନଳା ନୁହେଁ, ମୁଁ ପୁରୁଷ !!’ ଚିତ୍କାର କରିଉଠିଲା ଜୀବନ, ‘ଏ ଗଛର ସବୁତକ ଫୁଲ ଦେଇ ମୁଁ ତୁମ ଗଭା ସଜାଇଦେବି।’

 

ଗୋଟାଏ ହୁଙ୍କାର ଦେଇ ସେ ଚଢ଼ିଗଲା କୃଷ୍ଣଚୂଡ଼ା ଗଛ ଉପରକୁ ଆଉ ଫୁଲ ଛିଣ୍ଡାଇ ସେଇ ପଥର ଉପରକୁ ଫୋପାଡ଼ିବାକୁ ଲାଗି କହିଲା, ‘ନିଅ, କଳା, ନିଅ । ଏଇ ସମସ୍ତ ଫୁଲ ଦେଇ ମୁଁ ସଜାଇଦେବି ତୁମର ଗଭା । କେବଳ ଗଳା ନୁହେଁ କଳା, ତମ କଣ୍ଠ, ବାହୁ, ମଣିବନ୍ଧ ଆଉ ପାଦ ପାଇଁ ମୁଁ ମାଳା ରଚିଦେବି । ଆଃ...କେତେ ଫୁଲ...କେତେ ରଙ୍ଗ...କେତେ ନିଆଁ !!’

 

ତା’ପରେ ସେ କୁଦି ପଡ଼ିଲା ଗଛଉପରୁ ସେଇ ପ୍ରସ୍ତରଖଣ୍ଡ ଉପରକୁ । କିନ୍ତୁ ଆଃ, ସେ ଆଉ ଦେହର ଭାରସାମ୍ୟ ରକ୍ଷା କରିପାରିଲା ନି, ଖୁବ୍ ଜୋରରେ ଗଡ଼ି ଆସିଲା ତଳକୁ ।

 

ପରଦିନ ପ୍ରଭାତରେ ଅନ୍ୟମାନଙ୍କ ସହିତ ସନ୍ନ୍ୟାସୀ ଯାଇ ଦେଖିଲେ, ପାହାଡ଼ର ପାଦଦେଶରେ ପଡ଼ିଚି ଜୀବନର ଶବ । ପାହାଡ଼ର ଏତେ ଉପରୁ ଗଡ଼ିଯାଇଥିବାରୁ ସେ ଶବର ମୁଣ୍ଡ, ମୁହଁ ସବୁ କିଛି ଛେଚି ହୋଇଯାଇଛି । କେବଳ ଶବ ଦେହରେ ଥିବା ପୋଷାକ ଓ ଜୀବନର ଅନୁପସ୍ଥିତି ହିଁ ପ୍ରମାଣ କରୁଚି, ସେ ଶବ ଖିଆଲୀ ଶିଳ୍ପୀ ଜୀବନର ।

★★★

 

ମନୁମେଣ୍ଟ୍

 

ତେବେ ଜୀବନଟା କ’ଣ କେବଳ ପ୍ରାପ୍ତି ନା ପ୍ରତୀକ୍ଷା ? ...କେଜାଣି ?

 

ଜୀବନର ସୁଦୀର୍ଘ ବତିଶ ବର୍ଷ ବୟସ ଅବଲୀଳାକ୍ରମେ ବତିଶଟି କ୍ଳାନ୍ତ ଉଦାସ ଗୋଧୂଳି ପରି କଟାଇଦେବା ପରେ ସୁଦ୍ଧା ସୁଜନପୁର ମହାବିଦ୍ୟାଳୟର ଅଧ୍ୟାପିକା ତଥା ଛାତ୍ରୀ-ନିବାସର ଅଧ୍ୟକ୍ଷା ମିସ୍ ବନିତା ବର୍ମା ତଥାପି ଜାଣି ପାରୁ ନ ଥିଲେ।

 

ଜୀବନର ଏଇ ବତିଶି ବର୍ଷ ବତିଶିଟି କ୍ଳାନ୍ତ ଉଦାସ ଗୋଧୂଳି ନୁହେଁ ତ ଆଉ କ’ଣ ? ଏହା ପରେ ହୁଏତ ଆରମ୍ଭ ହେବ ସେଇ ସର୍ବଗ୍ରାସୀ ମହାଅନ୍ଧକାର, ଯାହାର ପ୍ରସ୍ତ ପ୍ରସ୍ତ କାଳିମା ତଳେ ଚାପି ହୋଇ ନିଶ୍ଚିହ୍ନ ହୋଇଯିବ ଜୀବନ-ସାୟାହ୍ନର ଏଇ ମ୍ଳାନ ପୁଷ୍ପ । ଦୀର୍ଘଶ୍ଵାସ ପକାଇଲେ ମିସ୍ ବନିତା ବର୍ମା ।

 

ମିସ୍, ବତିଶ ବର୍ଷ ବୟସ ପରେ ବି ନିଜ ନାମ ପୂର୍ବରେ ସଂଯୋଗ ହେଉଥିବା ଏଇ ବିରକ୍ତିକର ଉତ୍‍ପୀଡ଼କ ଇଂରାଜୀର ମାତ୍ର ଚାରି ଅକ୍ଷରବିଶିଷ୍ଟ ଶବ୍ଦକୁ ଆଉ ଅଧିକ ବ୍ୟବହାର କରିବାକୁ ସେ କିପରି କ୍ଳାନ୍ତି ଅନୁଭବ କଲେଣି । ଏକାନ୍ତରେ ‘ମିସ୍’ ବଦଳରେ ନିଜ ନାମ ପୂର୍ବରେ ସେ ବହୁବାର ‘ମିସେସ୍ ‘ ସଂଯୋଗ କଲେଣି । କିନ୍ତୁ ‘ମିସ୍’ ନାମ୍ନୀ ସେଇ କ୍ଷୁଧାର୍ତ୍ତ ଅକ୍ଟୋପାସ୍‍ର ନିଷ୍ଠୁର ବନ୍ଧନରୁ ମୁକ୍ତି ଲାଭ କରି ସେ କେବେ ‘ମିସେସ୍ ‘ ହେବେ କେଜାଣି ?

 

ଗଭୀର ଅନ୍ତର୍ଦାହର ମର୍ମାନ୍ତିକ ଯନ୍ତ୍ରଣାରେ ମୁଖମଣ୍ଡଳର ରେଖାଗୁଡ଼ିକ ତାଙ୍କର କୁଞ୍ଚିତ ହୋଇଗଲା । କେଉଁ ଏକ ବ୍ୟଥା ଓ କାରୁଣ୍ୟରେ ସେ ନିଜର ମୁଖମଣ୍ଡଳ ଉପରେ ଥରେ ହାତ ବୁଲାଇ ଆଣିଲେ । ଏଇ ମୁଁହ ଯାହାର କମନୀୟ ଶ୍ରୀ ଓ ସ୍ନିଗ୍ଧ ସୈାରଭ ଏକଦା ତାଙ୍କର ଛାତ୍ରୀଜିବନରେ ବହୁ ସହାଧ୍ୟାୟୀ ଛାତ୍ର ତଥା ତରୁଣ ଅଧ୍ୟାପକମାନଙ୍କୁ ଆକୃଷ୍ଟ କରିପାରୁଥିଲା, ତାହା ଆଜି କିପରି ଏକ ମଉଳା ଫୁଲ ପରି ନିସ୍ତେଜ ହେବାକୁ ବସିଲାଣି । ସ୍ନୋ, ପାଉଡ଼ର ଇତ୍ୟାଦିର ବହଳ ପ୍ରଲେପ ଭିତରେ ବି ଗଣ୍ଡଦେଶରେ ପଡ଼ି ଆସୁଥିବା ବୟସଜନିତ ରେଖା ଓ ଅକ୍ଷିତଳ କଳଦାଗକୁ ସେ ଏବେ କେତେ ଦିନ ହେବ ଲକ୍ଷ୍ୟ କରି ପାରିଲେଣି ।

 

କିପରି ଏକ ଅସହାୟ ଦୃଷ୍ଟି ତୋଳି କ୍ଲାନ୍ତ ଉଦାସ ଗୋଧୂଳିର ଆକାଶକୁ ଚାହିଁରହିଲେ ସେ । ସେ ଦୃଷ୍ଟିରେ ପ୍ରାପ୍ତିର ପୂର୍ଣ୍ଣତା ନାହିଁ; ପ୍ରତୀକ୍ଷାର ଯନ୍ତ୍ରଣା ଅଛି ।

 

ଏତେ ଦିନ ଧରି ‘ମିସ୍’ ଭାବରେ ରହିବା ପଛରେ ଯେ କୌଣସି ପ୍ରେମଜନିତ ପ୍ରତୀକ୍ଷା ଅଥବା ଅନ୍ୟ କୌଣସି ମନସ୍ତାତ୍ତ୍ଵିକ କାରଣ ରହିଛି, ତାହା ନୁହେଁ । ଏହା ବରଂ ଅହଂକାରୀ ସମୟର ତାଙ୍କ ପ୍ରତି ଏକ ଅବିଚାର ।

 

ଗତ ଚାରି ଦିନ ତଳେ ସୂର୍ଯ୍ୟମଣି ସହ ତାଙ୍କର ସାକ୍ଷାତ ହୋଇଥିଲା ।

 

ସୂର୍ଯ୍ୟମଣି...ଏକଦା ତାଙ୍କର ସହପାଠିନୀ ।

 

ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଥିବା ସମୟରେ ମାତ୍ର ପନ୍ଦର ବର୍ଷ ବୟସରେ (ସୂର୍ଯ୍ୟମଣି ବହୁ ବିଳମ୍ବରେ ବିଦ୍ୟାରମ୍ଭ କରିଥିଲା) ସେ ବିବାହ କରିଥିଲା ମାଟ୍ରିକ୍ ପାସ୍ କରି କୌଣସି ଏକ ସରକାରୀ ଦପ୍ତରରେ କିରାଣୀ ଚାକିରି କରି ଜୀବିକାର୍ଜ୍ଜନ କରୁଥିବା ଏକ ଯୁବକଙ୍କୁ । ବିବାହ ସ୍ଥିରୀକୃତ ହୋଇଯିବା ପରେ ଯେଉଁଦିନ ସୂର୍ଯ୍ୟମଣି ଉଠି ଆସୁଥିବା ହସକୁ ଚାପି ଧରି ତା’ର ସହପାଠିନୀ ମହଲରେ ଜଣାଇଥିଲା–ଜାଣିଛ ଲୋ, ମୋ’ ବାହାଘର ଠିକ୍ ହୋଇଗଲାଣି, ଆସନ୍ତା ମଗୁଶୀର ମାସ ଶେଷ ତିଥିରେ ମୋ’ ବାହାଘର । ବାହାଘର ପରେ ମୁଁ ତ ଆଉ ସ୍କୁଲ୍କୁ ଆସିପାରିବି ନାହିଁ, ତମେସବୁ ମତେ ମନେ ରଖିବ ତ ?

 

–ତୁ ସ୍କୁଲ୍‍କୁ ନ ଆସିଲେ ଯେ ଆମେ ତତେ ଭୁଲିଯିବୁ, ଏପରି ନୁହେଁ; କିନ୍ତୁ ନୂଆ ସ୍ଵାମୀଙ୍କର ସ୍ନେହସରାଗ ପାଇ ତୁ ଆମକୁ ମନେରଖି ପାରିବୁ ତ ? ବନିତା ସେଦିନ ସୂର୍ଯ୍ୟମଣିକୁ ଓଲଟା ପ୍ରଶ୍ନ କରିଥିଲେ । ବନିତାଙ୍କ କଥାର ଶେଷାଂଶ ଶୁଣି ଲାଜରେ ଝାଁଉଳି ପଡ଼ିଥିଲା ସେ ଆଉ ତାଙ୍କ ସହପାଠିନୀ ମହଲରେ ଚାପାହସର ଏକ ମୃଦୁ ଗୁଞ୍ଜନ ଖେଳି ଯାଇଥିଲା ।

 

–ହଇଲୋ, ତୁ ଏତେ ଚଞ୍ଚଳ ବାହାହେଇ ପଡ଼ୁଛୁ କାହିଁକି ବା ? ଏ ପ୍ରଶ୍ନ ଅନ୍ୟ ଜଣେ ସହପାଠିନୀ ବୋଧହୁଏ ଗୀତିକା ପଚାରିଥିଲା ।

 

–ବାହାଘର ଉପରେ ମୋ’ର କି ହାତ ଅଛି କହିଲୁ ଦେଖି ! ଖୁବ୍ ବିଜ୍ଞଙ୍କ ପରି ଉତ୍ତର ଦେଇଥିଲା ସୂର୍ଯ୍ୟମଣି । ଘରେ ଯେତେବେଳେ ଠିକ୍ କରୁଛନ୍ତି ସେତେବେଳେ ମୁଁ କ’ଣ ଆଉ ମନା କରିଦେବି ! ମତେ ବି ତ ଘରେ ଏ ବିଷୟରେ କେହି କିଛି ପଚାରୁ ନାହାନ୍ତି । ପଚାରନ୍ତେ ଯଦି ମନା କରନ୍ତି କାହିଁକି ? ଏ ଟୋକା ସେ ଟୋକା ସାଙ୍ଗରେ ଗୁପ୍ତ ପ୍ରେମରେ ମାତିବା ଅପେକ୍ଷା ଚଞ୍ଚଳ ବାହାହୋଇ ପଡ଼ିବା ଭାରି ଭଲ ।

 

ସୂର୍ଯ୍ୟମଣି ଦେଇଥିବା ଉତ୍ତରର ଶେଷ ବାକ୍ୟକୁ ବୁଝି ନ ପାରି ଅନ୍ୟ କୌଣସି ସହପାଠିନୀ ପଚାରିଥିଲା–ଗୁପ୍ତ ପ୍ରେମ କ’ଣ ବା ?

 

–ଆଃ, ଜମା ବୁଝିପାରୁ ନାହିଁ ମୋ ଫୁଲେଇ ନାନୀ–ରହ ବଳେ ବୁଝିବୁ ଯେ ! ତାକୁ ଦୁଇ ହାତରେ ଟିକିଏ ଦୂରକୁ ଠେଲିଦେଇ ସୂର୍ଯ୍ୟମଣି କହିଥିଲା ।

 

ସୂର୍ଯ୍ୟମଣିର ବିବାହ ସ୍ଥିର ହୋଇଯାଇଛି ଶୁଣି ସେମାନଙ୍କ ଗୁରୁମା’ (ଯିଏ କି ସେପର୍ଯ୍ୟନ୍ତ ଅବିବାହିତା ଥିଲେ ଓ ସୂର୍ଯ୍ୟମଣି ବିବାହ କରିବାର ତିନି ବର୍ଷ ପରେ ସେମାନଙ୍କ ଦଶମ ଶ୍ରେଣୀର ଜଣକ ସହିତ ହଷ୍ଟେଲରୁ ପଳାଇ ଯାଇଥିଲେ) ମୁହଁରେ ରୁମାଲ ଚାପି ଖୁବ୍ ହସିଥିଲେ ।

 

ସେଇ ସୂର୍ଯ୍ୟମଣି ସହିତ ତାଙ୍କର ସାକ୍ଷାତ ହୋଇଥିଲା ଗତ ଚାରି ଦିନ ତଳେ ।

 

ସୂର୍ଯ୍ୟମଣି...ଏବେ ଅଧଡ଼ଜନେ ସନ୍ତାନଙ୍କର ଗୃହପାଳିତା ଜନନୀ ।

 

ନିଜର ଅଧଡ଼ଜନ ସନ୍ତାନଙ୍କଦ୍ୱାରା ପରିବେଷ୍ଟିତ ହୋଇ ପ୍ରକୃତରେ ଏକ ଗୃହପାଳିତ ପଶୁ ପରି ରାସ୍ତାକଡ଼ର ଫୁଟ୍‍ପାଥରେ ନିରାଡ଼ମ୍ବର ଭାବେ ଚାଲିଥିଲା ସେ । ଅନ୍ୟମନସ୍କା ବନିତାକୁ ଦେଖିପକାଇ ହଠାତ୍ ପାଟିକରି ଉଠିଥିଲା–ଆରେ ବନି ଯେ, ଚିହ୍ନି ପାରୁନୁ ନା’ କ’ଣ ?

 

ବହୁ ବର୍ଷ ପୂର୍ବେ ଶୁଣିଥିବା କଣ୍ଠସ୍ଵରକୁ ଜାଣି ନ ପାରିଲେ ବି ନିଜ ଡାକ ନାମ ଶୁଣି ରିକ୍‍ସା ଅଟକାଇଥିଲେ ବନିତା । କିନ୍ତୁ ବନିତା ସୂର୍ଯ୍ୟମଣିକୁ ଚିହ୍ନିବାର ବହୁ ପୂର୍ବରୁ ସେ ରିକ୍‍ସା ପାଖକୁ ଦଉଡ଼ିଆସି ଏକ ଉଷ୍ଣ ଆବେଗରେ ବନିତାଙ୍କୁ ବକ୍ଷସଂଲଗ୍ନ କରି କହିଥିଲା–ଆରେ, ମତେ ସତରେ ଚିହ୍ନିପାରୁନୁ ବନି, ମୁଁ ପରା ମଣି !

 

ଦୀର୍ଘ କୋଡ଼ିଏ ବର୍ଷର ବିସ୍ମୃତି ତଳେ ହଜିଯାଇଥିବା ବାଲ୍ୟ–ସଖୀ ସୂର୍ଯ୍ୟମଣିକୁ ପୁଣିଥରେ ଦେଖି ଆତ୍ମହରା ହୋଇ ବନିତା ତାକୁ ନିବିଡ଼ତର ଭାବେ ବକ୍ଷସଂଲଗ୍ନ କରିଥିଲେ । କିଛିକ୍ଷଣ ପରେ ପ୍ରକୃତିସ୍ଥ ହୋଇ ନୀରବରେ ସେ କେବଳ ତାକୁ ଚାହିଁ ରହିଥିଲେ । କୋଡ଼ିଏ ବର୍ଷ ତଳେ ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଥିବା ସମୟରେ ବିବାହ କରିଥିଲେ ପଞ୍ଚଦଶୀ ସୂର୍ଯ୍ୟମଣି । ଷୋଡ଼ଶୀ ହେବାକୁ ତଥାପି ବି ଗୋଟିଏ ବର୍ଷ ବିଳମ୍ବ ଥିଲା ତା’ର । କିନ୍ତୁ ଆଜିର ସୂର୍ଯ୍ୟମଣି ଓ ସେଦିନର ସୂର୍ଯ୍ୟମଣି ମଧ୍ୟରେ କେତେ ପାର୍ଥକ୍ୟ ! ସେଦିନର ପ୍ରଜାପତି, ଫୁଲ ଓ ଜହ୍ନର ସମ୍ମିଶ୍ରଣ ନେଇ ଯେଉଁ ପ୍ରଗଳ୍‍ଭା କିଶୋରୀଟି ମନ ଆନନ୍ଦରେ ଘୂରି ବୁଲୁଥିଲା ସେ ଆଜି ଛ’ଟି ସନ୍ତାନଙ୍କର ଜନନୀ । ସୂର୍ଯ୍ୟମଣି ହସୁଛି–ଏ ହସ ଯେମିତି ନିଜକୁ ତିଳତିଳ କରି କ୍ଷୟକରି ଛଅଟି ସନ୍ତାନଙ୍କୁ ପୃଥିବୀର ଆଲୋକ ଦେଖାଇ ପାରିଥିବାର, ପୁଣି ସେମାନଙ୍କୁ ମଣିଷ କରି ଗଢ଼ି ତୋଳିବାକୁ ଚେଷ୍ଟା କରୁଥିବାର–ପରମ ତୃପ୍ତିର ହସ, ଆତ୍ମପ୍ରସାଦର ହସ । ବୋଉକୁ ଅନ୍ୟ ଏକ ନାରୀ ସହିତ ଏପରି ଏକ ଅଭୂତପୂର୍ବ ଅବସ୍ଥାରେ ଦେଖି ବୋକାଙ୍କ ପରି ଚାହିଁ ରହିଥିବା ଏଇ ଛଅଟିଯାକ ସନ୍ତାନ ଯେପରି ତା’ର ସଫଳ ନାରୀତ୍ୱର ଜୈତ୍ର ସଂଗୀତ । ତା’ ପ୍ରତି କିପରି ତାଙ୍କର ଈର୍ଷା ହେଉଥିଲା ।

 

–ଆରେ ଠିଆ ହେଲ କ’ଣ ? ମାଉସୀଙ୍କୁ ନମସ୍କାର କର । ସୂର୍ଯ୍ୟମଣି ତା’ର ପିଲାମାନଙ୍କୁ ନମସ୍କାର କରିବାକୁ ନିର୍ଦ୍ଦେଶ ଦେବା ମାତ୍ରେ ପାଞ୍ଚ ଜଣ ଯୋଡ଼ ହସ୍ତରେ ବନିତାଙ୍କୁ ନମସ୍କାର କରିଥିଲେ ଓ ଷଷ୍ଠଟି ତାଙ୍କ ପାଖକୁ ଦଉଡ଼ି ଯାଇଥିଲା । ବନିତା ତାକୁ ଦୁଇ ହାତରେ ବକ୍ଷ ଉପରକୁ ଉଠାଇ ନେଇଥିଲେ ।

 

ଆଃ, ଏମିତି...ଠିକ୍ ଏମିତି ଗୋଟିଏ ଶିଶୁ ନିଜ କୋଳରେ ଧରିବାକୁ ବହୁ ଦିନରୁ ମନ କଲେଣି ବନିତା; କିନ୍ତୁ ଏପରି ଗୋଟିଏ ଶିଶୁ ତ ଦୂରର କଥା, ଏପର୍ଯ୍ୟନ୍ତ ତାଙ୍କ ବିବାହ ସୁଦ୍ଧା ହୋଇପାରି ନାହିଁ ।

 

–ତୁ ଆଉ ବାହା ହେଲୁନି ତ ବନି ! ଭଲ, ଏଇ ପିଲାପିଲିଙ୍କ ଜଞ୍ଜାଳ ଅପେକ୍ଷା ଚାକିରି ବାକିରି କରି ଏକା ଏକା ରହିଯିବା ଖୁବ୍ ଭଲ ।

 

ସୂର୍ଯ୍ୟମଣିର ଏଇ କଥାରେ ଅନେକ କ୍ଳାନ୍ତି ଅନୁଭବ କଲେ ବନିତା ।

 

–ଏକା ରହିଯିବାକୁ ଯେ ବାହା ହେଲିନି ତା’ ନୁହେଁ; ବର ମିଳୁ ନାହାନ୍ତି ବୋଲି ଏପର୍ଯ୍ୟନ୍ତ ବାହାହୋଇ ପାରିନି ।

 

ତା’ପରେ ବନିତାଙ୍କୁ ସମବେଦନା ଜଣାଇ, ତା’ ଘରକୁ ଯିବାକୁ ନିମନ୍ତ୍ରଣ କରି ସୂର୍ଯ୍ୟମଣି ଚାଲିଗଲା । ଆଉ ତା’ର ଯିବା ପରେ ପରେ ବନିତା ଖୁବ୍ ଅସ୍ୱସ୍ତି ବୋଧ କଲେ । ଆଃ...କେତେ ସହଜରେ ସୂର୍ଯ୍ୟମଣିକୁ ସେ କହିପାରିଲେ, ବର ମିଳୁ ନାହାନ୍ତି ବୋଲି ସେ ବାହାହୋଇ ପାରି ନାହାନ୍ତି । ଏପରି ସ୍ପଷ୍ଟ ସ୍ୱୀକାରୋକ୍ତି କେବଳ ସୂର୍ଯ୍ୟମଣି ବ୍ୟତୀତ ଅନ୍ୟ କୌଣସି ବାନ୍ଧବୀଙ୍କ ନିକଟରେ ତ ସେ କରିପାରି ନାହାନ୍ତି !

 

ହଁ, ସେଇ ସ୍ୱୀକାରୋକ୍ତି ଠିକ୍ ନୁହେଁ ତ ଆଉ କ’ଣ ?

 

ହୁଏତ ସୂର୍ଯ୍ୟମଣି ପରି ଯୌବନପ୍ରାପ୍ତିର ପରେ ପରେ କୌଣସି ସରକାରୀ ଦପ୍ତରର ବି.ଏ. ଉପାଧିଧାରୀ ସହକାରୀଙ୍କୁ ବିବାହ କରିଥିଲେ ସେ ମଧ୍ୟ ଆଜି ଅଧଡ଼ଜନେ ନ ହେଲେ ସୁଦ୍ଧା ଏକ ଚତୁର୍ଥାଂଶ ଡଜନ ସନ୍ତାନଙ୍କର ଗୃହପାଳିତାଜନନୀରେ ପରିଣତ ହୋଇସାରନ୍ତେଣି । ସେତେବେଳେ ସେ କିନ୍ତୁ ସେପରି ଇଚ୍ଛା କରି ନ ଥିଲେ । ସେ ଇଚ୍ଛା କରିଥିଲେ ନିଜେ ଉଚ୍ଚଶିକ୍ଷିତା ତଥା ସ୍ୱାବଲମ୍ବୀ ହେବା ପରେ ସର୍ବଭାରତୀୟ ସ୍ତରରେ କୌଣସି ପ୍ରଶାସକ କିମ୍ବା ବିଦେଶରୁ ଉଚ୍ଚଶିକ୍ଷା ଅଥବା ଗବେଷଣା ସମାପ୍ତ କରି ଫେରିଥିବା କୌଣସି ଅଧ୍ୟାପକଙ୍କ ଗଳାରେ ବରମାଲ୍ୟ ପିନ୍ଧାଇବାକୁ । ଏଇ ସ୍ୱପ୍ନକୁ ଆପଣାର କରି ତେଣୁ ତ ସେ ନିଜ ମନର ଅଶ୍ୱକୁ ବଲଗାହୀନ କରିଥିଲେ ଛାତ୍ରୀଜୀବନରେ ।

 

ତେଣୁ ତ ପଦ୍ମଭୁକ୍ ବହୁ ତରୁଣ ସହାଧ୍ୟାୟୀଙ୍କ ହୃଦୟର ଦୁତମାନଙ୍କର ଡେଣା ବନିତାଙ୍କ ଉଦ୍ଧତ ମନର ପାହାଡ଼ରେ ପିଟି ହୋଇ ଚୂନା ହୋଇଯାଉଥିଲା ସିନା, ଅନ୍ତରରେ କିନ୍ତୁ କୌଣସି ରେଖାପାତ କରୁ ନ ଥିଲା । ସେଇ ପଦ୍ମଭୁକ୍‍ମାନଙ୍କ ମଧ୍ୟରେ ବୋଧହୁଏ ଗଜେନ୍ଦ୍ର ଥିଲା ଅଗ୍ରଗଣ୍ୟ-। କିନ୍ତୁ ଗଙ୍ଗାଙ୍କୁ ନିଜର ପତ୍ନୀ କରିବାକୁ ଇଚ୍ଛା ଥିବା ଐରାବତ ତାଙ୍କର ତିନୋଟି ଧକ୍‍କା ସମ୍ଭାଳିବା ତ ଦୂରର କଥା, ମାତ୍ର ଗୋଟିକରେ ‘ତ୍ରାହି ତ୍ରାହି’ ଡାକ ଛାଡ଼ିବା ପରି ଦିନେ କଲେଜ କରିଡ଼ରରେ ଗଜେନ୍ଦ୍ର ବହୁ ଛାତ୍ରଛାତ୍ରୀ ଓ କେତେକ ଅଧ୍ୟାପକଙ୍କ ସାମ୍ନାରେ ଉଦ୍ଧତମନା ବନିତାଙ୍କଦ୍ୱାରା ଅପମାନିତ ହୋଇ ତା’ର ମାତ୍ର ଆଠ ଦିନ ପରେ କଲେଜରୁ ବିତାଡ଼ିତ ହୋଇଥିଲା-। ସେଇଦିନୁ ଅବଶ୍ୟ ବନିତାଙ୍କୁ ଶରବ୍ୟ କରି ନିକ୍ଷେପ କରୁଥିବା ବହୁ ତରୁଣଙ୍କ ହାତର କୋଦଣ୍ଡସବୁ ହଠାତ୍ ଭାଙ୍ଗି ଯାଇଥିଲା । କିନ୍ତୁ ଗଜେନ୍ଦ୍ରର କାର୍ଯ୍ୟକଳାପରେ ଯୌବନସୁଲଭ ସାମାନ୍ୟ ଚପଳତା ବ୍ୟତୀତ ଅନ୍ୟ କିଛି ତ ନ ଥିଲା ! ସେ ଦିନର ସେଇ ପାପର ଫଳ ବୋଧହୁଏ ବନିତାଙ୍କର ଆଜିର ଏଇ ଏକାକୀ ଜୀବନ । କିନ୍ତୁ ସେଦିନର ସେଇ ଚରିତ୍ରହୀନ ଗଜେନ୍ଦ୍ର ଏହି ତା’ ପରିବାରର ଏକ ବିଶ୍ଵସ୍ତ ସଦସ୍ୟ ।

 

ସ୍ନାତକୋତ୍ତର ପରୀକ୍ଷାରେ କୃତିତ୍ଵର ସହ ଉତ୍ତୀର୍ଣ୍ଣ ହେବା ପରଠାରୁ ତାଙ୍କ ପାଇଁ ବରଖୋଜା ଆରମ୍ଭ ହୋଇଛି । କିନ୍ତୁ ଏବେ ସୁଦ୍ଧା କୌଣସିଠାରେ ବିବାହ ସ୍ଥିରୀକୃତ ହୋଇପାରି ନାହିଁ । ତାଙ୍କର ଓ ତାଙ୍କ ବାପାଙ୍କର ପ୍ରଥମେ ଧାରଣା ଥିଲା, ଝିଅ ଉଚ୍ଚଶିକ୍ଷିତା ହେଲେ ବିନା ଯୌତୁକରେ କିମ୍ବା ସାମାନ୍ୟ ଉପହାରର ବିନିମୟରେ ବୋଧହୁଏ ସେ ଚାହୁଁଥିବା ବରପାତ୍ରସବୁ ମିଳିଯିବେ । ତେଣୁ ବନିତାଙ୍କ ଏମ୍. ଏ. ରେଜଲଟ ବାହାରିବାର କିଛି ଦିନ ପରେ ତାଙ୍କ ବାପା ଗତ ସର୍ବଭାରତୀୟ ପ୍ରଶାସକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଜଣେ ପାତ୍ରଙ୍କ ଘରକୁ ପ୍ରସ୍ତାବ ନେଇ ଯାଇ ଯେପରି ଉପହାସିତ ହୋଇଥିଲେ, ତାକୁ ଜୀବନରେ ଭୁଲିବାର ନୁହେଁ । ବରପିତା ଯେତେବେଳେ ଜାଣିଲେ କନ୍ୟାପିତା କୌଣସି ସରକାରୀ ଦପ୍ତରର ପ୍ରଧାନ କିରାଣୀ, ସେତେବେଳେ ସେ ବନିତାଙ୍କ ବାପାଙ୍କ ଆସ୍ପର୍ଦ୍ଧା ପ୍ରତି ତାଚ୍ଛଲ୍ୟରେ ହସିଉଠି କହିଥିଲେ–ମୋ’ ପୁଅ ଆଇ.ଏ ଏସ. ପାଇବା ପରେ ତାକୁ ଜାମାତା କରିବା ପାଇଁ ମୋ ପାଖରୁ ବହୁ ରାଜ୍ୟପାଳ, ବିଚାରକ, ସେକ୍ରେଟାରୀ ଇତ୍ୟାଦି ଚିଠି ଲେଖିଲେଣି । ସେମାନେ ନିଜ ତରଫରୁ ନଗଦ ଲକ୍ଷେ ଟଙ୍କା, କାର୍, ଦୁଇ ଶହ ଭରି ସୁନା ଏପରି କି ସୁରମ୍ୟ ଅଟ୍ଟାଳିକା ସୁଦ୍ଧା ଯାଚିଲେଣି; ଆପଣ କ’ଣ ସେମାନଙ୍କ ଅପେକ୍ଷା ଅଧିକ ଦେଇପାରିବେ ?

 

ସେଦିନ ବନିତାଙ୍କ ବାପା ରମାକାନ୍ତବାବୁ ଦୀର୍ଘଶ୍ଵାସ ପକାଇ ଫେରି ଆସିଥିଲେ ।

 

ବିଦେଶରୁ ଉଚ୍ଚଶିକ୍ଷା ଗ୍ରହଣ କରି ଫେରିଥିବା ଅଧ୍ୟାପକ, ଇଂଜିନିୟର ଓ ଚିକିତ୍ସକ ଇତ୍ୟାଦିଙ୍କର ବର–ବଜାରରେ ତଦ୍ରୂପ ମୂଲ୍ୟ; ତେଣୁ ବାଧ୍ୟ ହୋଇ ନିଜ ଅବସ୍ଥା ଦୃଷ୍ଟେ ରମାକାନ୍ତବାବୁ ବନିତାଙ୍କ ବିବାହ ପ୍ରାୟ ସ୍ଥିର କରି ସାରିଥିଲେ କୌଣସି ଭାରତୀୟ ବିଶ୍ଵବିଦ୍ୟାଳୟର ଚିକିତ୍ସକ ବିଜ୍ଞାନ କଲେଜରୁ ଉତ୍ତୀର୍ଣ୍ଣ ହୋଇ ନୂଆ କରି ଚିକିତ୍ସକ ଚାକିରି ଗ୍ରହଣ କରିଥିବା ଜଣେ ପାତ୍ରଙ୍କ ସହିତ–ଦୁଇ ହଜାର ଟଙ୍କା ରାସ୍ତା ଖର୍ଚ୍ଚ, ସ୍କୁଟର ଓ ଅନ୍ୟାନ୍ୟ ଆନୁସଙ୍ଗିକ ପଦାର୍ଥର ବିନିମୟରେ ଅବଶ୍ୟ । କିନ୍ତୁ ବିବାହ ଆଠ ଦିନ ଥାଇ ରମାକାନ୍ତବାବୁ ଖବର ପାଇଲେ, ଅନ୍ୟାନ୍ୟ ସମସ୍ତ ଜିନିଷ ସହ ନଗଦ ଅଠର ହଜାର ଟଙ୍କା ପାଇ ବର ପକ୍ଷ ଅନ୍ୟ ସ୍ଥାନରେ ବିବାହ କରିବାକୁ ପ୍ରାୟ ସ୍ଥିରନିଶ୍ଚିତ କରି ସାରିଲେଣି । ତଥାପି କଥାଟାକୁ ସଠିକ ବୁଝିବା ପାଇଁ ରମାକାନ୍ତବାବୁ ବରପିତାଙ୍କର ଦ୍ଵାରସ୍ଥ ହୋଇ ଜାଣିପାରିଲେ, କଥାଟା ଆଦୌ ମିଛ ନୁହେଁ । ଅବଶ୍ୟ ପାତ୍ରୀଟି ବନିତାଙ୍କ ପରି କୌଣସି କଲେଜର ଅଧ୍ୟାପିକା ନୁହନ୍ତି, ନୂଆ ହୋଇ କଲେଜକୁ ଆସୁଥିବା ଜଣେ ଛାତ୍ରୀ । ରମାକାନ୍ତବାବୁଙ୍କୁ ଦେଖି ବରପିତା କହିଥିଲେ–ଆପଣ ଯଦି ଏଇ ଅଠର ହଜାର ଟଙ୍କା ଦେବାକୁ ରାଜି ହେବେ, ତେବେ ମୁଁ ସେଠାକାର ବିବାହ ଭାଙ୍ଗିଦେଇ ଆପଣଙ୍କ ଘରେ ହଁ କରିବି । କାରଣ ଯେତେବେଳେ ପ୍ରଥମେ ଆପଣଙ୍କୁ କଥା ଦେଇଥିଲି ।

 

ବରପିତାଙ୍କ ନିଲାମ ଶୁଣି ରମାକାନ୍ତବାବୁ କିଛି ସମୟ ପାଇଁ ନିର୍ବାକ୍ ହୋଇ ପଡ଼ିଥିଲେ-। କିଛି ସମୟ ପରେ ଆତ୍ମସ୍ଥ ହୋଇ କହିଲେ–କିନ୍ତୁ ମୋ ଝିଅ ଏମ.ଏ.ଯେ, ଅଧ୍ୟାପିକା ଅଛି । କ୍ଲାସ ଟୁ ପୋଷ୍ଟ । ଆଉ ଆପଣଙ୍କ ପୁଅ ଡାକ୍ତର ତ, ସେ ପୋଷ୍ଟ ବି ସେଇ କ୍ଲାସ ଟୁ । ଏତେଟା ଦାବୀ ନ କଲେ କ’ଣ ଚଳିବ ନାହିଁ ?

 

ରମାକାନ୍ତବାବୁଙ୍କର ଏଇ କଥାରେ ବରପିତା ହଠାତ୍ ବିରକ୍ତ ହୋଇଉଠି ଉତ୍ତର ଦେଲେ–ଆପଣଙ୍କ ଝିଅ ଏମ.ଏ. ପାସ୍ କରି ଅଧ୍ୟାପିକା ହୋଇଛନ୍ତି ବୋଲି ଆପଣ ଯଦି କମ୍ ଯୌତୁକ ଦେବାକୁ ଚାହାନ୍ତି, ତେବେ ଗୋଟିଏ ମାଟ୍ରିକ୍ ପାସ୍ କରି କିରାଣୀ ଚାକିରି କରୁଥିବା ପାତ୍ରଟିଏ ଦେଖନ୍ତୁ ଆଜ୍ଞା, ସେ ଆପଣଙ୍କ ଝିଅଠାରୁ କମ୍ ଦରମା ପାଇବ, ତେଣୁ ବିନା ଯୌତୁକରେ ରାଜି ହୋଇଯିବ ।

 

କଥାଟା ମାଡ଼ ମାରିବା ପରି ଲାଗିଥିଲା ରମାକାନ୍ତବାବୁଙ୍କୁ । ସେ ଭାବୁଥିଲେ, ତାଙ୍କ ପରି ଏକ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଗୃହସ୍ଥଙ୍କ ପକ୍ଷେ କନ୍ୟାପିତା ହେବା ତ ଅପରାଧି ନିଶ୍ଚୟ; କିନ୍ତୁ ଶିକ୍ଷିତା କନ୍ୟାର ପିତା ହେବା ପାପ, ବରଂ ଅଧିକତର ପାପ ।

 

ସେ ଚାଲିଆସିଲାବେଳେ ବରପିତା ମନ୍ତବ୍ୟ ଦେଇଥିଲେ–ଏତେଗୁଡ଼ାଏ ଦିନ କଲେଜରେ ପାଠ ପଢ଼ି ଚାକିରି କରୁଥିବା ଝିଅମାନଙ୍କର ଚରିତ୍ର ଉପରେ କିନ୍ତୁ ମୋର ଘୋର ସନ୍ଦେହ ।

 

ଗୁରୁତର ଭାବେ ଆହତ ସର୍ପ ଶେଷ ଚୋଟ ମାରିବା ପରି ବୁଲିପଡ଼ି ରମାକାନ୍ତବାବୁ ଉତ୍ତର ଦେଇଥିଲେ–ଅଳ୍ପ ପାଠ ପଢ଼ିଥିବା କିମ୍ବା ଆଦୌ ପାଠ ପଢ଼ି ନ ଥିବା ଝିଅମାନେ ସେ ସତ୍ ଚରିତ୍ରା, ସେ ବିଶ୍ଵାସ ମୋର ନାହିଁ । ବରଂ ବେଶୀ ପାଠ ପଢ଼ିଥିବା ଝିଅ ନିଜ ଚରିତ୍ରକୁ ଠିକ୍ ରଖିବାର କୌଶଳ ଯଥାର୍ଥ ଭାବେ ଆୟତ୍ତ କରିଥାଏ । କାରଣ ସେମାନଙ୍କ ଅପେକ୍ଷା ଉଚ୍ଚଶିକ୍ଷିତା କନ୍ୟାମାନଙ୍କର ଅବବୋଧ ବେଶୀ ଏବଂ ଝିଅମାନଙ୍କ ପକ୍ଷରେ ଉଚ୍ଚଶିକ୍ଷିତା ହୋଇ ଦାୟିତ୍ୱସମ୍ପନ୍ନ କାର୍ଯ୍ୟଭାର ଗ୍ରହଣ କରିବା ଆଦୌ ଅଗୌରବଜନକ ନୁହେଁ ।

 

କିନ୍ତୁ ରମାକାନ୍ତବାବୁଙ୍କ ଉତ୍ତର ଶୁଣିବାକୁ ବରପିତା ସେଠାରେ ଅପେକ୍ଷା କରି ନ ଥିଲେ-

 

ସେଦିନ ବନିତା ବୁଝିଥିଲେ, କେବଳ ଶିକ୍ଷା, ସୌନ୍ଦର୍ଯ୍ୟ ଓ ଗୁଣକୁ ସମ୍ବଳ କରି କୌଣସି ଶିକ୍ଷିତ ଯୁବକଙ୍କୁ ବିବାହ କରିବା ଏ ଯୁଗରେ ଅସମ୍ଭବ । ସେଥିପାଇଁ ପ୍ରଚୁର ଯୌତୁକ ଆବଶ୍ୟକ । ପାତ୍ରୀନିର୍ବାଚନ–ତରାଜୁର ଏକ ପାର୍ଶ୍ୱରେ ଯୌତୁକ ରହିଲେ ଅନ୍ୟ ପାର୍ଶ୍ୱରେ ଶିକ୍ଷା, ସୌନ୍ଦର୍ଯ୍ୟ ଓ ଗୁଣ ଇତ୍ୟାଦିର ସ୍ଥାନ ।

 

ଆଃ, ଏ ପୃଥିବୀ ଖୁବ୍ ଅବିଶ୍ୱାସୀ !

 

ଏ ଅବିଶ୍ୱାସୀ ପୃଥିବୀ ଓ ଅହଂକାରୀ ସମୟ ଉପରେ ଆଉ ନିର୍ଭର କରାଯାଇ ପାରେ ନା !

 

ଶେଷରେ ଦିନେ ରମାକାନ୍ତବାବୁ ବନିତାଙ୍କୁ ପାଖକୁ ଡାକି କହିଥିଲେ–ମା’ ! ତୋ’ର ଇଚ୍ଛାନୁଯାୟୀ ମୁଁ ତତେ ଉଚ୍ଚଶିକ୍ଷା ଦେଇଛି । ତୁ ବଡ଼ ହୋଇଛୁ, ପାଠ ପଢ଼ି ମଣିଷ ହୋଇଛୁ, ଚାକିରି ବି କରିଛୁ । ତୋ’ର ବୟସ ହେଲାଣି, ଏଥର ବିବାହ କରିବା ନିତାନ୍ତ ଦରକାର । କିନ୍ତୁ ତୁ ତ ଜାଣୁ, ତୋ’ ବିବାହ ପାଇଁ ମୁଁ କେତେ ବ୍ୟସ୍ତ ଆଉ କିପରି ବିବାହ ଖୋଜିବାକୁ ଯାଇ ବାରମ୍ବାର ରିକ୍ତ ହସ୍ତରେ ଫେରୁଛି ଓ ସମୟେ ସମୟେ ଅପମାନିତ ବି ହେଉଛି । ମୁଁ ଆଜି ଦେଖୁଛି, ଶିକ୍ଷିତା ଝିଅକୁ ବିବାହ ଦେବା ଭାରି କଷ୍ଟ । ମା’, ତୁ ଯଦି ତୋ ଇଚ୍ଛାରେ ତୋ ପାଇଁ ବିବାହ ସ୍ଥିର କରୁ, ତେବେ ମୋ’ର କୌଣସି ଆପତ୍ତି ନାହିଁ ।

 

ସେଦିନ ନିଜ ଦାୟିତ୍ୱକୁ ବନିତାଙ୍କ କାନ୍ଧରେ ଚାପି ଦେଇ ଦୁଃଖରେ, ଅବଶୋଷରେ ବୃଦ୍ଧ ରମାକାନ୍ତବାବୁ ଗମ୍ଭୀର ହୋଇପଡ଼ିଥିଲେ । ବାପାଙ୍କର ଦୁଇ ହାତକୁ ଚାପି ଧରି ସମବେଦନାରେ କାନ୍ଦିବାକୁ ଇଚ୍ଛା ହେଉଥିଲା ବନିତାଙ୍କର; କିନ୍ତୁ ସେ ପାରି ନ ଥିଲେ ।

 

ତା’ପରେ ସେ ନିଜର ସହକର୍ମୀ ବହୁ ତରୁଣ ଅବିବାହିତ ଅଧ୍ୟାପକଙ୍କୁ ଆପଣାର କରିବାକୁ ଚେଷ୍ଟା କରି ବୁଝିଛନ୍ତି, ସେମାନେ ହୁଏତ ରାତ୍ରିର ସାଥୀ ଭାବେ ତାଙ୍କୁ ଗ୍ରହଣ କରିବାକୁ କୌଣସି ଆପତ୍ତି କରିବେ ନାହିଁ; କିନ୍ତୁ ଜୀବନର ସାଥୀ କରିବା ପୂର୍ବରୁ ଅନେକ କିଛି ଚିନ୍ତା କରିବେ ନିଶ୍ଚୟ । ପ୍ରେମ ସେମାନଙ୍କ ନିକଟରେ ଏକ ସାମୟିକ ଦୈହିକ ଉତ୍ତେଜନା ହୋଇପାରେ; କିନ୍ତୁ ହୃଦୟର ଭାବାବେଗ ନୁହେଁ, ବରଂ ଏକ ପାଶବିକତା । ତେଣୁ ବନିତା ଆଜିର ଏଇ ତଥାକଥିତ ପ୍ରେମପଥରେ କୌଣସି ତରୁଣ ସହକର୍ମୀଙ୍କ ସହିତ ଯାତ୍ରାରମ୍ଭ କରିବାର ଶ୍ରୀ ଗଣେଶ କରିବାକୁ ସୁଦ୍ଧା ଦୁଃସାହସ କରି ନାହାନ୍ତି ।

 

ଏବେ କିଛି ଦିନ ହେଲା ସେ ଖୁବ୍ କ୍ଳାନ୍ତି ଅନୁଭବ କଲେଣି । ଅଧ୍ୟାପିକା ଚାକିରିର ତୁଚ୍ଛ ଆତ୍ମସମ୍ମାନବୋଧରେ ଜଳାଞ୍ଜଳି ଦେଇ କୌଣସି ତରୁଣ ସହକର୍ମୀ କିମ୍ବା ଏପରି କି କୌଣସି ଛାତ୍ରର ଦୃଢ଼ ନିବିଡ଼ ବାହୁବନ୍ଧନ ତଳେ ହଜିଯିବାକୁ ବି ବେଳେ ବେଳେ ଇଚ୍ଛା କଲେଣି । କିନ୍ତୁ ତାଙ୍କ ପରି ଏକ ବର୍ଷିୟସୀ ନାରୀ ସହ ସମ୍ପର୍କ ରଖିବାକୁ କେଉଁ ତରୁଣ ବା ଆଗେଇ ଆସିବ କାହିଁକି ?

 

ତାଙ୍କର ଏତାଦୃଶ ମାନସିକ ବିଚ୍ୟୁତି ଘଟିଛି ଏଇ ନିକଟ ଅତୀତର ଏକ ଘଟଣାର ପରେ ପରେ ।

 

ଘଟଣାଟି ଘଟିଥିଲା ତିନି ମାସ ତଳେ । ତାଙ୍କ ନିମନ୍ତେ ଉଦ୍ଦିଷ୍ଟ ଥିବା କୋଠରୀରେ ସେ ଶୋଇଥିବା ସମୟରେ ପ୍ରାୟ ମଧ୍ୟ–ରାତ୍ରିରେ ଛାତ୍ରୀନିବାସର ପରିଚାରିକା ବିନୋଦିନୀ ତାଙ୍କୁ ନିଦରୁ ଉଠାଇ ଡାକି ନେଇଥିଲା ସେଠାରେ ରହୁଥିବା ଶେଷ ସ୍ନାତକ ଶ୍ରେଣୀର ଛାତ୍ରୀ ସଙ୍ଗୀତାର କାର୍ଯ୍ୟକଳାପ ଦେଖିବାକୁ ।

 

ପ୍ରଥମେ ନିଦରୁ ଉଠି କିଛି ବୁଝି ପାରି ନ ଥିଲେ ବନିତା । ପରେ ଭାବିଲେ, ବୋଧହୁଏ ସଙ୍ଗୀତା ତା’ର କୌଣସି ସହପାଠିନୀ ସହିତ କଳି କରିଛି । ସେ କିନ୍ତୁ କଲେଜ ଝିଅମାନଙ୍କର ଏସବୁ ବ୍ୟକ୍ତିଗତ କଥାରେ ହସ୍ତକ୍ଷେପ କରନ୍ତି ନାହିଁ; ତେଣୁ ବିନୋଦିନୀ ଉପରେ ବିରକ୍ତ ହୋଇଥିଲେ ।

 

–ନା, ଅପା ! ସେ କଥା ନୁହେଁ । ଆପଣ ମୋ’ ସହିତ ଆସନ୍ତୁ ନା ! ବିନୋଦିନୀର ଜିଦ୍ ଦେଖି ବନିତା କୌତୂହଳରେ ତାକୁ ଅନୁସରଣ କରି ଯାଇ ହଷ୍ଟେଲ୍‍ଗୃହ ଓ ତା’ର ପଛପଟ ପ୍ରାଚୀର ମଧ୍ୟବର୍ତ୍ତୀ ବିସ୍ତୀର୍ଣ୍ଣ ପୁଷ୍ପୋଦ୍ୟାନର ଶେଷଭାଗରେ ମଳିନ ଜ୍ୟୋତ୍ସ୍ନାର କ୍ଷୀଣାଲୋକରେ ସଙ୍ଗୀତାକୁ ସେହି କଲେଜର ଜଣେ ଶେଷ ସ୍ନାତକ ଶ୍ରେଣୀର ଛାତ୍ର ସରୋଜ ସହିତ ଯେପରି ଅବସ୍ଥାରେ ଦେଖିଲେ, ତାହା ଅଶ୍ଲୀଳତାରେ ଅପାଠ୍ୟ ।

 

ବନିତାଙ୍କର ଇଚ୍ଛା ହେଉଥିଲା ସଙ୍ଗୀତା ନିକଟକୁ ଛୁଟିଯାଇ ତାକୁ ଖୁବ୍ ପ୍ରହାର କରି ହଷ୍ଟେଲ୍ ଭିତରକୁ ଟାଣି ଆଣିବାକୁ ଓ ସେଇ ଅଭଦ୍ର ସରୋଜକୁ ପ୍ରଥମେ ଗୋଟାଏ ଗଛରେ ବାନ୍ଧି ପକାଇ, ପରେ ତାକୁ ନଣ୍ଡା କରି, ତା’ ମୁହଁରେ ଚୂନ କାଳି ବୋଳି କଲେଜ ସମେତ ସମଗ୍ର ସହରରେ ଥରେ ବୁଲାଇ ଆଣିବାକୁ । କିନ୍ତୁ ବିନୋଦିନୀ ବାଧା ଦେଇଥିଲା ।

 

ଅବଶ୍ୟ ସଙ୍ଗୀତା ଓ ସରୋଜ ମଧ୍ୟରେ ଗଢ଼ିଉଠିଥିବା ସମ୍ପର୍କ ସେ କିଛି ଦିନ ହେଲା ଲକ୍ଷ୍ୟ କରିଥିଲେ । ପ୍ରତି ସନ୍ଧ୍ୟାରେ ସଙ୍ଗୀତାକୁ ସାକ୍ଷାତ୍ କରିବା ପାଇଁ ସରୋଜ ଆସି ଛାତ୍ରୀନିବାସର ସାମ୍ନାପଟ ପ୍ରାଚୀର ନିକଟରେ ଟହଲ ମାରେ, ସଙ୍ଗୀତା ଆସିଲେ ସେମାନେ ସାଙ୍ଗ ହୋଇ ଖୁବ୍ ଗପନ୍ତି ଆଉ ବେଳେ ବେଳେ ଐକ୍ୟତାନର ଝଙ୍କାର ଦେଇ ହସନ୍ତି । କ୍ଲାସରେ ସେ ପାଠ ପଢ଼ାଉଥିବା ସମୟରେ ଲକ୍ଷ୍ୟ କରନ୍ତି, ଦୁହେଁ ପାଠପଢ଼ା ପ୍ରତି ନିତାନ୍ତ ଅମନଯୋଗୀ ହୋଇ ପରସ୍ପର ପ୍ରତି ଦୃଷ୍ଟି ବିନିମୟରେ ବ୍ୟସ୍ତ ଥାନ୍ତି ଓ ତାଙ୍କ ଦୃଷ୍ଟି ପଡ଼ିଗଲେ ସେମାନେ ହଠାତ୍ ଗମ୍ଭୀର ହୋଇପଡ଼ନ୍ତି । ସେ କିନ୍ତୁ ଏସବୁ ଉପରେ ବେଶୀ ଗୁରୁତ୍ଵ ଦେଇ ନ ଥିଲେ । ତାରୁଣ୍ୟର ଚପଳତା ଭାବି ହେୟଜ୍ଞାନ କରିଥିଲେ ।

ଆଜି ସେ ବୁଝି ପାରୁଛନ୍ତି ସରୋଜ ଗୋଟାଏ ଅସାମାଜିକ ଜୀବ । ତାଙ୍କର ପ୍ରତି କ୍ଲାସରେ ସେ କ୍ଲାସକୁ ଆସିବା ପୂର୍ବରୁ ବ୍ଲାକବୋର୍ଡ଼ରେ ନିୟମିତ ଭାବରେ ଯେଉଁ ଅଶ୍ଳୀଳ ରୀତିଯୁଗୀୟ କବିତାର ପଂକ୍ତିସବୁ ଲେଖାଯାଇଥାଏ, ସେସବୁ ବୋଧେ ଏଇ ଅଭଦ୍ର ସରୋଜର କୃତି । ସେ ଅବଶ୍ୟ ତାକୁ ଦେଖି ନ ଦେଖିଲା ପରି ଲିଭାଇ ଦିଅନ୍ତି । କିନ୍ତୁ ସେ ଲିଭାଇବାବେଳେ ଛାତ୍ରମହଲରେ ସେ ଯେଉଁ ଚାପା ହସ, କଲେଜ୍ ନ ହୋଇ ହାଇସ୍କୁଲ ହୋଇଥିଲେ ବନିତା ସେମାନଙ୍କୁ ସାତଟାଯାକ ପିରିୟଡ଼୍ ପାଇଁ ବାହାରେ ଖରାରେ ନିଲ୍ଡ଼ାଉନ୍ କରାଇଥାନ୍ତେ ନିଶ୍ଚୟ ।

–ସଙ୍ଗୀତା !

କିଛି ସମୟ ପରେ ବଜ୍ରଗମ୍ଭୀର ସ୍ଵରରେ ବନିତା ସଙ୍ଗୀତାକୁ ଡାକିଥିଲେ । ମାଡ଼ାମ୍‍ଙ୍କ ସ୍ୱର ଶୁଣି ସଙ୍ଗୀତା ଅପରାଧୀଙ୍କ ପରି ଠିଆ ହେଲା; କିନ୍ତୁ ସରୋଜ ଅବିଚଳିତ ଭାବେ ହିରୋଗିରି ଦେଖାଇବାକୁ ଯାଇ ନିଜ ନିଶ ଉପରେ ହାତ ବୁଲାଇବାକୁ ଲାଗିଲା ।

–ଏଠାକୁ ଆସ ସଙ୍ଗୀତା ! ସଙ୍ଗୀତା ବନିତାଙ୍କ ଆଦେଶ ପାଳନପୂର୍ବକ ଭୟରେ ଥରି ଥରି ଅଗ୍ରସର ହେଲା; କିନ୍ତୁ ସରୋଜ ତଥାପି ବି ସେଠାରେ ସ ଗର୍ବରେ ଠିଆ ହୋଇଥିଲା ।

 

–ତମେ ବି ଆସ ସରୋଜ ! ସରୋଜ କିନ୍ତୁ ବନିତାଙ୍କ ଆଦେଶ ପାଳନ କରିବା ପରିବର୍ତ୍ତେ ଏକ ଦୁରନ୍ତ ଦସ୍ୟୁର ଦୁଃସାହସ ନେଇ ତାଙ୍କ ପ୍ରତି ତାଚ୍ଛଲ୍ୟର ହସ ହସି ପ୍ରାଚୀର ଡେଇଁ ପଳାଇଗଲା । ଗଲାବେଳେ କହିଥିଲା–ଆପଣ ତ ବିବାହ କରି ନ ପାରି ବୁଢ଼ୀ ହେଲେଣି, କାହା ସହିତ ପ୍ରେମ ବି କରିପାରିଲେ ନି, ଅନ୍ୟକୁ ଈର୍ଷା କରୁଛନ୍ତି କାହିଁକି ?

 

ସରୋଜର ଆକ୍ଷେପ ଶୁଣିବା ପରେ ସଙ୍ଗୀତାକୁ ପଦୁଟିଏ ବି କିଛି ନ କହି ବିନୋଦିନୀ ସହିତ ସେ ନିଜ ପ୍ରକୋଷ୍ଠକୁ ଫେରିଗଲେ । (ସଙ୍ଗୀତା କିନ୍ତୁ ବିଜୟିନୀ ଦର୍ପରେ ତା’ କୋଠରୀ ଭିତରେ ପଶି କବାଟ ଲଗାଇ ଦେଇଥିଲା ।) ସେ ରାତିଯାକ ଶୋଇ ପାରି ନ ଥିଲେ ବନିତା । ନିଜ ଅଜାଣତରେ ସଙ୍ଗୀତା ପ୍ରତି ଈର୍ଷାରେ ସେ ଜଳି ଯାଉଥିଲେ ଯେମିତି । ସେ ବି ଚାହୁଁଥିଲେ ଏହିପରି ଏକ ଦୁଃସାସିକ, ବୈଚିତ୍ର୍ୟପୂର୍ଣ୍ଣ ଜୀବନ । କିନ୍ତୁ ସଙ୍ଗୀତା ଯାହା କରିପାରିଛି ତାହା କରିବା ସମ୍ମାନ ଦୃଷ୍ଟେ ତାଙ୍କ ପକ୍ଷେ ଅସମ୍ଭବ ।

 

ତେଣୁ ଏକ ହିଂସ୍ର ଆବେଗ ନେଇ ପରଦିନ ପ୍ରଭାତରେ ଛାତ୍ରୀନିବାସର ପବିତ୍ରତା ରକ୍ଷା କରିବାକୁ ଯାଇ ସେ ସଙ୍ଗୀତାକୁ ହଷ୍ଟେଲରୁ ବହିଷ୍କାର କରିଥିଲେ ଏବଂ ଶିକ୍ଷାୟତନର ପବିତ୍ରତା ରକ୍ଷା କରିବା ନିମନ୍ତେ ପ୍ରିନ୍‍ସିପାଲଙ୍କୁ କହି ମାତ୍ର ଦୁଇ ଦିନ ପରେ ସଙ୍ଗୀତା ଓ ସରୋଜ ଉଭୟଙ୍କୁ କଲେଜରୁ ବିତାଡ଼ିତ କରିଥିଲେ ଏବଂ ସେମାନଙ୍କ ଅଭିଭାବକମାନଙ୍କୁ ଡକାଇ ଜଣାଇ ଦେଇଥିଲେ-

 

କଲେଜରୁ ବିତାଡ଼ିତ ହେବାର ଠିକ୍ ମାସକ ପରେ ରେଜିଷ୍ଟ୍ରେସନ୍ ମ୍ୟାରେଜ୍ ସାରି ସରୋଜ ଓ ସଙ୍ଗୀତା ଉଭୟ ତାଙ୍କ ପାଖକୁ ଆସିଥିଲେ ପ୍ରୀତିଭୋଜନକୁ ନିମନ୍ତ୍ରଣ କରିବାକୁ । ସରୋଜ ସାମ୍ନାକୁ ଦୃଷ୍ଟି ରଖି ଗମ୍ଭୀର ହୋଇ ରିକ୍‍ସାରେ ବସି ରହିଥିଲା, ସଙ୍ଗୀତା ନିମନ୍ତ୍ରଣ ପତ୍ର ଆଣି ତାଙ୍କୁ ଦେଇ କହିଗଲା–କେବଳ ଆପଣଙ୍କ ଦୟାରୁ ମାଡ଼ାମ୍, ଆମେ ଏତେ ଶୀଘ୍ର ବିବାହ କରିପାରିଲୁ । ଆପଣ ସିନା ଏଯାବତ୍ ମଧୁଶଯ୍ୟାର ମଧୁ ଚାଖିପାରିଲେ ନାହିଁ...କିନ୍ତୁ ଆମ ମଧୁଚନ୍ଦ୍ରିକାରେ ଆମ ଦୁହିଁଙ୍କୁ ଆଶୀର୍ବାଦ କରି ଆସିବେ ବୋଲି ବିନୀତ ଅନୁରୋଧ ।

 

ଓଃ, ଝିଅଟାର କି ଔଦ୍ଧତ୍ୟ ! ଲଜ୍ଜା ଏବଂ ଭୟର ମୁଣ୍ଡ ତ ସେ ଅନେକ ଦିନୁ ଚୋବାଇ ଖାଇଛି ।

 

କିନ୍ତୁ ହଠାତ୍ ସେମାନଙ୍କ ପ୍ରତି ତାଙ୍କର ଗୋଟାଏ ବନ୍ଧୁ ବନ୍ଧୁ ଭାବ ଆସିଯାଇଥିଲା । କାରଣ ଯୋଉ ସରୋଜକୁ ସେ ନିତାନ୍ତ ଅଭଦ୍ର ଓ ଅସାମାଜିକ ବୋଲି ଭାବୁଥିଲେ, ସେ ତା’ର ପ୍ରେମିକା ସହିତ ପ୍ରତାରଣା କଲା ନାହିଁ ଏବଂ ତା’ର ସମସ୍ତ ଦୁଃସାହସ ଉଦ୍ଦିଷ୍ଟ ଥିଲା କେବଳ ତା’ର ପ୍ରେମିକା ପାଇଁ । ଆଉ ଆତ୍ମସମ୍ମାନବୋଧ ଓ ଲଜ୍ଜା ଦୃଷ୍ଟିରୁ ସେ ଯାହା କରିପାରୁ ନାହାନ୍ତି, ସଙ୍ଗୀତା ଖୁବ୍ ସହଜରେ ତାହା କରିପାରିଛି । ତେଣୁ ସଙ୍ଗୀତା ଓ ସରୋଜ ଉଭୟଙ୍କୁ ଆଶ୍ଚର୍ଯ୍ୟ–ଚକିତ କରି ସେ ନିମନ୍ତ୍ରଣ ରକ୍ଷା କରିବାକୁ ଯାଇ ସେମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବାର ଶୁଭେଚ୍ଛା ଜଣାଇ ଆସିଥିଲେ ।

 

ତା’ପରଠାରୁ ହୋଇଛି ତାଙ୍କର ଏତାଦୃଶ ମାନସିକ ବିଚ୍ୟୁତି । ସେଇଦିନଠାରୁ କିପରି ଅଧିକ ଅସହାୟ ବୋଧ କରୁଛନ୍ତି, କିପରି ଅଧିକ କ୍ଳାନ୍ତ ହୋଇ ପଡ଼ୁଛନ୍ତି ମିସ୍ ବନିତା ବର୍ମା ।

 

ପଶ୍ଚିମାକାଶକୁ ଚାହିଁ ସେ ଦୀର୍ଘଶ୍ଵାସ ପକାଇଲେ । ଖଣ୍ଡେ ନୀଳଗୁଡ଼ିର ଶେଷ ଭାଗରେ ଲାଗିଥିବା ଗୋଲାକାର ନାଲି କାଗଜ ପରି ଅସ୍ତାୟମାନ ସୂର୍ଯ୍ୟ ସେଠି ଝୁଲୁଛି । ବସନ୍ତର କ୍ଷୀଣାଙ୍ଗୀ ନଦୀର ଜଳଧାରା ଛୁଇଁ ଆସୁଥିବା ପବନ ତାଙ୍କୁ ସ୍ପର୍ଶ କରୁଛି ସତ, କିନ୍ତୁ ଗ୍ରାମ୍ୟବଧୂର ପଣତ ଉଡ଼ାଇ ଦେଇ ତାକୁ ଅସ୍ତବ୍ୟସ୍ତ କଲା ପରି ତାଙ୍କ ସହିତ ସେପରି ଖେଳିବାକୁ ସାହସ କରୁ ନାହିଁ । ତାଙ୍କ ପରି ଏକ ବର୍ଷିୟସୀ ମହିଳା ସହିତ ସେପରି ଖେଳିବାକୁ ସାହସ କରୁ ନାହିଁ ବା ଅପାଂକ୍ତେୟ ଭାବି ଇଚ୍ଛା କରୁ ନାହିଁ କେଜାଣି ?

 

ମିସ୍ ବନିତା ବର୍ମା ଫେରି ଆସିବାକୁ ମୁହଁ ବୁଲାଇ ଦେଖିଲେ, ସାମାନ୍ୟ ଦୂରରେ ଜନୈକ ତରୁଣ–କୌଣସି ହିନ୍ଦୀ ଛବିର ହିଟ୍ ସଙ୍ଗ୍‍ର ସ୍ୱରକୁ ଆଖିଠାର ସହିତ ସୁସୁରି ମାରି ତାଙ୍କରି ଦିଗକୁ ଆସୁଛି । ସିଏ ବୋଧେ ଅନ୍ୟମନସ୍କତାର ଅଭିନୟ କରି ତାଙ୍କ ସହିତ ଧକ୍‍କା ଖାଇବ ଓ ପରେ ପରେ ଖୁବ୍ ଦୁଃଖିତ ହୋଇ କହିବ–‘ଆଇ ଆମ୍‍ ସରି ମାଡ଼ାମ, ମୁଁ ଅନ୍ୟମନସ୍କ ଥିଲି; ଏକ୍‍ସକିଉଜ ମି । ତା’ପରେ ଆଳାପ, ପରେ ପରିଚୟ, ପରିଚୟରୁ ଘନିଷ୍ଠତା ଓ ଘନିଷ୍ଠତାରୁ.....

 

ସେ କ’ଣ ସରୋଜ ପରି ଦୁଃସାହସୀ ହୋଇପାରିବ ନାହିଁ ? ସେ କ’ଣ ବୈଚିତ୍ର୍ୟର ମାଧୂର୍ଯ୍ୟରେ ତାଙ୍କ ଜୀବନକୁ ମଣ୍ଡିତ କରିପାରିବ ନାହିଁ ?

 

କିନ୍ତୁ ସେ ତରୁଣଟି ତାଙ୍କ ପାଖକୁ ଆସିବା ପରିବର୍ତ୍ତେ ତାଙ୍କ ଅଜାଣତରେ ସେଇ ନଦୀକୂଳେ ବସିଥିବା ଜଣେ ତରୁଣୀର ନିକଟକୁ ଗଲା ଓ ସେମାନେ ଖୁବ୍ ଆନନ୍ଦରେ ହାତରେ ହାତ ଛନ୍ଦି ହସି ହସି ନଦୀଗର୍ଭ ଭିତରକୁ ଓହ୍ଲାଇଗଲେ ।

 

ମିସ୍ ବନିତା ବର୍ମା ଗୋଧୂଳିର ମମ୍ମି ତଳେ ପଶ୍ଚିମାକାଶକୁ ସାମ୍ନା କରି ଠିଆ ହୋଇ ରହିଲେ ଏକ ନିର୍ଜୀବ ମନୁମେଣ୍ଟ୍‍ ପରି ।

 

ଓଃ କ୍ଷୁଧା ! ଆଃ ଖାଦ୍ୟ !!

 

ତା’ର ରୁଗ୍‍ଣ ଦେହର କ୍ଳାନ୍ତ ପାଦ ଦୁଇଟି ଆଉ ଆଗକୁ ନ ପଡ଼ିବାରୁ ଶେଷରେ ରବି ନାଳବନ୍ଧ ଉପରେ ବସିପଡ଼ିଲା । ତିନି ଦିନର ଭୋକିଲା ପେଟ ତାକୁ ଖୁବ୍ ଅଥୟ କରୁଥିଲା । ଖାଲି ପାଣି ପିଇ ପିଇ ସେ ଏଇ ତିନି ଦିନ ହେଲା ବଞ୍ଚିଛି । ଖାଇବାକୁ ଘରେ କିଛି ନାହିଁ । ଆଜିକୁ ପାଞ୍ଚ ଦିନ ହେଲା ବାପା ତା’ର କୁଆଡ଼େ ଯାଇଛି କେଜାଣି, ଏପର୍ଯ୍ୟନ୍ତ ଫେରି ନାହିଁ ।

 

ବନ୍ଧ ଆରପଟେ କିଛି ଦୂର ଆକ୍ରାନ୍ତ ବ୍ୟାପୀ ଲମ୍ବିଯାଇଥିବା ଆମ୍ବ ତୋଟାର ସେଇ କଣ ପଟ ଗଛରେ ଦୁଇ ତିନୋଟି ପାଚିଲା ଆମ୍ବ ଝୁଲୁଛି । ସେଇ ଆମ୍ବ ତିନୋଟିକୁ ଦେଖିସାରିବା ପରେ ସମୁଦ୍ର ଲହରୀ ପରି ଭୋକ ତା’ ପେଟରେ ପିଟି ହେବାକୁ ଲାଗିଲା । ସେ ଯେ ବଞ୍ଚିଛି, ବଞ୍ଚି ରହିଛି ଏଇ ଭୋକ ହିଁ ତାକୁ ଅନୁଭବ କରାଉଛି । ଭୋକ ନ ଥିଲେ ସେ ହୁଏତ ଭାବନ୍ତାଣି ଅନେକ ଦିନରୁ ମରିଗଲାଣି ବୋଲି ।

 

ବନ୍ୟା ଆସିଲା, ଗଲା । ତା’ ପଛକୁ ଆସିଲା ଝଡ଼ । ମାଇଲ ମାଇଲ ବ୍ୟାପୀ ଫଳନ୍ତି ଜମିସବୁ ଏବର୍ଷ ଅଫଳନ୍ତି ହୋଇ ରହିଗଲା । ପବନରେ ନେଲି ପଣତ ଉଠାଉଥିବା ଜମି ସବୁ ହୋଇଗଲା ଉଲଗ୍ନ ଧୂସର । ସେଇ ପ୍ରଚଣ୍ଡ ଘୂର୍ଣ୍ଣିରେ ତାଙ୍କ କୁଡ଼ିଆର ଚାଳ ଯାଇ କୋଉଠି ପଡ଼ିଲା କେଜାଣି ତା’ର କୌଣସି ଚିହ୍ନ ସୁଦ୍ଧା ନ ଥିଲା ଏବଂ ତା’ ମା’ ଆଉ ତା’ର କୋଡ଼ର ସାନ ଭାଇଟି ପବନରେ ଉଡ଼ିଯାଇ କଣ୍ଟାବାଇଁଶି ବୁଦାରେ ନେସି ହୋଇ ମରି ଯାଇଥିଲେ ।

 

ଏବର୍ଷ ଧରତୀ ମା’ ତା’ ପାଇଁ ଖାଇବାକୁ ଯୋଗାଇନି । ଜନ୍ମଦାତ୍ରୀ ମା’ର ସ୍ନେହ ତା’ ପାଇଁ ଚିରଦିନ ଲୁଚିଯାଇଛି । ତଥାପି ମଧ୍ୟ ସେ ବଞ୍ଚିଛି ଓ ବଞ୍ଚିରହିବ

 

ଆମ୍ଭକୁ ଲକ୍ଷ୍ୟ କରି ଟେକା ମାରିବାକୁ ଆରମ୍ଭ କଲା ରବି; କିନ୍ତୁ ତିନି ଦିନର ଭୋକିଲା ଦୁର୍ବଳ ହାତରେ ଠିକ୍ ଲକ୍ଷ୍ୟ ରହୁ ନ ଥିଲା । କିନ୍ତୁ ଶେଷରେ ଏଇ ଟେକା ମାରିବାର ଅପରାଧରେ ପଛପଟୁ କେଉଁଠୁ କେଜାଣି ମଦନବାବୁ ଚିଲ ପରି ଛୁଟିଆସି ତା’ କାନମୋଡ଼ି ଦୁଇଟା ଚଟକଣା ପକାଇଲେ । କାରଣ ଏ ତୋଟା ତାଙ୍କର ।

 

ଅପରାଧ ଓ ଅପମାନରେ ମ୍ରିୟମାଣ ହୋଇ ରବି ନାଳବନ୍ଧ ଛାଡ଼ି ରାସ୍ତା ଉପରକୁ ଉଠିଆସିଲା; କିନ୍ତୁ କାନ୍ଦିବାକୁ ତା’ ଆଖିରେ ଟୋପାଏ ବି ଲୁହ ନ ଥିଲା ।

 

ରାସ୍ତା ଉପରେ ଆମ୍ବଗଛ ଛାଇତଳେ କାର୍‍ଟିଏ ଥୁଆହୋଇଛି ଓ ତା’ ପାଖରେ ଠିଆ ହୋଇଛନ୍ତି ବିଭିନ୍ନ ରଙ୍ଗର ଦାମିକା ପୋଷାକ ପିନ୍ଧି କେତେ ଜଣ ପୁଅ ଝିଅ । ସେମାନେ ଭିନ୍ନ ଗୋଷ୍ଠୀର, ଭିନ୍ନ ଦଳର ମଣିଷ । ସେମାନଙ୍କ ସହିତ ରବିର କୌଣସି ସମ୍ପର୍କ ବା ପରିଚୟ ନାହିଁ ବା କେବେ ସୁଦ୍ଧା ନ ଥିଲା । ସେମାନଙ୍କୁ ରବି ଓ ତା’ର ଗୋଷ୍ଠୀର ଲୋକମାନେ ଡରନ୍ତି, ଯେମିତି ହରିଣ ବାଘକୁ ଭୟ କରେ ।

 

ରବି ଦେଖୁଥିଲା ସେମାନେ ସବୁ ଠୁଙ୍ଗାରୁ କ’ଣ ବାହାର କରି ଖାଉଛନ୍ତି, ସେଇ ଖାଦ୍ୟର ବାସ୍ନା ପବନରେ ଉଡ଼ି ବୁଲି ତା’ ନାକ ଭିତରେ ପଶିଯାଉଛି ଆଉ ତା’ ପେଟ ଭିତରେ ଭୋକ ବଢ଼ୁଛି ଓ ତାକୁ ଅଥୟ କରୁଛି ।

 

ରବି ଘୁଞ୍ଚିଗଲା ସେମାନଙ୍କର ସାମାନ୍ୟ ପାଖକୁ ଏବଂ ସ୍ଥିର ଦୃଷ୍ଟିରେ ଚାହିଁ ରହିଲା ସେମାନଙ୍କ ପାଟି ଓ ହାତକୁ ।

 

ଏମିତି ହାତଦ୍ୱାରା ଖାଦ୍ୟ ବାହାର କରାଯାଏ, ତା’ପରେ ପାଟି ମେଲାହୁଏ, ତା’ ଭିତରେ ଖାଦ୍ୟ ପଶେ ଆଉ ଦାନ୍ତ ସେମାନଙ୍କୁ ଚୋବାଏ । ତା’ପରେ ଘଣ୍ଟିକାଟା ତଳ ଉପର ହୁଏ । ଚୋବା ହୋଇଥିବା ଖାଦ୍ୟ ଯେ ଢୋକାଗଲା, ଏହା ହିଁ ତା’ର ପ୍ରମାଣ ।

 

ଏମିତି ଖିଆଯାଏ ତା’ହେଲେ...

 

ତିନି ଦିନ ହେଲା କିଛି ନ ଖାଇ ଯେମିତି ସେ ଭୁଲିଯାଇଥିଲା ଖାଇବାର ପ୍ରଣାଳୀଟା । ଆଜି ଯେମିତି ତା’ର ସେଇ ପ୍ରଣାଳୀଟା ମନେପଡ଼ିଯାଉଛି ଏମାନଙ୍କ ଖାଇବା ଦେଖି ।

 

ଜିଭତଳୁ ତା’ର ଲାଳ ବାହାରୁଚି । ଦାନ୍ତ ଆଉ ଜିଭ ଅଥୟ ହୋଇ ଉଠୁଛନ୍ତି । ଘଣ୍ଟିକାଟା ମନକୁ ମନ ତଳ ଉପର ହେଉଛି ।

 

–ଇସ୍ ଅପା, ଦେଖିଲୁ କେମିତି ସେ ଡାହାଣା ଟୋକାଟା ଚାହିଁଛି । ଛୋଟ ଝିଅଟିଏ ରବିକୁ ନିର୍ଦ୍ଦେଶ କରି ମନ୍ତବ୍ୟ ଦେଲା ।

 

–ଦେ’ରେ ତାକୁ ଦି’ଟା ଦେ ।

 

–ହଉ, ନେ ରେ ନେ’ ତତେ ନ ଦେଲେ ଆମ ପେଟ ଟାଣିବ । ଦେଖିଲୁ କେମିତିକା ବାରମଜା ! ତୋ ଚଉଦ ପୁରୁଷରେ କେହି ଦେଖି ନ ଥିବେ ।

 

ରବିର ମନ ହେଉଥିଲା କାନ୍ଦିବାକୁ । କିନ୍ତୁ ସେ ପାରୁ ନ ଥିଲା ।

 

–କିରେ ନଉନୁ, ସେଠି ଆମ ପାଟିକୁ ଚାହିଁ ଠିଆ ହୋଇଛୁ କ’ଣ ବେ !

 

ନା, ସେ ଯିବ । ଅପମାନ ପାଇଲେ ବି ଯୋଉଠି ଖାଦ୍ୟ ମିଳୁଚି ସେଠିକି ସେ ଯିବ ।

 

ରବି ଡରି ଡରି ସେମାନଙ୍କ ପାଖକୁ ଗଲା; ଆଞ୍ଜୁଳା ପାତି ହାତ ବଢ଼ାଇଲା । ଦି’ ମୁଠା ବାରମଜା ତା’ ହାତକୁ ଛାଟିଦେଲା ସେଇ ଛୋଟ ଝିଅଟି । ରବି ଲଜ୍ଜା, ଦୁଃଖ ଓ ଆନନ୍ଦର ଏକ ମିଶ୍ରିତ ଭାବ ନିଜ ମୁହଁ ଉପରେ ଖେଳାଇ ଦେଇ ସେଇ ବାରମଜାକୁ ପାଟିରେ ପକାଇଲା ।

 

ଆଃ ଅମୃତ ! ତା’ର ତିନି ଦିନର ଅଖିଆ ପାଟି ପାଇଁ ଅମୃତ ।

 

କିନ୍ତୁ ସେଥିରେ ତା’ର ପେଟ ପୂରିଲାନି, ବରଂ ଭୋକ ବଢ଼ୁଥିଲା ।

 

କାର୍‍ଟା ଚାଲିଗଲା ଓ ପୁଳାଏ ପୋଡ଼ା ପେଟ୍ରୋଲ ଗନ୍ଧ ରବି ପାଖରେ ଛାଡ଼ି ଦେଇଗଲା-। ସେ ଅଣନିଶ୍ୱାସୀ ହୋଇପଡ଼ିଲା ସେଇ ତୀବ୍ର ଗନ୍ଧରେ ।

 

ସେମାନେ ଚାଲିଯାଇଥିଲେ, କିନ୍ତୁ ଖାଦ୍ୟଶୂନ୍ୟ ସେଇ ଠୁଙ୍ଗାଟାକୁ ବାହାରେ ପକାଇ ଦେଇ ଯାଇଥିଲେ । ସେଥିରୁ ଏବେ ବି ବାରମଜାର ଗନ୍ଧ ବାହାରୁଥିଲା ।

 

ଶେଷରେ ସେଇ ଠୁଙ୍ଗାଟାକୁ ଉଠାଇନେଲା ରବି । ନାଃ, କିଛି ନାହିଁ । ପାଟିରେ ପୂରାଇ ସେ ଶୂନ୍ୟ ଠୁଙ୍ଗାଟାକୁ ଚୋବାଇବାକୁ ଲାଗିଲା ରବି । କାଗଜଗୁଡ଼ାକ ଭିଡ଼ି ଓଟାରି ଚିରିଦେଲା ।

 

ନାଃ ଖାଦ୍ୟ ନାହିଁ......ଖାଦ୍ୟ ନାହିଁ...କେମିତି ସେ ବଞ୍ଚିବ ? ...ବଞ୍ଚିବ ??

 

ମୋ’ ଜେଜେ ଓ ଜେଜେମା’ଙ୍କର ପ୍ରେମକାହାଣୀ

 

ଆଜି ଅପରାହ୍ନରେ ପ୍ରଚୁର ବର୍ଷା ହୋଇ ଛାଡ଼ିଯିବା ପରେ ଗରମର ପରିମାଣ ଅନେକ କମିଯାଇଛି I ବଡ଼ ବର୍ଷା ପରେ ବହୁ ସମୟ ପର୍ଯ୍ୟନ୍ତ ଶିଶିର ପଡ଼ିବା ପରେ ଧୂଳି ଧୂଳି ବର୍ଷା ହେଉଥିଲା; କିନ୍ତୁ ବର୍ତ୍ତମାନ ଆକାଶରେ ମେଘର କୌଣସି ଚିହ୍ନ ନାହିଁ । ଗ୍ରୀଷ୍ମର ଶୁଷ୍କ ତୃଷିତ ମାଟି ସମସ୍ତ ବର୍ଷାଜଳ ଶୋଷି ନେଇଛି । ଭିଜାମାଟିର ବାସ୍ନା ଓ ମଲ୍ଲୀମାଳତୀର ସୁରଭି ବହନ କରିଥିବା ଜଳସିକ୍ତ ବାୟୁ ଏକ ଉଦାସ–ଶାନ୍ତି ପରି ସନ୍ଧ୍ୟାର ନୀରବତା ମଧ୍ୟରେ ପ୍ରସରି ଯାଉଛି ଏବଂ ସେହି ଉଦାସ–ଶାନ୍ତିରେ ଆମୋଦିତ ହୋଇ ମୋ’ର ପିତାମହୀ ଯେପରି କିଛି ପ୍ରାପ୍ତିର ଆନନ୍ଦରେ ଅଧୀର ହୋଇ ଉଠିଛନ୍ତି ।

 

ମୋ’ର ପିତାମହୀ.....

 

ଅବଲୀଳାକ୍ରମେ ଜୀବନର ଅଶୀତି ବର୍ଷ କଟାଇ ସାରିଥିବା ସେହି ଅଶୀତି ବର୍ଷ ବୟସ୍କା ବୃଦ୍ଧାଙ୍କର କଲ୍ୟାଣଭିଜା, ସ୍ନେହମଖା ଜୀବନ ଆଜିର ଏହି ଭିଜାମାଟିର ବାସ୍ନା ଓ ମଲ୍ଲୀମାଳତୀର ସୁରଭି ବହନ କରିଥିବା ଗ୍ରୀଷ୍ମର ଜଳସିକ୍ତ ବାୟୁର ଉଦାସ ଶାନ୍ତି ଅପେକ୍ଷା ଅଧିକ ଶାନ୍ତ ଓ ଉଦାସ । ସେହି ସ୍ନେହଶୀଳା ପିତାମହୀଙ୍କର ଅକୁଣ୍ଠିତ ଆଶୀର୍ବାଦରେ ସିକ୍ତ ହୋଇଥିବା ପାଞ୍ଚୋଟି ନାତିନାତୁଣୀଙ୍କ ମଧ୍ୟରେ ମୁ ତାଙ୍କର ବଡ଼ ନାତି । ତେଣୁ ସମସ୍ତଙ୍କ ଅପେକ୍ଷା ସେ ମୋ’ ପ୍ରତି ଅଧିକ ସ୍ନେହପ୍ରବଣା–ଏହି ନିଷ୍ଠୁର ନିଦାଘରେ ବର୍ଷାଜଳକୁ ଚାହିଁ ବସିଥିବା ଚାତକ ପ୍ରତି ପ୍ରଥମ ବର୍ଷାର ବାରିପାତ ପରି ।

 

ତୁ ଖାଇସାରିବା ପରେ ଆସିବୁ ରେ, ମୁଁ ଯାଉଛି କୋଠା ଉପରେ ଥଣ୍ଡାରେ ବସିଥିବି ।

 

ମୁଁ ସନ୍ଧ୍ୟା–ଜଳପାନରେ ବ୍ୟସ୍ତ ଥିଲି । ଚକ୍ଷୁ ତୋଳି ଦେଖିଲି, ଜେଜେମା’ ଡାହାଣ ହାତରେ ଖଣ୍ଡେ ସଉପ ଓ ତକିଆ ଧରି ବାମ ହାତଟି ନିଜ ବାମପଟ ଅଣ୍ଟାରେ ଦେଇ ଧୀରେ ଧୀରେ ପାହାଚ ଉଠୁଛନ୍ତି । ବୟସର ଅତ୍ୟାଚାରରେ ଦେହର ବର୍ଣ୍ଣ ମଳିନ ପଡ଼ିଯାଇଥଲେ ବି, ଚର୍ମ କୁଞ୍ଚିତ ହୋଇଯାଇଥିଲେ ବି ତାଙ୍କ ମନ ତଥାପି ସୁଦ୍ଧା ସତେଜ ଓ ଅମଳିନ ଥିଲା । ଆମନଙ୍କର ପ୍ରତି ତାଙ୍କ ସ୍ନେହର ଉତ୍ସ ଆହୁରି ଦ୍ୱିଗୁଣିତ ହୋଇଥିଲା ।

 

ଖାଇସାରିବା ପରେ ପରେ ତାଙ୍କ ପାଖରେ ବସିବାକୁ ପାହାଚ ଅତିକ୍ରମ କରି ମୁଁ କୋଠା ଛାତ ଉପରକୁ ଚାଲି ଆସିଲି । ସେତେବେଳକୁ ସେ ସଉପ ଉପରେ ଶୋଇ ଶୋଇ ଗ୍ରୀଷ୍ମ ସନ୍ଧ୍ୟାରେ ବର୍ଷାଧୁଆ ନୀରବ ଆକାଶର ତାରକା କେତୋଟିଙ୍କୁ ଚାହିଁରହି ମନକୁ ମନ କହୁଥିଲେ–ଏକ ତାରା ମଣିଷର ମରା...ଦୁଇ ତାରା କତରା ଘୋରା...ତିନି ତାରା ନାହିଁ ଦୋଷ...ଚାରି ତାରା ନନ୍ଦିଘୋଷ...ପାଞ୍ଚ ତାରା ବୈକୁଣ୍ଠ ବସ...ନା, ମୁଁ ଅଇଚ୍ଛା ମରୁ ନାହିଁ, ପାଞ୍ଚୁଟା ତାରା ଦେଖିଲିଣି ! ନାତୁଣୀ ବୋହୂ ଦେଖିସାରିଲେ ଯାଇ ମରିବି । ମୋ’ ଶାଶୁ ଅଣନାତି ଦେଖି ମରିଥିଲେ । ଖାଲି କ’ଣ ସେମିତି ମରିବି, ହାତରେ କାଚ ଓ ମଥାରେ ସିନ୍ଦୂର ନେଇ ସିଧା ବୈକୁଣ୍ଠକୁ ଯିବି ।

 

ମୁଁ ତାଙ୍କ ପାଖରେ ନୀରବରେ ଠିଆ ହୋଇଥିଲି । ସେ ସାନ୍ଧ୍ୟାକାଶର ତାରକାମାନଙ୍କୁ ଚାହିଁ ଚାହିଁ ଆତ୍ମ–ସଂଳାପରେ ଏତେ ମଜ୍ଜି ଯାଇଥିଲେ ଯେ, ମୋର ଉପସ୍ଥିତ ଆଦୌ ଜାଣିପାରି ନ ଥିଲେ । କିନ୍ତୁ ତାଙ୍କର ଚକ୍ଷୁ ଦୁଇଟି ଏହି ନୀରବ ସାନ୍ଧ୍ୟାକାଶର ତାରକାମାନଙ୍କ ଅପେକ୍ଷା ଅଧିକ ଉଜ୍ଜ୍ୱଳ ଦିଶୁଥିଲା ଓ ତାଙ୍କର ମୁଖମଣ୍ଡଳ ଏକ ନିରୀହ ଆନନ୍ଦରେ ହଷୋତ୍‍ଫୁଲ୍ଲ ଥିଲା ।

 

–ଜେଜେମା, କ’ଣ କରୁଚ ?

 

ମୋର ଏଇ ପ୍ରଶ୍ନଟି ଯେମିତି ତାଙ୍କୁ ତାଙ୍କ ନିଜସ୍ୱ ଭାବ–ରାଜ୍ୟରୁ ଫେରାଇ ଆଣିଲା । ସେ ଚମକିଉଠି ପ୍ରଶ୍ନ କଲେ–କେତେବେଳୁ ଆସିଲୁଣି କିରେ ?

 

–ଏଇ ତ ସାଙ୍ଗେ ସାଙ୍ଗେ । ମୁଁ ଉତ୍ତର ଦେଲି ।

 

–ଆ, ମୋ’ ପାଖରେ ଶୋଇବୁ ଆ’ ।

 

ଶୈଶବରେ ବୋଉ ପାଖରେ ଅଝଟ ହେଲେ ସେ ମୋତେ ଯେପରି ଭାବେ ଡାକନ୍ତି, ଆଜି ବି ସେହିପରି ଭାବେ ଡାକୁଥିଲେ । ମୁଁ ତାଙ୍କ ପାଖରେ ବସିପଡ଼ିଲି । ସେ ମୋ’ ଶିରଭାଗରେ କର ସଞ୍ଚାଳନ କରୁ କରୁ ଗଭୀର ସ୍ନେହରେ କହିଉଠିଲେ–ଆଚ୍ଛା କଲେଜ ପାଠ ପଢ଼ିବାକୁ ଆଜିକି ଛ’ ବର୍ଷ ହେଲା କଟକ ଯାଇ ଖାଇବା ପିଇବା ହଇରାଣରେ ତୁ ତ କଳାକାଠ ପଡ଼ିଗଲୁଣି ରେ ! ଏତେ ପାଠ ତ ପଢ଼ିଲୁଣି, ଆଉ ତୋ ପାଠପଢ଼ା କେବେ ସରିବ ?

 

–ପାଠ ପଢ଼ା କ’ଣ ଜୀବନରେ କେବେ ସରେ ! ହଁ, ତେବେ ଏ ବର୍ଷଟା ପରେ ସରିଯିବ-। ମୁଁ ଉତ୍ତର ଦେଲି ।

 

–ତାହାହେଲେ ଆମ ଘରକୁ ବୋହୂ ଆସିବ କେବେ ?

 

ଜେଜେମା’ଙ୍କର ଏଇ ପ୍ରଶ୍ନ ପରେ ମୁଁ କିପରି ଲଜ୍ଜାରେ ମ୍ରିୟମାଣ ହୋଇ ପଡ଼ୁଥିଲେ ବି ଲଜ୍ଜା ସମ୍ବରଣ କରି କହିଲି–ପାଠପଢ଼ାରେ ତ ଏବର୍ଷଟା ଚାଲିଯିବ, ତା’ପରେ ପରୀକ୍ଷା । ପୁଣି ଫଳ ମିଳୁ ମିଳୁ ଛ’ମାସ ଯିବ । ଫଳ ବାହାରିଲେ ଯାଇ ଚାକିରି । ଏମିତି ହିସାବ କଲେ ବୋହୂ ଆସୁ ଆସୁ ଅତି କମରେ ଆଉ ଦୁଇ ବର୍ଷରୁ ଅଧିକ ଲାଗିବ ।

 

–ଏଁ, ଆହୁରି ଦି’ବର୍ଷ ! ସେ କିପରି ଆତଙ୍କିତ ହୋଇପଡ଼ିଲେ । ପରେ ପରେ କହିଉଠିଲେ–ନାଇଁ ନାଇଁ, ସେସବୁ କଥା ଶୁଣାଯିବା ନାହିଁ । ମୁଁ ତୋ’ ବାପାକୁ କହିଦେଇଚି, ଯେମିତି ହଉ ଏ ବର୍ଷ ବୋହୂ ଆସିବ । ଆମେ ବୁଢ଼ାବୁଢ଼ୀ କ’ଣ ନାତୁଣୀ ବୋହୂକୁ ଟିକେ ଦେଖିବୁ ନାହିଁ କିରେ ? ତୋ’ ମାମୁଁ ଘର ମା’ଟା ସେମିତି ନାତୁଣୀ ବୋହୂ ଦେଖିବ ଦେଖିବ ହୋଇ ଗଲା ମଗୁଶୁର ମାସରେ ମରିଗଲା । ଆହା, ବିଚାରୀ ମୋ’ ସମୂଦୁଣୀଟାର ଆଶା ପୂରଣ ହେଲା ନାହିଁ ।

 

ଜେଜେମା’ ଗତ ମାର୍ଗଶୀର ମାସରେ ସ୍ଵର୍ଗାରୋହଣ କରିଥିବା ତାଙ୍କ ସମୁଦୁଣୀଙ୍କୁ ସ୍ମରଣ କରି ପଣତରେ ଲୁହ ପୋଛିଲେ ।

 

–ଆମ ବୁଢ଼ାବୁଢ଼ୀଙ୍କ ଭାଗ୍ୟରେ ସେଇଆ ଅଛି ନା କ’ଣ ?

 

ତାଙ୍କର ଏହି ଅକାରଣ ବ୍ୟଥାରେ ମୁଁ ନିର୍ବାକ୍ ହୋଇଗଲି । କିଛି ସମୟ ପରେ ସେ ମୋତେ ଆନନ୍ଦରେ ହଲାଇ ଦେଇ କହିଲେ–ମୁଁ ଅଇଛା ମରୁନି ବା, ଆଜି ସଞ୍ଜବେଳେ ପରା ଏକାଥରେ ପାଞ୍ଚଟା ତାରା ଦେଖିଛି ! ବୋହୂ ଦେଖିସାରିଲେ ଯାଇ ଏକାଥରକେ ବୈକୁଣ୍ଠକୁ ଯିବି ।

 

ଶୈଶବରୁ ମୁଁ ଦେଖିଆସୁଛି ଜେଜେମା’ଙ୍କର ସ୍ଵଭାବ ଏହିପରି ପ୍ରାୟ ଶିଶୁସୁଲଭ । କିନ୍ତୁ ମୋ’ର ଜେଜେ ଗମ୍ଭୀର ପ୍ରକୃତିର ବ୍ୟକ୍ତି । ତେଣୁ ଜେଜେମା’ ତାଙ୍କର ଶିଶୁସୁଲଭ ଚପଳତା ପାଇଁ ଜେଜେଙ୍କଦ୍ଵାରା ସାମୟିକ ଭର୍ତ୍ସିତ ହୁଅନ୍ତି ।

 

–ବସିଚୁ କାହିଁକି କିରେ ? ମୋ’ ପାଖରେ ଶୋଉନୁ ! ଶୋଇ ଶୋଇ ତାରା ଦେଖେ । ତା’ପରେ ସେ ମନକୁ ମନ ଆବୃତ୍ତି କରିବାକୁ ଲାଗିଲେ–ଜହ୍ନ ଲୋ ଜହ୍ନ, ନିର୍ମଳ ଜହ୍ନ, ଏଇ ଜହ୍ନ ସଙ୍ଗେ ଖେଳିବାକୁ ମନ ।

 

ସମ୍ମୋହିତ ଭାବେ ତାଙ୍କ ପାଖରେ ଶୋଇପଡ଼ି ମୁଁ ଆକାଶର ଅଗଣିତ ତାରକାମାନଙ୍କୁ ଚାହିଁରହିଲି । ଗ୍ରୀଷ୍ମଛୁଟିରେ ଘରକୁ ଆସିଛି । ଏକାଦିକ୍ରମେ ପ୍ରାଣହୀନ ସହରର ତୁଚ୍ଛ ଜଞ୍ଜାଳ ମଧ୍ୟରେ ବହୁଦିନ ରହିବାର ନୀରସ କ୍ଳାନ୍ତିରୁ ସାମୟିକ ମୁକ୍ତି ପାଇ ପଲ୍ଲୀର ପ୍ରାଣପ୍ରାଚୁର୍ଯ୍ୟ ମଧ୍ୟରେ ଆତ୍ମହରା ହୋଇପଡ଼ିଥିଲି–କ୍ରମାଗତ ଭାବେ ହୋଟେଲରନ୍ଧା ବାସୀ ମାଂସ ବା ପଚା ମାଂସ ତରକାରୀ ଖାଇ ଖାଇ ବୋଉର ହାତରନ୍ଧା ଚାଖି ତୃପ୍ତି ପାଇବା ପରି ।

 

ଜେଜେମା’ ମୋ’ କପାଳ ଉପରେ ସସ୍ନେହ କରସ୍ପର୍ଶ ଦେଉଥା’ନ୍ତି ଏବଂ ମୋ’ର ମନେହେଉଥାଏ ଯେପରି ମୁଁ ଯୌବନରୁ ଆସ୍ତେ ଆସ୍ତେ ଶୈଶବକୁ ଫେରିଯାଉଛି ।

 

–ଜେଜେମା’, ଗୋଟାଏ ଗପ କୁହନା ! ମୁ ତାଙ୍କୁ ଗଳ୍ପ କହିବାକୁ ଅନୁରୋଧ କଲି ।

 

–କି ଗପ ଶୁଣିବୁ ରେ ମୋ’ ପାଖରୁ ? ଯାହା ଜାଣିଥିଲି ସବୁ ତ ତତେ କହିଦେଇଛି । ତୋ’ ପିଲାଦିନୁ ବଡ଼ ହେବା ଯାଏ ବହୁତ ଥର ମୁଁ ତତେ ସେଇ ଗପସବୁ କହିଛି ।

 

–ଯାହା ବି ହେଉ ଗୋଟାଏ ଗପ କୁହ । ମୋ’ର ନିର୍ବୋଧ ଶୈଶବ ଓ କୈଶୋରରେ ଗଳ୍ପ ଶୁଣିବାକୁ ତାଙ୍କ ନିକଟରେ ଅଳି କଲା ପରି ଆଜି ବି ଅଳି କରୁଥିଲି ।

 

ସେ ହସିଲେ । ଦନ୍ତହୀନ ମୁଖରେ ବିଲୋଳ ଆନନ୍ଦ ହାସ୍ୟର ଯେ ଏକ ସ୍ଵତନ୍ତ୍ର ସୌନ୍ଦର୍ଯ୍ୟ ଅଛି, ତାହା ଏତେ ଦିନ ପରେ ମୁଁ ଆଜି ଜାଣିପାରିଲି ।

 

ସେହିପରି ହସି ହସି ସେ ପଚାରିଲେ–କି ଗପ ଶୁଣିବୁ ? କଲୁରୀବେଣ୍ଟ କଥା ନା ବୁଢ଼ୀ ଅସୁରୁଣୀ କଥା ? ବାର ହାତ ଲମ୍ବ ବେଣୀ ଛାଡ଼ିଥିବା ରାଜା ଝୁଅ କଥା ନା ତା’ରି ପାଇଁ ଯୋଗୀବେଶ ଧରି ବୁଲୁଥିବା ରାଜା ପୁଅ କଥା ? ତୁ କଲେଜରେ ଏତେ ପାଠ ପଢ଼ିଲୁଣି, କେତେ ଗପ ଜାଣିଥିବୁ ! ତୁ କୁଆଡ଼େ ଆଜିକାଲି ମନରୁ ଫାନ୍ଦି ଗପ ଲେଖୁଚୁ । ମୁଁ ବୁଢ଼ୀଲୋକ, ତତେ କି ଗପ କହିବି ?

 

ମୁଁ ଯେ ମୋ’ ପିତାମହୀଙ୍କ ନିକଟରେ ଜଣେ ବିଖ୍ୟାତ ଗାଳ୍ପିକ ଭାବେ ପରିଚିତ ହେଲିଣି, ଜାଣି ଆଶ୍ଚର୍ଯ୍ୟ ହେଲି । ତଥାପି ତାଙ୍କ ମୁଖରୁ ଗଳ୍ପ ଶୁଣିବାର ଲୋଭ ସମ୍ଭରଣ କରି ନ ପାରି କହିଲି–ନା, ସେସବୁ ଶୁଣାଯିବ ନାହିଁ । ତମେ ଯେମିତି ଇଚ୍ଛା ସେମିତି ଗପଟିଏ କୁହ ।

 

ସାମାନ୍ୟ ମାତ୍ର ବିରକ୍ତ ନ ହୋଇ ସେ କହିଲେ–ମୁଁ ଶିଖିଥିବା ବହୁ ଗପ ତ ତୁ ବହୁଥର ଶୁଣିଛୁ, ସେଗୁଡ଼ାକ କ’ଣ ଆଉ ଥରେ ଶୁଣିବୁ ?

 

–ନ ହେଲେ ମୁଁ ଶୁଣି ନ ଥିବା ଗପଟିଏ କୁହ ।

 

ସାମାନ୍ୟ ଉଚ୍ଚହାସ୍ୟ କରି ସେ କହିଲେ–ପାଠ ପଢ଼ୁଆ ନାତି ସିନା ବେଶୀ କଥା ଜାଣିଥାଏ !

 

–କିଛି ଗପ ଯଦି ନ କହିବ, ତେବେ ତମ କଥା କୁହ, ଜେଜେଙ୍କ କଥା ।

 

–ତୋ’ ଜେଜେଙ୍କର ଭଲ କଥାଟିଏ ଅଛି ଶୁଣିବୁ ? ସେ ବିଛଣା ଉପରେ ବସିପଡ଼ି ମତେ ପ୍ରଶ୍ନ କଲେ । ଆନନ୍ଦରେ ତାଙ୍କ ମୁଖମଣ୍ଡଳ ସମେତ ଚକ୍ଷୁ ଦୁଇଟି ଉଜ୍ଜ୍ୱଳ ଦିଶୁଥିଲା ।

 

ମୁଁ ସମ୍ମତି ଜଣାଇଲି ।

 

କିନ୍ତୁ ପରମୁହୂର୍ତ୍ତରେ ସେ କ’ଣ ଭାବିଲେ କେଜାଣି ? କହିଉଠିଲେ–ନା, ତତେ ସେ କଥା କହିବିନି, ତୁ ଅବିଶ୍ଵାସୀଟା !

 

ଏକ ଅଜ୍ଞାତ ଅପରାଧରେ ନିଜକୁ ଅପରାଧୀ ମଣି, ଶଙ୍କିତ କଣ୍ଠରେ ପ୍ରଶ୍ନ କଲି–କାହିଁକି, ମୁଁ କ’ଣ କଲି କି ?

 

ମୋ’ର ଭୟାର୍ତ୍ତ ମୂଖ ଦେଖି ଉଚ୍ଚହାସ୍ୟ ସହ ସେ କହିଲେ–କ’ଣ ଆଉ ନ କରିଛୁ ? ସେଥର ତୋ ମାମୁଁଘର ଜେଜେଙ୍କ କଥା ତୋ’ ଆଗରେ କହିଦବାରୁ ତମେ ଭାଇଭଉଣୀ ପାଞ୍ଚଜଣଯାକ ବୋହୂଟାକୁ ମୋ’ର ଚିଡ଼ାଉଛ ପରା !

 

ତାଙ୍କର ଏହି ମନ୍ତବ୍ୟରେ ମୁଁ ବି ହସିଉଠିଲି । ଏହି ପିତାମହୀ ଏକଦା ମୋ ନିକଟରେ ଉଦ୍‍ଘାଟନ କରିଥିଲେ ମୋ’ ସ୍ଵର୍ଗତ ମାତାମହ ଓ ମାତାମହୀଙ୍କର ବିବାହ ରହସ୍ୟ । କାହାଣୀଟି ଏହିପରି ଥିଲା:

 

ମୋ’ର ମାତାମହୀ ଥିଲେ ମାତାମହଙ୍କର ଦ୍ଵିତୀୟ ପକ୍ଷ ପତ୍ନୀ । ପୁଣି ମାତାମହଙ୍କର ପ୍ରଥମ ପକ୍ଷ ପତ୍ନୀ ଥିଲେ ମୋ ମାତାମହୀଙ୍କର ଅଗ୍ରଜା; କିନ୍ତୁ ବିବାହର ମାତ୍ର ସାତ ଦିନ ପରେ ତାଙ୍କର ଅକାଳ ବିୟୋଗ ଘଟିଥିଲା । ଏପରି ଏକ ମର୍ମାନ୍ତିକ ବିୟୋଗାନ୍ତକ ଘଟଣାର ସମ୍ମୁଖୀନ ହେବା ପରେ ମୋ’ର ଭଗ୍ନହୃଦୟ ମାତାମହ ଏକଦା ଶ୍ୱଶୁରାଳୟକୁ ଯାତ୍ରା କରି ସ୍ଵୀୟ ରୂପଗୁଣସଂପନ୍ନା ଅନିନ୍ଦ୍ୟ ଲାବଣ୍ୟମୟୀ ଶ୍ୟାଳିକାଙ୍କୁ ବିବାହ କରିବାକୁ ଇଚ୍ଛାପ୍ରକାଶ କରି ଗୋଟିଏ ସୁନ୍ଦର କବିତା ତାଙ୍କ ଶ୍ଵଶୁରଗୃହର କାନ୍ଥରେ ଲେଖି ଦେଇଥିଲେ । (କିନ୍ତୁ ପ୍ରକୃତରେ ସେ ଏକ କବି ଥିଲେ କି ନାହିଁ, ତାହାର ପ୍ରମାଣ ବହୁ ଅଧ୍ୟବସାୟ ପରେ ସୁଦ୍ଧା ମୁଁ ଏଯାବତ୍ ପାଇ ନାହିଁ ।) ପରେ ସେ ତାଙ୍କୁ ହିଁ ବିବାହ କରିଥିଲେ ।

 

ଜେଜେମା’ ମୋ’ ସମ୍ମୁଖରେ ଏହି ରହସ୍ୟ ଉଦ୍‍ଘାଟନ କଲା ପରେ ଆମେ ଭାଇଭଉଣୀ ପାଞ୍ଚଜଣଯାକ କୌତୁକରେ ବୋଉକୁ ପଚାରୁ–ସତ କହିଲୁ ବୋଉ, ତୁ ତୋ’ ବାପାଙ୍କୁ ‘ବାପା’ ଡାକୁ ନା ‘ମଉସା’ ?

 

ବୋଧହୁଏ ସେ ଜେଜେଙ୍କ ସମ୍ପର୍କରେ ଏହିପରି ଏକ ଚିତ୍ତାକର୍ଷକ ରହସ୍ୟ ଉଦ୍‍ଘାଟନ କରିବାକୁ ଯାଉଛନ୍ତି ଭାବି ଘଟଣାଟିକୁ ବର୍ଣ୍ଣନା କରିବାକୁ ସାନୁନୟ ଅନୁରୋଧ କଲି । ମୋ’ର ଅନୁରୋଧ ଶୁଣି ସେ ବର୍ଣ୍ଣନା କରିବାକୁ ଯାଉଥିବା ଗଳ୍ପକୁ ଆଉ ଯାହାଙ୍କ ଆଗରେ ପ୍ରକାଶ କର ପଛେ, ଆମ ପରିବାରର କୌଣସି ସଦସ୍ୟଙ୍କ ନିକଟରେ ପ୍ରକାଶ ନ କରିବାକୁ ଶପଥ କରାଇନେଇ ଆରମ୍ଭ କଲେ:

 

–ତୋ’ ଜେଜେ କ’ଣ କମ୍ ପ୍ରେମିକ ଥିଲେ କିରେ !

 

କୌତୂହଳ ସମ୍ବରଣ କରି ନ ପାରି ପଚାରିଲି–ବିବାହ ପୂର୍ବରୁ କ’ଣ ସେ ତମ ପାଖକୁ ପ୍ରେମ ପତ୍ର ଦେଉଥିଲେ ?

 

ସେ ହସ ହସ ହୋଇ ଉତ୍ତର ଦେଲେ–ମୁଁ ବାହାହେଲା ବେଳକୁ ପରା ଜମା ତେର ବରଷର ହୋଇଥିଲି ! ପ୍ରେମ କ’ଣ ଜାଣିବି କୁଆଡ଼ୁ ? ସେ ତ ମତେ ଚିହ୍ନି ନ ଥିଲେ କି ଜାଣି ନ ଥିଲେ, ମୋ ପାଖକୁ କାହିଁକି ବା ଚିଠି ଦେବେ ?

 

–ଆଉ ? ମୁଁ ଉତ୍କଣ୍ଠାର ସହ ପ୍ରଶ୍ନ କଲି ।

 

–ତମରି ଏଇ ଗାଁର ଗୋଟିଏ ଝିଅକୁ ସେ ଭଲ ପାଉଥିଲେ ।

 

–କୋଉ ଝିଅ ?

 

–ତୁ ତାକୁ ଚିହ୍ନି ପାରିବୁ ନି । ସେ କ’ଣ ଆଜିକାଲିର ହୋଇଛି ? ବଞ୍ଚିଥିଲେ ତାକୁ ଆଜି ଚାରି କୋଡ଼ି ପାଞ୍ଚ ହୁଅନ୍ତାଣି । ପୁରୀରେ ବାହା ହୋଇଥିଲା । ପଚିଶି ବର୍ଷ ହେବ ସେ ମରିଗଲାଣି-

 

–କାହା ଝିଅ ସେ ? ତା ନାଁ କ’ଣ ? କୌତୁହଳବଶତଃ ପୁଣି ପ୍ରଶ୍ନ କଲି ।

 

–ତା’ ନାଁ ଶରଧାମଣି । ମାନଗୋବିନ୍ଦବାବୁଙ୍କ ଝିଅ ସେ, ଦିବ ମହାପାତ୍ରଙ୍କର ଭଉଣୀ । ଆଉ ବାହା ନ ହେବା ଆଗରୁ ତୋ’ ଜେଜେ ସେ ଝିଅକୁ ନ ଦେଖିଲେ ପାଗଳ ହୋଇଯାଉଥିଲେ ।

 

ତା’ପରେ ସେ ମୋ ନିକଟରେ ଏକ ଘଣ୍ଟାରୁ ଅଧିକ ସମୟ ବର୍ଣ୍ଣନା କରିଥିଲେ ଜେଜେ ଅବିବାହିତ ଥିବା ସମୟରେ ଶ୍ରଦ୍ଧାମଣି ନାମ୍ନୀ ଏକ ଝିଅ ସହ ତାଙ୍କର ପ୍ରଣୟ ଘଟିତ ବହୁ ବିଳମ୍ବିତ ନିଷିଦ୍ଧ ଅଧ୍ୟାୟ ।

 

ଶେଷରେ ଜେଜେଙ୍କ ପ୍ରେମ କାହାଣୀର ଉପସଂହାରରେ ପ୍ରକାଶ କଲେ–ତୋ’ ଜେଜେ ତାକୁ ବାହାହେବାକୁ ରାଜି ଥିଲେ, ଝିଅର ବାପଭାଇ ବି ରାଜି ହୋଇଯାଇଥିଲେ; କିନ୍ତୁ ରାଜି ହେଲେ ନାହିଁ ତୋ’ ଜେଜେଙ୍କର ବାପାବୋଉ । କାରଣ ଗରିବ ହେଲେ ବି ତମେ ଥିଲ ଖାଣ୍ଟି କରଣ ଆଉ ସେମାନେ ହଠାତ୍ ଧନୀ ହୋଇ ଖଣ୍ଡାଏତ୍‍ରୁ ନୂଆ କରଣ ବୋଲାଇଥିଲେ । ତା’ପରେ ଯାଇ ମୋ’ ସାଙ୍ଗରେ ତାଙ୍କର ବାହାଘର ପଡ଼ିଲା ।

 

–ଜେଜେ କ’ଣ ସେହି ଝିଅକୁ ବିବାହ କରିବା ପାଇଁ ଜିଦ୍ ଧରି ନ ଥିଲେ ? ମୁଁ ପ୍ରଶ୍ନ କଲି ।

 

–ସେ କଥା ମୁଁ ସଠିକ୍ ଜାଣି ନାହିଁ । ତେବେ ବୋଧେ ନୁହେଁ । କାହିଁକି ନା ଏଠି ମୋ’ ବାହାଘର ଠିକ୍ ହୋଇଯିବା ପରେ ମହାପ୍ରସାଦ ନିର୍ବନ୍ଧ ପୂର୍ବରୁ ଶରଧାମଣି ତୋ’ ଜେଜେଙ୍କ ପାଖକୁ ଚିଠି ଲେଖିଥିଲା; ବିଶ୍ଵାଳପଡ଼ା କେଶବ ମହାନ୍ତି ଝିଅ ସାଙ୍ଗରେ ତମର ବାହାଘର ହବ ଶୁଣୁଛି । ତା’ କଥା ମୁଁ ଜଣେ । ଝୁଅଟା ଭାରି ଖରାପ । ପୁଣି କାଳୀଟା, ବସନ୍ତମୁହୀଁ, ବାହାଡ଼ାଦାନ୍ତୀ । ତାକୁ ଗୋଟାଏ କ’ଣ ବାହା ହବ ? ତମର ମୋ’ର ଏତେ ଭାବ ଥିଲା, ପୁଣି ଦିହେଁ ଦିହିଁଙ୍କି ବାହାହବା ବୋଲି ସତ୍ୟ କରିଥିଲେ, ସେସବୁ କଥା କ’ଣ ଭୁଲିଗଲ ?

 

ମୋ’ ପିତାମହଙ୍କୁ ବିବାହ କରିବା ଆଶାରେ ସେହି ଶ୍ରଦ୍ଧାମଣି ନାମ୍ନୀ ଝିଅଟି ଜେଜେମା’ଙ୍କ ସମ୍ପର୍କରେ ଏହାସବୁ ଲେଖି ନିଜ ଈର୍ଷିତ ମନର ପରିଚୟ ଦେଇଥିଲା ସିନା, କିନ୍ତୁ ଅଶୀତିପର ବୟସ୍କା ବୃଦ୍ଧା ଉଜ୍ଜ୍ୱଳ ଗୌରବର୍ଣ୍ଣବିଶିଷ୍ଟା ମୋ’ର ପିତାମହୀଙ୍କର ଶାରୀରିକ ଗଠନ ଦେଖିଲେ ତାଙ୍କ ଯୌବନ କାଳରେ ସେ ଯେ ଜଣେ ଅନିନ୍ଦ୍ୟ ଲାବଣ୍ୟମୟୀ ଅସାମାନ୍ୟ ରୂପସୀ ଥିଲେ, ଏକଥା ଯେ କେହି ସ୍ଵୀକାର କରିବେ ।

 

–ତମେ କେବେ ଏକଥା ଜାଣିଲ ଜେଜେମା’ ? ବାହାଘର ପରେ ନା ପୂର୍ବରୁ ? ମୁଁ ପ୍ରଶ୍ନ କଲି ।

 

–ନାଇଁ, ଆଗରୁ । ଆମ ଘରକୁ ବି ବେନାମୀ ଚିଠି ଯାଇଥିଲା । ସେଥିରେ ଶରଧାମଣି ସାଙ୍ଗରେ ତୋ’ ଜେଜେଙ୍କର ଭାବ ଥିବା କଥା ଲେଖାଥିଲା । ହେଲେ ଆମ ଘରେ ସେକଥା କେହି ଶୁଣିଲେ ନାହିଁ । ମୋ’ ବାହାଘର ଶେଷରେ ଏଇଠି ହିଁ ହେଲା । ସେତେବେଳକୁ ମତେ ଜମା ତେର ବର୍ଷ ଆଉ ତୋ’ ଜେଜେଙ୍କୁ ତେଇଶ୍ । ସେ ପରା ମୋ’ଠାରୁ ଦଶ ବର୍ଷ ବଡ଼ ।

 

କେଉଁ ସୁଦୂର ଅତୀତରେ ବିବାହ କରିଥିବା ସେହି ତ୍ରୟୋଦଶୀ କନ୍ୟାଟି ଯେ ନିଶ୍ଚିତ ଭାବେ ଏକ ସଫଳ ଦାମ୍ପତ୍ୟ ଜୀବନର ନାୟିକା, ତାହାର ନିର୍ଭରଯୋଗ୍ୟ ପ୍ରମାଣ କେବଳ ମୋ’ ବାପା ଓ ଅପା ନୁହନ୍ତି; ଆମେ ଭାଇଭଉଣୀ ପାଞ୍ଚ ଜଣଙ୍କ ସମେତ ମୋ’ ଅପାଙ୍କର ଛ’ଗୋଟି ସନ୍ତାନ ମଧ୍ୟ ତାହାର ବଳିଷ୍ଠ ପ୍ରମାଣ । ତଥାପି କୌତୂହଳବଶତଃ ମୁଁ ତାଙ୍କୁ ପ୍ରଶ୍ନ କଲି–ବାହାଘର ପରେ ଜେଜେ କ’ଣ ତମକୁ କେବେ ହତାଦର କରି ନାହାନ୍ତି ?

 

–ହତାଦର କରିବେ କ’ଣ ରେ ? ମୁଁ ଏ ଘରକୁ ବୋହୂ ହୋଇ ଆସିବା ପରେ ସେ ଦିନକ ଲାଗି ସୁଦ୍ଧା ଶରଧାମଣି ଘରର ଦୁଆର ମାଡ଼ି ନାହାନ୍ତି ।

 

–ତମେ କ’ଣ ତାଙ୍କୁ ସେଠାକୁ ଯିବାକୁ ମନା କରିଥିଲ ?

 

ଦୃଢ଼କଣ୍ଠରେ ମୋ’ର ପିତାମହୀ ପ୍ରକାଶ କଲେ–ସବୁ ଜାଣି ସୁଦ୍ଧା ମୁଁ ତାଙ୍କୁ କେବେ ବି ଶରଧାମଣି କଥା ପଚାରି ନାହିଁ । ତୁ ମୋ’ର ଏତେ ବଡ଼ ନାତି ହେଲୁଣି, ତୋ’ ସାନ ଭଉଣୀ ବାହାହୋଇ ଦୁଇଟା ପିଲାର ମା’ ହେଲାଣି, କିନ୍ତୁ ଆଜି ସୁଦ୍ଧା ମୁଁ ତାଙ୍କୁ ସେ ବିଷୟରେ କିଛି ପଚାରି ନାହିଁ କିମ୍ବା ସେ ମଧ୍ୟ ମତେ କିଛି କହି ନାହାନ୍ତି । ତାଙ୍କ ମନରେ ଦୁଃଖ ଦେବାକୁ ମୁଁ ଚାହିଁ ନ ଥିଲି ।

 

ଆଶ୍ଚର୍ଯ୍ୟ କଣ୍ଠରେ ଜେଜେମା’ଙ୍କୁ ପ୍ରଶ୍ନ କଲି–ତେବେ ଯୋଉ ବ୍ୟକ୍ତି ବିବାହ ପୂର୍ବରୁ ଗୋଟିଏ ଝିଅକୁ ଏତେ ନିବିଡ଼ ଭାବେ ଭଲ ପାଇଥିଲେ, ଅନ୍ୟ ଏକ ଝିଅକୁ ବିବାହ କରିବା ପରେ ହଠାତ୍ ସେ ଝିଅଟିକୁ ଭୁଲିଯାଇ ପାରିଲେ କିପରି ?

 

ମୋର ଏଇ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଜେଜେମା’ ଯାହା କହିଲେ ସେଥିରେ ମୁଁ ଚମତ୍କୃତ ହେଲି । ସେ ଦେଇଥିବା ବିଲମ୍ବିତ ଉତ୍ତରର ସାରାଂଶ ହେଉଛି:।

 

ସ୍ୱାମୀଙ୍କୁ ଆପଣାର କରିବା ଦାୟିତ୍ୱ ସଂପୂର୍ଣ୍ଣ ଭାବେ ସ୍ତ୍ରୀର । ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସ୍ୱାମୀଙ୍କ ମନରେ ଆଦୌ ଦୁଃଖ ନ ଦେଇ ପ୍ରେମ ଓ ଭକ୍ତି ବଳରେ ହିଁ ତାଙ୍କୁ ଆପଣାର କରାଯାଏ । ଏହି ଦାୟିତ୍ୱକୁ ଯେଉଁ ନାରୀ ଯେତିକି ସଫଳ ଭାବେ ଗ୍ରହଣ କରିପାରିଛି, ତା’ର ଦାମ୍ପତ୍ୟଜୀବନ ସେତିକି ପରିମାଣରେ ସଫଳ ହୋଇଛି । ତାହା ହିଁ ହେଉଛି ମୋ’ ପିତାମହୀଙ୍କର ସଫଳ ଦାମ୍ପତ୍ୟଜୀବନର ପ୍ରଧାନ ଚାବିକାଠି ।

 

ଜେଜେମା’ଙ୍କର ଏହି ଉତ୍ତରରେ ଚମତ୍କୃତ ହୋଇ କିଛି ସମୟ ନୀରବ ରହିବା ପରେ କୌତୁକରେ (ଭୟରେ ଅନେକ ଥର ଛେପ ଢୋକିବା ପରେ କିନ୍ତୁ) ତାଙ୍କୁ ପଚାରିଲି–ଅବିବାହିତ ଅବସ୍ଥାରେ ଜେଜେ ଯେମିତି ଶ୍ରଦ୍ଧାମଣିକୁ ଭଲ ପାଉଥିଲେ, ସେମିତି ବାହା ନ ହେବା ପୂର୍ବରୁ ତମେ କାହାକୁ ଭଲ ପାଉଥିଲ ?

 

ମୋ ପ୍ରଶ୍ନରେ ସାମାନ୍ୟ ମାତ୍ର ବିରକ୍ତ ବା ଉତ୍ତ୍ୟକ୍ତ ନ ହୋଇ ସେ ଉତ୍ତର ଦେଲେ–ତୁ ଜାଣିଛୁ ପରା ବାହାହେଲା ବେଳକୁ ମତେ ହୋଇଥିଲା ଜମା ତେର ବରଷ ! ଘରଯୋଗ୍ୟା ହେବାର ତିନି ମାସ ପରେ ମୁଁ ବାହା ହୋଇଥିଲି । ତେଣୁ ବାହାଘର ଆଗରୁ ପ୍ରେମ କ’ଣ ମୁଁ ଜାଣିବି କୁଆଡ଼ୁ-?

 

ଏହି ଉତ୍ତରରେ ପୁଣି ଦ୍ୱିତୀୟ ବାର ଯାଇଁ ଚମତ୍କୃତ ହେଲେ ସୁଦ୍ଧା ତଥାପି ମଜା କରିବାକୁ କୌତୁକରେ ପ୍ରଶ୍ନ କଲି–ବିବାହ ପରେ ତମେ କ’ଣ ଜେଜେଙ୍କ ବ୍ୟତୀତ ଅନ୍ୟ କୌଣସି ପୁରୁଷକୁ ଭଲ ପାଇବାକୁ ଇଚ୍ଛା କରିନ ?

 

ହର୍ଷୋତ୍‍ଫୁଲ୍ଲ ମୁଖରେ ସେ ଉତ୍ତର ଦେଲେ–ତୋ’ ଜେଜେଙ୍କ ପରି ପୁରୁଷ ଥାଉ ଥାଉ ଅନ୍ୟ ପୁରୁଷକୁ ଇଚ୍ଛା କରିବି କାହିଁକି ?

 

–କୁହନା ଜେଜେମା’, ତମ ଜୀବନର ଦ୍ୱିତୀୟ ପୁରୁଷ କିଏ ? ପରିହାସ ମିଶ୍ରିତ କଣ୍ଠରେ ମୁଁ ପୁଣି ପ୍ରଶ୍ନ କଲି ।

 

–ନ ଶୁଣି ଛାଡ଼ିବୁ ନାହିଁ ଦେଖୁଛି । ତାହାହେଲେ ତୋ’ ଆଗରେ କହିବାକୁ ପଡ଼ିବ । ହେଲେ ତୁ କାହା ଆଗରେ କହିବୁ ନାହିଁ ତ ?

 

ପରିହାସ ବଦଳରେ ମୋ’ ମନରେ ଉତ୍କଣ୍ଠା ଓ ସଂଶୟ ବୃଦ୍ଧି ପାଇଲା । କୌଣସି ଉତ୍ତର ନ ଦେଇ ମୁଁ ତାଙ୍କ ପ୍ରତି ଦୃଷ୍ଟିପାତ କଲି ।

 

ସାମାନ୍ୟ ନୀରବତା ପରେ ସେ ପ୍ରକାଶ କଲେ–ମୋ’ ଜୀବନର ଦ୍ୱିତୀୟ ପୁରୁଷ ପରା ତୁ ନିଜେ ! ତୋ’ ଜେଜେଙ୍କ ହାତର ଖଇକଉଡ଼ି ବିଞ୍ଚା ଓ ତୋ’ ବାପା ହାତର ମୁଖାଗ୍ନି ମୋ’ର ଯେତିକି ଆବଶ୍ୟକ, ପରମଶ୍ରଦ୍ଧାରେ ତୋ’ ହାତରୁ ଘିଅ ଓ ଚନ୍ଦନ କାଠ ଟିକକ ବି ମୋ’ର ସେତିକି କାମ୍ୟ । ପୁଣି ମୁଁ ବଞ୍ଚିଥିଲେ, ତୋ’ ଚଉଠି ରାତିରେ ମୋ’ ଅପେକ୍ଷା ଆଉ କିଏ ବେଶୀ ଖୁସି ହବ ରେ ।

 

ତା’ପରେ ସେ ପ୍ରଚଣ୍ଡ ଶବ୍ଦ କରି ହସିବାକୁ ଲାଗିଲେ । ମୋ’ ମନରେ ଜାଗ୍ରତ ହୋଇଥିବା ଉତ୍କଣ୍ଠା ଓ ସଂଶୟ ଲଜ୍ଜାରେ ପରିଣତ ହେଲା । ମୁଁ ତାଙ୍କ ପଣତରେ ମୁହଁ ଢାଙ୍କିଲି ।

★★★

 

Unknown

ଗ୍ରହଣ

 

ଆଜି ଶ୍ରୀ ବୀରକିଶୋର ଦେବ ମହାରାଜଙ୍କ ୧୦ ଅଙ୍କ ସନ ୧୩୭୧ ସାଲ ମିଥୁନ ୧୧ ଦିନ, ବୁଧବାର ଜ୍ୟେଷ୍ଠ ପୂର୍ଣ୍ଣିମା, ଜୁନ ୨୪ ତାରିଖ ୧୯୬୪ ମସିହା ଆଜି କେତୁଗ୍ରସ୍ତ ସମ୍ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ।

 

ଦୁଇ ଦିନ ତଳେ ଗ୍ରହବିପ୍ର କହିଯାଇଛନ୍ତି–ବୁଧବାର ରାତ୍ରି ୧୨ ଟା ୧୮ ମିନିଟ୍ରୁ ପୂର୍ବ–ଐଶାନ୍ୟ କୋଣରେ ସ୍ପର୍ଶ ଆରମ୍ଭ ହୋଇ ମଧ୍ୟ–ରାତ୍ରି ୧୨ଟା ୩୩ରେ ପୂର୍ଣ୍ଣଗ୍ରାସ ହେବ ଏବଂ ୧୨ଟା ୩୫ରୁ ମୋକ୍ଷ ଆରମ୍ଭ ହୋଇ ୧୨ଟା ୪୫ରେ ଉତ୍ତର–ପଶ୍ଚିମ ବାୟବ୍ୟ କୋଣରେ ସର୍ବମୋକ୍ଷ ହେବ । ତେଣୁ ଅପରାହ୍ନ ୫ଟା ୪୫ରୁ ଦେବନୀତି ଓ ଅନ୍ନଭୋଜନ ନିଷେଧ । ଅଶ୍ଵିନୀ, ରୋହିଣୀ, ଉତ୍ତରା–ଫାଲ୍‍ଗୁନୀ ଇତ୍ୟାଦି ନକ୍ଷତ୍ରମାନଙ୍କର ଓ ମେଷ, ବୃଷ, କନ୍ୟା ଇତ୍ୟାଦି ରାଶିମାନଙ୍କର ଗ୍ରହଣ ଦର୍ଶନ ଅଶୁଭ ।

 

ତେଣୁ ସଙ୍ଗୀତାକୁ ଗ୍ରହଣ ଦେଖିବାକୁ ବାରଣ କରାଯାଇଛି । କାରଣ ତା’ର ନକ୍ଷତ୍ର ଉତ୍ତରା ଫାଲ୍‍ଗୁନୀ ଓ ରାଶି କନ୍ୟା, ପୁଣି ସେ ଗର୍ଭବତୀ । ସାଧାରଣତଃ ଗର୍ଭବତୀ ନାରୀମାନଙ୍କୁ ଗ୍ରହଣ ଓ ପରାଗ ଦେଖିବାକୁ ବାରଣ କରାଯାଇଥାଏ । କାରଣ ପ୍ରବାଦ ଅଛି, ଗର୍ଭବତୀ ନାରୀମାନେ ଗ୍ରହଣ ଓ ପରାଗ ଦେଖିଲେ ଗର୍ଭସ୍ଥ ଶିଶୁମାନଙ୍କର କାଳେ ଗ୍ରହଣ-ଖଣ୍ଡିଆ ହେବାର ଭୟ ରହିଥାଏ । ତେଣୁ କେବଳ ଶାଶୁ ଓ ଆଈଶାଶୁ ନୁହନ୍ତି, ଶ୍ୱଶୁର ଓ ସ୍ୱାମୀ ସମରେନ୍ଦ୍ର ମଧ୍ୟ ସଙ୍ଗୀତାକୁ ଗ୍ରହଣ ଦେଖିବା ପାଇଁ ମନା କରିଛନ୍ତି ।

 

ଅଶୁଭ ଗ୍ରହଣ ସମ୍ପର୍କରେ କହିବାକୁ ଯାଇ ଆଈଶାଶୁ ଅବତାରଣ କରିଥିଲେ ସେଇ ବହୁବିଦିତ ସମୁଦ୍ର ମନ୍ଥନ, ରାକ୍ଷସମାନଙ୍କଦ୍ୱାରା ଅମୃତ ଅପହରଣ, ମୋହିନୀ ବେଶ ଧାରଣପୂର୍ବକ ଅମୃତ ଧରି ବିଷ୍ଣୁଙ୍କର ସ୍ଵର୍ଗକୁ ପ୍ରତ୍ୟାବର୍ତ୍ତନ, ଦେବତାମାନଙ୍କର ଅମୃତ ଭୋଜନ ସମୟରେ ଛଦ୍ମବେଶରେ ରାକ୍ଷସ ରାହୁ ଓ କେତୁଙ୍କର ଅମୃତ ଭକ୍ଷଣ ଏବଂ ପରିଶେଷରେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କଦ୍ଵାରା ନିର୍ଦ୍ଦେଶିତ ହୋଇ ବିଷ୍ଣୁଙ୍କ ସୁଦର୍ଶନ ଚକ୍ରରେ ସେମାନଙ୍କ ଶିରଚ୍ଛେଦ, କିନ୍ତୁ ମୁଖରେ ଅମୃତର ସ୍ପର୍ଶ ଲାଗିଥିବାରୁ ସେମାନଙ୍କ ଶିରଭାଗଟି ଅମରତ୍ଵ ପ୍ରାପ୍ତ ହେବା ଏବଂ ପ୍ରଚଣ୍ତ କ୍ରେଧରେ ସେ ଦୁହେଁ ଚନ୍ଦ୍ର ଓ ସୂର୍ଯ୍ୟଙ୍କୁ ସୁବିଧା ପାଇଲେ ଗ୍ରାସ କରୁଥିବାରୁ ସେଇଦିନୁ ଏଯାବତ୍ ଗ୍ରହଣ ଓ ପରାଗ ହୋଇ ଆସୁଥିବା ଇତ୍ୟାଦି ପୌରାଣିକ କାହାଣୀ ।

 

ଆଈଶାଶୁଙ୍କର ଏ ଗଳ୍ପ ଶୁଣି ସେଦିନ ମନେ ମନେ ହସିଥିଲା ସଙ୍ଗୀତା । ଆଈଶାଶୁଙ୍କୁ ତା’ର କହିବା ପାଇଁ ଇଚ୍ଛା ହେଉଥିଲା–ରାହୁ ଓ କେତୁ ରାକ୍ଷସ ନୁହନ୍ତି, ଚନ୍ଦ୍ର ଓ ପୃଥିବୀ ଉଭୟଙ୍କର କକ୍ଷ ପରସ୍ପରକୁ ଛେଦ କରୁଥିବା କାଳ୍ପନିକ ବିନ୍ଦୁ ଦୁଇଟିର ନାମ ହେଉଛି ରାହୁ ଓ କେତୁ, ତା’ପରେ ଗ୍ରହଣ ଓ ପରାଗର ଅନ୍ୟାନ୍ୟ ବୈଜ୍ଞାନିକ କାରଣ । କିନ୍ତୁ ବୃଦ୍ଧାଙ୍କର ସରଳ ବିଶ୍ୱାସରେ ଆଘାତ ଦେବାକୁ ଚାହିଁ ନ ଥିଲା ସଙ୍ଗୀତା ।

 

ସଙ୍ଗୀତାକୁ କିନ୍ତୁ ଗ୍ରହଣ ଓ ପରାଗ ଦେଖିବାକୁ ଖୁବ୍ ଭଲ ଲାଗେ । ରାତି ଅନିଦ୍ରା ହୋଇ ସେ ଗ୍ରହଣ ଦେଖେ, ଆଖିରେ ଗାଢ଼ କଳା ରଙ୍ଗର ଚଷମା ପିନ୍ଧି ପ୍ରଖର ସୂର୍ଯ୍ୟତାପରେ ସିଝି ସିଝି ସେ ଦେଖେ ପରାଗ । ଯେତେବେଳେ ସେ ଖୁବ୍ ପିଲା ଥିଲା ଓ ଚଷମା ବ୍ୟବହାର ଜାଣି ନ ଥିଲା, ତା’ର ସ୍ପଷ୍ଟ ମନେଅଛି, ସେତେବେଳେ ସେ ତାଙ୍କ ମଝି ଅଗଣାରେ ଗୋଟାଏ ବଡ଼ କଂସାରେ ହଳଦୀ ପାଣି ରଖି ପରାଗ ଦେଖୁଥିଲା ।

 

ଅନେକ ବେଳୁ ସନ୍ଧ୍ୟା ହୋଇଯାଇଛି, ଆକାଶରେ ପୂର୍ଣ୍ଣିମାର ପୂର୍ଣ୍ଣଶଶୀ । କୋଠାଛାତ ଉପରେ ଚେୟାର ପକାଇ ବସିଛି ସଙ୍ଗୀତା, ହାତରେ କିଛି କାମ ନାହିଁ ଆଜି ଗ୍ରହଣ ହେତୁ ୫ଟା ୪୫ରୁ ପାକତ୍ୟାଗ ହୋଇଯାଇଛି । ଖାଇବା ପିଇବାର ଝାମେଲା ନାହିଁ । ସାଧରଣ ଦିନମାନଙ୍କରେ ମଧ୍ୟ ତା’ର ସେପରି କିଛି କାମ ନ ଥାଏ । ଶାଶୁ ଓ ଆଈଶାଶୁ ତାଙ୍କୁ କିଛି କାମ କରାଇ ଦିଅନ୍ତି ନାହିଁ, ରୋଷାଇବାସ ପାଇଁ ଚାକରବାକର ଅଛନ୍ତି, ବିବାହ ପୂର୍ବରୁ ସେ ଅଧ୍ୟାପିକା ଥିଲା : କିନ୍ତୁ ବିବାହ ପରେ ଇସ୍ତଫା ଦେଇ ଦେଇଛି; କାରଣ ଝିଅ କିମ୍ବା ବୋହୁ ମାନଙ୍କର ଚାକିରି କରିବା ଏମାନଙ୍କ ପରିବାରରେ କେହି ପସନ୍ଦ କରନ୍ତି ନାହିଁ । ଦିନରେ ସଙ୍ଗୀତାର କାମ ହେଲା, ସ୍ୱାମୀ ବ୍ୟବସାୟ ସଂକ୍ରାନ୍ତରେ ବାହାରକୁ ଯିବା ପର୍ଯ୍ୟନ୍ତ ତାଙ୍କ ପାଖେ ପାଖେ ରହିବା, ସ୍ଵାମୀ ବାହାରକୁ ଚାଲିଯିବା ପରେ ଟିକେ ବହି ପଢ଼ିବା, ଟିକେ ରେଡ଼ିଓ ଶୁଣିବା ଓ ଶୋଇବା; ଆଉ ପ୍ରତି ସନ୍ଧ୍ୟାରେ ତା’ର କାମ ହେଲା ଶାଶୁ ଓ ଆଈ ଶାଶୁଙ୍କୁ ଗୀତା ଓ ଭାଗବତ ଶୁଣାଇବା, ତା’ପରେ କୋଠା ଉପରେ ଠିଆ ହୋଇ ଆକାଶକୁ ଚାହିଁବା ଓ କାରଣହୀନ ଭାବେ ରାସ୍ତାକୁ ଅନାଇ ରହିବା ।

 

ଆଜି କିନ୍ତୁ ସଙ୍ଗୀତା ଖୁବ୍ ଦୁଃଖିତା; କାରଣ ସେ ଆଜି ଗ୍ରହଣ ଦେଖିବାର ସୁଯୋଗରୁ ବଞ୍ଚିତା । ଖୁବ୍ କରୁଣ ଓ ଉଦାସ ଦୃଷ୍ଟିରେ ସେ ଆକାଶକୁ ଚାହିଁଲା । ଆକାଶରେ ଜହ୍ନ ଓ ଅଗଣିତ ତାରାଫୁଲ, ଜହ୍ନର ପାଖ ଦେଇ ଭାସିଯାଉଛି ଖଣ୍ଡେ ହାଲ୍‍କା ବାଦଲ, ଆଜି ଜ୍ୟେଷ୍ଠ ପୂର୍ଣ୍ଣିମା–ଯାହାର ଅନ୍ୟ ନାମ ସ୍ନାନପୂର୍ଣ୍ଣିମା । ଏହି ଦିନଠାରୁ ଗ୍ରୀଷ୍ମଋତୁର ପରିସମାପ୍ତି ଘଟେ ଓ ଆରମ୍ଭ ହୁଏ ବର୍ଷାଋତୁ । ପ୍ରାୟ ସ୍ନାନପୂର୍ଣ୍ଣିମାମାନଙ୍କରେ ପ୍ରଚୁର ବର୍ଷା ହୁଏ । ଆଜି କିନ୍ତୁ ବର୍ଷା ହେବାର କୌଣସି ଆଶଙ୍କା ନାହିଁ । ଆକାଶରେ ଠାଏ ଠାଏ ଭାସି ବୁଲୁଥିବା ଛୋଟ ଛୋଟ ବଉଦଖଣ୍ଡ ବର୍ଷା ଆଗମନୀର ସୂଚନା ଦେଉଛି । ଆଜିର ଏହି ମେଘମୁକ୍ତ ଆକାଶରୁ ଖୁବ୍ ଚମତ୍କାର ଭାବରେ ଗ୍ରହଣ ଦେଖି ହୁଅନ୍ତା । ଆଜି ପୁଣି ପୂର୍ଣ୍ଣଗ୍ରାସ ! କିନ୍ତୁ ଗ୍ରହଣ ଦର୍ଶନ ଆଜି ତା’ର ଭାଗ୍ୟରେ ନାହିଁ ।

 

ସେ ସ୍ପଷ୍ଟ ଶୁଣିପାରୁଥିଲା ଆଈଶାଶୁ ତା’ ଉପରେ ବିରକ୍ତ ହେଉଛନ୍ତି; କାରଣ ପ୍ରାକ୍–ଗ୍ରହଣ କାଳର ଚନ୍ଦ୍ରଙ୍କୁ ସେ ଦେଖୁଛି ବୋଲି । ଶାଶୁ କିନ୍ତୁ ସଫେଇ ଦେଉଛନ୍ତି–ବର୍ତ୍ତମାନ ଗ୍ରହଣ ଲାଗିବାକୁ ତଥାପି ବି ଅନେକ ବିଳମ୍ବ ଅଛି । ତେଣୁ ସଙ୍ଗୀତା ଛାତ ଉପରେ ବସି ବସି ଜହ୍ନକୁ ଚାହିଁବାରେ କୌଣସି କ୍ଷତି ନାହିଁ ।

 

ଆଃ, ଟିକେ ବାହାରର ଖୋଲା ପବନରେ ବସି ଏଇ ମୁକ୍ତ ଆକାଶକୁ ଚାହିଁବାର ସ୍ଵାଧୀନତା ଟିକକ ବି ତା’ର ଆଜି ନାହିଁ । ଝିଅଦିନର ସେଇ ଏକଜିଦିଆ, ଆମାନିଆ ସ୍ଵଭାବ ବିବାହ ପରେ ଆଉ ଶୋଭନୀୟ ନୁହେଁ–ସଙ୍ଗୀତାର ଆଖିରୁ ଲୁହ ଝରି ଆସୁଥିଲା ।

 

ଶାଶୁଙ୍କର କହିବା ସତ୍ତ୍ଵେ ବି ଆଈଶାଶୁ ତଥାପି ବିରକ୍ତ ହେଉଛନ୍ତି । ସେମାନଙ୍କୁ ବିରକ୍ତ କରି, ସେମାନଙ୍କ ମନରେ ଅଶାନ୍ତି ଦେଇ ଆଉ ବେଶୀ ସମୟ ବାହାରେ ବସିବାକୁ ଉଚିତ ମନେକଲା ନି ସଙ୍ଗୀତା । ତଳକୁ ଓହ୍ଲାଇ ଆସିବାକୁ ଉଠି ଠିଆହେଲା, ଆସିବା ପୂର୍ବରୁ ଶେଷ ଥର ପାଇଁ ଆକାଶ ଉପରେ ବୁଲାଇ ଆଣିଲା ତା’ର ଉଦାସ ଓ କରୁଣ ଦୃଷ୍ଟି । ଏଇ ଆକାଶ.....ଅଗଣିତ ତାରା....ପୂର୍ଣ୍ଣିମାରେ ଚନ୍ଦ୍ର.....ଛୋଟ ଛୋଟ ଭାସମାନ କଳା ଧଳା ବଉଦ.....ଓ ମାତ୍ର କେଇ ଘଣ୍ଟା ପରେ ଘଟିବାକୁ ଯାଉଥିବା ଗ୍ରହଣ.....ସବୁ ମିଶି ଯେପରି ତା’କୁ ମୋହାବିଷ୍ଟ କରିଦେଲେ । ତା’ର ସେଇ ଉଦାସଦୃଷ୍ଟି କ୍ରମେ ପ୍ରସରିଗଲା ଦୂରରୁ ଦୂରକୁ; ଯୋଉଠି ବହୁ ଦୂରର ଚକ୍ରବାଳରେ ମିଳନର ଶଙ୍ଖ ଫୁଙ୍କି ଆକାଶ ଓ ପୃଥିବୀ ଏକାକାର ହୋଇ ଯାଇଛନ୍ତି ଏବଂ ତା’ର ମନେହେଲା ସେଇ ଚକ୍ରବାଳରେ ତାକୁ ଯେପରି କେହି ଅପେକ୍ଷା କରିଛି; ଯଦିଓ ଏ ପର୍ଯ୍ୟନ୍ତ ସଙ୍ଗୀତା ତାକୁ ଚିହ୍ନି ନାହିଁ, ତଥାପି ସେ ତା’ର ଖୁବ୍ ଆପଣାର । ଏପରି କି ସ୍ଵାମୀ ଓ ତାଙ୍କ ପରିବାର ଏବଂ ପିତା ଓ ତାଙ୍କ ପରିବାରଠାରୁ ମଧ୍ୟ ଅଧିକ ଆପଣାର । ସେଇ ପ୍ରତିକ୍ଷିତଟିକୁ ଦେଖିବା ପାଇଁ ଆଈଶାଶୁଙ୍କର ସମସ୍ତ ବିରକ୍ତି ଶୁଣି ପାରୁଥିଲେ ବି ସେ ନିର୍ବାକ୍ ଓ ଚଳତ୍‍ଶକ୍ତିହୀନ ପରି କିଛି ସମୟ ଠିଆହୋଇ ରହିଲା ପାରପେଟ୍‍କୁ ଆଉଜି ଓ ଆଖି ଦୁଇଟି ତା’ର ବୁଜିହୋଇ ଆସିଲା । ତା’ର ମନେହେଲା, ବହୁ ବର୍ଷ ପୂର୍ବରୁ ସେ ଆନ୍ତରିକ ପ୍ରତିଶ୍ରୁତି ପାଇଥିବା ସମୟ ଯେପରି ଆଜି ତା’ ପାଖକୁ ଅଯାଚିତ ଭାବରେ ଆସିଚି ଏବଂ ଏ ସମୟ ଆଜି ଚାଲିଯିବା ପରେ ଆଉ କଦାପି ବି ଫେରିବ ନାହିଁ ।

 

କିନ୍ତୁ ଆଃ, ସଙ୍ଗୀତା ଆଜି ଏ ସମୟ କିମ୍ଵା ତା’ର କୌଣସି ବିଭାବକୁ ଉପଭୋଗ କରିପାରିବ ନାହିଁ । ଖୁବ୍ ଦୁଃଖରେ ଦୀର୍ଘଶାସ ପକାଇ ଧୀରେ ଧୀରେ ତଳକୁ ଓହ୍ଲାଇ ଆସିଲା ।

 

–ଚାଲି ଆସିଲୁ ତ ମା’, ଭଲ କଲୁ । ଆଜି ଗ୍ରହଣଟା କଟିଯିବା ପରେ ତୁ ସବୁଦିନେ ସାରାରାତି ବସିବସି ମନଇଚ୍ଛା ଜହ୍ନ ଦେଖିବୁ । ଶାଶୁ ଏତକ କହି ସ୍ନେହରେ ତା’ କପାଳ ଉପରେ ଥରେ ହାତ ବୁଲାଇ ଆଣିଲେ ।

 

ଆଈଶାଶୁ ମନ୍ତବ୍ୟ ଦେଲେ–ଗ୍ରହଣସପ୍ତାଟା ବଡ଼ ଖରାପ, ଗ୍ରହଣ ଦିନଠାରୁ ସାତ ଦିନ ଯାଏ ଚନ୍ଦ୍ରଙ୍କଠାରୁ ଦୋଷ କଟି ନ ଥାଏ, ତୁ ଆମର ଫଳନ୍ତି ଗଛ, କଷି ଧରିଚୁ । ନାଇଁ, ନାଇଁ, ଯଦି କେତୁର ଦୃଷ୍ଟି ତୋ’ ଉପରେ କିମ୍ବା ପେଟର ପିଲା ଉପରେ ପଡ଼ିଯାଏ...।

 

ରୀତିମତ ବିରକ୍ତ ହୋଇଉଠିଲା ସଙ୍ଗୀତା, ସମାଜର ଏଇସବୁ କୁସଂସ୍କାର ବିରୁଦ୍ଧରେ ମନ ତା’ର ବିଦ୍ରୋହ କରିଉଠିଲା, ହେଲେ ମୁହଁଖୋଲି କିଛି କହିପାରିଲା ନି ସେ ।

 

–ସଙ୍ଗୀତା, ଟିକିଏ ଶୁଣିଯାଅ । ସ୍ୱାମୀଙ୍କ ଡାକ ଶୁଣି ତାଙ୍କ ପାଖକୁ ଉଠିଗଲା ସଙ୍ଗୀତା । ସମରେନ୍ଦ୍ର ଖଟ ଉପରେ ଶୋଇ କ’ଣ ଗୋଟାଏ ପତ୍ରିକା ପଢ଼ୁଥିଲେ ।

 

–କ’ଣ ?

 

–ବସ ।

 

–କ’ଣ କୁହ ? ସଙ୍ଗୀତା ଖଟ ଉପରେ ସମରେନ୍ଦ୍ରର ଦେହକୁ ଲାଗି ବସିପଡ଼ି ପଚାରିଲା-

 

–ନା, ଏମିତି । ତମେ ଖାଲି ମୋ ପାଖରେ ବସ । ପତ୍ରିକାଟାକୁ ଗୋଟାଏ ହାତରେ ଧରି, ଟିକେ ହସିଦେଇ ସମରେନ୍ଦ୍ର କହିଲା ।

 

ସଙ୍ଗୀତା ବି ହସିଦେଲା ।

 

ଏଇ ତା’ର ସ୍ୱାମୀ ସମରେନ୍ଦ୍ର । ପାଞ୍ଚ ବର୍ଷ ହୋଇଗଲା ସେମାନଙ୍କ ବିବାହ । କ୍ଷୁଦ୍ର ଜୀବନର ପରିସର ଭିତରେ ପାଞ୍ଚ ବର୍ଷ କିଛି କମ୍ ନୁହେଁ । ପୁଣି ସେମାନଙ୍କ ପରିଚୟ ପାଞ୍ଚ ବର୍ଷଠାରୁ ଯଥେଷ୍ଟ ଅଧିକ, ବୋଧହୁଏ ଦଶ ବର୍ଷ ହେବ । ସେତେବେଳେ ସଙ୍ଗୀତାର ଦ୍ଵିତୀୟ ବାର୍ଷିକ ସ୍ନାତକ ଶ୍ରେଣୀ ଆଉ ସମରେନ୍ଦ୍ର ସ୍ନାତକୋତ୍ତର ଛାତ୍ର । ପାଠ ବ୍ୟତୀତ ଅଭିନୟରେ ସମରେନ୍ଦ୍ର ଥିଲା ଖୁବ୍ ବିଚକ୍ଷଣ; ଆଉ ସଙ୍ଗୀତା ଥିଲା ଅଭିନୟ ଓ ସଂଗୀତରେ । ସେଇ ବର୍ଷ କଲେଜ୍ ଡ୍ରାମାରେ ଦୁହେଁଯାକ ଅବତୀର୍ଣ୍ଣ ହୋଇଥିଲେ ନାୟକ ଓ ନାୟିକା ଭାବରେ, ଆଉ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ହିସାବରେ ଦୁହେଁଯାକ ସମ୍ମାନିତ ହୋଇଥିଲେ । ସେଇଦିନଠାରୁ ପରିଚୟ ଓ ସେଇ ପରିଚୟ ପରେ ଘନିଷ୍ଠତାରେ ପରିଣତ ହେବା ଫଳରେ ସେମାନେ ଆଜି ଅବତୀର୍ଣ୍ଣ ହୋଇଛନ୍ତି ସଂସାରର ବାସ୍ତବ ରଙ୍ଗମଞ୍ଚରେ ନାୟକ ଓ ନାୟିକା ହୋଇ ।

 

ସମରେନ୍ଦ୍ର କହନ୍ତି, ସେ କୁଆଡ଼େ ତା’ର ଅଭିନୟ କିମ୍ଵା ସଂଗୀତରେ ମୁଗ୍‍ଧ ହୋଇ ପ୍ରେମରେ ପଡ଼ି ନ ଥିଲେ ତା’ ନାଁ’ର ପ୍ରେମରେ ପଡ଼ିଥିଲେ । ‘ସଙ୍ଗୀତା’ ଏଇ ନାଁରେ କୁଆଡ଼େ ଅନେକ ଆକର୍ଷଣ ଅଛି । କୁମାରୀ ଜୀବନରେ ହୁଏତ ଏଇ ଆକର୍ଷଣକୁ ସେ କିଛିଟା ଅନୁଭବ କରିଥିଲା । କିନ୍ତୁ ଆଜି ? ଆଜି ପ୍ରକୃତରେ କ’ଣ ତା’ ନାଁରେ କିଛି ଆକର୍ଷଣ ଅଛି ? ବିବାହ ପରେ ସେ କିଛିଟା ଲମ୍ବା ଓ ମୋଟା ହୋଇଯାଇ କୁମାରୀ ଦିନର ଲାଳିତ୍ୟ ହରାଇ ବସିଛି । ସେଇ ଲିରିକ୍‍ର ଲାଳିତ୍ୟ ଆଜି ତା’ ଅଙ୍ଗର ଅଙ୍ଗନରେ ନାହିଁ । ପୁଣି ଶାଶୁଘରକୁ ଆସି ସେ ପୂରାପୂରି ଭୁଲିଯାଇଛି ସଂଗୀତ ଓ ଅଭିନୟକୁ । ଯେଉଁ ପରିବାରର ସଦସ୍ୟମାନଙ୍କ ଦୃଷ୍ଟିରେ ନାରୀ ଚାକିରି କରିବାଟା ଅନ୍ୟାୟ, ସେଇ ପରିବାରର ଗୃହବଧୂ ଗୀତ ଗାଇବା ଓ ଅଭିନୟ କରିବା ପାପ ନିଶ୍ଚୟ-। ତେଣୁ ଲାଳିତ୍ୟହୀନ ଦେହ ଓ ସ୍ଵରହୀନ କଣ୍ଠକୁ ନେଇ ତା’ ସଙ୍ଗୀତା ନାମର ସାର୍ଥକତା ଆଉ ରହିଲା କେଉଁଠି-?

 

ତେବେ ସମରେନ୍ଦ୍ର ତାକୁ ଭଲ ପା’ନ୍ତି ନା ତା ନାଁକୁ ଭଲ ପା’ନ୍ତି ? ପ୍ରକୃତରେ କ’ଣ ସମରେନ୍ଦ୍ର ତା’କୁ ଭଲ ପା’ନ୍ତି ? ସେଦିନ ପଚାରିବାରୁ ସମରେନ୍ଦ୍ର ଓଲଟି ପଚାରିଥିଲେ–ବିବାହ ପରେ ପ୍ରଣୟର ଆଉ ମୂଲ୍ୟ କ’ଣ ? ସେ ବୋଧେ ପ୍ରେମର ଛଳନା କରୁଛନ୍ତି । ଆଉ ସେ ନିଜେ ? ସେ କ’ଣ ସମରେନ୍ଦ୍ରଙ୍କୁ ଭଲ ପାଏ ?

 

କଲେଜ ଜୀବନରେ ଯେଉଁ ସମରେନ୍ଦ୍ରର ଅଭିନୟ ଦେଖି ସେ ତା’ ପ୍ରେମରେ ପଡ଼ିଥିଲା, ବିବାହ ପରେ ଦେଖୁଛି ସେଇ ଲୋକ ପ୍ରକୃତରେ ଏକ ଅଭିନେତା ନୁହେଁ, ବରଂ ଏକ ସୁଦକ୍ଷ ଖେଳାଳୀ । ଦକ୍ଷତାର ସହିତ ଜୀବନ ସାଙ୍ଗରେ ବାରମ୍ଵାର ଖେଳି ଅବଲୀଳାକ୍ରମେ ବିଜୟ ହାସଲ କରିବା ଯେପରି ତାଙ୍କର ଏକ ଜନ୍ମଗତ ଚରିତ୍ର । ସ୍ନାତକୋତ୍ତର ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ଉତ୍ତୀର୍ଣ୍ଣ ହେବା ପରେ, ବନ୍ଧୁ ଓ ପରିବାରବର୍ଗଙ୍କୁ ବିସ୍ମିତ କରି ଯେଉଁଦିନ ସେ ଲୋଭନୀୟ ଅଧ୍ୟାପକ ଚାକିରିକୁ ପ୍ରତ୍ୟାଖ୍ୟାନ କରି ବ୍ୟବସାୟ କରିବାକୁ ସ୍ଥିର କଲେ, ସେଦିନ ଅନେକ ତାଙ୍କୁ ପାଗଳ ବୋଲି ଭାବିଥିଲେ । ଏପରି କି ନିଜେ ସଙ୍ଗୀତା ମଧ୍ୟ ଦିନାକେତେ ତାଙ୍କୁ ଭୁଲିଯିବାକୁ ଚେଷ୍ଟା କରିଥିଲା ମନେ ମନେ । କିନ୍ତୁ ପରେ ତାଙ୍କର ପ୍ରଖର ବ୍ୟବସାୟିକ ବୁଦ୍ଧି ଓ ବ୍ୟବସାୟ କ୍ଷେତ୍ରରେ ଅଭାବିତ ଉନ୍ନତି ଦେଖି ତାଙ୍କୁ ବିଦ୍ରୁପ କରୁଥିବା ବ୍ୟକ୍ତିମାନେ ହଠାତ୍ ତାଙ୍କ ପ୍ରଶଂସାରେ ଶତମୁଖ ହୋଇପଡ଼ିଲେ । ଆଉ ସଙ୍ଗୀତା ତାଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥିଲା । କିନ୍ତୁ ଏକଦା କଳାକାର ଥିବା ସମରେନ୍ଦ୍ର ଆଜି ଖୁବ୍ ପରିମାଣରେ ବସ୍ତୁବାଦୀ ଆଉ ଏତେଟା ବସ୍ତୁବାଦୀ ହେବାକୁ ସଙ୍ଗୀତା ପସନ୍ଦ କରେନା । ସଙ୍ଗୀତାକୁ କିନ୍ତୁ ଭଲ ଲାଗେ ଏକ ଦକ୍ଷ ଖେଳାଳୀ ଭାବେ ସମରେନ୍ଦ୍ର ଜୀବନକୁ ଯେପରି ସାମ୍ନା କରେ ।

 

କାନ୍ଥ ଘଣ୍ଟା ରାତି ନ’ ଟାର ସୂଚନା ଦେଲା ।

 

–ଲାଇଟ୍ ଅପ୍ କରିଦେଇ ଆସ ସଙ୍ଗୀତା, ଗ୍ରହଣ ଲାଗିବା ପୂର୍ବରୁ ଆମେ ଯେମିତି ନିଦରେ ଶୋଇପଡ଼ିଥିବା । ସମରେନ୍ଦ୍ର କହିଲେ । ସ୍ୱାମୀଙ୍କ କଥା ମାନି ଲାଇଟ୍ ଅପ୍ କରିଦେବା ପରେ ସେ ଫେରିଆସିଲା ଖଟ ଉପରକୁ ।

 

ରାତି ଅନେକ ହେଲାଣି । କାନ୍ଥ ଘଣ୍ଟା ସାଢ଼େ ଏଗାରଟାର ସୂଚନା ଦେଉଛି । ଦୀର୍ଘ ଅଢ଼ାଇ ଘଣ୍ଟା ସମୟ ଅତିବାହିତ ହୋଇଯାଇଥିଲେ ବି ସଙ୍ଗୀତା ଆଦୌ ଶୋଇ ନାହିଁ । ଚେଷ୍ଟାକରି ମଧ୍ୟ ଶୋଇପାରି ନାହିଁ । କେବଳ ଭାବୁଛି । ସମରେନ୍ଦ୍ର କିନ୍ତୁ ସୁନ୍ଦର ଭାବରେ ଶୋଇପଡ଼ିଛନ୍ତି । ତାଙ୍କର ଗୋଟିଏ ହାତ ସଙ୍ଗୀତାର କଟୀ ବେଷ୍ଟନୀ କରିଛି । ସେ ଅନୁଭବ କରୁଛି ସ୍ଵାମୀଙ୍କ ଦେହର ଉଷ୍ମତା । ପୁରୁଷ ଦେହର ଉଷ୍ମତା ପ୍ରତି ନାରୀର କାମ୍ୟ । ପୁରୁଷ ପ୍ରତି ନାରୀ ଏକ ନିର୍ଭର ପ୍ରତିଶ୍ରୁତି-। ତା’ ଜୀବନର ଭାସମାନ ତରୀ ନିମନ୍ତେ ଏକ ନିଭରଯୋଗ୍ୟ ପୋତାଶ୍ରୟ । ପ୍ରତ୍ୟେକ ନାରୀ ତା’ ସ୍ୱାମୀଠାରୁ ଏଇ ପ୍ରତିଶ୍ରୁତି ହିଁ କାମନା କରେ । ଏଇ ତା’ର ଅତି ନିକଟରେ ଦେହକୁ ଦେହ ଲଗାଇ ଏକାନ୍ତ ଘନିଷ୍ଠ ଭାବରେ ଶୋଇଥିବା ବ୍ୟକ୍ତିଟି ହେଉଛନ୍ତି–ତା’ ର ସ୍ୱାମୀ ସମରେନ୍ଦ୍ର । ସେ କିନ୍ତୁ କ’ଣ ଚାହେ ସମରେନ୍ଦ୍ରଙ୍କ ନିକଟରୁ ? ନା, ସେ ନିଜେ ବି ଜାଣେନା । ସେ ଖାଲି ସହଜ ଭାବରେ ତାଙ୍କର ଅନୁଗମନ କରୁଛି ସିନା, କିନ୍ତୁ ତାଙ୍କୁ ତଥାପି ବି ବୁଝି ପାରିନି । ଅବଶ୍ୟ ସମରେନ୍ଦ୍ର ତା’ ମନରେ କେବେ ଦୁଃଖ ଦେଇ ନାହାନ୍ତି; ବରଂ ସ୍ୱାମୀର ସମସ୍ତ ଗୁଣ ନେଇ ତା’ର ଅଭାବଗୁଡ଼ିକୁ ପୁରଣ କରିଛନ୍ତି ବା କରିବାକୁ ଯତ୍‍ପରୋନାସ୍ତି ଚେଷ୍ଟା କରିଛନ୍ତି । କିନ୍ତୁ ମନରେ ଦୁଃଖ ନ ନ ଦେବା, ଅଭାବ ପୂର୍ଣ୍ଣ କରିବା ବା ପୂର୍ଣ୍ଣ କରିବାକୁ ଚେଷ୍ଟା କରିବା ଇତ୍ୟାଦି କ’ଣ ପ୍ରେମର ପରିଚାୟକ ? ବୋଧହୁଏ ବସ୍ତୁବାଦୀ ସମରେନ୍ଦ୍ର ତା’କୁ ଭଲପା’ନ୍ତି ନି । ସେମାନଙ୍କ ଭିତରେ ବୋଧହୁଏ ପ୍ରେମର ଗଭୀରତା ନାହିଁ । କିନ୍ତୁ ଏଇ ପ୍ରେମର ଗଭୀରତା ନାହିଁ । କିନ୍ତୁ ଏଇ ପ୍ରେମର ପ୍ରକୃତ ଅର୍ଥ କ’ଣ ? ପ୍ରେମ କ’ଣ ଘୃଣାର ଏକ ଅନ୍ୟରୂପ ? ଯାହାକୁ କି ସନ୍ନ୍ୟାସୀ ଘୃଣା କରି ଦୂରେଇ ଯାଇଥାଏ ଓ ସଂସାରୀ ଯାହାକୁ କେବଳ ଅନ୍ଧକାରରେ ପରସ୍ପରକୁ ନ ଦେଖି ସ୍ପର୍ଶଦ୍ୱାରା କେବଳ ଅନୁଭବ କରେ । ପୁଣି କ’ଣ ଏଇ ଅନ୍ଧକାରର ପ୍ରେମଠାରୁ ଆଉ ଏକ ଭିନ୍ନ ପ୍ରେମ ଅଛି-? ଯିଏ କି ଦିବସର ସୂର୍ଯ୍ୟାଲୋକରେ ଝୁରିଝୁରି କାନ୍ଦୁ ଥାଏ । କାରଣ ତାକୁ କେହି ବୁଝନ୍ତି ନି ବୋଲି-। ସେ ପ୍ରେମ, ସେ ଭଲ ପାଇବା କୁଆଡ଼େ ଦିବସର ସୂର୍ଯ୍ୟାଲୋକରେ, ଗଛଲତାଙ୍କ କମ୍ପନରେ ଓ ପଶୁପକ୍ଷୀଙ୍କ ସ୍ଵରରେ ପୁଣି ରାତ୍ରୀର ପବନ ଝଙ୍କାରରେ, ଚନ୍ଦ୍ରତାରାଙ୍କ ଶୀତଳ ଆଲୋକରେ, ପୁଣି ଫୁଲମାନଙ୍କ ବାସ୍ନାରେ ମଣିଷ ଜଣାଏ ତା’ର ଆକୁଳ ଆହ୍ୱାନ । କେଜାଣି ? ସେ କେବଳ ହିଁ ତା’ର ଆବଶ୍ୟକ । ତେବେ ବିବାହର ପାଞ୍ଚ ବର୍ଷ ପରେ ତା’ର ଗର୍ଭକୋଷରେ ଏଇ ଯେଉଁ ଭ୍ରୂଣର ସଞ୍ଚାର ହୋଇଛି, ସେଇଟା ସ୍ୱାମୀଙ୍କ ପ୍ରଣୟର ବଳିଷ୍ଠ ସ୍ଵାକ୍ଷର ନା ଆବଶ୍ୟକତାର ପରିମାଣ ? ସଙ୍ଗୀତା ଯେପରି ବର୍ତ୍ତମାନ ବୁଝୁଛି, ପ୍ରେମ ଓ ଆବଶ୍ୟକତା ଉଭୟ ଏକା କଥା । ସେ କର ଲେଉଟାଇଲା-

 

ଶୋଇବା ଘରର ଝରକା ଡେଇଁ କିଛି ପରିମାଣରେ ଜ୍ୟୋତ୍ସା ଘର ଭିତରକୁ ପଶିଆସିଛି-। ଆଃ, କି ଶୁଭ୍ର...କି ଉଜ୍ଜଳ...! ବାହାରକୁ ଯାଇ ଗ୍ରହଣ ଦେଖିବାକୁ ସିନା ନିଷେଧ କରାଯାଇଛି ତାକୁ, କିନ୍ତୁ ଝରକା ପାଖରେ ଠିଆହୋଇ ଆଜିର ଜ୍ୟୋତ୍ସ୍ନା ରାତିକୁ ଉପଭୋଗ କରିବାକୁ ତ କିଛି ମନା ନାହିଁ !

 

ସୁପ୍ତ ସ୍ଵାମୀଙ୍କର ଯେଉଁ ହାତଟି ତା’ର କଟିବେଷ୍ଟନ କରିଥିଲା, ତାକୁ ଆସ୍ତେ ଆସ୍ତେ ଆଡ଼େଇ ଦେଇ ଖୁବ ସନ୍ତର୍ପଣରେ ସେ ଉଠିଆସିଲା ଝରକା ପାଖକୁ । ଝରକାର ରେଲିଂକୁ ଦୁଇ ହାତରେ ଧରି ଅଳସ ଭଙ୍ଗୀରେ ଚାହିଁରହିଲା ଦୂରକୁ । ଏଇ ଝରକାରୁ ଆକାଶର ଜହ୍ନକୁ ଦେଖିହେଉନି; କିନ୍ତୁ ଉପଭୋଗ କରିହେଉଛି ଜ୍ୟୋସ୍ନାକୁ । ତାଙ୍କ ପାଚେରୀକଡ଼ର ନଡ଼ିଆ ଓ ଗୁଆ ଗଛର ପତ୍ରେ ପାତ୍ରେ ଜ୍ୟୋସ୍ନାର ଫିନିକ୍ ଫୁଟିଛି, ପୁଣି ଶିଥିଳହୋଇ ଫିଟିପଡ଼ିଛି ତାଙ୍କ ଲନ୍‍ର ପ୍ରତ୍ୟେକ ଫୁଲଗଛ ଉପରେ, ଠିକ୍ ଝରକା ସେପଟ ମଲ୍ଲୀଗଛରେ ଫୁଟିଥିବା ଅସଂଖ୍ୟ ଫୁଲଙ୍କ ଉପରେ ଜ୍ୟୋସ୍ନାର ଏକ ଘନିଷ୍ଠ ପ୍ରଲେପ ଏବଂ ପବନରେ ସେଇ ଫୁଲମାନଙ୍କର ବାସ୍ନା । ସଙ୍ଗୀତା ଦେଖିଲା, ଝରକା ଦେଇ ଯେଉଁ ଝଲ୍‍କାଏ ଜ୍ୟୋସ୍ନା ଘର ଭିତରକୁ ପଶି ଆସିଥିଲା ସେତକ ତାକୁ ହିଁ ଆଲିଙ୍ଗନ କରୁଛି । ସେ କିପରି ଅଭିଭୂତ ହୋଇପଡ଼ିଲା, ରେଲିଂ ଫାଙ୍କରେ ହାତ ଲଗାଇ ଜ୍ୟୋସ୍ନାକୁ ସ୍ପର୍ଶ କରିବାକୁ ଚେଷ୍ଟାକଲା, ଦୁଇ ହାତକୁ ଅଞ୍ଜଳି ବଦ୍ଧ କରି ତାକୁ ଧରି ରଖିବା ଚେଷ୍ଟା କଲା; କିନ୍ତୁ ପାରିଲିନି, ପାରୁନି, ତେବେ...ତେବେ ଏଇ ଜ୍ୟୋସ୍ନା ଜିନିଷଟା କ’ଣ ? ଏଇ କ’ଣ କେବଳ ଜହ୍ନର ଆଲୋକ ? ଏଇ ଯଦି କେବଳ ଜହ୍ନର ଆଲୋକ, ତେବେ ମଣିଷକୁ ଏମିତି ସମ୍ମୋହିତ କରିପାରୁଚି କେମିତି ? ତେବେ ଇଏ କ’ଣ ? ଝରକାକୁ ଆଉଜି ଠିଆ ହୋଇ ସେ ସେମିତି ଜ୍ୟୋସ୍ନାକୁ ଉପଭୋଗ କରୁଛି, ସେମିତି କ’ଣ ଉପଭୋଗ କରି ପାରୁଚନ୍ତି ତା’ର ସୁପ୍ତ ସ୍ଵାମୀ ? ସେମିତି କ’ଣ ଉପଭୋଗ କରି ପାରୁଥିବ ସାମାନ୍ୟ ଦୂରରେ ରହି ରହି ଲହରିଆ କାଶରେ କାଶି ଉଠୁଥିବା ସେଇ ବୃଦ୍ଧ ଶ୍ୱାସରୋଗୀ ? ସେମିତି କ’ଣ ଉପଭୋଗ କରି ପାରୁଥିବେ ଲନ୍ ମଝିର ସେଇ ସିମେଣ୍ଟ୍ ଚଟାଣ, ଗଛମାନେ ଏବଂ ଅକାରଣରେ ଭୁକୁଥିବା କୁକୁର ଇତ୍ୟାଦି ? ନା, ବୋଧହୁଏ ନୁହେଁ । ତେବେ ଜ୍ୟୋସ୍ନା କ’ଣ ମଣିଷର ମନର ଆଲୋକ ? ଏକଥା ବି ଠିକ ନୁହେଁ । ତେବେ ମଣିଷର ମନ ସହିତ ଏଇ ଜହ୍ନ ଆଲୋକର ଯେଉଁ ଘନିଷ୍ଠ ଯୋଗସୂତ୍ର ରହିଛି, ତାହା ହିଁ ବୋଧହୁଏ ଜ୍ୟୋସ୍ନା ।

 

ସଙ୍ଗୀତାର ମନେ ହେଲା, ଏଇ ଜ୍ୟୋସ୍ନାର ଯାଦୁକରୀ ମାୟାରେ ବୁଡ଼ି ରହିଥିବା ଆକାଶର ଜହ୍ନ ଯେମିତି ତାକୁ ହାତଠାରି ଡାକୁଛି । ସେ ଆହ୍ଵାନର ଉପେକ୍ଷା କରାଯାଇ ପାରେନା । ସେ ଆହ୍ଵାନକୁ ଉପେକ୍ଷା କରିବାର ଶକ୍ତି ସଙ୍ଗୀତାର ନାହିଁ । ତାକୁ କିନ୍ତୁ ବାହାରକୁ ଯିବାକୁ ମନା କରାଯାଇଛି । କାରଣ ଆଜି ଗ୍ରହଣ, ପରିବାରର ଅନ୍ୟମାନଙ୍କ ନିର୍ଦ୍ଦେଶକୁ ଉପେକ୍ଷା କରି ବାହାରକୁ ଯିବାର ସ୍ଵାଧୀନତା ତା’ର ନାହିଁ । କିନ୍ତୁ ସମଗ୍ର ଆକାଶ ଯେପରି ତାକୁ ବ୍ୟାକୁଳ ଭାବରେ ଆହ୍ଵାନ କରୁଛି, କିପରି ସେ ଏଡ଼ାଇ ଦେବ ଏଇ ଆହ୍ଵାନକୁ ? ନା, ସେ ତା’ର ସ୍ଵାଧୀନତା ଚାହେଁ । ସେ ସ୍ଵାଧୀନ ଭାବରେ ବଞ୍ଚିବାକୁ ଚହେ । ସେ ଚାହେଁ ମୁକ୍ତି । ସେ ମୁକ୍ତି ଚାହେଁ–ଏଇ ପରିବାର ଓ ସମାଜରୁ, ବର୍ତ୍ତମାନ ଓ ଭବିଷ୍ୟତରୁ, ପାପ ଓ ପୁଣ୍ୟରୁ । ସେ ନିଶ୍ଚୟ ବାହାରକୁ ଯିବ । ବାହାରକୁ ଯିବାକୁ ପ୍ରସ୍ତୁତ ହୋଇପଡ଼ିଲା ।

 

ସ୍ଵାମୀଙ୍କର ନିଶ୍ୱାସ ପ୍ରଶ୍ୱାସ ସ୍ପଷ୍ଟ ଶୁଣି ହେଉଛି । ସଙ୍ଗୀତା ଝରକା ପାଖରୁ ଆସ୍ତେ ଆସ୍ତେ ଆସି ଖଟ ପାଖରେ ଠିଆହେଲା, ସମରେନ୍ଦ୍ରଙ୍କୁ ସ୍ପର୍ଶ କଲା । ନା, ତାଙ୍କ ନିଦ ଭାଙ୍ଗିବାର କୌଣସି ସୂଚନା ନାହିଁ; ବର୍ତ୍ତମାନ ସେ ନିର୍ଭୟରେ ବାହାରକୁ ଯାଇପାରେ । ଧୀରେ ଧୀରେ କବାଟ ପାଖକୁ ଆସିଲା, ଟିକେ ଠିଆହେଲା, ପୁଣି ଖଟ ଉପରେ ନିଘୋଡ଼ ନିଦରେ ଶୋଇପଡ଼ିଥିବା ସ୍ଵାମୀଙ୍କୁ ଚାହିଁଲା ଓ ଅନୁଭବ କଲା ନିଜ ହୃଦୟର ଦ୍ରୁତ ସ୍ପନ୍ଦନ । ନିଶ୍ୱାସ ବନ୍ଦକରି ଦାନ୍ତଚିପି ଖୁବ୍ ସତର୍କତାର ସହିତ କବାଟ ଖୋଲି ବାହାରକୁ ଚାଲି ଆସିଲା ଓ ଠିକ୍ ପୂର୍ବରୁ ସତର୍କତା ରକ୍ଷାକରି କବାଟ ବନ୍ଦ କରିଦେଲା । ତା’ପରେ ପାଦ ଚିପି ଚିପି ପାହାଚ ପରେ ପାହାଚ ଡେଇଁ ଉଠିଆସିଲା ଏକଦମ୍ ଛାତ ଉପରକୁ ।

 

ସନ୍ଧ୍ୟାବେଳର ଜହ୍ନ ଆକାଶରେ ଅନେକ ଉପରକୁ ଉଠିଯାଇଥିଲା, ଜ୍ୟୋସ୍ନା ପୂର୍ବାପେକ୍ଷା ଅଧିକ ଉଜ୍ଜ୍ୱଳ ଓ ଗାଢ଼ତର ହୋଇଥିଲା, ତାରାମାନେ ଅଧିକ ଜୋରରେ ଜଳୁଥିଲେ ଓ ଖଣ୍ଡେ ଖଣ୍ଡେ ବାଦଲ ଏଣେ ତେଣେ ଭାସି ବୁଲୁଥିଲା । ରାତ୍ରିର ପରିଚିତ ଶବ୍ଦସବୁ ବ୍ୟତୀତ ଅନ୍ୟ କୌଣସି ଶବ୍ଦ ନ ଥିଲା । ଚାରିଆଡେ଼ ନିରବତାର ଥିଲା ଏକଛତ୍ର ରାଜତି । ପବନର ବେଗ ଖୁବ୍ ମୃଦୁ ଥିଲା ଏବଂ ସେଥିରେ ମିଶି ରହିଥିଲା ବହୁ ନାଁ । –ନଜଣା ପଲଙ୍କର ବାସ୍ନା । ସଙ୍ଗୀତା ପ୍ରଥମେ ପାରାପେଟରେ ପେଟ ଚାପି ଠିଆ ହୋଇ ରହିଲା ଆକାଶକୁ ଚାହିଁ ଓ କିଛି ସମୟ ପରେ ତଳକୁ ଅନାଇଁ ଅନୁଭବ କଲା–ଜ୍ୟୋସ୍ନାର ଆଲିଙ୍ଗନରେ ଅତନ୍ଦ୍ର ହୋଇଥିବା ଏ ପୃଥିବୀ ଯେପରି ଆକାଶ ନିକଟରେ ନିଜକୁ ଉନ୍ମୁକ୍ତ କରିଦେଇଛି ଏବଂ ଆକାଶରୁ ତାରାମାନେ ଗୋଟିଏ ପରେ ଗୋଟିଏ ପୃଥିବୀ ଉପରକୁ ଝାମ୍ପି ପଡ଼ୁଛନ୍ତି । ଜ୍ୟୋସ୍ନାର ସ୍ପର୍ଶ ସଙ୍ଗୀତାକୁ ମଧ୍ୟ ବିହ୍ଵଳ କରିଦେଲା ଏବଂ ଦୂରର ଚକ୍ରବାଳରେ ଅନେକ ସମୟ ଧରି ପ୍ରତୀକ୍ଷାରତ ସେଇ ବ୍ୟକ୍ତିଟି ସଙ୍ଗୀତାକୁ ଆଲିଙ୍ଗନ କରିବାକୁ ତା’ର ଦୁଇ ବ୍ୟଗ୍ରବାହୁ ବଢ଼ାଇ ଛୁଟି ଆସୁ ଆସୁ ଚନ୍ଦ୍ର ସହିତ ଏକାକାର ହୋଇଗଲା । ଆଉ ସଙ୍ଗୀତା ଆକାଶକୁ ସାମ୍ନାକରି ଛାତର ଶୀତଳ ଚଟାଣ ଉପରେ ପିଠିମାଡ଼ି ଶୋଇପଡ଼ିଲା । ଛାତ ଚଟାଣର ସମସ୍ତ ଶୀତଳତା ସତ୍ତ୍ୱେ, ପବନର ଶୀତଳ ମୃଦୁସ୍ପର୍ଶ ସତ୍ତ୍ୱେ ବି ଜ୍ୟୋତ୍ସ୍ନାର ସ୍ପର୍ଶ ତା’ ଦେହରେ ଜଗାଇଲା କାମନାର ଅନେକ ଉଷ୍ମତା, ଫୁଟାଇଲା ରୋମାଞ୍ଚର ବହୁ କଦମ୍ବ । ସେ ନିଜକୁ ଆସ୍ତେ ଆସ୍ତେ ଚନ୍ଦ୍ର ସାମ୍ନାରେ ଏକ ଅକୁଣ୍ଠିତା ପରି ଉନ୍ମୁକ୍ତ କରିଦେଲା ।

 

ପୃଥିବୀ କେତୁ ବିନ୍ଦୁକୁ ସ୍ପର୍ଶ କରିଥିଲା; କାରଣ ଆକାଶରେ ଗ୍ରହଣ ଆରମ୍ଭ ହୋଇଯାଇଥିଲା । ଏଇ ଗ୍ରହଣ ଦେଖିବ ବୋଲି ତ ସଙ୍ଗୀତା ଆଜି ସମସ୍ତ ନିଷେଧ ଓ ଅନୁରୋଧକୁ ଉପେକ୍ଷା କରି ଧାଇଁଆସିଛି ଏଠାକୁ ଆଉ ଏଠି ଛାତର ଶୀତଳ ଚଟାଣ ଉପରେ ପିଠିମାଡ଼ି ଶୋଇରହିଛି । ତା’ର ମନେ ହେଲା, ଚନ୍ଦ୍ର ଯେମିତି ସମଗ୍ର ଆକାଶ ସହିତ ଝୁଲି ଝୁଲି ମନ୍ଥର ଗତିରେ ତା’ ଉପରକୁ ଆସ୍ତେ ନଇଁ ଆସୁଛି । ସେ ବାଧାଦେଲା ନାହିଁ । କାହିଁକି ବା ଦିଅନ୍ତା ? ଏଇ ମୁହୂର୍ତ୍ତଟି ପାଇଁ ତ ସେ ବହୁପୂର୍ବରୁ ପ୍ରତିଶ୍ରୁତି ପାଇଥିଲା, ଆଉ ପ୍ରତୀକ୍ଷା ବି କରିଥିଲା ସେଇ ଅନନ୍ତକାଳରୁ ବହୁଜନ୍ମ ଓ ବହୁମୃତ୍ୟୁର ବ୍ୟବଧାନ ଅତିକ୍ରମ କରି । ପରିଶେଷରେ ଚନ୍ଦ୍ର ସମସ୍ତ ଆକାଶ ସହିତ ତା’ ଉପରକୁ ଝାମ୍ପି ପଡ଼ିଲା । ପରମ ତୃପ୍ତିରେ ସଙ୍ଗୀତା ଆଖି ବୁଜିଦେଲା ।

 

ଯେତେବେଳେ ସେ ଆଖି ଖୋଲିଲା, ସେତେବେଳେ କେତୁର କବଳରୁ ଚନ୍ଦ୍ର ମୁକ୍ତ ହେଉଥିଲା, ଆଉ ତା’ର ସାରା ଦେହ କମ୍ପୁଥିଲା ।

 

କେତୁର କବଳରୁ ଚନ୍ଦ୍ର ସମ୍ପୂର୍ଣ୍ଣଭାବରେ ମୁକ୍ତି ଲାଭ କଲା । ଚଟାଣ ଉପରୁ ଉଠି ଠିଆହେଲା ସଙ୍ଗୀତା । *ତଥାପି ବି ତାର ଦେହ କମ୍ପୁଥିଲା । ତା’ର ମନେହେଉଥିଲା–ସେ ଆଜି ଯେଉଁ ତୃପ୍ତି ପାଇଲା, ସେ ତୃପ୍ତି ପାଞ୍ଚ ବର୍ଷର ବୈବାହିକ ଜୀବନରେ ସୁଦ୍ଧା ପାଇ ନ ଥିଲା ।

 

ପ୍ରକୋଷ୍ଠକୁ ଫେରିଆସି ସଙ୍ଗୀତା ଦେଖିଲା, ସମରେନ୍ଦ୍ର ତଥାପି ବି ନିଶ୍ଚିନ୍ତରେ ଶୋଇ ରହିଚନ୍ତି । ସେ ଖୁବ୍ ସନ୍ତର୍ପଣରେ ଖଟଉପରକୁ ଉଠିଯାଇ ସ୍ଵାମୀଙ୍କ ପାଖରେ ଶୋଇପଡ଼ିଲା । ସମରେନ୍ଦ୍ର କର ଲେଉଟାଇଲେ ଓ ତାଙ୍କର ଗୋଟିଏ ହାତ ପୁଣି ସଙ୍ଗୀତାର କଟିବେଷ୍ଟନ କଲା । ସୁପ୍ତ ସ୍ଵାମୀଙ୍କର ଏଇ ଆଦର ପରେ ସଙ୍ଗୀତାର ହଠାତ୍ ମନେହେଲା, ସେ ଆଜି ବୈବାହିକ ଜୀବନର ପବିତ୍ର ପରମ୍ପରାକୁ ଭାଙ୍ଗିରୁଜି ସ୍ଵାମୀ ଓ ତାଙ୍କ ପରିବାର ସହ ବିଶ୍ଵାସଘାତକତା କରିଛି । ସେ କଇଁ କଇଁ ହୋଇ କାନ୍ଦି ଉଠିଲା ।

 

–ଆରେ, କ’ଣ ହେଲା ସଙ୍ଗୀତା, କାନ୍ଦୁଚ ଯେ ? ଉଠିପଡ଼ି ସମରେନ୍ଦ୍ର ପଚାରୁଥିଲେ ଆଶ୍ଚର୍ଯ୍ୟ ଚକିତ–କଣ୍ଠରେ ।

 

ସମରେନ୍ଦ୍ର ଛାତିରେ ମୁହଁ ଗୁଞ୍ଜି ସଙ୍ଗୀତା କହିଉଠିଲା–ନା, ନା, ସେ କିଛି ନୁହେଁ ।

 

* ବିଶ୍ଵବିଖ୍ୟାତ କଥାଶିଳ୍ପୀ ଆଲବର୍ଟ କାମ୍ୟୁଙ୍କର ବହୁ–ସମାଲୋଚିତ ଗଳ୍ପ “ଦି ଆଡ଼ଲଟରସ୍ ଓମ୍ୟାନ” ବା “ଅସତୀ ନାରୀ” ର କିଞ୍ଚିତ୍ ଛାୟାରେ ।

 

ସେ କେବଳ ମୋର ପରିଚିତା

 

–ତୋ ଗାତ–ଚୁଲୀ–ନିଆଁ–ପାଉଁଶ ପାଇଁ ଗରମ ପାଣି ରଖିଚୁଟି ?

–ଥଣ୍ଡା ହୋଇଗଲାଣି କିଲୋ !

ଅନେଇ ଦେଖିଲି, ଓଢ଼ଣା ଭିତରୁ ଦେଖାଯାଉଚି ଚେନାଏ ସ୍ମିତ ହସ । ଏଇ ହସ ମୋ’ର ପରିଚିତ, ମନେହୁଏ ମୋ’ର ଆପଣାର । ଏଇ ପଣତତଳେ ଆଖିରେ କଜ୍ଜ୍ଵଳ, ମଥାରେ ସିନ୍ଦୂର, ଚନ୍ଦନ ଲଗାଇ ଯିଏ ବସିଚି ନୂଆବୋହୂଟିଏ ହୋଇ, ସିଏ ମୋ’ର ପରିଚିତା । ମାସକ ତଳେ ସେ ଗୋଟିଏ ସାବଲୀଳା ଝରଣା ପରି ମନ ଆନନ୍ଦରେ ନାଚିକୁଦି ବୁଲୁଥିଲା ଆମରି ଏଇ ଗାଁ ଦାଣ୍ତରେ । ଅନାବିଳ ସିଏ । ଆବିଳତା ତା’ଠାରେ ଜମା ନାହିଁ । ଏ ରୁକ୍ଷ କୁତ୍ସିତ ଦୁନିଆର ମଳିନତା ମନକୁ ତା’ର ମୋଟେ ଛୁଇଁ ପାରିନି । ସେ ଏଇ ଗାଁର ଝିଅ, ସରଳା ପଲ୍ଲୀକୁମାରୀ ।

ମୁଁ ତାଙ୍କ ଘରକୁ ଯାଏ । ତା’ ବାପା ବୋଉ ମତେ ଦେଖିଲେ ଖୁସି ହୁଅନ୍ତି; କିନ୍ତୁ ସେ ଖୁସି ହୁଏ କି ନାହିଁ, ମୁଁ ଜାଣେ ନା । ତଥାପି ମୋ’ ସହିତ ସିଏ ହସି ହସି କଥାବାର୍ତ୍ତା କରେ । ମୁଁ ତା’ ସହିତ ଥଟ୍ଟା ଖେଳେ, ସେ ବି ମତେ ଥଟ୍ଟା କରେ । ନିହାତି ପିଲାଳିଆ ସ୍ଵଭାବ ନେଇ ମୁଁ ତା’ ମୁଣ୍ଡରେ ନାଗଅଇରୀ ଫୁଲ ଖୋସି ଦେଇ କହେ–ତତେ ମୁଁ ଏ ସୁନାଫୁଲ ଯଉତୁକ ଦେଲି । ସେ ହସି ହସି କହେ–ଏବେ ଦିଅ ହ’ନି ବା, ରଖି ଦେଇଥା’, ବୋହୂ ଆସିଲେ ଦବୁ ।

ମୁଁ ତରୁଣର ଦୁର୍ବଳତା ନେଇ ଭୋକିଲା ଆଖିରେ ତାକୁ ଅନାଇ ରହେ । ସିଏ ଯଦି ଆଖିର ଭାବକୁ ଭାଷା ପରି ପଡ଼ିପାରୁଥିବ, ତେବେ ବୋଧହୁଏ ସେ ମୋ’ ଆଖିରୁ ପଢ଼ୁଥିବ–ଆଉ କେହି ବୋହୂ ହୋଇ ଆସିବା ଦରକାର ନାହିଁ । ତୁ ଆ’ । ମୋ’ ମନର, ମୋ’ ହୃଦୟର, ମୋ’ ଦେହର ଅତି ନିକଟକୁ ତୁ ଚାଲିଆ । ଯଦି କେହି ବାଧା ଦିଏ, ତେବେ ସମସ୍ତ ବାଧା ଅତିକ୍ରମ କରି ତତେ ମୁଁ ନିଶ୍ଚୟ ଗ୍ରହଣ କରିବି ।

 

କିନ୍ତୁ ମୁଁ ସଂବିତ୍ ଫେରିଯାଇ ଦେଖେ, ସେ ସେହିପରି ନିର୍ଲିପ୍ତ ଭାବରେ ତଥାପି ବି ହସୁଥାଏ । ତା’ର ନିଷ୍ପାପ ଆଖିରେ ଆଖି ମିଳାଇ ମୁଁ ନିଜକୁ ଛୋଟ ମନେକରେ, ମନେ ମନେ ତାକୁ କ୍ଷମା ମାଗେ । କିନ୍ତୁ ସମୟେ ସମୟେ ମୋ’ ଭିତରେ ଥିବା ଇଭ୍ ଆଦମ୍ ଯୁଗର ସେଇ ପଶୁତ୍ଵ ଚିତ୍କାର କରିଉଠେ । ତା’ର ରୂପ–ମଦିରାକୁ ନିଃଶେଷ କରିଦେବା ସକାଶେ ସେ ସୟତାନ୍ ମତେ ପ୍ରବର୍ତ୍ତାଏ । କିନ୍ତୁ ତା’ର ସେଇ କମନୀୟ ମୁହଁଟିର ସରଳ ହସ ଖଣ୍ଡିକୁ ଦେଖି ସେ ସୟତାନ୍ ପଳାୟନ କରେ, ମୋ’ ମନର ସବୁ ଅନ୍ଧାର ଉଭେଇଯାଏ, ମୁଁ ପୁଣି ମୋ’ର ହଜିଲା ମନୁଷ୍ୟତ୍ଵ ଫେରିପାଏ । ମୁଁ ଫେରି ଆସିବାକୁ ଉଦ୍ୟତ ହୁଏ ।

 

–ଆଉ ଟିକେ ବସୁନୁ ରେ, କ’ଣ ତୋ’ର କାମ ଅଛି କି ? ସେ ମତେ ବସିବାକୁ ଅନୁରୋଧ କରେ ।

 

ଉଠୁ ଉଠୁ ମୁଁ କହେ–ନାଇଁ ଲୋ, ଯାଉଚି ତୋ’ ପାଇଁ ଗୋଟାଏ ବର ଠିକ୍ କରି ।

 

–ହେଇଟି ଶୋଧିବିଟି ତତେ ଏଇନେ ! ମଲା, ସେଇଟା ମୋ’ର କିଏ ବା ? ଗାତ–ଚୁଲୀ–ନିଆଁ–ପାଉଁଶ । ସେ କୃତ୍ରିମ କ୍ରୋଧ ପ୍ରକାଶ କରି ଉତ୍ତର ଦିଏ; କିନ୍ତୁ ମୁହଁରେ ତା’ର ଲାଗିରହିଥାଏ ସେଇ ଅପୂର୍ବ ସ୍ମିତ ହସଟି ।

 

ହିନ୍ଦୁ ନିୟମ ଅନୁଯାୟୀ ଭବିଷ୍ୟତରେ ସିଏ ତା’ର ଇହ ପର କାଳର ଏକମାତ୍ର ଦେବତା ହେବ, ଯାହାଙ୍କର ନାମ ଉଚ୍ଚାରଣ କରିବାକୁ ସୁଦ୍ଧା ନିଷେଧ କରାଯାଇଛି, ତାଙ୍କ ପ୍ରତି ତା’ର ଏ ବିଶେଷଣ ପ୍ରୟୋଗ ଦେଖି ହସି ହସି ମୁଁ ଉତ୍ତର ଦିଏ–

 

–ସିଏ ତୋ’ ପୁଅ–ଝିଅଙ୍କ ବାପା !

 

–ଉଁ, ମୁଁ ତ କାହା ପୁଅ–ଝୁଅ, ମୋ’ର ଆଉ ପୁଅ–ଝୁଅ କ’ଣ ହେବେ ବା ?

 

–ହଉ ମୁଁ ଯାଉଚି, ତୋ’ ପୁଅ–ଝିଅଙ୍କ ବାପାଙ୍କୁ ନେଇଆସେ । ମୁଁ କହେ ।

 

–ହଉ ଆଣେ, ଚରମ ପାଣି ରଖିଚି ଯେ... ! ସେ ଉତ୍ତର ଦିଏ ।

 

ତା’ର ଏଇ କଥାରେ ମୁଁ ହସେ । ସେ ହସେ । ଅନ୍ୟମାନେ ବି ହସନ୍ତି ।

 

–‘ମତେ ମୁଦି ଦବୁ ନାଇଁ କିରେ ?’ ଓଢ଼ଣା ଭିତରୁ ଶୁଭିଲା ଏ ହସବୋଳା କଥା ପଦକ-। କେତେ ମଧୂମୟ, କେତେ କମନୀୟ ! କି ସୁନ୍ଦର ଛନ୍ଦମୟ ସତେ ଏ ପଦକ ! ଆଉ ପଦେ ଶୁଣିବାକୁ ମନେକରି ମୁଁ ନିରୁତ୍ତର ରହିଲି ।

 

–‘କେଡ଼େ ଠକଟେ ରେ ତୁ ?’

 

ମୁଁ ହସିଲି ଧାରେ ସ୍ମିତ ହାସ୍ୟ । ମୋ’ର ମନେପଡ଼ିଗଲା–ମୁଁ କେମିତି ତାକୁ ଥଟ୍ଟାରେ ନାଗଅଇରୀ ଫୁଲ, ବାଉଁଶପତ୍ର ଦିଏ । ସିଏ ସେମିତି ଥରେ ଦଶ ପଇସିଆ ପିତ୍ତଳ ଭଙ୍ଗା କାନଫୁଲରୁ ଖଣ୍ଡେ ମତେ ଦେଇ କହିଥିଲା–ସୁନା ନେ’ ରେ ବୋହୂ ଆସିଲେ ଗହଣା ଗଢ଼ି ତା’କୁ ନାଇବାକୁ ଦବୁ ।

 

ସେଦିନ ସେଇ ଭଙ୍ଗା ପିତ୍ତଳ କାନଫୁଲ ଖଣ୍ଡିକ ତା’ ହାତରୁ ଝାମ୍ପି ନେଇ ମୁଁ କହିଥିଲି–ହଉ ନେଲି, କିନ୍ତୁ ତୁ ଯୋଉଦିନ ଏ ପଥର ପାହାଚରୁ ତଳକୁ ଓହ୍ଲାଇ ପର–ଘରୀ ହୋଇ ଯାଉଥିବୁ ସେଦିନ ଏଇ ସୁନାରେ ମୁଦି ଗଢ଼ି ମୁଁ ତତେ ଉପହାର ଦେବି ।

 

ସେଦିନ ସିଏ ଲାଜେଇ ପଡ଼ି, ମୋ ଉପରେ ନାକ ଫୁଲେଇ କରି କହିଥିଲା–ହେଃ, ଯା…

 

ସେ କଥା ଆଜି ମୋ’ର ମନେ ନାହିଁ, ତା’ର କିନ୍ତୁ ସ୍ପଷ୍ଟ ମନେ ଅଛି ।

 

କେତେ ସୁଖ ସ୍ମୃତିଜଡ଼ିତ ସେଇ ଅତୀତଟା ! କିନ୍ତୁ ବଡ଼ ନିଷ୍ଠୁର । ଏଡ଼େ ନିଷ୍ଠୁର ଯେ, ପଛକୁ ତ ଆଉ କେବେ ବି ଫେରି ଚାହେଁନି, ହେଲେ ମନ–ଗହନରେ ଯେଉଁ କ୍ଷତ କରିଯାଏ, ସେଇ କ୍ଷତର ଜ୍ଵାଳାରେ ମନୁଷ୍ୟ ତା’ର ସାରା ଜୀବନ ପାଇଁ ଅତିଷ୍ଠ ହୁଏ ।

 

ଆଖିରେ ମୋ’ର ଜମିଆସିଲା କେତେ ବିନ୍ଦୁ ଅଶ୍ରୁ । ମୁଁ ତାକୁ ସନ୍ତର୍ପଣରେ ପୋଛିଦେଲି-। ମୋ ଆଖିରେ ଅଶ୍ରୁ ! ଯିଏ ମୋର କେହି ନୁହେଁ, କିଛି ନୁହେଁ, କିଛି ବି ନଥିଲା, ତା’ ପାଇଁ କାହିଁକି ମୋ’ ଆଖିରେ ଲୁହ ? ମୁଁ ନିଜକୁ ନିଜେ ପ୍ରଶ୍ନ କରୁଥିଲି ।

 

ତଥାପି ମୋ’ ହୃଦୟ ଭିତରେ କିଏ ଯେମିତି କହି ଉଠିଲା–ତୋ ତରୁଣ ମାନସର କାଦୁଅ ପଥରେ ଯେଉଁସବୁ ତରୁଣୀଙ୍କର ପାଦ ଚିହ୍ନ ପଡ଼ିଚି, ସେଗୁଡ଼ିକ ଭିତରେ ଏଇ ଝିଅଟିର ପାଦଚିହ୍ନ ଅଧିକ । ସେମାନଙ୍କ ଅସ୍ପଷ୍ଟ ଚିତ୍ର ମଧ୍ୟରେ ଏଇ ଝିଅଟିର ଚିତ୍ର ଅଧିକ ସୁଷ୍ପଷ୍ଟ । ଦିନେ ତ ତା’କୁ ତୁ ତୋ’ର ଆପଣାର କରିବାକୁ ଚାହିଁଥିଲୁ । ସେଇ ତ ଦିନେ ତୋର ଧୂଳିଘରର ଘରଣୀ ଥିଲା । ଯଦି ତୁ ଚେଷ୍ଟା କରିଥା’ନ୍ତୁ, ତେବେ ତାକୁ ତୋ’ ଘରର ଘରଣୀ କରି ପାରିଥା’ନ୍ତୁ । ତୁ ତା’କୁ ଅବହେଳା କଲୁ ବୋଲି ସିନା, ନ ହେଲେ ସେ ତୋ’ର କ’ଣ ହୋଇପାରି ନ ଥାନ୍ତା ? କହ, ସେ ତୋ’ର କ’ଣ ହୋଇପାରି ନ ଥାନ୍ତା ? ଏଇ କେତେ ଘଣ୍ଟା ତଳେ ଗୋଟାଏ ବ୍ରାହ୍ମଣର ମୂଲ୍ୟହୀନ ନିରର୍ଥକ ମନ୍ତ୍ରପାଠରେ ସେ ଜଣେ ଅପରିଚିତ ଯୁବକର ଆପଣାର ହୋଇଗଲା ଅଥଚ ତୁ ତା’ର ଏତେ ପରିଚିତ ହୋଇ ବି ସେ ତୋର କିଛି ହୋଇ ପାରିଲାନି । ଏଣିକି ତା’ ବିଷୟରେ ଭାବିବା ହିଁ ତୋର ପାପ । ତୋ’ର ମୃତ୍ୟୁଖବର ପାଇଲେ ସେ ମନ ମାରି ବସିପାରେ; କିନ୍ତୁ ଆଖିରୁ ଲୁହ ଝରିବାର ସାହସ ତା’ର ନ ଥିବ । ଯଦି ଭୁଲରେ ଲୁହ ଗଡ଼ାଏ, ତେବେ ସମାଜ ତାକୁ ପ୍ରଶ୍ନ କରିବ–’ସେ ଟୋକାଟା ତୋ’ର କିଏ ?’ ପ୍ରେତପୁରେ ଥାଇ ତୁ କ’ଣ ଶାନ୍ତି ପାଇପାରିବୁ ?

 

ଭାବିଲି‚ ସତ କଥା‚ ମୁଁ ଆଉ ତା’ର କିଛି ନୁହେଁ । ଅତୀତରେ ମୁଁ ଅବଶ୍ୟ ତା’ର କିଛି ନ ଥିଲି । ମୁଁ ତା’ ନିକଟରେ ନିଜକୁ ପ୍ରକାଶ କରି ନ ଥିଲି କିମ୍ବା ତା’ର ବ୍ୟବହାରରୁ ସେ ଯେ ମୋ ନିକଟରେ ନିଜକୁ ଉତ୍ସର୍ଗ କରିଦେବାକୁ ଚାହୁଁଚି ତା’ ମଧ୍ୟ ଜାଣି ପାରି ନ ଥିଲି । ସେ ମତେ ଭଲ ପାଉଥିଲା କି ନ ପାଉଥିଲା ସେ କଥା ବି କହିପାରିବି ନାହିଁ । କିନ୍ତୁ ମୁଁ ଅସ୍ଵୀକାର କରିପାରିବି ନାହିଁ ଯେ ତାକୁ ମୁଁ ଭଲ ପାଉ ନ ଥିଲି ବୋଲି । ସେ ଭଲ ପାଇବା ବାସ୍ତବିକ୍ ଖୁବ୍ ନିଃସ୍ଵାର୍ଥପର ଥିଲା । କୌଣସି ପ୍ରତିଦାନ ମୁଁ ଆଶା କରି ନ ଥିଲି (ଯଦିଓ ସାମୟିକ ଦୈହିକ ଦୁର୍ବଳତା ଅନୁଭବ କରିଥିଲି ତଥାପି ତାକୁ ମୁଁ ଚାପି ଦେଉଥିଲି) ତେଣୁ ଦୁନିଆ ସାମ୍ନାରେ ତାକୁ ମୋ’ର ପ୍ରେମିକା ବୋଲି ପରିଚିତ କରାଇ ଅନ୍ୟମାନଙ୍କ ବ୍ୟଙ୍ଗ ବିଦ୍ରୂପର ଶିକାର କରାଇବାର ସପକ୍ଷରେ ମୁଁ ନ ଥିଲି ।

 

–ନଦେ’ ରେ ପଛେ ମୁଦି, କଥା ପଦେ ହେଲେ କହ । ସେ ମତେ କଥା କହିବାକୁ ଅନୁରୋଧ କରୁଥିଲା ।

 

–ତୋ’ ବର ଉପରକୁ ତ ଗରମ ପାଣି ପକାଇଲୁ, ସେଥି ଯୋଗୁଁ ମୁଁ ମୁଦି ଦେବି ନାହିଁ ।

 

–ହଉ ରଖି ଦେଇଥା‚ ବୋହୂ ଆସିଲେ ଦବୁ । ଦବୁରେ ତା’କୁ, ମୋ’ ରାଣଟି । ଚଉଠି ରାତିରେ ଯେତେବେଳେ ସେ ତୋ ପାଖକୁ ଆସିବ, ସେତେବେଳେ ତା’ର ବାଁ ହାତ ଅନାମିକାରେ ତୋ’ ନାଆଁ ଲେଖାଥିବା ମୁଦିଟିଏ ପିନ୍ଧାଇଦେବୁ । ଯଦି ପାରିବୁ ତେବେ କହିବୁ–ଆମ ଗାଁର ଗୋଟାଏ ନିଆଁ ଲାଗୀ.....ଆଉ କିଛି ସେ କହି ପାରିଲାନି । ମୋ’ର ଗୋଟାଏ ହାତ ଧରି କଇଁକଇଁ ହୋଇ କାନ୍ଦି ଉଠିଲା ।

 

କ’ଣ ଏଇ କାନ୍ଦର ମାନେ ହୋଇପାରେ ? ଏ କାନ୍ଦର ଅର୍ଥ କ’ଣ–ମୁଁ ପରା କୁଆଡ଼େ ଦିନେ ତୋ’ର ସବୁ ଥିଲି ? ଆଃ, କେମିତି ତୁ ମତେ ପର କରିପାରିଲୁ ? କାହିଁକି ଆପଣାର ନ କଲୁ-? ନା, ଏ ଅଶ୍ରୁର ଅର୍ଥ ଏହା ହୋଇପାରେ ନା । କାରଣ ଏପରି କୌଣସି ଦୁର୍ବଳତା ମୁଁ ତା’ ବ୍ୟବହାରରେ ପୂର୍ବେ ଲକ୍ଷ୍ୟ କରି ନାହିଁ । ଏ ଅଶ୍ରୁର ଅର୍ଥ ହେଉଛି–ତୁ ପୁଅ‚ ତେଣୁ ତୁ ଭାଗ୍ୟବାନ-। ଯେଉଁଠି ତୋର ଏନ୍ତୁଡ଼ି ଲାଗିଥିଲା ସେଇଠି ତୋର ଚିତା ଜଳିବ । କିନ୍ତୁ ମୁଁ ନିରିମାଖୀ ଝିଅଟିଏ-। ମୋ’ ଭାଗ୍ୟ ଛୋଟ । ଆଜି ଏଇଠି ମୋ’ର ଚିତା ଜଳି ସାରିଲାଣି । ପୁରୋହିତ ଯେତେବେଳେ ହୋମ କରୁଥିଲେ ସେଇ ହୋମର ନିଆଁରେ ଜଳିଯାଇଚି ମୋର ସବୁ ଅତୀତର ସମସ୍ତ ସୁଖ–ସ୍ମୃତି ସହିତ କୁମାରୀ ଜୀବନର ଶବଟା । ଆଜିଠାରୁ ମୁଁ ଘରର ଝିଅ ନୁହେଁ, ପରଘରର ବୋହୂ । ତୋ’ର ଖେଳସାଥୀ ନୁହେଁ, ଅନ୍ୟର ସ୍ତ୍ରୀ ।

 

ପ୍ରକୃତରେ ଅଶ୍ରୁରେ ତା’ର ଛଳନା ନ ଥିଲା, ଥିଲା ନିବେଦନ । ଅତି କରୁଣ ସ୍ଵରରେ ମହୁରୀ ବାଜିଉଠିଲା । ପୁଣିଥରେ ମୋ’ର ଦୁଇ ଆଖିରେ ଲୁହ ଭରିଗଲା । ମୁଁ ପୁଣି ଖୁବ୍ ସନ୍ତର୍ପଣରେ ତାକୁ ପୋଛିଦେଲି ।

 

ସେ ସେମିତି କାନ୍ଦୁଥାଏ । ମୁଁ ତା’ର ଲୁହ ପୋଛି ଦେଇ କହିଲି–ଥାଉ, ଆଉ କାନ୍ଦ ନା ! ମୁଁ ଯାଉଛି ।

 

ସେ ଓଢ଼ଣା ଭିତରୁ ମୁହଁ ଟେକି ଖୁବ୍ ବିକଳ ଭାବରେ ମତେ ଚାହିଁଲା । ଆଖି ଦୁଇଟା ତା’ର ଲୁହରେ ଛଳଛଳ ହେଉଥିଲା । କାହିଁ ନିତିଦିନିଆ ସ୍ମିତହସଟି ତ ତା’ ମୁହଁରେ ନାହିଁ ! ବିବାହ ବେଦୀର ହୋମନିଆଁ ତା’ କୁମାରୀ ଜୀବନର ଚିତାନିଆଁ ହୋଇଚି ।

 

ସେ ତା’ର ଦରଦଭରା କଣ୍ଠରେ କହିଲା–ଯିବୁ, ହଉ ଯା’ । ତତେ ଆଉ ବସିବା ପାଇଁ ଅଟକାଇବାକୁ ମୋର ସାହସ ନାହିଁ । ତତେ ଖାଲି ଗୋଟାଏ କଥା ମୋ’ର କହିବାକୁ ଅଛି, ରଖିବୁ ଯେମିତି । ରଖିବୁ ନା ?

 

–ନିଶ୍ଚୟ, କହ ।

 

–ମୋ ପାଇଁ ଚଞ୍ଚଳ ଭାଉଜବୋହୂଟିଏ ଆଣ । ମୋ’ର ଗୋଟିଏ ହାତ ଧରି ଖୁବ୍ ବିକଳ ଭାବରେ ସେ ଅନୁରୋଧ କଲା ।

 

ମୁଁ ତା’ର ଅଦୂରଦର୍ଶିତା ଲକ୍ଷ୍ୟ କରି ହସିଉଠିଲି । ପୁଅ ହିସାବରେ ଯେ ମୋ’ର ବିବାହ ବୟସ ତଥାପି ବି ହୋଇନି, ସେ କଥା ସିଏ ଜାଣେ ନାହିଁ । ସେଇମିତି ହସୁହସୁ କହିଲା–ତୁ ତ ଯାଉଛୁ, ସିଏ ଆସିଲେ ତୋ’ର କ’ଣ କରିବ ?

 

ଆଗରୁ ପ୍ରସ୍ତୁତ ଥିବା ପରି ସେ ଉତ୍ତର ଦେଲା–ମୁଁ ତ ଯାଉଚି, କାହା ସାଙ୍ଗରେ ତୁ ଆଉ ଖେଳିବୁ ? କାହା ଖୋସାରେ ନାଗଅଇରୀ ଫୁଲ, ବାଉଁଶପତ୍ର ଖୋସିବୁ ? ସେ ଆସିଲେ ଖେଳିବା ପାଇଁ ତୋ’ର ଗୋଟାଏ ସବୁଦିନିଆ ସାଙ୍ଗ ଜୁଟିବ ତ !

 

ଭାବିଲି, ତେବେ ସେ କ’ଣ ମତେ ଭଲ ପାଉଥିଲା ? ମତେ ନ କହି, ନ ଜଣାଇ ତା’ ମନେ ମନେ ନିଃସ୍ଵାର୍ଥପର ଭାବେ ଭଲ ପାଉଥିଲା ଯେମିତି ମୁଁ ତାକୁ ଭଲ ପାଉଚି । ଆମେ ଦୁହେଁ ତା’ହେଲେ ଏତେ ପରିଚିତ ହୋଇ ବି ହୃଦୟରେ ଅପରିଚିତ ହୋଇ ରହିଯାଇଥିଲୁ, ତେବେ ବହୁ ବିଳମ୍ଵରେ ଆଜି ପରିଚିତ ହେଲୁ ।

 

ତୁ ଟା ଏଡ଼େ ନିଷ୍ଠୁର ! ଆହୁରି ଦରଦୀ କଣ୍ଠରେ ସେ ମତେ କହିଲା । ଚମକି ପଡ଼ି ପଚାରିଲି–ମୁଁ ??

 

–ହଁ, ତୁ । ତା’ ହୋଇ ନ ଥିଲେ ମୁଁ ଆଜି ଅନ୍ୟ କେଉଁଠିକି ଯାଉ ନ ଥା’ନ୍ତି । ନିହାତି ନିର୍ବୋଧଙ୍କ ପରି ମୁଁ ହଠାତ୍ କହିଉଠିଲି–କାହିଁ, ତୁ ମତେ ଏକଥା ଆଗରୁ କହି ନ ଥିଲୁ ତ ?

 

କରୁଣ ମୁହଁରେ ତା’ର ମ୍ଳାନ ହସଟିଏ ଫୁଟାଇ କହିଲା–ଆଉ ତତେ କେମିତି କହିଥାନ୍ତିରେ, କେମିତି ଜଣେଇ ଥା’ନ୍ତି ? ତୁ କ’ଣ ଜାଣି ପାରୁ ନ ଥିଲୁ ? ନିର୍ଲଜ୍ଜୀଙ୍କ ପରି କହିଥିଲେ କ’ଣ ଭଲ ହୋଇଥାନ୍ତା ଆଉ ?

 

ସ୍ତବ୍‍ଧ ହୋଇଗଲି ମୁଁ । ପ୍ରକୃତରେ ଅଶିକ୍ଷିତା ସରଳା ପଲ୍ଲୀ ବାଳିକା ତତେ ଆଉ କେମିତି କହିଥା’ନ୍ତା, କେମିତି ଜଣେଇଥା’ନ୍ତା ! ଯେତେବେଳେ ମୁଁ ତା’ ଖୋସାରେ ଫୁଲ ଖୋସିଦେଇଛି ସେତେବେଳେ ସେ ଆଗ୍ରହରେ ମୁଣ୍ଡ ଦେଖାଇଛି । ମୁଁ ହସିଲେ ସେ ମୋ’ ସହିତ ପ୍ରାଣ ଖୋଲି ହସିଛି । ସରଳା ପଲ୍ଲୀ କୁମାରୀ ସେ, ଆଉ କ’ଣ ଲାଜ ସରମ ଛାଡ଼ି କୌଣସି ଅତ୍ୟାଧୁନିକାଙ୍କ ପରି କହିଥା’ନ୍ତା–ଆଇ ଲଭ୍ ଇଉ ଆଜ୍ ମାଇଁ ଲାଇଫ୍ ଟିଲ୍ ମାଇଁ ଲାଷ୍ଟ ବ୍ରେଥ୍‍ ।

 

–ମୁଁ ଶେଷରେ ଜାଣିଲି ଯେ, ତୁ ମତେ ପ୍ରକୃତରେ ଭଲ ପାଉ ନ ଥିଲୁ । ଏତେ ଦିନ ଧରି ଖାଲି ଛଳନା କରୁଥିଲୁ । ଅଭିମାନରେ ସେ ଫାଟି ପଡ଼ୁଥିଲା ।

 

ତୁ ମତେ ଭୁଲ୍ ବୁଝନା । ମୋ’ ମନ–ପ୍ରାଣ ଦେଇ... ।

 

ସେ ମତେ କଥା କୁହାଇ ଦେଲାନି, ଚିତ୍କାର କରି କହିଉଠିଲା–ମିଛ, ମିଛ ! ତୁ ନିଷ୍ଠୁର ।

 

ସେ ସଂଜ୍ଞା ହରାଇ ତଳେ ଲୋଟି ପଡ଼ିଲା ।

 

ତା’ର ସବାରୀ ଗାଁ ଦାଣ୍ଡ ପାରି ହୋଇ ଚାଲିଯାଉଥିଲା । ଗାଁ ମୁଣ୍ଡ ଗୋହିରୀରେ ମୁଁ ଠିଆ ହୋଇଥିଲି ଉଦ୍‍ଭ୍ରାନ୍ତଙ୍କ ଭଳି । ମୋ’ ମନ ଥିଲା ତାରି ପାଖରେ । ଯିଏ ମୋର ସବୁ ହୋଇ ବି କିଛି ହୋଇପାରିଲା ନାହିଁ, ପରିଚିତା ହୋଇ ବି ଚିରଦିନ ପାଇଁ ଅପରିଚିତା ରହିଗଲା, ତାରି ପାଖରେ ମନ ମୋର ହଜି ଯାଇଥିଲା । ଦୁହେଁ ଦୁହିଁଙ୍କୁ ଏତେ ଭଲ ପାଇ ବି ନିଜର କରିପାରିଲୁ ନାହିଁ ସିନା କେଉଁ ଅପଦେବତାର ଅଭିଶାପରେ, କିନ୍ତୁ ଦେବତାଙ୍କ ନିକଟରେ ମିନତି କରୁଥିଲି, ଆଉ ଆଜି ବି କରୁଚି–ହେ ଭଗବାନ, ଯଦି ତମେ ପ୍ରକୃତରେ ଅଛ, ତେବେ ତା’କୁ ଭଲରେ ରଖ ତା ଦାମ୍ପତ୍ୟଜୀବନ ସୁଖମୟ କର, ମଧୁମୟ କର; ଚଲାପଥ ତା’ର ପୁଷ୍ପିତ କର । ମୁଁ ପଛେ ମରିହଜି ଯାଏ ।

 

ମୋ’ରି କବରକୁ ଭିତ୍ତିଭୂମି କରି ଗଢ଼ିଉଠୁ ତା’ର ନୂଆ ସଂସାର ।

 

ଗଉଡ଼ଙ୍କ ଡାକ ଦୂରରୁ ଦୂରତର ହେଉଥିଲା ।

★★★

 

ରୋମନ୍ଥନ

 

ଅନେକ...ଅନେକ ଦିନ ପରେ ଗାଁକୁ ଫେରୁଛନ୍ତି ସୁରଜିତ୍‍ବାବୁ । କେଉଁ ଏକ ନିର୍ବୋଧ କୈଶୋରରେ ହାଇସ୍କୁଲ ପାଠ୍ୟକ୍ରମ ଶେଷ କରି ସେଇ ଯେ ସହରକୁ ଯାଇଥିଲେ ଆଉ ପ୍ରାୟ ଫେରି ନ ଥିଲେ । କଲେଜ୍, କଲେଜ ଜୀବନ ପରେ ଚାକିରି ଗ୍ରହଣ କରି ସେ ସବୁଦିନ ପାଇଁ ସହରର ସ୍ଥାୟୀ ବାସିନ୍ଦା ହୋଇ ଯାଇଥିଲେ । ଅବଶ୍ୟ ଏହା ଭିତରେ ଯେ ସେ ଗାଁକୁ ଆସି ନ ଥିଲେ ଏପରି ନୁହେଁ, କିନ୍ତୁ ସେପରି ଆସିବା ଖୁବ୍ କ୍ଵଚିତ୍ । ବିଶେଷ ଦରକାର ନ ପଡ଼ିଲେ ସେ ପ୍ରାୟ ଆସନ୍ତି ନାହିଁ । କାରଣ ତାଙ୍କ ଆସିବା ପାଇଁ ଗାଁରେ କୌଣସି ଆକର୍ଷଣ ନ ଥିଲା । ହାଇସ୍କୁଲ ଜୀବନରେ ମାତୃ–ବିୟୋଗ ଘଟିଥିଲା ଆଉ କଲେଜ ଜୀବନ ଆରମ୍ଭର ମାତ୍ର ବର୍ଷକ ପରେ ପିତୃବିୟୋଗ ଘଟିବା ଫଳରେ ସେ ସମ୍ପୂର୍ଣ୍ଣ ଅନାଥ ହୋଇ ପଡ଼ିଥିଲେ । ସେତିକିବେଳେ ଯଦି ତାଙ୍କର ନିଃସନ୍ତାନ ତଥା ବିପତ୍ନୀକ ମାମୁଁ ବିପ୍ରଚରଣ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସି ନ ଥାନ୍ତେ, ତେବେ ହୁଏତ ତାଙ୍କ ଜୀବନର ଗତିପଥ ସମ୍ପୂର୍ଣ୍ଣ ବଦଳି ଯାଇଥାନ୍ତା । କିନ୍ତୁ ସୁରଜିତ୍‍ଙ୍କ ଭାଗ୍ୟର ସେଇ ଚରମ ବିପର୍ଯ୍ୟୟ କାଳରେ ମାମୁଁଙ୍କର ଗଭୀର ଆତ୍ମତ୍ୟାଗ ଫଳରେ ସେ ମଣିଷ ହୋଇପାରିଥିଲେ ।

 

ମାମୁ ବିପ୍ରଚରଣ ହିଁ ବହନ କରଥିଲେ ସୁରଜିତ୍‍ଙ୍କର ଓ ସୁରଜିତ୍‍ଙ୍କ ସ୍ଥାବର ଓ ଅସ୍ଥାବର ସମସ୍ତ ସମ୍ପତ୍ତିର ଦାୟିତ୍ଵ । ବାପା ବଞ୍ଚିଥିବା ସମୟରେ ସେ ଯେପରି ନିୟମିତ ଟଙ୍କା ପାଉଥିଲେ ତା’ର କୌଣସି ପରିବର୍ତ୍ତନ ତ ନ ଥିଲା, ଅଧିକନ୍ତୁ ସେଇ ପିତୃମାତୃହୀନ ତରୁଣଟିକୁ ଦେଖିବା ପାଇଁ ଦରଦୀ ବିପ୍ରଚରଣ ପ୍ରତି ପକ୍ଷରେ ଥରେ ତାଙ୍କ ପାଖକୁ ଯାଉଥିଲେ । ମାମୁଁଙ୍କର ସ୍ନେହ–ମମତା ପାଇ ସେ ମୃତ ବାପାବୋଉଙ୍କୁ ପ୍ରାୟ ଭୁଲି ଯାଇଥିଲେ ।

 

କିନ୍ତୁ ସୁରଜିତ୍‍ଙ୍କର ସେଇ ଘରଡ଼ିହ ଜାଗାଟି ଉପରେ ବିପ୍ରଚରଣଙ୍କର ପ୍ରଚଣ୍ଡ ଅଶ୍ରଦ୍ଧା ଜନ୍ମିଥିଲା । ସୁରଜିତ୍‍ଙ୍କ ପିତୃବିୟୋଗ ପରେ ଏକଦା ରାତ୍ରିରେ ସରଳ ବିପ୍ରଚରଣ କାଳେ ସ୍ୱପ୍ନ ଦେଖିଥିଲେ ଯେ ସେଇ ଘରଡ଼ିହଟା ହିଁ ସବୁ ଅନର୍ଥର ମୂଳ । ସେଇ ଡିହ ଉପରେ କୁଆଡ଼େ ଆଶ୍ରୟ ନେଇଛି କେଉଁ ଏକ ଅତୃପ୍ତା ଅପୂଜା ଦେବୀ । ସେଇ ଅତୃପ୍ତା ଦେବୀର ବିଷ ଦୃଷ୍ଟି ହିଁ ନିଃଶେଷ କରିଛି ବିପ୍ରଚରଣଙ୍କ ଭଗ୍ନୀ ଓ ଭଗ୍ନୀପତି ଉଭୟଙ୍କୁ ଆଉ ପରିଶେଷରେ ଏକମାତ୍ର ସନ୍ତାନ ସୁରଜିତ୍‍ଙ୍କୁ ସୁଦ୍ଧା ଶେଷ କରିବାକୁ ଯେପରି ଉଦ୍ୟତ ହେଉଛି । ଏପରି ଏକ ସ୍ଵପ୍ନ ଦେଖିବା ପରେ ଚିତ୍କାର କରି ଉଠି ବସିଥିଲେ ବିପ୍ରଚରଣ । ଦେହରୁ ତାଙ୍କର ଝାଳ ଫିଟି ପଡ଼ିଥିଲା ।

 

ପରଦିନ ପ୍ରଭାତରେ ବିପ୍ରଚରଣ ସୁରଜିତ୍‍ଙ୍କ ନିକଟକୁ ଛୁଟି ଯାଇଥିଲେ ଘରଗୁଡ଼ିକ ଭାଙ୍ଗି ଦେଇ କୌଣସି ଦେବମନ୍ଦିର ନିର୍ମାଣ କରିବାକୁ ସେଇ ଡିହଟିକୁ ଦାନ କରିବା ସଂକ୍ରାନ୍ତରେ ପ୍ରସ୍ତାବ ନେଇ ।

 

ମାମୁଁଙ୍କର ପ୍ରସ୍ତାବ ଶୁଣି ପ୍ରଥମେ ସ୍ତବ୍‍ଧ ହୋଇଯାଇଥିଲେ ସୁରଜିତ୍ ।

 

କିନ୍ତୁ ପରେ ମନସ୍ତତ୍ତ୍ୱ ଅନର୍ସର ଛାତ୍ର ସୁରଜିତ୍ ମାମୁଁଙ୍କର ତତ୍କାଳୀନ ମାନସିକ ଅବସ୍ଥାର ବିଶ୍ଳେଷଣ କରି ବୁଝି ପାରିଥିଲେ ସେପରି ସ୍ୱପ୍ନ ଦେଖିବାର ଅର୍ଥ । ବିପ୍ରଚରଣ ନିଜେ ଥିଲେ ସୁରଜିତ୍‍ଙ୍କ ପରି ଏକ ନଷ୍ଟ–ନୀଡ଼ର ପକ୍ଷୀ । ମାତ୍ର ଦୁଇ ମାସ ଜୀବିତ ରହିବା ପରେ ତାଙ୍କର ଦୁଇଟି ସନ୍ତାନ ନଷ୍ଟ ହୋଇଥିଲେ ଓ ତୃତୀୟ ସନ୍ତାନକୁ ଭୂମିଷ୍ଠ କରି ନ ପାରି ପ୍ରସବବେଦନାରେ ଅତିଷ୍ଠ ହୋଇ ସ୍ତ୍ରୀ ତାଙ୍କର ପ୍ରାଣ ତ୍ୟାଗ କରିଥିଲେ । ତା’ପରେ ପୁଣି ମାତ୍ର ତିନି ବର୍ଷର ବ୍ୟବଧାନରେ ସୁରଜିତ୍‍ଙ୍କ ପିତାମାତା ସଂସାରରୁ ବିଦାୟ ନେଇଗଲେ । ଏସବୁ ଥିଲା ବିପ୍ରଚରଣଙ୍କ ପାଇଁ ସାତ ବର୍ଷର ଘଟଣା । ତେଣୁ ମାନସିକ ସ୍ତରରେ ଏତେଗୁଡ଼ାଏ ଆଘାତ ସହିବା ପରେ ଏ ପ୍ରକାର ପ୍ରଶ୍ନ ସରଳ ବିପ୍ରଚରଣଙ୍କୁ ଯଥେଷ୍ଟ ଶଙ୍କାକୁଳ କରିଥିଲା ।

 

ସୁରଜିତ୍ କିନ୍ତୁ ମାମୁଁଙ୍କୁ ଅନୁନୟ କରିଥିଲେ ଘରଦ୍ୱାରା ନ ଭାଙ୍ଗିବାକୁ । ବିପ୍ରଚରଣ ଭଣଜାର ଅନୁରୋଧ ରକ୍ଷା କରିଥିଲେ ମଧ୍ୟ ସେ ଖଞ୍ଜାରେ ନ ରହି ନିଜ ଚଳିବା ପାଇଁ ତିଆରି କରିଥିଲେ ଦୁଇଟି ଛୋଟ ବଖରା ଏବଂ ସେଇ ଅତୃପ୍ତ ଦେବୀର ବିଷ ଦୃଷ୍ଟିରୁ ସୁରଜିତ୍‍ଙ୍କୁ ରକ୍ଷା କରିବା ପାଇଁ ତାଙ୍କର ଗାଁକୁ ଆସିବା ପ୍ରାୟ ବନ୍ଦ କରି ଦେଇଥିଲେ । ଏପରି କି ସେ ସୁରଜିତ୍‍ଙ୍କ ବିବାହ ମଧ୍ୟ ସହରରେ ସାରିଥିଲେ ।

 

ମନସ୍ତତ୍ତ୍ଵର ସ୍ନାତକୋତ୍ତର ପାଠ୍ୟକ୍ରମ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ କୃତିତ୍ୱର ସହ ଶେଷ କରିବା ପରେ ଅଧ୍ୟାପକ ଭାବରେ ସୁରଜିତ୍ ସେଇ ସହରରେ ହିଁ ରହିଯାଇଥିଲେ ଏବଂ ମାମୁଁଙ୍କ ମୃତ୍ୟୁ ପରେ ଜମିବାଡ଼ି ସଂକ୍ରାନ୍ତରେ ବର୍ଷକୁ ଥରେ ଦୁଇ ତିନି ଦିନ ପାଇଁ ଗୁମାସ୍ତାଙ୍କୁ ଉପଦେଶ ଦେବାକୁ ଗାଁକୁ ଆସିବା ବ୍ୟତୀତ ସେ ପ୍ରାୟ ଆସୁ ନ ଥିଲେ ।

 

କିନ୍ତୁ ଏଇ କିଛି ଦିନ ହେଲା ଅବସର ଗ୍ରହଣ କଲା ପରେ ଗାଁ ପ୍ରତି ତାଙ୍କର ଖୁବ୍ ଗୋଟାଏ ମମତା ଆସିଛି । ବହୁଥର ସହର ଛାଡ଼ି ଗାଁରେ ଆସି ରହିବାକୁ ଇଚ୍ଛା କରି ମଧ୍ୟ ପୁତ୍ର, ପୁତ୍ରବଧୂ ଏବଂ ସ୍ତ୍ରୀଙ୍କର ଅନିଚ୍ଛା ଏଡ଼ାଇ ସେ ଆସି ପାରୁ ନ ଥିଲେ । କିନ୍ତୁ ଗତ ତିନି ଦିନ ତଳେ ହଠାତ୍ ପିଲାଙ୍କ ପରି ଜିଦ୍ ଧରି ବସିଲେ ସେ ନିଶ୍ଚୟ ଘରକୁ ଫେରିବେ ଏବଂ ଶେଷରେ ସୁରଜିତ୍‍ଙ୍କ ଜିଦ୍ ହିଁ ବଜାୟ ରହିଲା । ଶ୍ଵଶୁରଙ୍କ ଯତ୍ନ ନେବାକୁ ସାଙ୍ଗରେ ଆସିଲେ ପୁତ୍ରବଧୂ କାମିନୀ ତାଙ୍କ ଛୋଟ ପୁଅ ବୁନୁ ସହିତ ।

 

ସେଦିନ ସନ୍ଧ୍ୟାରେ ଗାଁ ଭୂଇଁରେ ପାଦ ଦେଇ କିପରି ଉଲ୍ଲସି ଉଠିଲେ ସୁରଜିତ୍ ।

 

ଗାଁ...ଏଇ ତାଙ୍କରି ଗାଁ...ଜନ୍ମମାଟି । ଇଆରି ଅଙ୍କାବଙ୍କା ରାସ୍ତାରେ ନାଚି କୁଦି, ଇଆରି ଆମ୍ବପୁଲାଙ୍ଗ ତୋଟାରେ ଖେଳିବୁଲି ତାଙ୍କ ଶୈଶବ ଓ କୈଶୋର କଟିଛି । ଏଇ ଶ୍ମଶାନର ଜୁଇରେ ଜଳିଯାଇଛି ତାଙ୍କ ସ୍ନେହମୟୀ ବୋଉ, ପୂଜ୍ୟ ବାପା ଆଉ ସମ୍ବେଦନଶୀଳ ମାମୁଁଙ୍କର ଦେହ । ଏଇ ଗାଁର ନଦୀନାଳ...ତୋଟାମାଳ...ଫୁଲଫଳ ଆଃ...ନିଜ ଦେହର କେଉଁ ଏକ ଗଭୀର କ୍ଷତର ସୁତୀବ୍ର ଯନ୍ତ୍ରଣା ପରି ଏକାନ୍ତ ନିଜସ୍ଵ !

 

ଟିକିଏ ଧୂଳି ଉଠାଇଆଣି ମୁଣ୍ଡରେ ମାରିଲେ ସୁରଜିତ୍ ।

 

ପରଦିନ ପ୍ରଭାତରେ ଜଳଯୋଗର ଠିକ୍ ପରେ ପରେ ତାଙ୍କ ସହ ସାକ୍ଷାତ କରିବାକୁ ଆସି ପହଞ୍ଚିଗଲେ ଦୁଇ ଜଣ ବାଲ୍ୟବନ୍ଧୁ–ଗୋପୀନାଥ ଓ ହାଡ଼ିବନ୍ଧୁ । ବହୁଦିନ ଧରି ସାକ୍ଷାତ ହୋଇ ନ ଥିଲା ଏମାନଙ୍କ ସହ । ସହରୀ ଜୀବନର ଅହମିକା ଓ ଉଚ୍ଚଶିକ୍ଷାର ଗର୍ବ ନେଇ ବେଶ୍ କିଛିଦିନ ଏମାନଙ୍କଠାରୁ ସେ ଦୂରେଇ ଯାଇଥିଲେ । ଯେତେବେଳେ ବା ସାକ୍ଷାତ୍ ହୋଇଛି ସେତେବେଳେ ସେ ଖୁବ୍ ମାପିଚୁପି କଥା କହିଛନ୍ତି; କିପରି ଗର୍ବ ଓ ଅହମିକାର ମିଥ୍ୟା ଆଭିଜାତ୍ୟ ନେଇ ଏମାନଙ୍କ ଉପରେ କର୍ତ୍ତୃତ୍ୱ ଜାହିର୍ କରିବାକୁ ଚେଷ୍ଟା ମଧ୍ୟ କରିଛନ୍ତି । କିନ୍ତୁ ଆଜି ଅତୀତର ସେଇ ମିଥ୍ୟା ବାଲିବନ୍ତର ସିଂହାସନ ଉପରେ ନକଲି ନବାବ ସାଜିବାକୁ ତାଙ୍କର ଆଉ ଇଚ୍ଛା ନାହିଁ । ବନ୍ଧୁ ଦୁଇ ଜଣଙ୍କ ସହ ମନଖୋଲି ଗପିଲେ ପ୍ରଥମେ । ତା’ପରେ ସେମାନଙ୍କ ସହିତ ବାହାରିଲେ ଗାଁ ବୁଲି ।

 

ଆଃ, ଏଇ ସେଇ ଦାଣ୍ଡ, ଯାହା ଉପରେ ସେ ତାଙ୍କର ଉଲଗ୍ନ ଶୈଶବରେ ବହୁବାର ଧୂଳିଘର ତୋଳିଛନ୍ତି । ଏଇ ସେଇ ଆମ୍ବ–ପୁଲଙ୍ଗ–ପଣସର ତୋଟା, ଯାହାର ଗଛଡ଼ାଳମାନଙ୍କରେ ସେ ବହୁବାର ଡାଳିମାଙ୍କୁଡ଼ି ଓ ଦୋଳି ଖେଳିଛନ୍ତି । ଆଉ ଏଇ ସେଇ ଭୂତିଆରୀ ବାଡ଼ ଓ ବାଉଁଶ ବଣ, ଯୋଉଠି ପ୍ରତି ଅପରାହ୍ନରେ ପ୍ରାଥମିକ ଶ୍ରେଣୀର ସହପାଠିନୀ ଉର୍ମିଳା ସହିତ ମିଛ ବିବାହର ଖେଳ ଖେଳି ଖେଳି ହାଇସ୍କୁଲରେ ପଢ଼ିବାବେଳେ ସତ ବିବାହ ନିମନ୍ତେ ସଂକଳ୍ପବଦ୍ଧ ହୋଇଥିଲେ । ଏଇ ନିରୋଳା ସ୍ଥାନଟି ଥିଲା ସେମାନଙ୍କର ତତ୍କାଳିନ ମିଳନସ୍ଥଳୀ । କିନ୍ତୁ ଶେଷରେ ସେମାନଙ୍କର ସେଇ ସଂକଳ୍ପ ଧୂଳିର ଘର ପରି ମିଛ ହୋଇ ଯାଇଥିଲା । ଉର୍ମିଳା ଆଜି କେଉଁଠି ଥିବ କେଜାଣି ? ହୁଏତ ତା’ର ନାତି–ନାତୁଣୀଙ୍କ ସହିତ ବସି ଖେଳୁଥିବ ଅନ୍ୟ ଏକ ଗାଁରେ, ଯାହାର ଠିକଣା ସେ ଜାଣନ୍ତି ନାହିଁ । ଛାଡ଼...

 

ହଠାତ୍ ତାଙ୍କର ଦୃଷ୍ଟି ପଡ଼ିଲା କେତୋଟି ଉଲଗ୍ନ ଶିଶୁଙ୍କ ଉପରେ, ଯେଉଁମାନେ କୁଆଡ଼କୁ ଭ୍ରୂକ୍ଷେପ ନ କରି ସେମାନଙ୍କ ଖେଳରେ ଲାଗି ପଡ଼ିଥିଲେ ।

 

ସୁରଜିତ୍‍ଙ୍କ ମନେହେଲା–ଆଃ, ଆଜି ହଠାତ୍ ତାଙ୍କର ବୟସ ଅନେକ ତଳକୁ ଖସିପଡ଼ନ୍ତା...ସେ ଯଦି ଏଇପରି ଶିଶୁ ହୋଇଉଠନ୍ତେ...ତେବେ କେତେ ମଜା ହୁଅନ୍ତା !!

 

ବନ୍ଧୁ ଦୁଇ ଜଣଙ୍କର ଦୃଷ୍ଟି ଆକର୍ଷଣ କରି ସେ କହିଲେ–ପିଲାଦିନେ ଏମାନଙ୍କ ପରି ଦାଣ୍ଡ ଉପରେ ବସି ବସି ଆମେ ଏମିତି ଖେଳୁଥିଲେ ନା !

 

ହଁ, ଠିକ୍ ଏମିତି ଆମେ ଖେଳୁଥିଲୁ । କେତେ ମାଡ଼ଗୋଳ...କାନ୍ଦକଟା...ରୁଷାରୁଷି...ପୁଣି ହସଖୁସି...। ବନ୍ଧୁ ହାଡ଼ିବନ୍ଧୁ ଉତ୍ତର ଦେଲେ ।

 

ହଁ, ଠିକ୍ ଏମିତି ନା ! ସୁରଜିତ୍ ଦୀର୍ଘଶ୍ୱାସ ପକାଇଲେ ।

 

ସେଦିନ ଆଉ ଆମ ପାଇଁ ଫେରିବ ନାହିଁ...। ବ୍ୟଥାର ଶ୍ୱାସ ପକାଇ କହିଲେ ବନ୍ଧୁ ଗୋପୀନାଥ ।

 

ସେଦିନ ଆଉ ଫେରିବ ନାହିଁ...ଫେରିବ ନାହିଁ...ସୁରଜିତ୍ ଯେପରି ଅଧିକ ଭାବପ୍ରବଣ ହୋଇ ପଡ଼ୁଥିଲେ । କାହିଁକି ? କାହିଁକି ଫେରିବ ନାହିଁ ? ଚାଲ, ଆମେ ତିନିଜଣଯାକ ଏକାଠି ବସି ପୁଣି ଖେଳିବା ।

 

ଶିକ୍ଷିତ ବନ୍ଧୁ ସୁରଜିତ୍‍ଙ୍କର କଥା ଶୁଣି ବନ୍ଧୁ ଦୁଇ ଜଣ ହସିଉଠି ସମସ୍ୱରରେ କହିଲେ–ଦାଣ୍ଡ ଉପରେ ବସି ଧୂଳି ଖେଳିବାଟା କ’ଣ ଆମ ପକ୍ଷରେ ଆଉ ସୁନ୍ଦର ହେବ ସୁର ? ସମସ୍ତେ କହିବେ, ବୁଢ଼ା ତିନିଟା ପାଗଳ ହୋଇ ଯାଇଛନ୍ତି ।

 

ବନ୍ଧୁ ଦୁହିଁଙ୍କ ମନ୍ତବ୍ୟରେ ଚମକିଉଠି ସୁରଜିତ୍ ସେମାନଙ୍କୁ ଚାହିଁଲେ । ହଁ, ସେମାନେ ବୁଢ଼ା ହୋଇ ଯାଇଛନ୍ତି । ଅତିନିର୍ଦ୍ଦୟ ଭାବରେ ବାର୍ଦ୍ଧକ୍ୟ ସେମାନଙ୍କ ଶରୀର ଉପରେ ତା’ର ଆଧିପତ୍ୟ ବିସ୍ତାର କରିଛି । ତଥାପି ଏଇ ନିଷ୍ଠୁର ସତ୍ୟକୁ କାହିଁକି କେଜାଣି ସେ ମାନିନେଇ ପାରୁ ନାହାନ୍ତି ।

 

ବନ୍ଧୁ ଦୁହିଁଙ୍କ ସହିତ ଫେରୁଥିବା ଅବସ୍ଥାରେ କେଉଁ ଏକ ଆକର୍ଷଣରେ ଟାଣି ହୋଇ କିଛି ସମୟ ପାଇଁ ଅଟକିଗଲେ ପିଲାମାନଙ୍କ ଖେଳ ନିକଟରେ ।

 

କ’ଣ ପିଲାଏ ଖେଳୁଛ ?

 

ତାଙ୍କର ବ୍ୟକ୍ତିତ୍ଵ ପ୍ରତି କୌଣସି ସଂଭ୍ରମତା ପ୍ରକାଶ ନ କରି ପିଲାମାନେ ତାଙ୍କ ସ୍ୱଭାବସୁଲଭ ଗଳାରେ ସମସ୍ଵରରେ କହିଉଠିଲେ–ହ, ଆମେ ଖେଳୁଚ, ତମେ ଆସୁନ ଆମ ସାଙ୍ଗରେ ଖେଳିବ ।

 

ପିଲାମାନଙ୍କର ଏଇ ପଦକ କଥା ଶୁଣି ସୁରଜିତ୍ ଅନୁଭବ କଲେ ଯେପରି ପୁଣି ତାଙ୍କ ପାଖକୁ କୈଶୋର ଫେରିଆସିଛି । ପିଲାମାନଙ୍କ ସହିତ ସେଇଠି ବସି ଖେଳିବାକୁ ଇଚ୍ଛା ଥିଲେ ବି ବନ୍ଧୁମାନେ ଥିବାରୁ ପିଲାମାନଙ୍କ ପ୍ରତି ସସ୍ନେହ ସ୍ମିତହାସ୍ୟର ଦୃଷ୍ଟିପାତ କରି ସେ ଆଗେଇ ଚାଲିଲେ ହୃଦୟରେ ପରିପୂର୍ଣ୍ଣ ଆନନ୍ଦର ଆବେଗ ନେଇ । ସେ ଆନନ୍ଦ ଏକାନ୍ତ ନିରୀହ ।

 

ବନ୍ଧୁମାନଙ୍କ ନିକଟରୁ ବିଦାୟ ନେଇ ସୁରଜିତ୍ ଘରେ ପହଞ୍ଚି ଦେଖିଲେ, ନାତି ବୁନୁ ଏକୁଟିଆ ଗୁରୁଣ୍ଡି ଗୁରୁଣ୍ଡି ବୁଲୁଛି ଆମର ପାଖ ପିଣ୍ଡାରେ ।

 

ଆଜିକୁ ବହୁ ବର୍ଷ ତଳେ ସେ ବି ଦିନେ ଏଇ ପିଣ୍ଡାରେ ପେଟଉଥିଲେ, ଗୁରୁଣ୍ଡି ଗୁରୁଣ୍ଡି ଏପଟ ସେପଟ ହେଉଥିଲେ, କାନ୍ଥ ଧରି ଠୁକ୍ ଠୁକ୍ ହୋଇ ଚାଲିବାକୁ ଚେଷ୍ଟା କରୁଥିଲେ । ଆଜି ପୁଣି ଠିକ୍ ସେଇ କଥାକୁ ବୁନୁ ପୁନରାବୃତ୍ତି କରୁଛି । ଆରେ, କେଡ଼େ ଖଣ୍ଡେ ମାଟି ପଡ଼ିଛି ବୁନୁ ସାମ୍ନାରେ, ସେ ତାକୁ ଖାଇବ ବୋଲି କାନ୍ଥରୁ ଛଡ଼ାଇଛି ବୋଧହୁଏ ।

 

ସୁରଜିତ୍ ସେଇଠି ବସିପଡ଼ିଲେ ବୁନୁର ମାଟିଖିଆ ଦେଖିବା ପାଇଁ । କିନ୍ତୁ ହାୟ, ଦୀର୍ଘ ସମୟ ଧରି ଅପେକ୍ଷା କରି ମଧ୍ୟ ବୁନୁ ମାଟି ଖାଇଲା ନାହିଁ । ଆଶ୍ଚର୍ଯ୍ୟ, ଆଜିକାଲିର ପିଲାମାନେ ମାଟିଖିଆ ଭୁଲିଗଲେଣି ନା କ’ଣ ? ସେ କିନ୍ତୁ ପିଲାଦିନେ ପ୍ରଚୁର ମାଟି ଖାଉଥିଲେ । ତାଙ୍କ ମାଟିଖିଆରେ ବୋଉ ଅତିଷ୍ଠ ହୋଇ ଉଠିଥିଲେ । ତେଣୁ ସେ ଅଭ୍ୟାସ ଛଡ଼ାଇବାକୁ ବୋଉ ତାଙ୍କ ବେକରେ ପକାଇଲେ ଗୋଟାଏ ବଡ଼ ମୁଣ୍ଡାକୋଚିଲା ମଞ୍ଜି । ପ୍ରାୟ ଦଶ ବର୍ଷ ହେବା ପର୍ଯ୍ୟନ୍ତ ସେ ମୁଣ୍ଡାକ ତଥାପି ତାଙ୍କ ବେକରେ ରହିଥିଲା ।

 

ତାଙ୍କର ନାତି ହୋଇ ବୁନୁ କିନ୍ତୁ ମାଟି ଖାଉ ନାହିଁ । ସେ ଆଶ୍ଚର୍ଯ୍ୟ ହେଉଥିଲେ, ବୋଧହୁଏ ସହରର କୋଠାଘରେ ଜନ୍ମ ହୋଇଥିବାରୁ ସେ ମାଟିର ମଧୁରତା ସମ୍ପର୍କରେ ଅଜ୍ଞ । ନା, ବୁନୁ ମାଟି ଖାଇବ । ମାଟି ଖାଇବାଟା ପାପ ନୁହେଁ, ବରଂ ପିଲାମାନଙ୍କ ପକ୍ଷେ ତାହା ଏକ ନିରୀହ ଆନନ୍ଦ । ଆଜି ନିଶ୍ଚୟ ସେ ତାକୁ ମାଟିଖିଆ ଶିଖାଇ ଦେବେ ।

 

ବୁନୁର ଦୃଷ୍ଟି ଆକର୍ଷଣ କରିବାକୁ ସେ ତାକୁ ଫୁଟିକି ଫୁଟାଇ ଡାକିଲେ । ଜେଜେଙ୍କୁ ଦେଖିପାରି ବୁନୁ ଖୁସି ହେଲା । ଦୁଇ ଆଣ୍ଠୁ ଓ ଗୋଟିଏ ହାତରେ ଭରାଦେଇ ଅନ୍ୟ ହାତଟି ଟେକି ସେ ଜେଜେଙ୍କୁ ତା’ ପାଖକୁ ଯିବାକୁ ଆମନ୍ତ୍ରଣ କଲା । ତାର ନୂଆହୋଇ ଉଠିଥିବା ମାତ୍ର ଦୁଇଟି ଦାନ୍ତ ଦେଖାଇ ବହୁତ ହସିଲା ।

 

ସୁରଜିତ୍‍ଙ୍କର ମନେହେଲା, ନୂଆ ହୋଇ ଉଠିଥିବା ଦାନ୍ତ ଦୁଇଟିକୁ ଦେଖାଇ ବୁନୁ ଯେପରି ତାଙ୍କୁ କହୁଚି, ଜେଜେ, ତମେ ଦିନେ ଠିକ୍ ମୋର ପରି ଥିଲା ନା ! ମୋରି ପରି ଗୁରୁଣ୍ଡୁ ଥିଲ, ଖେଳୁଥିଲ, ଆଉ କାନ୍ଦୁଥିଲ । ତମେ ବି ତମର ପିଲାଦିନେ ପ୍ରଚୁର ମାଟି ଖାଉଥିବ; କିନ୍ତୁ ଦେଖୁଚଟି ମତେ ଜମା ମାଟିଖାଇ ଆସୁନି । ଟିକେ ଶିଖାଇଦେଲେ ହୁଅନ୍ତା ନି ?

 

ବୁନୁର ଏ ଆମନ୍ତ୍ରଣକୁ ଉପେକ୍ଷା କରିବାର ଶକ୍ତି ସୁରଜିତ୍‍ଙ୍କର ନ ଥିଲା । ତା’ପରେ ଚାରିଆଡ଼କୁ ଥରେ ଭଲ ଭାବରେ ଦେଖିନେଇ ସେ ଖୁବ୍ ସନ୍ତର୍ପଣରେ ବୁନୁ ପାଖରେ ଆସି ବସିପଡ଼ିଲେ । ଜେଜେଙ୍କୁ ପାଖରେ ବସିବାର ଦେଖି ଅନେକ ଖୁସିରେ ବୁନୁ ତାଙ୍କ କୋଳ ଉପରକୁ ଉଠିଗଲା ।

 

ବୁନୁ...ବୁନୁ ରେ...! ସ୍ନେହରେ ତା’ ପିଠି ଉପରେ ହାତ ବୁଲାଉ ବୁଲାଉ ଆବେଗଭରା କଣ୍ଠରେ ଡାକି ଉଠି ବୁନୁର ଶିର ଚୁମ୍ବନ କଲେ ।

 

ସୁରଜିତ୍‍ଙ୍କ କୋଳ ଉପରୁ ତଳକୁ ଡେଇଁପଡ଼ି ବୁନୁ ପୁଣି ଗୁରୁଣ୍ଡି ଗୁରୁଣ୍ଡି ସେଇ ମାଟି ଖଣ୍ଡ ସହ ଖେଳିବାରେ ଲାଗିଲା ।

 

ମାଟି ସହିତ ଖେଳୁଛି ପିଲାଟା ଅଥଚ ଖାଉ ନାହିଁ । ସୁରଜିତ୍ ତାକୁ ମାଟି ଖାଇବା ଶିଖାଇବାକୁ ଚେଷ୍ଟା କଲା । ବୁନୁକୁ ମାଟିଖିଆ ଶିଖାଉ ଶିଖାଉ ଭାବିଲେ, ଦିନ ସେ ବି ବୁନୁ ପରି ଥିଲେ । ପୁଣି ବୁନୁ ଦିନେ ତାଙ୍କରି ପରି ହେବ । ତେବେ ବୁନୁ ଆଉ ତାଙ୍କ ଭିତରେ ପ୍ରଭେଦ କେଉଁଠି ? ବୁନୁ ଆଉ ସେ ! ସେ ଆଉ ବୁନୁ ! ନା, ବୁନୁ ଆଉ ତାଙ୍କ ମଧ୍ୟରେ କୌଣସି ପ୍ରଭେଦ ନାହିଁ । ସେମାନେ ଏକ ଓ ଅଭିନ୍ନ । ବାଳ ବୃଦ୍ଧ ତ ସମାନ ।

 

ତାଙ୍କର ଇଚ୍ଛା ହେଲା ବୁନୁ ପରି ଖେଳିବାକୁ, ଗୁରୁଣ୍ଡିବାକୁ ଓ ମାଟି ଖାଇବାକୁ ।

ଦାଣ୍ଡରେ ସିନା ଅନ୍ୟମାନଙ୍କ ଯୋଗୁଁ ସେ ପିଲାମାନଙ୍କ ସହ ଧୂଳି ଘର ତୋଳି ଖେଳି ପାରିଲେନି, କିନ୍ତୁ ଏଠି ଏଇ ନିରୋଳାରେ ତ କୌଣସି ବାଧା ନାହିଁ । ସେ ତା’ ସହିତ ଗୁରୁଣ୍ଡି ଗୁରୁଣ୍ଡି ମାଟି ଖାଇବାକୁ ଲାଗିଲେ । ତାଙ୍କର ମନେ ହେଲା, ସେ ଆଉ ମନସ୍ତତ୍ତ୍ୱର ଅବସରପ୍ରାପ୍ତ ମୁଖ୍ୟ ଅଧ୍ୟାପକ ନୁହନ୍ତି–ସେ ବୁନୁ । ଆଉ ଟିକିକ ପରେ ଖୋଜି ଖୋଜି ତାଙ୍କ ବୋଉ ଆସି ପହଞ୍ଚିବ, ହାତରୁ ମାଟି ଛଡ଼ାଇ ଫୋପାଡ଼ି ଦେଇ ମୁହିଁ ପୋଛିଦେବ । ପୁଣି କୋଳରେ ପୂରାଇ ଶୁଆଉ ଶୁଆଉ ଶୁଣାଇବ ନାନା ବାୟା ଗୀତ ।

ଅନେକ ସମୟ ପରେ ବୁନୁକୁ ଖୋଜିବାକୁ ଆସି କାମିନୀ ଦେଖିଲେ, ବୁନୁ ଆଉ ସୁରଜିତ୍ ଦୁହେଁଯାକ ଗୁରୁଣ୍ଡି ଗୁରୁଣ୍ଡି ମାଟି ଖାଇବାରେ ଲାଗିପଡ଼ିଛନ୍ତି ।

ଶ୍ଵଶୁରଙ୍କୁ ଏମିତି ଏକ ଅଦ୍ଭୂତପୂର୍ବ ଅବସ୍ଥାରେ ଦେଖି କାମିନୀଙ୍କ ଆଶ୍ଚର୍ଯ୍ୟ ଚକିତ କଣ୍ଠରୁ ବାହାରି ଆସିଲା, ବାପା–ଆପଣ ବି....

ବୋହୂଙ୍କ କଣ୍ଠସ୍ୱର ଶୁଣି ବୃଦ୍ଧ ସୁରଜିତ୍ ଚମକି ଉଠି କାମିନୀଙ୍କ ମୁଁହକୁ ଅନାଇ ଖୁବ୍ ସରଳ ଭାବରେ ହସିଦେଲେ । ଜେଜେଙ୍କ ପାଖରେ ଥାଇ ବୋଉ ମୁହଁକୁ ଅନାଇ ବୁନୁ ମଧ୍ୟ ହସିଦେଲା ।

କାମିନୀ ଦେବୀଙ୍କର ମନେହେଲା, ବୁନୁ ଓ ସୁରଜିତ୍ ଦୁହେଁ ତାଙ୍କର ଯାଆଁଳା ପୁଅ ଆଉ ବୁନୁର ହସ ପରି ସୁରଜିତ୍‍ଙ୍କ ହସ ମଧ୍ୟ ଖୁବ୍ ସ୍ୱଚ୍ଛ, ସରଳ, ପବିତ୍ର ଓ ନିଷ୍ପାପ ।

Image